ଲୋକସଭାକୁ ଡେଇଁଲେ ଯୁବକ, ଡ଼ରରେ ଛାନିଆ ହେଲେ ସାଂସଦ, କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ବୁଧବାର ଅପରାହ୍ନରେ ୨ଜଣ ବ୍ୟକ୍ତି ଲୋକସଭାର ‘ପରିଦର୍ଶକ ଗ୍ୟାଲେରି’ରୁ ଡେଇଁପଡ଼ି ନିମ୍ନ ସଦନରେ ଦୌଡ଼ାଦୌଡ଼ି କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି। ଆଜି ସଂସଦ ଆକ୍ରମଣ ବାର୍ଷିକୀରେ । ଏହି ଦିନ ସୁରକ୍ଷା ଭଙ୍ଗ ହେବା ଅନେକଙ୍କୁ ଚକିତ କରିଛି। ବିଶେଷ କରି ସଂସଦର ସୁରକ୍ଷା ବଳୟ ଭେଦ କରି କିଭଳି ଲୋକସଭାରେ ପଶିଗଲେ ଦୁଇ ଅଜ୍ଞାତ ଯୁବକ , ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସାମଗ୍ରିକ ଘଟଣାରେ ସମୁଦାୟ ୪ ଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟର ଦୁଇ ଜଣ ସଂସଦ ଭିତରେ ପଶିଥିବା ବେଳେ ଦୁଇ ଜଣ ପରିବହନ ଭବନ ସାମ୍ନାରେ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ବାହାରେ ଥିବା ଦୁଇ ଜଣଙ୍କ ମଧ୍ୟରେ ଜଣେ ଯୁବତୀ ଥିଲେ। ସମସ୍ତଙ୍କଠାରୁ ଧୂଆଁ ନିର୍ଗତ ସାମଗ୍ରୀ ଜବତ କରାଯାଇଛି। ଦିଲ୍ଲୀ ପୁଲିସ୍ ସେମାନଙ୍କୁ ନିଜ ହେପାଜତକୁ ନେଇ ପଚରାଉଚରା କରିସାରିଛି। ଗୃହ କାର୍ଯ୍ୟ ଜାରି ରହିଥିବା ବେଳେ ହଠାତ୍ ଦର୍ଶକ ଗ୍ୟାଲେରିରୁ ୨ ଜଣ ଯୁବକ ସାଂସଦମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନକୁ ଡେଇଁ ପଡ଼ିଥିଲେ। ସେମାନେ ବେଞ୍ଚରୁ ବେଞ୍ଚକୁ ଡେଇଁବାକୁ ଲାଗିଥିଲେ। ଏଥିସହ କିଛି ଧୂଆଁ ନିର୍ଗତ ସାମଗ୍ରୀ ଫିଙ୍ଗବାକୁ ଉଦ୍ୟମ କରିଥିଲେ। ଗୃହରେ ଉପସ୍ଥିତ ଥିବା ସାଂସଦମାନେ ସେମାନଙ୍କୁ କାବୁ କରିଥିଲେ। ଏହା ପରେ ସୁରକ୍ଷାକର୍ମୀମାନେ ପହଞ୍ଚି ସେମାନଙ୍କୁ ସେଠାରୁ ନେଇ ଯାଇଥିଲେ। ଏହି ଘଟଣା ପରେ ଗୃହ ପରିଚାଳନା କରୁଥିବା ବରିଷ୍ଠ ସଦସ୍ୟ ଲୋକସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ସେ ସମୟରେ ଲୋକସଭାରେ ଉପସ୍ଥିତ ଥିବା କିଛି ସାଂସଦ ବାହାରକୁ ଆସିବା ପରେ ନିଜ ନିଜ ପ୍ରତିକ୍ରିୟା ରଖିଥିଲେ। କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ମହୀଶୂର ସାଂସଦଙ୍କ ରେଫରେନ୍ସରେ ଉଭୟ ଆସିଥିବା ଜଣାପଡ଼ିଛି । ସାଂସଦଙ୍କ ରେଫରେନ୍ସରେ ପାସ୍ ପାଇ ସେମାନେ ଦର୍ଶକ ଗ୍ୟାଲେରୀରେ ବସିଥିଲେ। ସେମାନଙ୍କ କାରବାରରୁ ଏହା ଯୋଜନାପ୍ରସୂତ ଥିବା ଜଣାପଡୁଛି। ସଂପୂର୍ଣ୍ଣ ଯୋଜନାବଦ୍ଧ ଭାବେ ସେମାନେ ଏଭଳି କରିଥିବା ଜଣାପଡୁଛି । ସୁରକ୍ଷାରେ ଖିଲାପ ହୋଇଥିବା କହିଲେ ଶ୍ରୀ ମହତାବ କହିଛନ୍ତି। କେତେକ ବିଜେପି ସାଂସଦମାନଙ୍କ କହିବାନୁଯାୟୀ, ପ୍ରଥମେ ଲୋକସଭା ଗ୍ୟାଲେରିରୁ ଜଣେ ଯୁବକ ହଲ୍ ଭିତରକୁ ଡେଇଁଥିଲେ। ଏହାପରେ ବେଞ୍ଚରୁ ବେଞ୍ଚକୁ ଭିତରେ ଡେଇଁବାକୁ ଲାଗିଲେ। ପରେ ପରେ ଅନ୍ୟ ଜଣେ ଯୁବକ ଦର୍ଶକ ଗ୍ୟାଲେରିରୁ ଭିତରକୁ ପ୍ରବେଶ କଲେ। ଏହାପରେ ଉଭୟ ଲୋକସଭା ଭିତରେ ଚାରିଆଡ଼େ ଡେଇଁବାକୁ ଲାଗିଲେ। କିଛି ସମୟ ପରେ ସେମାନେ ନିଜ ଜୋତାରୁ କିଛି ହଳଦିଆ ରଙ୍ଗର ଗ୍ୟାସ୍ ନିର୍ଗତ କରିବାରୁ ହଲ୍ର ଚାରିଆଡ଼ ସମ୍ପୂର୍ଣ୍ଣ ଧୂଆଁମୟ ହୋଇଗଲା। ଏହାଦେଖି ଉପସ୍ଥିତ ଥିବା ଏମପି ମାନେ ଡିଆଁ ମାରିବାକୁ ଲାଗିଲେ। କିଛି ସାଂସଦ ସେମାନଙ୍କୁ ଧରି ସୁରକ୍ଷା କର୍ମୀଙ୍କୁ ପ୍ରଦାନ କରିଥିଲେ।