ଖଣ୍ଡପଡ଼ାରେ ବିଜେଡି ଟିକେଟ୍ ଦେବ କାହାକୁ….ଅନୁଭବଙ୍କୁ ନେଇ କାହିଁକି ଅନିଶ୍ଚିତତା…

ନୟାଗଡ଼,୧।୩ : ସାଧାରଣ ନିର୍ବାଚନ ଆଉ ଅଳ୍ପଦିନ ଥିବା ବେଳେ ରାଜନୈତିକ ଉଷ୍ମତା ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି । ମୁଖ୍ୟତଃ ଖଣ୍ଡପଡ଼ା ବିଧାୟକ ସୈାମ୍ୟ ରଞ୍ଜନ ପଟ୍ଟନାୟକ ବିଜୁ ଜନତା ଦଳରୁ ବିଦା ହେବା ପରେ ଖଣ୍ଡପଡ଼ା ପାଣିପାଗ ଏକରକମ ସରଗରମ ହୋଇଛି । ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ଭାପୁର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡ଼ା ଟିକେଟ ଆଶାୟୀ ଥିବା ବେଳେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ମଧ୍ୟ ଟିକେଟ ଆଶାରେ ରହିଛନ୍ତି । ଖଣ୍ଡପଡ଼ାରେ ୨୦୧୪ରୁ ୧୯ ବିଧାୟକ ହୋଇଥିବା ଅନୁଭବ ଠିକାଦାର ପ୍ରୀତି ଓ ପିସି କଲେକ୍ସନ କରି ଲୋକପ୍ରିୟତା ହରାଇବାରୁ ଦଳ ଆଉ ତାଙ୍କୁ ଭରସି ନପାରି ୨୦୧୯ରେ ଟିକେଟ କାଟି ଦେଇଥିଲା। ବିଶେଷ କରି ୨୦୦୪ ସାଧାରଣ ନିର୍ବାଚନରେ ବିଜେଡ଼ି ବିରୁଦ୍ଧରେ ତାଙ୍କ ମା ବିଜୟଲକ୍ଷ୍ମୀ ପଟ୍ଟନାୟକ ନିର୍ବାଚନ ଲଢ଼ି ଦଳକୁ ହରାଇଥିବା ବେଳେ ପୁଣି ୨୦୦୯ ନିର୍ବାଚନରେ ଦଳ ଟିକେଟ ନ ଦେବାରୁ ବିଜେପିରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶ୍ରୀମତୀ ପଟ୍ଟନାୟକ ବିଧାୟିକା ଥିବାବେଳେ ନିର୍ବାଚନ ମଣ୍ଡଳୀର ସମସ୍ତଙ୍କୁ ନେଇ ଏତେଟା ଚାଲିପାରୁ ନ ଥିଲେ। ଏବେ ଟିକେଟ ଆଶା ମଉଳି ଯାଉଥିବା ଦେଖି ଅନୁଭବ ଦଳ ଉପରେ ଚାପ ପ୍ରୟୋଗ କରୁଥିବା ଜଣାପଡିଛି। ସମୟକ୍ରମେ  ଅତୀତରେ ଭାପୁର ପୂର୍ବତନ ଉପାଧ୍ୟକ୍ଷ ଗୟାଧର ପରିଡ଼ା, ଖଣ୍ଡପଡ଼ାର ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ଦୁର‌୍ୟ୍ୟୋଧନ ସ୍ୱାଇଁ, ଖଣ୍ଡପଡ଼ା ଯୁବ ବିଜେଡ଼ି ସଭାପତି ମନୋରଞ୍ଜନ ବେହେରା ଏମିତିକି ନିଜ ବାପାଙ୍କ ସହଯୋଗୀ ଶିଖରପୁର ପୂର୍ବତନ ସରପଞ୍ଚ ବିଜୟ କୁମାର ତ୍ରିପାଠୀଙ୍କୁ ଅନୁଭବ ପଟ୍ଟନାୟକ ନିଜଠାରୁ ଦୂରେଇ ଦେଇଥିଲେ।  