Save Odisha : Save Natural Resources ବିକଳ୍ପ ଜନବାଦୀ ବିକାଶ ନୀତି ଜାରି,  ସଫଳ ହେଲା “ଲୋକ ଅଧିକାର ସମାବେଶ”

ଭୁବନେଶ୍ୱର (ନରେନ୍ଦ୍ର ମହାନ୍ତି ) : ଗତ ୨୫ ଫେବୃଆରୀରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରୁ ପ୍ରାକୃତିକ ସମ୍ପଦ ସୁରକ୍ଷା ପାଇଁ “ଲୋକ ଅଧିକାର ଯାତ୍ରା” ଆରମ୍ଭ ହୋଇ ଗତ ୨୩ ମାର୍ଚ୍ଚରେ କଟକରେ ସମାପ୍ତ ହେବା ପରେ ଆଜି ରାଜଧାନୀ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଲୋକ ଅଧିକାର ସମାବେଶ ଆୟୋଜିତ ହୋଇଯାଇଛି। ଲୋକଶକ୍ତି ଅଭିଯାନ, ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ଵୟ ଏବଂ ସେଣ୍ଟର୍ ଫର୍ କ୍ଲାଇମେଟ୍ ଜଷ୍ଟିସ୍ ପକ୍ଷରୁ ଆୟୋଜିତ ଏହି ସମାବେଶରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ସହସ୍ରାଧିକ ଲୋକ ଯୋଗଦେଇଥିଲେ। ବିକାଶ ନାମରେ ପ୍ରାକୃତିକ ସମ୍ପଦଗୁଡ଼ିକୁ କର୍ପୋରେଟ ଲୁଣ୍ଠନ ପାଇଁ ଟେକି ଦେବା ବିରୋଧରେ ଏହି ସମାବେଶ ଆୟୋଜନ କରାଯାଇଥିଲା। ପ୍ରାକୃତିକ ସମ୍ପଦର ଅବିଚାରିତ ଲୁଣ୍ଠନ ମାଧ୍ୟମରେ ପ୍ରକୃତି, ପରିବେଶ ତଥା ଜନସାଧାରଣଙ୍କ ଜୀବନ ଜୀବିକାକୁ ଧ୍ୱଂସ କରି ରାଜ୍ୟକୁ ସମ୍ବଳହୀନ ନକରିବାକୁ ଲୋକ ଅଧିକାର ସମାବେଶ ଦାବି କରିଛି।
ଏକ ବିକଳ୍ପ ବିକାଶଧାରା ଆପଣେଇବା ପାଇଁ ଏହି ଯାତ୍ରା ତଥା ସମାବେଶ ଏକ ଘୋଷଣାପତ୍ର ଜାରି କରିଛି। ଓଡ଼ିଶା ସରକାର, ବିଭିନ୍ନ ରାଜନୈତିକ ଦଳ ଏବଂ ସର୍ବୋପରି ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ଏହି ବିକଳ୍ପ ବିକାଶ ନୀତି ସମ୍ପର୍କରେ ବିଚାର କରିବାକୁ ଲୋକ ଅଧିକାର ସମାବେଶ ଆହ୍ୱାନ କରିଛି। ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନ୍.ଏ.ପି.ଏମ୍)ର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ଲୋକଶକ୍ତି ଅଭିଯାନର ଅଧ୍ୟକ୍ଷ ତଥା ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ନେତା ଲିଙ୍ଗରାଜ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଂଯୋଜକ ଡଃ ବିଶ୍ୱଜିତ୍, ଓ ସାମାଜିକ କର୍ମୀ କଲ୍ୟାଣ ଆନନ୍ଦ ପ୍ରମୁଖ ଏହି ଆହ୍ୱାନ ଦେଇଥିଲେ।*

