କାହିଁକି ମୋଦିଙ୍କ ପ୍ରିୟ ହୋଇଗଲେଣି ନବୀନ ଓ ମମତା, ରାଜ୍ୟ କ୍ଷମତା ରଖିବା ପାଇଁ ଲୋକସଭାରେ କାହିଁକି ହାଲକା ଭାବେରେ ଲଢିବାକୁ ଯାଉଛନ୍ତି ବିଜେଡି ଓ ଟିଏମସି

କୋଲକତା : ବିଜେପି ନେତୃତ୍ୱାଧିନ ଏନଡିଏ ୟୁପି,ବିହାର ତଥା ଅନ୍ୟ ହିନ୍ଦୀ ଭାଷୀ ରାଜ୍ୟରୁ ଯଦି ଲୋକସଭା ସିଟ୍ ହରାଏ। ତେବେ ଏହାର ବରଣ ଓଡ଼ିଶା ଏବଂ ପଶ୍ଚିମବଙ୍ଗରୁ କରିବ। ଏନେଇ ନରେନ୍ଦ୍ର ମୋଦି ଏବଂ ଅମିତ ଶାହା ଏକ ବିଶେଷ ରଣନୀତି କରିଛନ୍ତି। ଯାହାର ନାମ ରଖାଯାଇଛି ପୂର୍ବୋଦୟ-୪୦। ପଶ୍ଚିମବଙ୍ଗରୁ ୨୫ଟି ଆସନ ଏବଂ ଓଡ଼ିଶାରୁ ୧୫ଟି ଆସନ ହାସଲ ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିବାକୁ ଯାଉଛି। ଏନେଇ ବିଜେପି କାମ ଆରମ୍ଭ କରିସାରିଛି। ଓଡ଼ିଶାରେ ବିଜେଡି ଲୋକସଭା ଆସନ ଗୁଡିକୁ ଏତେଟା ଧ୍ୟାନ ଦେଉନାହିଁ। ତେଣୁ ବିଜେପିର ଶୀର୍ଷ ନେତୃତ୍ୱ ବିଜେଡିର ଶୀର୍ଷ ନେତୃତ୍ୱ ସହ ବୁଝାମଣା କରିଛନ୍ତି। ଏହା ଦ୍ୱାରା ବିଜେଡି ଲୋକସଭା ଗୁଡିକରେ ଅପେକ୍ଷାକୃତ ଦୁର୍ବଳ ପ୍ରାର୍ଥୀ ଦେବ। ଯାହା ଫଳରେ ବିଜେପି ପ୍ରାର୍ଥୀ ଜିତିବାରେ ସହାୟକ ହେବ। ସେହିପରି ସମସ୍ତ କେନ୍ଦ୍ରୀୟ ଏଜେନ୍ସିର ଚାପରୁ ବିଜେଡ଼ିକୁ ମୁକ୍ତ ରଖାଯିବ। ଗତଥର ଜିତିଥିବା ଆସନ ସହ ନବରଙ୍ଗପୁର, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, ଭଦ୍ରକ, କଟକ, ବ୍ରହ୍ମପୁର ଆସନ ବିଜେପି ହାତେଇବାକୁ ସମସ୍ତ ପ୍ରୟାସ ଆରମ୍ଭ କରିଦେଇଛି। ଇଏ ତ ଗଲା ଓଡ଼ିଶା କଥା। ପଶ୍ଚିମବଙ୍ଗରେ ଇଡି, ଆଇଟି ଏବଂ ସିବିଆଇ ନିଜର ତନାଘନା ଆରମ୍ଭ କରିଦେଇଛି। ମମତାଙ୍କ ଦଳ ଟିଏମସି, କଂଗ୍ରେସ ଏବଂ ବାମ ଦଳ ଗୁଡିକ ସହ କୌଣସି ବୁଝାମଣା ହୋଇପାରୁନାହିଁ। କିଏ କେଉଁ ଆସନରେ ଲଢିବ, ତାହା ସ୍ଥିର ହୋଇ ପାରୁନାହିଁ। ମମତାଙ୍କ କ୍ୟାବିନେଟ୍ ଏକାଧିକ ଲୋକ ତାଙ୍କ ଆଭିମୁଖ୍ୟକୁ ନେଇ ବିଭ୍ରାନ୍ତରେ ରହିଛନ୍ତି। ଆସନ୍ତା ୨୦୨୬ ରାଜ୍ୟର ବିଧାନସଭା ନିର୍ବାଚନକୁ ମମତା ବାନାର୍ଜୀ ଏବଂ ପୁତୁରା ଅଭିଷେକ ବାନାର୍ଜୀ ବିଶେଷ ଗୁରୁତ୍ୱ ଦେଉଛନ୍ତି। ତେଣୁ ଲୋକସଭାରେ ଯଦି ଟିଏମସି ଅପେକ୍ଷାକୃତ କମ୍ ଶକ୍ତିରେ ଲଢେ, ତେବେ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ଚଢଉ କମ୍ ହେବ ବୋଲି ବିଜେପି ପ୍ରସ୍ତାବ ଦେଇଥିଲା। ଏହି ପ୍ରସ୍ତାବରେ ଟିମ୍ ମମତା ସହମତି ଭରିଥିଲେ। କେବଳ ଏତିକି ନୁହେଁ, ଇଣ୍ଡିଆ ଗଠବନ୍ଧନରେ ନୀତିଶଙ୍କୁ କିପରି କୋଣଠେସା କରାଯିବ, ସେ ଯୋଜନାରେ ମଧ୍ୟ ମମତା କାମ କରି ଦେଖାଇଲେ। ନୀତିଶ କୁମାର ଗତ ଡିସେମ୍ବର ମାସରୁ ମୁଖ୍ୟ ସଂଯୋଜକ ହୋଇଯିବା କଥା। ମାତ୍ର ମମତାଙ୍କ ଜିଦ୍ ଯୋଗୁ ଏହା ସମ୍ଭବ ହୋଇପାରିଲା ନାହିଁ। ମମତା ଇଣ୍ଡିଆ ବୈଠକରୁ ମଧ୍ୟ ଦୂରେଇ ରହିଲେ। ନୀତିଶ ଇଣ୍ଡିଆ ମେଣ୍ଟରେ ନିଷ୍କ୍ରିୟ ହୋଇଯିବା ଅର୍ଥ ବିଜେପିକୁ ଖୋଲା ରାସ୍ତା ମିଳିବା। ତେଣୁ ରାଜ୍ୟ କ୍ଷମତା ବଞ୍ଚାଇବା ପାଇଁ ଇଣ୍ଡିଆ ଗଠବନ୍ଧନରେ ମମତା ମୋଦିଙ୍କ ଏଜେଣ୍ଟ ଭାବେ କାମ କରୁଥିବାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେଣୁ ଗତଥର ପଶ୍ଚିମବଙ୍ଗରେ ୧୮ଟି ଲୋକସଭା ଜିତିଥିବା ବିଜେପିକୁ ଆଉ ୭ରୁ ୮ ଆସନ ଜିତିବା ସୁଯୋଗ ସୃଷ୍ଟି କରିବା ମମତାଙ୍କ ପାଇଁ କାଠିକର ପାଠ ନୁହେଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *