ଆଇଆଇଏମସି ପୁରାତନ ଛାତ୍ରଛାତ୍ରୀ ସମ୍ମିଳନୀ
– ସମାଜସେବା ପାଇଁ ସମ୍ମାନିତା ହେଲେ ଅଙ୍କିତା
ଭୁବନେଶ୍ୱର: ଭାରତୀୟ ଜନ ସଞ୍ଚାର ସଂସ୍ଥାନ(ଆଇଆଇଏମସି ) ଆଲମୁନି ଆସୋସିଏସନ୍ ଓଡ଼ିଶା ଚାପ୍ଟର ପୁରାତନ ଛାତ୍ରଛାତ୍ରୀଙ୍କୁ ଏକାଠି କରିବାକୁ କନେକ୍ସନ ୨୦୨୬ ଅନୁଷ୍ଠିତ ହୋଇଛି। ସଂସ୍ଥାନର ସମସ୍ତ ଛାତ୍ରଛାତ୍ରୀଙ୍କୁ ଏକାଠି ଯୋଡ଼ି ଏକ ସୁସମ୍ପର୍କ ସ୍ଥାପନ ସହ ସମାଜ ତଥା ଗଣମାଧ୍ୟମ ଦିଗରେ ପ୍ରତିବଦ୍ଧତା ଓ ସହଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଆନନ୍ଦ ପ୍ରଧାନ କହିଥିଲେ, ସଂସ୍ଥାନର ଶକ୍ତି ଏଠାରେ ପଢ଼ିଥିବା ପିଲାମାନଙ୍କ ମଧ୍ୟରେ ରହିଛି। ସଂସ୍ଥାନ କିଭଳି ଆଗକୁ ବଢ଼ିଛି ତାହା ପୁରାତନ ଛାତ୍ର ସମ୍ମିଳନୀ ହିଁ ଆମକୁ ମନେ ପକାଇଦେଇଥାଏ। ଢେଙ୍କାନାଳ କ୍ୟାମ୍ପସରେ ପ୍ରମୁଖ ପିଜି ଡିପ୍ଲୋମା କୋର୍ସ ସହିତ ବର୍ତ୍ତମାନ ନୂଆ ଆରମ୍ଭ ହୋଇଥିବା ଦୁଇଟି ମାଷ୍ଟର୍ସ ବା ଏମ୍.ଏ କୋର୍ସ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହ ଆଗାମୀ ଦିନରେ ସଂସ୍ଥାନରେ ଏକ ଇନକ୍ୟୁବେସନ୍ ସେଣ୍ଟର ପାଇଁ ମଧ୍ୟ ଯୋଜନା ରହିଥିବା ନେଇ ସେ ସୂଚନା ଦେଇଥିଲେ। ଯେଉଁଠାରେ ପୂର୍ବତନ ଛାତ୍ରଛାତ୍ରୀ ଷ୍ଟାର୍ଟଅପ୍ ତଥା କୌଣସି ନୂତନ ଚିନ୍ତାଧାରା ପାଇଁ ଯୋଡ଼ି ହୋଇପାରିବେ।
ଓଡିଶା ଚାପ୍ଟରର ସଭାପତି ସନ୍ଦୀପ ସେଠୀ ପରସ୍ପରକୁ ସମର୍ଥନ ଓ ଉନ୍ନତି ଦିଗରେ ପୁରାତନ ଛାତ୍ର ସମ୍ମିଳନୀର ଗୁରୁତ୍ବ ଦୋହରାଇଥିଲେ। ଛାତ୍ରଛାତ୍ରୀଙ୍କ ଭିତରେ ସୁସମ୍ପର୍କ ଓ ସମନ୍ୱୟ ରକ୍ଷା ପାଇଁ ବିଭିନ୍ନ ପ୍ରସ୍ତାବ ରଖିଥିଲେ.
ଏହି ସମାବେଶରେ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ପୂର୍ବତନ ଛାତ୍ରଙ୍କ ଉପସ୍ଥିତି ଦେଖାଯାଇଥିଲା, ଯେଉଁଥିରେ ବରିଷ୍ଠ ସାମ୍ବାଦିକା କସ୍ତୁରୀ ରାୟ, ବିଭୁଦତ୍ତ ମହାପାତ୍ର, ବିରାଜ ସ୍ୱାଇଁ ଏବଂ ପୁରସ୍କାରପ୍ରାପ୍ତ ସାମ୍ବାଦିକ ସାରଦା ଲାହାଙ୍ଗିର, ଚାପ୍ଟରର ଉପ ସଭାପତି ସଙ୍ଗୀତା ଅଗ୍ରୱାଲ ଏବଂ ବ୍ୟୋମକେଶ ବିଶ୍ବାଳ ପ୍ରମୁଖ ସାମିଲ ଥିଲେ।
ଏହି ଅବସରରେ ମହିଳାଙ୍କ ଋତୁସ୍ରାବ ସ୍ୱଚ୍ଛତା ଏବଂ ସଚେତନତା କ୍ଷେତ୍ରରେ ଉତ୍ସର୍ଗୀକୃତ ଭାବେ କାମ କରି “ଓଡିଶାର ପ୍ୟାଡ୍ ମହିଳା” ଭାବେ ପରିଚିତ ହୋଇଥିବା ଅଙ୍କିତା ସାହୁଙ୍କୁ ଇମକା ପୁରସ୍କାର ପ୍ରଦାନ କରାଯାଇଛି। ସମାଜସେବା କ୍ଷେତ୍ରରେ ଏହି ପୁରସ୍କାର ଦିଆଯାଇଛି।
ଏଥିସହ ସିଲଭର ଜୁବଲି ବ୍ୟାଚର ଦୁଇ ଛାତ୍ରଛାତ୍ରୀ ମନସ୍ବିନୀ ମିଶ୍ର ଓ ବିଶ୍ବଜିତ ସାହୁଙ୍କୁ ଏହି ସମ୍ମିଳନୀରେ ସମ୍ମାନିତ କରାଯାଇଥିଲା।
ଓଡ଼ିଶା ଆଜି ଦେଶର ଦ୍ୱିତୀୟ ସବୁଠୁ ବଡ଼ ଆଇଆଇଏମସି ଆଲମୁନି ନେଟୱାର୍କ ଭାବେ ପରିଚିତ ହେଉଛି। ପୂର୍ବତନ ଛାତ୍ରମାନେ କେବଳ ଗଣମାଧ୍ୟମ, ଯୋଗାଯୋଗ, ଶାସନ, ଶିକ୍ଷା ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଉଲ୍ଲେଖନୀୟ ସଂଖ୍ୟାରେ କାର୍ଯ୍ୟ କରୁନାହାନ୍ତି ବରଂ ଭାଇଚାରା ଓ ସାମୂହିକ ଉଦ୍ଦେଶ୍ୟର ସୂଚାରେ ବାନ୍ଧି ହୋଇଛନ୍ତି। ଓଡ଼ିଶାରେ ଆଇଆଇଏମସି ପରିବାର ନିରନ୍ତର ଭାବେ ବୃଦ୍ଧି ପାଉଛି, ଯାହା ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ଯୋଡ଼ିବା ସହ ପରସ୍ପରର ଉନ୍ନତି, ସହଯୋଗକୁ ସମୃଦ୍ଧ କରୁଛି। ଓଡ଼ିଶା ଚାପ୍ଟର ନିରନ୍ତର ଭାବରେ ପରାମର୍ଶ, ସହଯୋଗ ଏବଂ ସାମୂହିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରି ଏହି ସମ୍ପର୍କକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରିଆସିଛି। ପରସ୍ପର ଭିତରେ ଅଭିଜ୍ଞତା ବାଣ୍ଟିବା, ଭାବ ଆଦାନ ପ୍ରଦାନ କରିବା ଗଣମାଧ୍ୟମ ଓ ଯୋଗାଯୋଗରେ ବର୍ତ୍ତମାନ ଚାଲୁଥିବା ଟ୍ରେଣ୍ଡ ବିଷୟରେ ଆଲୋଚନା ପାଇଁ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିଥିଲା।