ସ୍ଥାନୀୟ ଅଞ୍ଚଳରେ ପ୍ରାସାଦ ନିର୍ମାଣ ଓ ଚେକ୍ ଡ୍ୟାମ୍ କାର୍ଯ୍ୟ ନେଇ ଅନେକ କଥା ସେ ସମୟରେ ଶୁଣିବାକୁ ମିଳିଥିଲାସୌମ୍ୟରଞ୍ଜନ ପଟ୍ଟନାୟକ ଗତବର୍ଷ ଦଳରୁ ବହିଷ୍କୃତ ହେବା ପରେ ହଠାତ ଟିକେଟ ହାତେଇବା ପାଇଁ କିଛି ସମର୍ଥକଙ୍କୁ ଧରି କେବଳ ଖଣ୍ଡପଡ଼ାରେ ବୁଲୁଛନ୍ତି ପୂର୍ବତନ ବିଧାୟକ ଅନୁଭବ। ସ୍ଥାନୀୟ ବିଜେଡି ନେତାଙ୍କ କହିବା ଅନୁଯାୟୀ,  ସୌମ୍ୟଙ୍କ ବହିଷ୍କାର ପରେ ଶୀର୍ଷ ନେତୃତ୍ଵ ନୂଆ ଲୋକଙ୍କୁ ଏବଂ ଲୋକଙ୍କ ସମର୍ଥନରେ ଦଳୀୟ ଟିକେଟ ମିଳିବ ବୋଲି ଫତେଗଡ ସ୍ଥିତ ବୈଠକରେ ସ୍ଥିର କରିଥିଲେ। ସାଙ୍ଗଠନିକ ଦାୟିତ୍ଵକୁ ଖଣ୍ଡପଡ଼ାରେ ଉପାଧ୍ୟକ୍ଷ ଶିଶିର କୁମାର ସାହୁ ଏବଂ ଭାପୁରରେ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ଉପରେ ନ୍ୟସ୍ତ କରିଥିଲା। ଉଭୟ ବ୍ଲକ ଉପାଧ୍ୟକ୍ଷ ଗତ ୬ ମାସରୁ ଊର୍ଦ୍ଧ୍ଵ ସମୟ ଧରି ପରିଶ୍ରମ କରିବା ସହିତ ତୃଣମୂଳ ସ୍ତରରେ ଦଳକୁ ସୁଦୃଢ କରିଥିଲେ। ଏପରିକି ତୃତୀୟ ମହଲା ନିର୍ଦ୍ଦେଶ ଅନୁଯାୟୀ ଦଳର ପ୍ରତିଟି କାର୍ଯ୍ୟକ୍ରମକୁ ନିଷ୍ଠାର ସହ କରିଥିଲେ। ମାତ୍ର ଗତ କିଛିଦିନ ହେବ ପୂର୍ବତନ ବିଧାୟକ ଶ୍ରୀ ପଟ୍ଟନାୟକ ଟିକେଟ ପାଇଁ ଅଡି ବସିଛନ୍ତି। ଆଉ ଗତ ପଞ୍ଚାୟତ ନିର୍ବାଚନରେ ଦଳ ବିରୋଧି କାର୍ଯ୍ୟ କରିଥିବା ଲୋକଙ୍କୁ ଧରି ବିଜେଡିକୁ ବିଭାଜନ କରିବାରେ ଲାଗିଛନ୍ତି। ତାଙ୍କର ଏହି କାର୍ଯ୍ୟ  ତୃଣମୂଳ ସ୍ତରରେ କିଛି ପ୍ରଭାବ ପକାଇ ନ ଥିବା ବେଳେ କିନ୍ତୁ ସାମାଜିକ ଗଣମାଧ୍ୟମରେ ଦଳକୁ ଭାଗଭାଗ କରିବାରେ ଲାଗିଛନ୍ତି। ଖାଲିସେତିକି ନୁହେଁ ଦଳବିରୋଧି କାର୍ଯ୍ୟ କରିଥିବା ଲୋକଙ୍କୁ ଅନୁଭବ ଅତୀତରେ ପ୍ରୋତ୍ସାହନ ଦେଇଥିବା ବେଳେ ଏବେ ସେମାନଙ୍କୁ ବିଜେଡି କର୍ମୀ ଦେଖାଇ ଦଳକୁ ବ୍ଲାକମେଲ କରୁଛନ୍ତି। ନିର୍ବାଚନ ଗଣିତ ଦେଖିଲେ ଖଣ୍ଡପଡା ପଞ୍ଚାୟତ ସମିତିର ୨୨ ପଞ୍ଚାୟତରେ ଉପାଧ୍ୟକ୍ଷ ଶିଶିରଙ୍କୁ ୧୯ ସରପଞ୍ଚ, ୧୮ ସମିତିସଭ୍ୟଙ୍କ ସମର୍ଥନ ରହିଛି। ପୂର୍ବତନ ବିଧାୟକ ଶ୍ରୀ ପଟ୍ଟନାୟକ ଅତୀତର କାର୍ଯ୍ୟକଳାପ ଯୋଗୁଁ ଭାପୁରର ପୂର୍ବତନ ଉପାଧ୍ୟକ୍ଷ ଗୟାଧର ପରିଡାଙ୍କ ଓ ଜିତେନ୍ଦ୍ର କୁମାର ରଣସିଂହଙ୍କ ସମର୍ଥିତ ୨୦ରୁ ଊର୍ଦ୍ଧ୍ଵ ସରପଞ୍ଚ ସମିତି ସଭ୍ୟ, ଖଣ୍ଡପଡ଼ା ବିଜେଡି ସଭାପତି ସୁଶାନ୍ତ କୁମାର ମିଶ୍ର, ଏକାଧିକ ଜିଲ୍ଲା ପରିଷଦ ସଦସ୍ୟଙ୍କ ସମର୍ଥନ ନାହିଁ। ଗତକିଛି ମାସ ଧରି ଦଳର ଗୁଇନ୍ଦା ବିଭାଗ ମଧ୍ୟ ଶୀର୍ଷ ନେତୃତ୍ଵଙ୍କୁ ରିପୋର୍ଟ ପ୍ରଦାନ କରିସାରିଛି। ଆଉ ଏଭଳି ସ୍ଥିତିରେ ଶ୍ରୀ ପଟ୍ଟନାୟକଙ୍କୁ ଦଳୀୟ ଟିକେଟ ଦେଲେ ଦଳ ବିଭାଜନର ଆଶଙ୍କା ସୃଷ୍ଟି ହୋଇଛି। କିଛି ଦିନ ତଳେ ଖଣ୍ଡପଡା ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ ୩୭ ସରପଞ୍ଚ ସମିତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା, ଯୁବ ଛାତ୍ର ଓ ଛାମୁଆଁ ନେତୃତ୍ଵ ପୁରୀରେ ଏକାଠି ହେବା ସହ ଶିଶିରଙ୍କ ନେତୃତ୍ଵକୁ ସମର୍ଥନ ଜଣାଇଛନ୍ତି। ଦଳ ଯଦି ଅନୁଭବଙ୍କ ବ୍ଲାକମେଲକୁ ଭରସା କରି ତାଙ୍କୁ ଟିକେଟ ଦିଏ ତେବେ ସାମୁହିକ ଭାବେ ଅନ୍ୟ ଦଳକୁ ଯିବେ ବୋଲି ବଜ୍ର ଶପଥ ନେଇଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ଏବଂ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଗୟାଧର କୈାଣସି ପରିସ୍ଥିତିରେ ଅନୁଭବକୁ ସମର୍ଥନ ଦେବେ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି। ନୟାଗଡ଼ ଜିଲ୍ଲାର ଏହି ଆସନରୁ ଜଣେ ଉଚ୍ଚ ଶିକ୍ଷିତା ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରିବାକୁ ଚାହୁଁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *