ବିଜେପିର ଛତିଶଗଡ଼ ବିଜୟ କାହିଁକି ବିଜେଡି ନିଦ ହଜାଇଛି ?
ବିଜେଡି ସବୁ ବେଳେ ବିରୋଧିଙ୍କୁ ପ୍ରଶ୍ନ କରିଥାଏ ଯେ, ନବୀନ ପଟ୍ଟନାୟକଙ୍କ ବିକଳ୍ପ କିଏ ? ସାମାଜିକ ସମୀକରଣ ଅପେକ୍ଷା ବିକାଶ ରାଜନୀତିର ପ୍ରଚାରପ୍ରସାରକୁ ଗୁରୁତ୍ୱ ଦେଇଥାଏ। ମାତ୍ର ନିକଟରେ ପ୍ରକାଶ ପାଇଥିବା ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳାଫଳ ସବୁ ଅଙ୍କ ବିଗାଡ଼ି ଦେଇଛି। ଏହା ରାଜ୍ୟରେ ବିଜେପି ନିଜର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରି ନ ଥିଲା। ସେହିପରି କଂଗ୍ରେସରୁ ମୁଖ୍ୟମନ୍ତ୍ରୀ ଥିବା ଭୂପେଶ ବାଘେଲ ନିଜ କାମ ଏବଂ ଯୋଜନାକୁ ଅଧିକ ପ୍ରଚାର କରୁଥିଲେ। ହେଲେ ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଗଲା। ଛତିଶଗଡ଼ ପରି ଓଡ଼ିଶାର ସାମାଜିକ ସମୀକରଣରେ ବହୁତ ସାମଞ୍ଜସ୍ୟ ରହିଛି। ତେଣୁ ବିଜେପିର ସାମାନ୍ୟ ଆକ୍ରମଣାତ୍ମକ ରଣନୀତି ଆପଣାଏ, ତେବେ ଓଡ଼ିଶାର ନିର୍ବାଚନୀ ଗଣିତ ବହୁତ ବଦଳିଯିବାର ସମ୍ଭାବନା ରହିଛି।

ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ନେତା ବିଷ୍ଣୁ ଦେଓ ସାଏଙ୍କୁ ନିଯୁକ୍ତି ଦିଆଯାଇଛି। ତାଙ୍କୁ ସରକାରରେ ସହଯୋଗ କରିବା ପାଇଁ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି କରାଯାଇଛି। ଏହି ଦୁଇ ଜଣେ ହେଉଛନ୍ତି- ଅରୁଣ ସାଏ ଏବଂ ବିଜୟ ଶର୍ମା। ଶ୍ରୀ ସାଏ ଛତିଶଗଡ଼ର ପଛୁଆବର୍ଗରୁ ପ୍ରତିନିଧିତ୍ୱ କରନ୍ତି। ଅନୁରୂପ ଭାବେ ଶ୍ରୀ ଶର୍ମା ବ୍ରାହ୍ମଣ ଜାତିକୁ ପ୍ରତିନିଧିତ୍ୱ କରିଥାନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ବାଚସ୍ପତି ଭାବେ ମନୋନୀତ କରାଯାଇଛି। ବିଜେପି କୌଣସି ନେତାଙ୍କ ଲୋକପ୍ରିୟତା ଅପେକ୍ଷା ସାମାଜିକ ସମୀକରଣକୁ ଗୁରୁତ୍ୱ ଦେଇଛି। ଆଦିବାସୀ ବହୁଳ ଅଞ୍ଚଳରେ ବିଜେପି ଭଲ ପ୍ରଦର୍ଶନ କରିଥିବାରୁ ଆଦିବାସୀ ନେତାଙ୍କୁ ସର୍ବୋଚ୍ଚ ପଦ ମିଳିଥିବା ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି। ପୂର୍ବରୁ ଓଡ଼ିଆ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦରେ ମଧ୍ୟ ବିଜେପି ଅଭିଷିକ୍ତ କରାଇସାରିଛି।

ଛତିଶଗଡ଼ର ପଡୋଶୀ ରାଜ୍ୟ ଭାବେ ଏହାର ଓଡ଼ିଶା ଉପରେ କି ପ୍ରଭାବ ରହିବ। ସେ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଯାଇଛି। ଛତିଶଗଡ଼ ଜନସଂଖ୍ୟାର ପ୍ରାୟ ୩୦ % ଆଦିବାସୀ। ଅନୁରୂପ ଭାବେ ଓଡ଼ିଶାର ୨୨ % ଜନସଂଖ୍ୟା ଜନଜାତି ବର୍ଗର। କେତେକ ସମାଜବିଜ୍ଞାନୀଙ୍କ କହିବାନୁଯାୟୀ ଏହି ସଂଖ୍ୟା ୨ରୁ ୩ ପ୍ରତିଶତ ବୃଦ୍ଧି ପାଇଁ ପାଖାପାଖି ୨୫%ରେ ପହଞ୍ଚିବ । ମାତ୍ର ପ୍ରାୟ ଅଢେଇ ଦଶନ୍ଧି ଧରି ରାଜ୍ୟରେ ଏକ ସ୍ଥିର ସରକାର ରହିଛି। ଯାହାର ନେତୃତ୍ୱ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଉଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବହୁଜନ ବର୍ଗରୁ କାହାକୁ ବି ଉପ-ମୁଖ୍ୟମନ୍ତ୍ରୀ କରିନାହାନ୍ତି। ଏଠାରେ ଉଲ୍ଲେଖ ଥାଉକି –ଓଡ଼ିଶାରେ ଆଦିବାସୀ ଏବଂ ଅନୁସୂଚିତ ଜାତି ବର୍ଗ ପ୍ରାୟ ୪୦ %। ଏବଂ ପଛୁଆବର୍ଗ ୯୪ %। ବରଂ ଏହି ବର୍ଗକୁ ବିଭିନ୍ନ ସାମ୍ବିଧାନିକ ଅଧିକାରରୁ ବଂଚିତ କରିବାରେ ଅନେକ ଦୃଷ୍ଟାନ୍ତ ରଖିଯାଇଛନ୍ତି। ଗତ ସାଧାରଣ ନିର୍ବାଚନରେ ଜିତିବା ପରେ ନବୀନ ପଟ୍ଟନାୟକ ଜଗନ୍ନାଥ ସାରକାଙ୍କୁ ଏସଟିଏସସି ଉନ୍ନୟନ ଓ ପଛୁଆବର୍ଗ, ସଂଖ୍ୟାଲଘୁ ବିକାଶ ବିଭାଗର ମନ୍ତ୍ରୀ କରିଥିଲେ। ମାତ୍ର ତାଙ୍କୁ ସେ ସମୟରେ କ୍ୟାବିନେଟ୍ ପାହ୍ୟା ପ୍ରଦାନ କରାଯାଇଥିଲା। ଏହାକୁ ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହା ପରବର୍ତ୍ତୀ ସମ୍ପ୍ରସାରଣରେ ତାଙ୍କୁ କ୍ୟାବିନେଟ୍ ପାହ୍ୟା ପ୍ରଦାନ କରାଯାଇଥିଲା। ଇଏ ତ ଏକ ରାଜନୈତିକ ପ୍ରସଙ୍ଗ। ରାଜ୍ୟର ବିଭିନ୍ନ ସରକାରୀ ସଂସ୍ଥାରେ ଦଳିତ ଓ ଆଦିବାସୀମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ପଦ ଖାଲି ପଡୁଥିବା ଅଭିଯୋଗ ହୁଏ। ହେଲେ ସେହି ବର୍ଗର ଛାତ୍ରଛାତ୍ରୀମାନେ ବ୍ୟୟବହୁଳ ଉଚ୍ଚଶିକ୍ଷା ଏବଂ ପ୍ରବେଶିକା ପରୀକ୍ଷା ପାଇଁ ଆବଶ୍ୟକ ପ୍ରଶିକ୍ଷଣ ସୁଯୋଗରୁ ବଂଚିତ ହେଉନାହାନ୍ତି କି। ରାଜ୍ୟଧାନୀ ସମେତ ରାଜ୍ୟର କେତେକ ପ୍ରମୁଖ ସହରରେ ଦିଆଯାଉଥିବା କୋଚିଂ ସେମାନେ ନେଇ ପାରୁନାହାନ୍ତି। ଏଥିପାଇଁ ସଚେତନତା ଏବଂ ସେମାନଙ୍କ ଆର୍ଥିକ ସ୍ଥିତି ବାଧକ ସାଜୁଛି। ଏସବୁକୁ ଦୃଷ୍ଟିରେ ରଖି ହିଁ ସେମାନଙ୍କ ସଂଖ୍ୟା ଅନୁପାତରେ ଉଚ୍ଚଶିକ୍ଷା(ମେଡିକାଲ-ଇଂଜିନିୟରିଂ) ଶିକ୍ଷାରେ ସଂରକ୍ଷଣ ପ୍ରଦାନ କରାଯିବା କଥା। ଯାହା ଓଡ଼ିଶାରେ ୩୯ ପ୍ରତିଶତ ହେବା କଥା। ମାତ୍ର ରାଜ୍ୟ ସରକାର ମାତ୍ର ୨୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିଛନ୍ତି। ଯାହା ଉଭୟ ଆଦିବାସୀ ଏବଂ ଅନୁସୂଚିତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ। ଶିକ୍ଷା ପରି କେତେକ ସରକାରୀ ଚାକିରୀ ଏବଂ ବିଶେଷ କରି ପଦୋନ୍ନତିରେ ମଧ୍ୟ ଏହି ଦୁଇ ବର୍ଗ ନିଜ ସାମ୍ବିଧାନିକ ଅଧିକାରରୁ ବଂଚିତ ହୋଇ ଆସୁଛନ୍ତି।

ତୃତୀୟତଃ ନିକଟରେ ବିର୍ଲା, ବେଦାନ୍ତ, ଟାଟା ଓ ଜିନ୍ଦଲ ଭଳି ପୁଞ୍ଜିପତିମାନଙ୍କୁ ଆଦିବାସୀମାନଙ୍କ ଜମି ଟେକି ଦେବା ପାଇଁ ସରକାର କ୍ୟାବିନେଟ୍ ପ୍ରସ୍ତାବ ଗୃହୀତ କରାଇଥିଲେ। ମାତ୍ର ସବୁ ବର୍ଗରୁ ଏହି ନିଷ୍ପତ୍ତିକୁ ବିରୋଧ ହେବା ପରେ ତାହାକୁ ଆଦିବାସୀ ଉପଦେଷ୍ଟା କମିଟିକୁ ପୁନଃ ବିଚାର ପାଇଁ ପଠାଯାଇଥିବା ଏକ କ୍ୟାବିନେଟ୍ ପ୍ରସ୍ତାବ ତରବରିଆ ଭାବେ ପୁଣି ଗୃହୀତ କରାଗଲା। ସିଧାସଳଖ କହିବାକୁ ଗଲେ କ୍ୟାବିନେଟର ଅଧ୍ୟକ୍ଷତା ମୁଖ୍ୟମନ୍ତ୍ରୀ କରିଥାନ୍ତି। ସେ ହିଁ କ୍ୟାବିନେଟ୍ ନିଷ୍ପତ୍ତିର ମୋହର ଲଗାନ୍ତି। ତେଣୁ ଏହି ଫୋରମରେ ଥିବା ଏକ ପ୍ରସ୍ତାବକୁ ପୁନଃବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଅଧ୍ୟକ୍ଷ ଥିବା ଆଦିବାସୀ ଉପଦେଷ୍ଟା କମିଟିକୁ ପୁନଃ ପ୍ରେରଣ କଲେ କେମିତି ବୋଲି ପ୍ରଶ୍ନ ଉଠୁଛି। ନା ସଂଖ୍ୟାବଳରେ ସମୃଦ୍ଧ ରାଜ୍ୟ ସରକାର ଶିଳ୍ପପତିମାନଙ୍କୁ ଆଦିବାସୀଙ୍କ ରତ୍ନଯୁକ୍ତ ଜମିକୁ ଶାଗମାଛ ଦଳରେ ବିକ୍ରି କରିଦେବା ପାଇଁ ଏକ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ତାହା ଆଲୋଚନାର ବିଷୟ । କାରଣ ଓଡ଼ିଶାରେ ଆଦିବାସୀମାନଙ୍କର ଏକ ବଡ଼ ଭୋଟ ବ୍ୟାଙ୍କ୍ ରହିଛି। ଶାସକ ଦଳର ଏହି ସବୁ ନୀତି ସମ୍ପର୍କରେ ଯଦି କୌଣସି ବିରୋଧି ଦଳ ସଂଗଠିତ ହୋଇ ରଣନୀତି ପ୍ରସ୍ତୁତ କରେ, ତେବେ ରାଜନୈତିକ ହଟଚମଟ ହେବା ଅସମ୍ଭବ ନୁହେଁ ବୋଲି ରାଜନୈତିକ ସମୀକ୍ଷକ ହର୍ଷ ଦୁବେ ମତ ପ୍ରକାଶ କରିଛନ୍ତି।
