ରାଜ୍ୟ ବିଜେପିରେ ପ୍ରକୃତରେ କାହା ପାଇଁ ଷଡ଼ଯନ୍ତ୍ର….ମୋହନ ..ନା…ଧର୍ମେନ୍ଦ୍ର….ନା .. ଗୋପରେ ବଢୁଛି ….କଳା କହ୍ନେଇ…

ଭୁବନେଶ୍ୱର : ରାଜ୍ୟ ବିଜେପି କ୍ଷମତାକୁ ଆସିଛି ସତ। ହେଲେ ପୂର୍ଣ୍ଣ ମାତ୍ରାରେ ରାଜ୍ୟର ଶାସନ କଳ ଓ ଦଳକୁ ନିଜ ନିୟନ୍ତ୍ରଣକୁ ଆଣିପାରିନାହିଁ। ଯାହା ଫଳରେ କେତେକ କାର୍ଯ୍ୟର ସମନ୍ବୟ ଅଭାବ କଥା ସ୍ପଷ୍ଟ ବାରି ହୋଇ ପଡୁଛି। କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶାରେ ନିଜ ମନପସନ୍ଦ ଲବିକୁ ଏକମାତ୍ର କ୍ଷମତାକେନ୍ଦ୍ର କରିବାକୁ ସମସ୍ତ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ଏହାର ଏକାଧିକ ଉଦାହରଣ ଗତ ସାତ ମାସରେ ଆମକୁ ବହୁତ ଦେଖିବାକୁ ମିଳିଲାଣି।

ନିକଟରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଗଲା। ଏଥିରେ ପ୍ରଚାର ପ୍ରସାରରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଫଟୋକୁ ଅଧିକ ଗୁରୁତ୍ୱ ମିଳିଲା। ଯାହାଙ୍କ ଆଗମନକୁ ନେଇ ପ୍ରବାସୀ ଭାରତୀୟ ଦିବସ ପାଳନ ହୋଇଥିଲା(ସ୍ୱର୍ଗତ ମୋହନ ଦାସ କରମଚାନ୍ଦ ଗାନ୍ଧୀ) କିମ୍ବା ବର୍ତ୍ତମାନର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କୁ ଦେଖିବାକୁ ମିଳିଲାନି। ଏପରିକି ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜଭବନ ଛକରେ ଅପରାଜିତା ଷଡଙ୍ଗୀ, ବୈଜୟନ୍ତ ପଣ୍ଡା ଏବଂ ଜଗନ୍ନାଥ ପ୍ରଧାନ ନିଜର ଯେଉଁ ବଡ଼ ପୋଷ୍ଟର ମାରିଥିଲେ। ତାହା ମଧ୍ୟ ରାଜ୍ୟ ସରକାର କାର୍ଯ୍ୟକ୍ରମ ପୂର୍ବରୁ ଉଠାଇ ନେଲେ। ସେଠାରେ ବର୍ତ୍ତମାନ ମଧ୍ୟ ଜୟ-ବିରୁଙ୍କ ଭଳି ମୋଦି ଏବଂ ମୋହନଙ୍କ କଟ୍ ଆଉଟ୍ ଶୋଭା ପାଉଛି। ଏହାକୁ ଆରଏସଏସ୍ ପକ୍ଷରୁ କୁହାଯାଉଛି ସିଧା ଗଲା ବାର୍ତ୍ତା। ମୋହନ ହିଁ ଏକମାତ୍ର ନେତା। ଏହାକୁ ନ ବୁଝିଲେ.. କଟି କଟି ଯିବ ପତ୍ତା।

ଏହା ପରେ ଦ୍ୱିତୀୟ ଆଲୋଚନା ହେଉଛି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇକରି। ସିଏ ତାଙ୍କର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ରଖିଛନ୍ତି। ଯେଉଁମାନଙ୍କ ମଧ୍ୟରେ ପୃଥ୍ୱୀରାଜ ହରିଚନ୍ଦନ, ସୂରଜ ସୂର୍ଯ୍ୟବଂଶୀ, ସମ୍ପଦ ସ୍ୱାଇଁ, ପ୍ରଦୀପ ବଳସାମନ୍ତ, ସମୀର ମହାନ୍ତି, ଗୋଲକ ମହାପାତ୍ର, ଠାକୁର ରଣଜିତ ଦାସ ଆଦି ରହିଛନ୍ତି। କିଛି ସ୍ୱାଧୀନ ବିଧାୟକଙ୍କ ସମେତ ଅନ୍ୟ ବିଧାୟକମାନେ ମଧ୍ୟ ଶ୍ରୀ ପ୍ରଧାନଙ୍କ ବଚସ୍କର। ତେଣୁ ଏହି ଗୋଷ୍ଠୀ କୁଆଡେ ରାଜ୍ୟ ସଭାପତି ପଦ ହାତେଇ ମୋହନଙ୍କୁ ଚେକ୍ ମେଟ୍ ଦେବାକୁ ଚାହୁଁଛି। ଏହା ଆରଏସଏସ୍ ସମର୍ଥକ ଏବଂ ସଂଘ ପରିବାର ସମର୍ଥିତ ଗଣମାଧ୍ୟମ ସଂସ୍ଥା କହୁଛନ୍ତି। କୌଣସି ମତେ ଦଳର ସଭାପତି ଶ୍ରୀ ପ୍ରଧାନଙ୍କ କ୍ୟାମ୍ପକୁ ଗଲେ ଏକ ଭୁଲ୍ ବାର୍ତ୍ତା ଯିବ ଏବଂ ମୋହନ ସରକାର ଚାପରେ ରହିବ ବୋଲି ବିଚାର କରୁଛି। ତେଣୁ ମନୋମହନ ସାମଲ ପୂର୍ବ ଭଳି ରାଜ୍ୟ ସଭାପତି ଦାୟିତ୍ୱରେ ରହିବେ। ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଲେ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ରାଜ୍ୟସଭା ଯିବେ। ତେଣୁ ସେ ପର୍ଯ୍ୟନ୍ତ ସେ ସଭାପତି ରୁହନ୍ତୁ ବୋଲି ମତ ପ୍ରକାଶ ପାଇଛି। ତେଣୁ ମନମୋହନଙ୍କ ତୃତୀୟ ପାଳି ଶ୍ରୀ ପ୍ରଧାନ କ୍ୟାମ୍ପ ପାଇଁ ଏକ ଖରାପ ଖବର ବୋଲି ଆଲୋଚନା ହେଲାଣି।

ସଭାପତି ଚୟନ ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ସହ ନିଗମ ପଦ ପ୍ରଦାନ କରାଯିବ। ଏହି କ୍ରମରେ ଅତି ମାତ୍ରାରେ ଧର୍ମେନ୍ଦ୍ର ମାର୍କା ଏବଂ ନିଜ ବିଭାଗର ଧାର ଧରୁ ନ ଥିବା କେତେକ ମନ୍ତ୍ରୀଙ୍କୁ ସାବାଡ୍ କରାଯିବ। ଏହି କ୍ରମରେ ପ୍ରଦୀପ ବଳ ସାମନ୍ତ, ସମ୍ପଦ ସ୍ୱାଇଁଙ୍କ ଛୁଟି କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଅନୁରୂପ ଭାବେ ପୃଥ୍ୱୀରାଜ ହରିଚନ୍ଦନ, ସୂରଜ ସୂର୍ଯ୍ୟବଂଶୀଙ୍କ ବିଭାଗ ଆବଣ୍ଟନ ଉପରେ ମଧ୍ୟ ବିଚାର ବିମର୍ଶ ଜାରି ରହିଛି। ଉଭୟ ମନମୋହନ ଏବଂ ଧର୍ମେନ୍ଦ୍ର କ୍ୟାମ୍ପର ଆର୍ଶୀବାଦ ପାଉଥିବା ପ୍ରଭାତୀ ପରିଡାଙ୍କ ସାଙ୍ଗଠନିକ କାମରେ ଅଯଥା ହସ୍ତକ୍ଷେପ ଉପରେ ମଧ୍ୟ କେନ୍ଦ୍ରର ନଜର ରହିଛି। ପଣାସଂକ୍ରାନ୍ତ ପୂର୍ବରୁ ସବୁ ରାଜନୈତିକ ଢିଲାପଣରେ ମୋଦି-ଶାହା ନଟ୍ ବୋଲ୍ଡ ଟାଇଟ୍ କରିବାକୁ ଯାଉଥିବା ଜଣାପଡୁଛି। ଏହି ସବୁ ପ୍ରକରଣ  ଧର୍ମେନ୍ଦ୍ର କ୍ୟାମ୍ପ ପାଇଁ ଖରାପ ଖବର ଆଣୁଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି।

ଇଏ ତ ଗଲା ରାଜ୍ୟ ଆଡୁ ବିପଦ। ଦିଲ୍ଲୀ ଆଡୁ ମଧ୍ୟ ଧର୍ମେନ୍ଦ୍ରଙ୍କ ପ୍ରତି ବିପଦ ରହିଛି। ଦିଲ୍ଲୀର ଏଲଜି ସମେତ ଅଫିସରଙ୍କୁ ମୋଦି ସରକାର କବଜା କରିସାରିଲେଣି। ଗୃହ ବିଭାଗ ଏମିତି ଶାହାଙ୍କ ହାତରେ। ତେଣୁ କଳେବଳେ କୌଶଳ ଦିଲ୍ଲୀ ଜିତିବା ପାଇଁ ବିଜେପି ସବୁ ଚେଷ୍ଟା କରୁଛି। ଦିଲ୍ଲୀ ବିଜେପିର ନିର୍ବାଚନୀ ପ୍ରଭାରୀ ଭାବେ ବୈଜୟନ୍ତ ପଣ୍ଡା କାମ କରୁଛନ୍ତି। ଯଦି ଦିଲ୍ଲୀ ଦଖଲରେ ବିଜେପି ସଫଳ ହୁଏ, ତେବେ ଆଗାମୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ତାଙ୍କର ଅନ୍ତତଃ ରାଷ୍ଟ୍ରମନ୍ତ୍ରୀ ପଦ ପକ୍କା। ବୈଦେଶିତ ବ୍ୟାପାର, ଅର୍ଥ କିମ୍ବା ବାଣିଜ୍ୟ ବିଭାଗ ମଧ୍ୟ ମିଳିବାର ସମ୍ଭାବନା ରହିଛି। ଏନେଇ କୁଆଡେ ରାଜ୍ୟର ଅନ୍ୟ ଏମପି ମାନଙ୍କର କୌଣସି ଆପତ୍ତି ନାହିଁ। ତେଣୁ ବୈଜୟନ୍ତଙ୍କୁ ବଳଶାଳୀ କରିବା, ମନମୋହନଙ୍କୁ ପୁଣି ସଭାପତି କରିବା ତା ସହିତ ମନେ ରଖ ଏ ବାର୍ତ୍ତା, ମୋହନ ମାଝୀ ହିଁ ଏକମାତ୍ର ନେତା ଭଳି ଏକପଦୀ ଶ୍ରୀ ପ୍ରଧାନଙ୍କ ରାଜନୈତିକ ଭାଗ୍ୟ ଆକାଶରେ କଳାବାଦଲ ଆଶଙ୍କା କରୁଛି।

Leave a Reply

Your email address will not be published. Required fields are marked *