ପିିସିସିର ଆୟୋଜନ ଦେଖି ରାହୁଲ ଗାନ୍ଧୀ ରାଗିଥିଲେ…ପାଲଟା ଜବାବ୍ ଦେଲେ ପଟ୍ଟନାୟକ ଗୋଷ୍ଠୀ…କହିବେନି ସାମାଜିକ ନ୍ୟାୟ କଥା..
ଭୁବନେଶ୍ୱର : ଓଡ଼ିଶାରେ ହୋଇଥିବା ଭାରତ ଯୋଡ଼ ନ୍ୟାୟ ଯାତ୍ରା ପ୍ରସ୍ତୁତି ଓ କାର୍ଯ୍ୟକ୍ରମକୁ ନେଇ ରାହୁଲ ଗାନ୍ଧୀ ଖପ୍ପା ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ସିଏସ୍ ରାଜନ ଏକ୍କାଙ୍କ ସଭାକୁ ଛାଡିଦେଲେ, ଅନ୍ୟ ସବୁ ସଭାରେ ଲୋକଙ୍କ ଉପସ୍ଥିତି ଓ ବ୍ୟବସ୍ଥାକୁ ନେଇ ରାହୁଲ ଖପ୍ପା ହୋଇଛନ୍ତି। ବିଶେଷ କରି ବୀରମିତ୍ରପୁର, ଝାରସୁଗୁଡ଼ା ଲୋକଙ୍କ ଉପସ୍ଥିତି ଆଶାନୁରୂପ ନ ଥିଲା। ସାମଗ୍ରିକ ଭାବେ ଭାରତ ଯୋଡ଼ ଯାତ୍ରାକୁ ନେଇ ରାହୁଲ ଗାନ୍ଧୀ ଓଡ଼ିଶା ପିସିସି ପ୍ରଭାରୀ ଅଜୟ କୁମାରଙ୍କୁ ରାଗିଥିଲେ। ଅଜୟ କୁମାର ମଧ୍ୟ ରାଜ୍ୟ ନେତୃତ୍ୱକୁ ଏନେଇ ତାଗିଦ୍ କରିଛନ୍ତି। ଏମିତି କି ଅଜୟ କୁଆଡେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ମନଇଚ୍ଛା ଶୁଣାଇ ଦେଇଥିଲେ। ରାହୁଲ ଯାତ୍ରାର ଉଦ୍ଦେଶ୍ୟକୁ ବୁଝିବା ଅପେକ୍ଷା କେତେକ ବରିଷ୍ଠ ନେତା କେବଳ ଷ୍ଟେଜରେ ଚଢି ଫଟୋ ଉଠାଇବାକୁ ବ୍ୟଗ୍ର ହୋଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ଜଣେ ପୂର୍ବତନ ପିସିସି ସଭାପତିଙ୍କ ପୁଅଙ୍କୁ ଅଜୟ କୁମାର ମଞ୍ଚରୁ ଓହ୍ଲାଇବାକୁ କହି ଦେଇଥିଲେ। ଏହା ପରେ ସେ ଯୁବ ନେତା ଜଣଙ୍କ ଭୁବନେଶ୍ୱର ଫେରି ଆସିଥିଲେ। ରାହୁଲ ଗାନ୍ଧୀଙ୍କ କାଫିଲା ଏବଂ ସୁରକ୍ଷା କର୍ମୀଙ୍କୁ ଛାଡି ଦେଲେ ହାରାହାରି ଭାବେ ୧୫୦୦ ଲୋକ ହେଉଥିଲେ। ଏହା ଦେଖି ପୂର୍ବରୁ ସ୍ଥିରୀକୃତ ହୋଇଥିବା କେତେକ ବୈଠକ ରାହୁଲ ଗାନ୍ଧୀ ଶେଷ ମୁହୂର୍ତ୍ତରେ ବାତିଲ କରିଦେଇଥିଲେ। ରାହୁଲ ଗାନ୍ଧୀଙ୍କ ଗସ୍ତ ଖର୍ଚ୍ଚ ବାବଦରେ ଟଙ୍କାର ସୁବିନିଯୋଗ ହୋଇ ନ ଥିବା ମଧ୍ୟ ଅଭିଯୋଗ ଉଠିଲାଣି। କିଛି ବିଧାୟକ ନିଜସ୍ୱ ଉଦ୍ୟମରେ କରୁଥିବା ବ୍ୟବସ୍ଥାକୁ ମଧ୍ୟ ନେତୃତ୍ୱ ନାକ ଟେକିଥିଲେ। ମହମ୍ମଦ ମୋକ୍କିମ ନିଜସ୍ୱ ଉଦ୍ୟମରେ ସ୍ଥାନୀୟ ଅଞ୍ଚଳରେ ବିଜ୍ଞାପନ ଦେବା, ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକଙ୍କ ପାଇଁ ବ୍ୟବସ୍ଥା କରିଥିଲେ। ମାତ୍ର ଏହା ରାଜ୍ୟ ନେତୃତ୍ୱ ଦେହରେ ଯାଇ ନ ଥିଲା। ଚିରଞ୍ଜୀବ ବିଶ୍ୱାଳଙ୍କ ନିଲମ୍ବନ ଉଠିସାରିଛି। ମାତ୍ର ସାମଗ୍ରିକ ସ୍ଥିତି ଦେଖି ସେ ଏତେଟା ସକ୍ରିୟ ହେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଓଡ଼ିଶାରେ ବିଫଳ ଆୟୋଜନ ସତ୍ତ୍ୱେ କେତେକ ବରିଷ୍ଠ କଂଗ୍ରେସ ନେତା ଛତିଶଗଡ଼ ଗସ୍ତ କରିଥିଲେ।ଏହି ଭରସାରେ ଯେ, କାଳେ ରାହୁଲ ଗାନ୍ଧୀ ତାଙ୍କୁ ଦେଖି ଖାଲି ହସିଦେବେ। ହେଲେ ସେପରି କିଛି ହେଲା ନାହିଁ। ଖାଲି ରାହୁଲ ଗାନ୍ଧୀ ଯେ, ରାଜ୍ୟ କଂଗ୍ରେସ ନେତାଙ୍କ ଉପରେ ରାଗିଛନ୍ତି, ତାହା ନୁହେଁ। କଂଗ୍ରେସର ଅଧିକାଂଶ ବରିଷ୍ଠ ନେତା ମଧ୍ୟ ରାହୁଲଙ୍କ ଉପରେ ରାଗିଛନ୍ତି। ଜଣେ ପୂର୍ବତନ ବିଧାୟକ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ପଛୁଆବର୍ଗ, ଏସସି,ଏସଟିଙ୍କ ଅଧିକାର କଥା କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜାତି ନେଇ ତାତ୍ସଲ୍ୟ କରିଛନ୍ତି। ହେଲେ ରାଜ୍ୟ ପଦାଧିକାରୀ ମାନେ ସବୁ ତ ଉଚ୍ଚବର୍ଗର। ସେମାନେ ଏସସି,ଏସଟି ଏବଂ ପଛୁଆବର୍ଗ କଥା କହି କାହିଁକି ନିଜ ଏବଂ ନିଜ ପିଲାମାନଙ୍କ ରାଜନୈତିକ ଠିକାଦାରୀ ଉପରେ ପ୍ରତିବନ୍ଧକ ଲଗାଇବେ। ସେ କହିଥିଲେ ଯେ, ପିସିସି ସଭାପତି, ପ୍ରଚାର କମିଟି ଅଧ୍ୟକ୍ଷ, ଓ୍ୱାର ରୁମ୍ ଅଧ୍ୟକ୍ଷ, ମହିଳା ସଭାନେତ୍ରୀ, ଗଣମାଧ୍ୟମ ପ୍ରମୁଖ, କିଷାନ୍ ସେଲ୍ , ବିଧାୟକ ଦଳ ନେତା, ମୁଖ୍ୟ ସଚେତକ ସବୁ ସାଧାରଣ ବର୍ଗର ପ୍ରତିନିଧିତ୍ୱ କରିଥାନ୍ତି। ତେଣୁ ରାହୁଲ ଗସ୍ତ ଏକ ଦଳୀୟ ରୁଟିନ୍ କାର୍ଯ୍ୟକ୍ରମ ଭାବି ଭୁଲିଯିବା ଶ୍ରେୟସ୍କର ବୋଲି ସେ ନେତା ଜଣଙ୍କ କହିଛନ୍ତି।
