କିଏ ହେବ ପୁରୀ ଜିଲ୍ଲା ବିଜେଡି ସଭାପତି, ତର୍ଜମା ଜାରି ରଖିଛି ତୃତୀୟ ମହଲା

ଭୁବନେଶ୍ୱର :  ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଜାନୁୟାରୀ ତୃତୀୟ ସପ୍ତାହରେ ଲୋକର୍ପଣ ହେବାକୁ ଯାଉଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଜାତୀୟସ୍ତରରେ ଶ୍ରୀରାମ କୈନ୍ଦ୍ରିକ ଧାର୍ମିକ ରାଜନୀତି ଜୋର ଧରିଥିବା ବେଳେ ଓଡ଼ିଶାରେ ଶ୍ରୀଜଗନ୍ନାଥ କୈନ୍ଦ୍ରିକ କାର୍ଯ୍ୟକ୍ରମ କରାଯାଉଛି। ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ ଜାତୀୟସ୍ତରରେ ରାମ-ମନ୍ଦିର ପ୍ରତିଷ୍ଠା ଏବଂ ରାଜ୍ୟରେ ପରିକ୍ରମା ଲୋକାର୍ପଣ ଉତ୍ସବ ଉପରେ ସମସ୍ତଙ୍କ ନଜର ରହିବ। ଏହି କାର୍ଯ୍ୟକ୍ରମରେ ଉଭୟ ବିଜେପି ଏବଂ ବିଜେଡି ନିଜ କ୍ଷେତ୍ରରେ ରାଜନୈତିକ ସଫଳତା ପାଇବାକୁ ଆଶା ରଖିଛନ୍ତି। ଗତଥର ପୁରୀ ଲୋକସଭା ଓ ପୁରୀ ବିଧାନସଭାରେ ବିଜେଡି ଭଲ ପ୍ରଦର୍ଶନ କରି ନ ଥିଲା। ଦଳର ବିଧାୟକ ପ୍ରାର୍ଥୀ ହାରିଥିବା ବେଳେ ଲୋକସଭାରେ ଏହି ମୁଖ୍ୟାଳୟରୁ ବିଜେଡି ଯଥେଷ୍ଟ ପଛରେ ରହିଥିଲା। ତେଣୁ ଚଳିତ ଥର ଏହି ଆସନକୁ ଜିତିବା ସହ ଲୋକସଭା ଆସନରେ ଭୋଟ ବୃଦ୍ଧି କରିବା ଦଳ ପାଇଁ ଆହ୍ୱାନପୂର୍ଣ୍ଣ ହେବ।

ଏହି କ୍ରମରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଦୀର୍ଘଦିନ ଧରି ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରି ଆସୁଥିଲେ। ପୁରୁଖା ଜନତା ଦଳ ନେତା ସୁର ନାୟକଙ୍କ ପରେ ମହେଶ୍ୱର ଦୀର୍ଘ ସମୟ ଧରି ଏହି ଦାୟିତ୍ୱ ସମ୍ଭାଳିଥିଲେ। ମାତ୍ର ତାଙ୍କ ଅବର୍ତ୍ତମାନରେ ଏହି ପଦରେ କାହାକୁ ନିଯୁକ୍ତ କରାଯାଇନାହିଁ। ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ପୁରୀ ଜିଲ୍ଲା ସଭାପତି କିଏ  ହେବ, ସେ ନେଇ ତର୍ଜମା ଜରି ରହିଛି। ହୁଏତ ପରିକ୍ରମା ପ୍ରକଳ୍ପ ଉଦଘାଟନ ପରେ ଏନେଇ ନିଷ୍ପତ୍ତି ନିଆଯାଇପାରେ। ଉପକୂଳ ଓଡ଼ିଶାର ଦୁଇଟି ଜିଲ୍ଲାରେ ବିଜେଡି ସଙ୍ଗଠନ ନାନା ବିବାଦ ରହିଛି। ଏହି ଦୁଇଟି ଜିଲ୍ଲା ହେଉଛି-ପୁରୀ ଏବଂ ଭଦ୍ରକ। ପୁରୀ ପରିକ୍ରମାକୁ କେନ୍ଦ୍ର କରି ସାଧାରଣ ନିର୍ବାଚନରେ ବିଜେଡି ଅବତୀର୍ଣ୍ଣ ହେବାକୁ ଯାଉଛି। ତେଣୁ ପୁରୀ ଫଳାଫଳ ମନସ୍ତାତ୍ତ୍ୱିକ ଉପଲବ୍ଧି ଆଣିବ। ଜିଲ୍ଲାର ସବୁଠୁ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା। ସେ ମୁଖ୍ୟାଳୟ ସାଧାରଣ ସମ୍ପାଦକ ସହ ଗୁରୁତ୍ୱପୂର୍ଣ୍ଣ ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ। ତେଣୁ ପରବର୍ତ୍ତୀ ଜିଲ୍ଲା ସଭାପତି ଚୟନରେ ତାଙ୍କ ମତାମତ ଏକ ବିଶେଷ ଗୁରୁତ୍ୱ ବହନ କରିବ। ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ବିଧାୟକ ରୁଦ୍ର ପ୍ରସାଦ ମହାରଥୀ ଅଭିଜ୍ଞତାରେ କମ୍ ହୋଇ ଥିବାରୁ ସେମାନଙ୍କୁ ଏହି ଦାୟିତ୍ୱ ଦେବାକୁ ସବୁ ବର୍ଗ ନାପସନ୍ଦ କରିବେ। ତେଣୁ ଜିଲ୍ଲା ସଭାପତି ଦୌଡ଼ରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଏବଂ  ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାଁକୁ ବିଶେଷ ଭାବେ ଗୁରୁତ୍ୱ ଦିଆଯିବ। ଯଦି ଏହି ଦୁଇ ଜଣକୁ ବାଦ୍ ଦିଆଯାଏ, ତେବେ ତୃତୀୟ ମହଲା ନିଜ ଛଦ୍ମ ପ୍ରତିନିଧି ଭାବେ ପୁରୀ ବିଧାନସଭାରୁ କାହା ନାଁକୁ ବିଚାର କରିପାରେ।

ପୁରୀ ସଦର ନିର୍ବାଚନମଣ୍ଡଳୀ ବର୍ତ୍ତମାନ ଚାରୋଟି ଗୋଷ୍ଠୀରେ ବିଭକ୍ତ। ଗୋଟିଏ ଗୋଷ୍ଠୀ ହେଉଛି- ସୁନୀଲ ମହାନ୍ତି ଓ ସମର୍ଥକ, ଦ୍ୱିତୀୟ ଗୋଷ୍ଠୀ ଶୁଭାଶିଷ୍ ଖୁଣ୍ଟିଆ, ତୃତୀୟ ଗୋଷ୍ଠୀ ପୁରୀ ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର । ଚତୁର୍ଥ ଗୋଷ୍ଠୀ ଏସବୁ ଗୋଷ୍ଠୀଠୁ ଅଲଗା ରହିଥିବା କ୍ଷୁଦ୍ର ଏକ ଦଳ। ତୃତୀୟ ମହଲା ଇସାରାରେ ପୁରୀରେ ସୁନୀଲ-ଲକି-ଦିବାକର, କାକଟପୁରରେ ସୁରେନ୍ଦ୍ର-ତୁଷାର, ନିମାପଡ଼ାରେ ସମୀର ରଞ୍ଜନ-ଜିତୁ ମହାନ୍ତି, ସତ୍ୟବାଦୀରେ ଉମା-ମୂଳ ଜନତା ଦଳ ଲବି, ପିପିଲିରେ ରୁଦ୍ର ମହାରଥୀ-ପୁରୁଖା ବିଜେଡ଼ି ଗୋଷ୍ଠୀ ମଧ୍ୟରେ କିପରି ସମନ୍ୱୟ ଆଣିବେ, ତାହା ନୂଆ ସଭାପତିଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ। ପୁରୀ ଜିଲ୍ଲାରେ ଆରକ୍ଷୀ ଅଧିକ୍ଷକ ରହିସାରିଥିବା ଜଣେ ଆଇପିଏସ୍ ଙ୍କ ମତାମତ ତୃତୀୟ ମହଲା ନେଉଥିବା ଚର୍ଚ୍ଚା ଜାରି ରହିଛି।

Leave a Reply

Your email address will not be published. Required fields are marked *