ହାରିବା ପରେ ବି ଭୋଟରଙ୍କୁ ପଢିବାରେ ଭୁଲ୍ କରୁଛି ବିଜେଡି …ଆମ୍ବେଦକରଙ୍କ ଅପମାନକୁ ନେଇ ଦଳରେ ଭୟଙ୍କର ନୀରବତା….

ଭୁବନେଶ୍ୱର : ବିଧାନସଭା ନିର୍ବାଚନ ଫଳାଫଳ ପରେ ବିଜେପି ଆଦିବାସୀ ବର୍ଗରୁ ମୁଖ୍ୟମନ୍ତ୍ରୀ, ସାଧାରଣ ଓ ପଛୁଆବର୍ଗରୁ ଜଣେ ଲେଖାଏଁ ଉପ ମୁଖ୍ୟମନ୍ତ୍ରୀ ନିଯୁକ୍ତ କଲା। କଂଗ୍ରେସ ମଧ୍ୟ ଆଦିବାସୀ ବର୍ଗରୁ ବିଧାୟକ ଦଳ ନେତା, ସାଧାରଣ ବର୍ଗରୁ ଉପ ନେତା ଏବଂ ସଂଖ୍ୟାଲଘୁ ବର୍ଗରୁ ମୁଖ୍ୟ ସଚେତକ ନିଯୁକ୍ତ କଲା। ଦୁଇ ଜାତୀୟ ଦଳ ସାମାଜିକ ସମୀକରଣରୁ ଗୁରୁତ୍ୱ ଦେଲେ। ଆଗାମୀ ଦିନର ରାଜନୀତିରେ ସାମାଜିକ ସମୀକରଣ, ସାମାଜିକ ନ୍ୟାୟ ଓ କଥିତ ହିନ୍ଦୁତ୍ୱ ଉପରେ ହିଁ ରାଜନୀତି ହେବ। ହେଲେ ବିଜେଡି ସାମାଜିକ ସମୀକରଣକୁ ଆଦୌ ଗୁରୁତ୍ୱ ଦେଲା ନାହିଁ। ସାଧାରଣ ବର୍ଗରୁ ଆସୁଥିବା ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା, ପ୍ରସନ୍ନ ଆଚାର୍ଯ୍ୟ ଉପ-ନେତା, ଉପ ମୁଖ୍ୟ ସଚେତକ ଭାବେ ପ୍ରତାପ ଦେବଙ୍କୁ ନିଯୁକ୍ତ କଲା। ନବୀନଙ୍କ ରାଜନୈତିକ ପରାମର୍ଶଦାତା ସନ୍ତୃପ୍ତ ମିଶ୍ର , ସଚିବ ଆଦିତ୍ୟ ମହାପାତ୍ର, ଲୋକସମ୍ପର୍କ ଅଧିକାରୀ ସୁକାନ୍ତ ପଣ୍ଡା ସମସ୍ତ ସାଧାରଣ ବର୍ଗର। ଦିପାଲି ଦାସ, ଇନ୍ଦିରା ନନ୍ଦ, ସଂଯୁକ୍ତା ସିଂ ଜିତି ନାହାନ୍ତି। ନହେଲେ ପ୍ରମିଳା ମଲ୍ଲିକଙ୍କୁ ମୁଖ୍ୟ ସଚେତକ ପଦ ମିଳି ନ ଥାନ୍ତା।

ବିଜେପି ସରକାର କରିଥିଲେ ବି ବିଜେଡି ଭୋଟ ପ୍ରାୟ 38 ହଜାର ଅଧିକ ରହିଛି। ଆଦିବାସୀ, ପଛୁଆବର୍ଗ ଭୋଟର ବୃହତ ଅଂଶ ବିଜେପି ପାଖରେ ରହିଛି। ସଂଖ୍ୟାଲଘୁ ଭୋଟ ବିଜେଡି ଓ କଂଗ୍ରେସ ସହିତ ସମାନ ଭାବରେ ରହିଛନ୍ତି। ଅନୁସୂଚିତ ଜାତି ଭୋଟ ମଧ୍ୟ ବିଜେଡି ସହ ରହିଛି। ଯାହା ଅନ୍ୟ ଦଳ ତୁଳନାରେ ସାମାନ୍ୟ ଅଧିକ। ମାତ୍ର ଆଗାମୀ ଦିନରେ ଏହି ବର୍ଗର ଭୋଟ ବିଜେଡି ହାତରୁ ଖସିବାକୁ ଯାଉଛି। ଦଳିତ, ପଛୁଆବର୍ଗ, ନାରୀ ସମାଜର ମୁକ୍ତିଦାତା ତଥା ଆଧୁନିକ ଭାରତ ସମ୍ବିଧାନ ନିର୍ମାତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତି ଅମିତ ଶାହାଙ୍କ ଆପତ୍ତିଜନକ ଟିପ୍ପଣୀ ଉପରେ ବିଜେଡି ନୀରବ ରହିଛି। ଏହାକୁ ଏକ ଉତ୍ତର ଭାରତୀୟ – ସାମାଜିକ ନ୍ୟାୟ ଉପଯୁକ୍ତ ଭାବେ ଲାଗୁ ହୋଇଥିବା ଦକ୍ଷିଣ ଭାରତ ରାଜ୍ୟର ପ୍ରସଙ୍ଗ ଭାବୁଛି। ଏହି ପ୍ରସଙ୍ଗରେ କୌଣସି ଟିପ୍ପଣୀ ନ ଦେଇ ଅମିତ ଶାହାଙ୍କୁ ଖୁସି କରିବାକୁ ଚାହୁଁଛି। ହେଲେ ପୂର୍ବାପେକ୍ଷା ପଛୁଆବର୍ଗ ଭୋଟର ଓ ଅନୁସୂଚିତ ଜାତି ବର୍ଗର ସଚେତନ ହୋଇଛି। ଆମ୍ବେଦକରଙ୍କ ଅପମାନ ପ୍ରସଙ୍ଗରେ ବିଜେଡିରେ ଏହି ନୀରବତା ଆଗକୁ ଭୟଙ୍କର ରୂପ ନେବ। ଯାହା ବିଜେଡି ଜାଣି ପାରୁନାହିଁ। କାରଣ ବିଗତ ଦଶନ୍ଧିରେ ବିଜେପି ଆଦିବାସୀ ଓ ପଛୁଆବର୍ଗ ଭୋଟରଙ୍କୁ ନେଇ ସାଙ୍ଗଠନିକ କାମ କରି ସୁଫଳ ପାଇସାରିଛି। ତେଣୁ ଅନୁସୂଚିତ ଜାତିବର୍ଗର ଦୁଇ ବଳିଷ୍ଠ ଚେହେରାଙ୍କୁ ଅଧ ଡର୍ଜନ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦିଆଯାଇଛି। ରାଜ୍ୟର ଅନୁସୂଚିତ ଜାତି ବର୍ଗର ସାମାଜିକ କର୍ମୀ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଅପରପକ୍ଷରେ ଆଦିବାସୀ ବର୍ଗର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ୍ମଦିନ ଜାନୁୟାରୀ ଛଅ ତାରିଖରେ ବିଜେଡି ଆନ୍ଦୋଳନ ଡାକରା ଦେଇଛି। ଦରଦାମ ବୃଦ୍ଧି ପ୍ରସଙ୍ଗ ଏକ ପ୍ରମୁଖ ପସନ୍ଦ ମାତ୍ର ଏଥିପାଇଁ ଶ୍ରୀ ମାଝୀଙ୍କ ଜନ୍ମଦିନକୁ ବାଛିବାକୁ କେତେକ ନାପସନ୍ଦ କରିଛନ୍ତି। ବିଜେପି ଜଣେ ସାଧାରଣ ଆଦିବାସୀଙ୍କୁ ମୁଖ୍ୟମନ୍ତ୍ରୀ କରିଥିବାରୁ ଏହାକୁ ସାମନ୍ତବାଦୀ ବିଜେଡି ସହିପାରୁନି ବୋଲି ବାର୍ତ୍ତା ବିଜେପି ପ୍ରଚାର କରିବ। ଆଶ୍ଚର୍ଯ୍ୟର ବିଷୟ ବିଜେପିର ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀ ଏହି ତାରିଖରେ ଆନ୍ଦୋଳନ କରିବା ପାଇଁ ନିଜ ବିଜେଡି ସୂତ୍ରକୁ ପରାମର୍ଶ ଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *