ଦେବଦତ୍ତ ପଟ୍ଟନାୟକଙ୍କ ‘ଟେଲ୍‌ସ ଫ୍ରମ୍‌ ଦ ଲାଣ୍ଡ୍‌ ଅଫ୍‌ ଜଗନ୍ନାଥ’ ଉନ୍ମୋଚିତ

ଭୁବନେଶ୍ବର୧/୧୦: ଭାରତର ସବୁ ରାଜ୍ୟରେ ପ୍ରସିଦ୍ଧ ଠାକୁରଙ୍କ ମନ୍ଦିର ରହିଛି। ହେଲେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯାହା ନିଜର ଆରାଧ୍ୟ ଦେବତାଙ୍କ ଦ୍ବାରା ପରିଚିତି ପାଇଛି। ଜଗନ୍ନାଥ ହେଉଛନ୍ତି ଓଡ଼ିଶାର ରାଷ୍ଟ୍ରଦେବତା। ଜଗନ୍ନାଥ ଦେଶ କହିଲେ ସାରା ଓଡ଼ିଶାକୁ ବୁଝାଏ। ଏପରି ଦୃଷ୍ଟାନ୍ତ ଅନ୍ୟତ୍ର ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରମାର୍ଶଦାତା ତଥା ପ୍ରସିଦ୍ଧ ଲେଖକ ଓ ଗବେଷକ ଆର୍‌ ବାଲାକ୍ରୀଷ୍ଣନ୍।
ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ଓ ପୁରାଣବିତ ଦେବଦତ୍ତ ପଟ୍ଟନାୟକଙ୍କ ସଦ୍ୟତମ ପୁସ୍ତକ ‘ଟେଲ୍‌ସ ଫ୍ରମ୍‌ ଦ ଲାଣ୍ଡ୍‌ ଅଫ୍‌ ଜଗନ୍ନାଥ’ ଓ ଏହାର ଓଡ଼ିଆ ଅନୁବାଦ ‘ଜଗନ୍ନାଥ ଦେଶର କଥା’ ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ବାଲାକ୍ରୀଷ୍ଣନ୍‌ କହିଲେ ଯେ ସମସ୍ତ ମନ୍ଦିରରେ ଥରେ ପ୍ରତିଷ୍ଠା ପାଇବା ପରେ ଦେବବିଗ୍ରହଙ୍କର ନିର୍ମାତା-ମହାରଣାଙ୍କ ସହ ସମ୍ପର୍କ ସରିଯାଏ। କିନ୍ତୁ ଜଗନ୍ନାଥ ଏକମାତ୍ର ବିଗ୍ରହ ଯିଏ ନିତ୍ୟ ସଂଚରଣଶୀଳ। ତାଙ୍କୁ ବାରମ୍ବାର ଗଢ଼ାଯାଏ, ସେ ବାରମ୍ବାର ଯାତ୍ରାକରନ୍ତି। ଏହା ଦ୍ବାରା ସବୁ ଗୋଷ୍ଠୀ ସହ ସେ ନିରନ୍ତର ସମ୍ପର୍କରେ ଥାଆନ୍ତି। ସେ କହିଲେ ଯେ ସଂସ୍କୃତିକୁ ଦୁଇଟି ଦୃଷ୍ଟିକୋଣରୁ ଦେଖିହୁଏ; ଗୋଟିଏ ଭିତରେ ରହି ଓ ଗୋଟିଏ ବାହାରୁ। ସେ ଦୃଷ୍ଟିରୁ ମୁଁ ଏବଂ ଦେବଦତ୍ତ ଗୋଟିଏ ଗୋଷ୍ଠୀର। ଆମେ ଉଭୟେ ନିଜନିଜ ଜନ୍ମଭୂମିଠାରୁ ଦୂରରେ ରହି ନିଜ ସଂସ୍କୃତିକୁ ଭିନ୍ନ ଦୃଷ୍ଟିକୋଣରୁ ଦେଖୁଛୁ ଓ ଅଧିକ ଜିଜ୍ଞାସୁ ହୋଇଛୁ।
ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ରବିବାର ପୂର୍ବାହ୍ନରେ ଆୟୋଜିତ ଏହି ଉତ୍ସବରେ ଦେବଦତ୍ତ ପଟ୍ଟନାୟକ କହିଲେ ଯେ ମୁଁ ଓଡ଼ିଶା ବାହାରେ ଜନ୍ମହୋଇଛି ଓ ବଢ଼ିଛି। ତେବେ ସବୁବେଳେ ଆମ ଓଡ଼ିଆ ପରିଚୟର ଭିତ୍ତି ଥିଲେ ଜଗନ୍ନାଥ। ସେ ନିଜ ବକ୍ତବ୍ୟରେ ପୁଣି କହିଲେ ଯେ ବିଜ୍ଞାନ ହେଉଛି ବାହ୍ୟଜ୍ଞାନ, ଯାହା ମାପ ଉପରେ ଆଧାରିତ ଓ ପ୍ରମାଣକୈନ୍ଦ୍ରୀକ। ତେବେ ପୁରାଣଶାସ୍ତ୍ର ଭାବକୈନ୍ଦ୍ରୀକ। ରସଗୋଲାରେ କେତେ କ୍ୟାଲୋରି ତାହା ବିଜ୍ଞାନ ମାପକରିପାରେ, ରସଗୋଲା ସୁ୍ଆଦକୁ କେବଳ ଅନୁଭବ କରିହୁଏ। ସ୍ବାଦ ବିଜ୍ଞାନର ପରିଧି ବାହାରେ। ତାହା ହିଁ ପୁରାଣଶାସ୍ତ୍ର ଓ ବିଜ୍ଞାନ ମଧ୍ୟରେ ପ୍ରଭେଦ। ରାମାୟଣର ଶବରୀ ଉପାଖ୍ୟାନ ବିଶ୍ବକୁ ଓଡ଼ିଶାର ଅବଦାନ। ସର୍ବପ୍ରଥମେ ଦାଣ୍ଡି ରାମାୟଣରେ ମହାପୁରୁଷ ବଳରାମ ଦାସ ଶବରୀ ଅଇଁଠା କଥା ଲେଖିଥିଲେ ବୋଲି ଦେବଦତ୍ତ କହିଥିଲେ। ଆମେ ନିଜ ପରିବାର ଲୋକଙ୍କର କେବଳ ଅଇଁଠା ଖାଉ। ରାମଚନ୍ଦ୍ର ଶବରୀଙ୍କର ଅଇଁଠା ଆମ୍ବ ଖାଇ ସଭିଏଁ ତାଙ୍କର ପରିବାର ଲୋକ ବୋଲି ପ୍ରମାଣ ଦେଇଛନ୍ତି। ପରେ ଓଡ଼ିଆ ରାମାୟଣ ଅନୁସରଣରେ ଅନ୍ୟ ରାମାୟଣରେ ଶବରୀ ଅଇଁଠା କୋଳି ଖାଇବା ପ୍ରସଙ୍ଗ ଆସିଛି ବୋଲି ସେ କହିଥିଲେ। ସେହିପରି ସନ୍ଥ ପଦ୍ମସମ୍ଭବ ଓଡ଼ିଶାରୁ ତିବ୍ବତ ଯାଇ ବୌଦ୍ଧଧର୍ମର ପ୍ରଚାର କରିଥିଲେ ବୋଲି ଦେବଦତ୍ତ କହିଥିଲେ।


ଅନ୍ୟତମ ଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ ପୁରୀକୁ ତୀର୍ଥଯାତ୍ରା ନେଇ ନିଜ ଗବେଷଣା ଉପରେ ଆଲୋକପାତ କରିଥିଲେ। ବହିର ଅନୁବାଦକ ତପନ କୁମାର ପଣ୍ଡା କହିଲେ ଯେ ଉଭୟ ଓଡ଼ିଆ ଓ ଅଣଓଡ଼ିଆଙ୍କ ପାଇଁ ଦେବଦତ୍ତଙ୍କ ଏ ବହି ଏକ ଗୁରୁତ୍ବପୂର୍ଣ ଅବଦାନ। ତେଣୁ ଏହାର ଅନୁବାଦ ପାଇଁ ସେ ଆଗ୍ରହୀ ହେଲେ ବୋଲି କହିଥିଲେ।
କଥାକାର ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବ ପରେ ଦେବଦତ୍ତ ଓ ବାଲାକ୍ରୀଷ୍ଣନ୍‌ ଜଗନ୍ନାଥ ପରମ୍ପରା ଉପରେ ଦୀର୍ଘ ଆଲୋଚନା କରିଥିଲେ। ଏ ଅବସରରେ ଦେବଦତ୍ତଙ୍କର ପାଠକ ଓ ପ୍ରଶଂସକ ତାଙ୍କ ବହିରେ ସନ୍ତକ ନେବା ପାଇଁ ଓ ତାଙ୍କ ସହ ଫଟୋ ଉଠାଇବା ପାଇଁ ଭିଡ଼ ଲଗାଇଥିଲେ। ମଞ୍ଚ ପରିଚାଳନା କରିଥିଲେ ମୃତ୍ୟୁଞ୍ଜୟ ରଥ। ଉତ୍ସବରେ ବହୁ ସଂଖ୍ୟାରେ ଲେଖକ, ପ୍ରଶାସକ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *