ଜୁଏଲ ଓରାମଙ୍କୁ କ’ଣ ସତରେ ମାରି ଦେଇଥାନ୍ତେ ଅଶୋକ ଦାସ, ସେଦିନ କ’ଣ ହୋଇଥିଲା ଓଡ଼ିଶା ବିଧାନସଭାରେ….

ଭୁବନେଶ୍ୱର :  ଜନତା ଦଳର ବର୍ଷିୟାନ ନେତା ଅଶୋକ ଦାସଙ୍କୁ ଜୀବନରେ ଭୁଲି ପାରିବେନି ବିଜେପି ନେତା ଜୁଏଲ୍ ଓରାମ। ସପ୍ତମ ଲୋକସଭା ଥିଲା ୧୯୮୯-୧୯୮୧। ଏହା ମଧ୍ୟରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ୧୯୯୦ରେ ଜନତା ଦଳର ଏଠି ରାଜ୍ୟରେ ସରକାର ଗଠନ କରି ସାରିଥାନ୍ତି।  ମାତ୍ର ବିଜେପିର ରାମ ଜନ୍ମଭୂମି ରଥଯାତ୍ରାକୁ ବିରୋଧ କରିବାରୁ ଭିପି ସିଂହ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଲା ଗୈରିକ ଦଳ। ଫଳରେ ଭିପି ସିଂଙ୍କ  ସରକାର ଭାଙ୍ଗିଯାଇଥିଲା। ହେଲେ ସେଦିନ ଓଡ଼ିଶା ବିଧାନସଭାରେ ମଧ୍ୟ ବହୁତ କିଛି ଘଟଣା ଘଟିଥିଲା।

ଘଟଣାଟି ଏହିପରି । ସେତେବେଳେ ଓଡିଶା ବିଧାନସଭା ଚାଲିଥାଏ। ସେ ସମୟରେ ବିଜେପିରୁ  ଜୁଏଲ ଓରାମ ଓ ବିକ୍ରମ ଦେଓ ବୋଧହୁଏ ବିଧାୟକ ଥାଆନ୍ତି। ପରବର୍ତ୍ତୀ ସମୟରେ ଉପ ନିର୍ବାଚନରେ ଅରବିନ୍ଦ ଢାଲି ଜିତି ବିଧାନସଭା ଆସିଥିଲେ। ଏମାନେ ମଧ୍ୟ ବସ୍ତୁତଃ ସେଦିନ ଜନତା ଦଳରୁ ଅଲଗା ହେଲେ। ଜନତା ଦଳ ଉପରେ ରାଗ ସୁଝାଇବା ପାଇଁ ପ୍ରଥମେ ଏମାନେ ବିଧାନସଭାର ମଧ୍ୟଭାଗକୁ ଚାଲି ଆସିଲେ। ସେତେବେଳେ ମାଇକ୍ ଗୁଡିକ ଲୁହାରେ ଥାଏ। ହଠାତ ବାଚସ୍ପତିଙ୍କ ଚେୟାର ଉପରକୁ ଚଢି ସେ ଷ୍ଟିଲ ମାଇକ୍ ଉପାଡି ବାଚସ୍ପତି ଯୁଧିଷ୍ଠିର ଦାସଙ୍କ ମୁଣ୍ଡକୁ ପିଟି ଦେଲେ ଜୁଏଲ। ବୃଦ୍ଧ ଯୁଧିଷ୍ଠିର ଦାସ ବେହୋସ ହୋଇଗଲେ। ମାର୍ଶାଲ ଆୟତ୍ତ କରିବା ପୂର୍ବରୁ ପୁଣି ୱେଲକୁ ପଳାଇ ଆସିଲେ ଜୁଏଲ।  ସେ ସମୟରେ ଜନତା ଦଳର ଟାଣୁଆ ବିଧାୟକ ଥାଆନ୍ତି  ଅଶୋକ ଦାସ।  ସେ ଥାଇ କହିଲେ, ‘ୟେ କଣ ହେଉଛି ଜୁଏଲ?” ଉତକ୍ଷିପ୍ତ ଜୁଏଲ ଅଶୋକଙ୍କୁ ଦୋ ଅକ୍ଷରୀ ଭାଷାରେ ଗାଳି ଦେବା ଆରମ୍ଭ କଲେ। ବିଜୁ ପଟ୍ଟନାୟକଙ୍କଠାରୁ ଉଚ୍ଚତାରେ ଗୋଟେ ଇଞ୍ଚ ଛୋଟ ଥିଲେ ଅଶୋକ। ଗୋଟିଏ ହାତରେ ଦଣ୍ଡ ମାରୁଥିଲେ, ତା ପୁଣି ପାପୁଲିକୁ ତଳେ ଲଗାଇ ନୁହେଁ ଆଙ୍ଗୁଳିରେ।  ଜୁଏଲଙ୍କ କଥାରେ ଅଶୋକ ଦାସଙ୍କ ଧୈର୍ଯ୍ୟ ବନ୍ଧ ଭାଙ୍ଗିଲା। ସେ କେବଳ ଜୁଏଲ ନୁହେଁ ବରଂ ଉପସ୍ଥିତ ସମସ୍ତ ବିଜେପି  ବିଧାୟକମାନଙ୍କୁ ପିଟିବାକୁ ନିଷ୍ପତ୍ତି ନେଲେ। ଅରବିନ୍ଦ ଢ଼ାଲି ଖସିକି ଧୀର କି ପଳେଇଲେ। ପ୍ରଥମେ ବିକ୍ରମ ଦେଓ ଓ ତାପରେ ପାଳି ପଡିଲା ଜୁଏଲଙ୍କର। ଜୁଏଲଙ୍କର ଶରୀରରେ ଏମିତି କୋଉ ଜାଗା ନଥିଲା, ଯାହା ଫୁଲି ନଥିଲା!!! ଶେଷରେ ଅଶୋକ ଦାସଙ୍କ ଉପରେ ମାଆ କାଳୀ ସବାର ହେଲା ପରି ,   ଜୁଏଲଙ୍କ ଛାତି ଉପରେ ବାଁ ଗୋଡ଼ ଦେଇ ସେ ଫଁ ଫଁ ହେଲେ। ଅଶୋକ ଦାସଙ୍କର ଗୋଟିଏ ଆଖି ସାମାନ୍ୟ ଟେରା ଥିବାରୁ ସେ କୁଆଡେ ଲକ୍ଷ୍ୟ କରନ୍ତି, କହିବା ମୁସ୍କିଲ ହୋଇ ପଡେ। ତେବେ ସେତେବେଳର ପଟ୍ଟାମୁଣ୍ଡାଇ ବିଧାୟକ ରାଧାକାନ୍ତ ସେଠୀ ଦେଖିଲେ ଯେ ଅଶୋକ ଦାସଙ୍କ ଲକ୍ଷ୍ୟ ଜୁଏଲଙ୍କ ଅଣ୍ଡକୋଷ ଉପରେ। ଛାତିରୁ ଗୋଡ଼ ନେଇ ସେ ଜୁଏଲଙ୍କ ଅଣ୍ଡକୋଷ ଚକୁଡିବା ପାଇଁ ପ୍ରସ୍ତୁତ ହେଉଥାନ୍ତି।  ରାଧାକାନ୍ତ ସେଠୀ ଆସି ଅଶୋକ ଦାସଙ୍କ ସାମ୍ନାରେ ଛିଡା ହେଲେ, ଆଉ କହିଲେ, ବିଧାନ ସଭାରେ ଆପଣ ମର୍ଡର କରିବେ ନା କଣ??? ଅଶୋକ ଦାସ ପ୍ରକୃତିସ୍ଥ ହେଲେ ଆଉ ଛାତିରୁ ଗୋଡ଼ ଉଠାଇ ଆଣିଲେ। ଆଉ ଜୁଏଲ ଭାଇ ଛୋଟେଇ ଛୋଟେଇ ପଳେଇଲେ। ଏହି ଘଟଣାକୁ ନିଜ ଫେସବୁକ୍ ପେଜରେ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି ଖୋଲା କଥା ଫେମ୍ ସାମ୍ବାଦିକ ସତ୍ୟଜିତ ମିଶ୍ର। ଏହି ଲେଖାଟି ତାଙ୍କ ଫେସବୁକ୍ ପୋଷ୍ଟରୁ  ସଂଗ୍ରହ କରାଯାଇଛି।

Leave a Reply

Your email address will not be published. Required fields are marked *