ସରକାରରେ ସବୁକିଛି ଠିକ୍ ଚାଲୁନାହିଁ…. କାହିଁକି ଏମିତି କହିଲେ ରୁବେନ୍ …. ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଖବର ତାଙ୍କୁ ଦେଉଛି କିଏ….

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜର ଟିମ୍ ଗଠନ କରିପାରୁନାହାନ୍ତି। ଦଳ ଭିତରେ ହେଉ କି ପ୍ରଶାସନରେ ନିଜର ଛାପ ଛାଡିବା ଭଳି ଟିମ୍ ଗଠନ କରିପାରୁ ନାହାନ୍ତି। ସେ ଭଦ୍ର ଲୋକ ଓ ସମସ୍ତଙ୍କୁ ନେଇ ଆଗକୁ ଯିବାକୁ ଚାହୁଁଛନ୍ତି। ହେଲେ ସେ ଦିଗରେ ସଫଳ ହୋଇନାହାନ୍ତି। ଦଳର ନବ ନିର୍ବାଚିତ ବିଧାୟକ, କର୍ମୀ ଓ ଦଳର କିଛି ପୁରୁଖା ନେତାଙ୍କ ଏକ ଅଦୃଶ୍ୟ ଚାପ ତାଙ୍କ ଉପରେ ରହୁଛି। ତେଣୁ ନିଷ୍ପତ୍ତି ନେବା ତାଙ୍କ ପାଇଁ ବିଳମ୍ବ ହେଉଛି। ପ୍ରଶାସନିକ ସ୍ତରରେ ହେଉଥିବା ଅଦଳବଦଳ ସୁପାରିସ୍ ଗ୍ରହଣ କରି କରାଯାଉଛି। ସିଏମଓର କୌଣସି କର୍ତ୍ତୃତ୍ୱ ରହୁନାହିଁ। ଏକଥା ଆମେ କହୁ ନାହୁଁ। ଏକଥା କହିଛନ୍ତି ସାମ୍ବାଦିକ ରୁବେନ୍ ବାନାର୍ଜୀ। ଗତ ସପ୍ତାହରେ ନିଜ ୟୁଟ୍ୟୁବ୍ ଚ୍ୟାନେଲ ଜରିଆରେ ଏହି କଥା ଶ୍ରୀ ବାନାର୍ଜୀ କହିଛନ୍ତି।

ରୁବେନ୍ ଇଙ୍ଗିତ କରି କହିଛନ୍ତି ଯେ, ଅରିନ୍ଦମ ଡାକୁଆ, ଅନୁପମ୍ ଶାହା, ନିକୁଞ୍ଜ ଧଳ ଆଦି ଗୋଟିଏ ଟିମ୍ ହୋଇ କାର୍ଯ୍ୟ କରିପାରୁନାହାନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଏ ପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିପାରିଲେ ନାହିଁ। ନିଗମ ବାଣ୍ଟିବା ତ ବହୁତ ଦୂରର କଥା। କେତେବେଳେ ଅଗଷ୍ଟ ପନ୍ଦର, କେତେବେଳେ ଦଶହରା ତ କେତେବେଳେ ଦୀପାବଳୀ କହି ଘୁଞ୍ଚାଇ ଦିଆଯାଉଛି। ବିଧାନସଭା ଅଧିବେସନ କିଛିଦିନ ପରେ ଆରମ୍ଭ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନିଜ ହାତରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି। ଏହା ମଧ୍ୟରେ ଗୃହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଅର୍ଥ, ସୂଚନା ଓ ଲୋକସର୍ମ୍ପକ ବିଭାଗ ଏବଂ ଜଳସମ୍ପଦ ବିଭାଗ ରହିଛି। ସରକାର ଓ ପ୍ରଶାସନରେ ମୁଖ୍ୟମନ୍ତ୍ରୀ ଅନ୍ତତଃ ଅର୍ଥ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ ବିଭାଗ ଅନ୍ୟକୁ ଦେବା ଉଚିତ ବୋଲି ମତ ପ୍ରକାଶ ପାଇଛଛି। ଏହି ବିଭାଗ ଗୁଡିକ ଉପରେ ସ୍ୱାସ୍ଥ୍ୟ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କର୍ତ୍ତୃତ୍ୱ ରହୁଛି। ଯାହାକୁ ଅନ୍ୟ ମନ୍ତ୍ରୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି ବୋଲି ରୁବେନ୍ କହିଛନ୍ତି। ମାତ୍ର ସିଏମଓରେ ଏକ ଗଣତାନ୍ତ୍ରିକ ବାତାବରଣ ଆସିଛି। ସମସ୍ତେ ସମସ୍ତଙ୍କୁ ଭେଟି ପାରୁଛନ୍ତି। ଭି.କେ ପାଣ୍ଡିଆନଙ୍କ ସମୟର କୋକୁଆ ଭୟ ନାହିଁ। ମୁଖ୍ୟମନ୍ତ୍ରୀ ବହୁ ସମୟ ସଚିବାଳୟରେ ରହୁଛନ୍ତି। ଏହି ଅଫିସ ଗୁଡିକ ଚଳଚଞ୍ଚଳ ଲାଗିରହୁଛି। ମନ୍ତ୍ରୀମାନଙ୍କ ମଧ୍ୟରେ ଏକ ଅବିଶ୍ୱାସର ବାତାବରଣ ରହିଛି। ଗତ ଦାନା ପରିଚାଳନାର ଉଦାହରଣ ଦେଇ ସୁରେଶ ପୂଜାରୀ ଓ ଅନ୍ୟ ମନ୍ତ୍ରୀ ମାନଙ୍କ ଅନୁଭୂତିକୁ ରୁବେନ୍ ବଖାଣିଛନ୍ତି। ପୂର୍ବରୁ ଆଇଏଏସ୍ ଅଦଳ ବଦଳ ନିଜ ଇଚ୍ଛାରେ ସିଏମଓ କରିଥିଲା। ମାତ୍ର ପରବର୍ତ୍ତୀ ସମୟରେ ସୁପାରିସ୍ ଏବଂ ଏମଏଲଏମାନଙ୍କ ଅଯଥା ଦଖଲ ବୃଦ୍ଧି ପାଇଥିବା ରୁବେନ୍ କହିଛନ୍ତି।

ଯେଉଁ ବିଜେପି କୋଭିଡ କିଣାବିକାରେ ଦୁର୍ନୀତି ଅଭିଯୋଗ କରି ହେମନ୍ତ ଶର୍ମାଙ୍କ ନାଁରେ ଏଫଆଇଆର କରିଥିଲା। ସେହି ବିଜେପି ସବୁ ଅଫିସରଙ୍କୁ ବାଦ୍ ଦେଇ ହେମନ୍ତଙ୍କୁ ଆଜି ମୁଣ୍ଡରେ ବସାଇଛି। ହେମନ୍ତ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସହ ମୁମ୍ବାଇ ଗସ୍ତ କରି ଶିଳ୍ପପତିଙ୍କ ସହ ଆଲୋଚନା କରିଥିଲେ। ସେଠି ଶ୍ରୀ ଶର୍ମାଙ୍କୁ ମୁଖ୍ୟ ଶାସନ ସଚିବ, ବିଭାଗୀୟ ମନ୍ତ୍ରୀଙ୍କ ଅପେକ୍ଷା ଅଧିକ ଭାଉ ଦିଆଯାଉଥିବା ଆଲୋଚନା ହୋଇଛି। ଅନୁରୂପ ଭାବେ ମୁକେଶ ଅମ୍ବାନୀ ଏବଂ ଗୌତମ ଅଦାନୀଙ୍କ ପୁଅଙ୍କ ସହ ଟିମ୍ ଓଡ଼ିଶା ବଦଳରେ ମୋହନ ଏକୁଟିଆ ଭେଟିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ପାଣ୍ଡିଆନଙ୍କ ନାଁରେ ଏକାଧିକ ଅଭିଯୋଗ ଆଣିଥିଲେ ବି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କିମ୍ବା ତଦନ୍ତ ନେଇ କୌଣସି ଆରମ୍ଭ କରାଯାଇ ନାହିଁ ବୋଲି ରୁବେନ୍ କହିଛନ୍ତି।
