କେବେ ଆମେ ବିକଶିତ ହେବା ? ୨୦୩୬ ନା ୨୦୪୭ରେ !!!

ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ)- ହେ ଓଡ଼ିଶାର ଧୁରନ୍ଧରଗଣ ,  ଆପଣମାନେ ଆମକୁ ଶୁଣାଇ ଶୁଣାଇ ଆମ କାନ ପଚେଇ ସାରିଲେଣି, ୨୦୩୬ ରେ ଓଡ଼ିଶା ବିକଶିତ ରାଜ୍ୟ ହେବ। ୨୦୪୭ ରେ ଭାରତ ବିକଶିତ ଦେଶ ହେବ। ଥରୁଟିଏ ପଚାରି ଆସି ତ କୁହନ୍ତୁ,  ସେ ବିକଶିତର ସଂଜ୍ଞା କ’ଣ ? ଜିଡିପିରେ ତ ?  ଟଙ୍କା ଆକାରରେ ନା ଡଲାର ଆକାରରେ ? କାରଣ ବିକଶିତ ହେଉଛି ଏକ ଅନ୍ତଃରାଷ୍ଟ୍ରୀୟ ମାପକ । ଟଙ୍କା ଆକାରରେ ବିକଶିତ ଦେଶ କିମ୍ବା ରାଜ୍ୟ ହିସାବ ହୁଏ ନାହିଁ।  ଯଦି ଡଲାର ଆକାରରେ, ତେବେ ୨୦୩୬ ଓ ୨୦୪୭ ବେଳକୁ ଗୋଟିଏ ଡଲାର କେତେ ଟଙ୍କା ହୋଇଥିବ ? ଯେଉଁମାନେ ବିକଶିତ ହେବ ବୋଲି କହୁଛନ୍ତି ସେମାନଙ୍କ ପାଖରେ ଏ ହିସାବ ଥିବ ନିଶ୍ଚୟ। ବାର୍ଷିକ କେତେ ପ୍ରତିଶତ ଦରରେ ଜଡିପି ବା ଅର୍ଥନିତୀ ବୃଦ୍ଧି ହେଲେ ଆମେ ଲକ୍ଷ ସ୍ଥଳରେ ପହଞ୍ଚିବା ? ଏ ହିସାବ ମଧ୍ୟ ସେମାନଙ୍କ ପାଖରେ ଥିବ ? ୨୦୩୬ ଓ ୨୦୪୭ ମସିହାରେ ପହଞ୍ଚିବା ପୂର୍ବରୁ ଯୁଦ୍ଧ, ଦଙ୍ଗା, ମରୁଡ଼ି, ବନ୍ୟା କିମ୍ବା ଅନ୍ୟ ଦୁର୍ବିପାକ ପାଇଁ ଜିଡିପି କେତେ ପ୍ରତିଶତ କମିବ ବୋଲି ସେମାନେ କହୁଛନ୍ତି ? ନା ଏସବୁ ଆଉ ହେବ ନାହିଁ ? କିଛି ତ ସେମାନଙ୍କ ପାଖରେ ହିସାବ ଥିବ। ଟଙ୍କାର ମୂଲ୍ୟ ମୂଦ୍ରାସ୍ଫିତି ଯୋଗୁଁ କେତେ ବଢିଥିବ କିମ୍ବା କମିଥିବ ? ମୋତେ ଏବେ ମାସକୁ ୩୦ ହଜାର ଟଙ୍କା ଦରମା ମିଳିବ କହିଲେ ମୁଁ ଖୁସି ହେବି । କିନ୍ତୁ ୨୦୩୬ ରେ ମୋ ଦରମା ୫୦ ହଜାର ଟଙ୍କା ହେବ ବୋଲି କହିଲେ ମୁଁ ଖୁସି ହେବି କି ? କାରଣ ସେତେବେଳେ ଆଳୁ ଦର କେତେ ହୋଇଥିବ କିଏ କହିବ ? ହେ ଧୁରନ୍ଧରଗଣ !  ଟିକିଏ ତ ନେତାମାନଙ୍କୁ ପଚାର । ସେଠି ପହଞ୍ଚିବାର ରୋଡମ୍ୟାପ୍ କ’ଣ ? କୃଷିକ୍ଷେତ୍ର କେଉଁ ବେଗରେ ବଢିବ ? ଶିଳ୍ପ କ୍ଷେତ୍ର କେଉଁ ବେଗରେ ବଢିବ ? ସେବା କ୍ଷେତ୍ର କେଉଁ ବେଗରେ ବଢିବ ? ଏ ତିନୋଟି କ୍ଷେତ୍ର ମିଶାଇ ମୋଟ ଜିଡିପି କେଉଁ ବେଗରେ ବଢିବ ଯାହା ଫଳରେ ଆମେ ୨୦୩୬ରେ ଓ ୨୦୪୭ରେ ବିକଶିତ ହୋଇଯିବା ? ଟିକିଏ ତ ପଚାର ।  ଆଗରୁ ସାମ୍ବାଦିକମାନେ ପଚାରୁଥିଲେ।  କେବଳ ଇଏ କ’ଣ କହିଲେ ସିଏ କ’ଣ କହିଲେ ଶୁଣି ଶୁଣି ବୋର୍ ହୋଇଗଲାଣୁ । ମୋର ଫେସବୁକ ବନ୍ଧୁ ମାନଙ୍କୁ ନିବେଦନ। ଦୟାକରି ଲେଖନ୍ତୁ ନାହିଁ ‘ ମୁଁ ଆଉ ଓଡ଼ିଆ ଚ୍ୟାନେଲ ଦେଖୁନାହଁ ‘ ଓ ‘ ମୁଁ ଆଉ ଓଡ଼ିଆ ଖବରକାଗଜ ପଡୁନାହିଁ ‘ । ଏହା କେବଳ ନିଜେ ଶାନ୍ତିରେ ରହିବା ପାଇଁ ସ୍ୱାର୍ଥପରତା। ନିଜେ ନ ଦେଖିଲେ ସମସ୍ୟାର ସମାଧାନ ହେବ ନାହିଁ। ଆପଣମାନେ ସ୍ବର ଉଠାଇଲେ ପରିସ୍ଥିତି ନିଶ୍ଚୟ ବଦଳିବ ।

Leave a Reply

Your email address will not be published. Required fields are marked *