*ବିଭିନ୍ନ ଜନ ଆନ୍ଦୋଳନର ନେତା କାର୍ତ୍ତିକ ନାୟକ, ଦାସିନନ୍ଦୀ ବାଲି, ଲକ୍ଷ୍ମୀ ସିସା, ବିବୁଲ୍ ଟପ୍ପୋ, କୃଷ୍ଣ ସିକକା, ଗମ୍ଭାରାମ ବେହେରା, ହର ବଣିଆ ପ୍ରମୁଖଙ୍କୁ ନେଇ ଏକ ସଭାପତି ମଣ୍ଡଳୀ ଗଠନ କରାଯାଇଥିଲା। ଲୋକ ଅଧିକାର ସମାବେଶରେ ବିକଳ୍ପ ଜନବାଦୀ ବିକାଶ ନୀତି ସମ୍ପର୍କରେ ଜାରି ହୋଇଥିବା ଘୋଷଣାପତ୍ରକୁ ସମର୍ଥନ କରି ବିଭିନ୍ନ ବୁଦ୍ଧିଜୀବୀ ଓ ରାଜନୈତିକ ନେତୃତ୍ୱ ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଏହି ଲୋକ ଅଧିକାର ଯାତ୍ରା ତଥା ସମାବେଶ ସାଧାରଣ ଲୋକଙ୍କ ଲଢେ଼ଇ ଓ ପ୍ରତିରୋଧ ଆନ୍ଦୋଳନ ପାଇଁ ଏକ ମାଇଲଖୁଣ୍ଟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ। ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତି, ପ୍ରଫେସର ବୀରେନ୍ଦ୍ର ନାୟକ, ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ) ନେତା ଅଶୋକ ମିଶ୍ର, ଚାଷୀ ମୂଲିଆ ସଂଘର ବାସୁଦେବ ଦାସ, ଟ୍ରେଡ୍ ୟୁନିୟନ ନେତା ମହେନ୍ଦ୍ର ପରିଡ଼ା, ଉତ୍କଳ ସର୍ବୋଦୟ ମଣ୍ଡଳ ସଭାପତି ମିହିର ପ୍ରତାପ ଦାସ, ବସ୍ତି ସୁରକ୍ଷା ମଞ୍ଚର ହେନାରାଣୀ, ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ଦେବୀ ପ୍ରସାଦ ପୃଷ୍ଟି, ମୁକ୍ତି ସଂଗଠନ (ନରସିଂହପୁର)ର ସୁଶାନ୍ତ ମହାନ୍ତି, ପ୍ରଫେସର ସୁମିତ୍ରା ପଟେଲ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଲୋକ ଅଧିକାର ସମାବେଶର ଘୋଷଣାପତ୍ରକୁ ସମର୍ଥନ କରି ଜଳ ଜମି ଜଙ୍ଗଲ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଜନ ଆନ୍ଦୋଳନ ଏକାନ୍ତ ଅପରିହାର୍ଯ୍ୟ ବୋଲି ମତପ୍ରକାଶ କରିଥିଲେ।

*ବିଭିନ୍ନ ଜନ ଆନ୍ଦୋଳନଗୁଡ଼ିକର ନେତା ଓ ନେତ୍ରୀ ଯଥା ଆଠକୋଶିଆ ସଂଗଠନର ଆନ୍ନା କୁଜ୍ଜୁର, ଏସାର୍ ମିନମେଣ୍ଟ ବିରୋଧୀ ଆନ୍ଦୋଳନର ଲପିତା ଦେହୁରୀ, ମା’ ମାଟି ମାଳି ସୁରକ୍ଷା ମଞ୍ଚର କାଳିଦେଈ ମାଝୀ, ଋଷିକୂଲ୍ୟା ସୁରକ୍ଷା ସମିତିର ସୁଧୀର ରାଉତ, ନିୟମଗିରି ସୁରକ୍ଷା ସମିତିର ବିନତୀ କାଡ୍ରାକା, ଲୋକମୁକ୍ତି ସଂଗଠନର ଅନନ୍ତ, ଜିନ୍ଦାବାଦ ସଂଗଠନର ତ୍ରିଲୋଚନ ପୁଞ୍ଜି, ନାଗେଶ୍ୱରୀ ମାଳି ଡଙ୍ଗର ମହା ଗ୍ରାମସଭାର ନେତା ଅଜୟ ମୁଦୁଲି, ମାଳି ପର୍ବତ ସୁରକ୍ଷା ସମିତିର ବିଜୟ ଖିଲୋ, ଚାଷୀ ମୂଲିଆ ସୁରକ୍ଷା ସମିତିର ବଳଭଦ୍ର ମଲ୍ଲିକ, ସେରୁବନ୍ଧ ସଂଗ୍ରାମ ସମିତିର ଟିକେଇ ଗାମେଲ, ଛେଣ୍ଡିପଦା ପରିବେଶ ସୁରକ୍ଷା ଆନ୍ଦୋଳନର ସୂର୍ଯ୍ୟ ନାରାୟଣ ନାଥ, ଲାଞ୍ଜିବେର୍ଣ୍ଣା ଡାଲମିଆ ସିମେଣ୍ଟ କାରଖାନା ସଂପ୍ରସାରଣ ବିରୋଧୀ ଆନ୍ଦୋଳନର ବିବୁଲ୍ ଟପ୍ପୋ, ହୀରାମଣି ମିଞ୍ଜ, ସୁବର୍ଣ୍ଣରେଖା ଓ ଜଳକା ନଦୀ ସୁରକ୍ଷା ଆନ୍ଦୋଳନର ନେତା ଅରୁଣ ଜେନା, ଲୋୟର ସୁକତେଲ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତିର ସତ୍ୟ ବନଛୋର, ସୁକିନ୍ଦାର ବିଶ୍ୱନାଥ ପାତ୍ର, ବଲାଙ୍ଗୀର ଗ୍ରାଫାଇଟ ଖଣି ବିରୋଧୀ ଆନ୍ଦୋଳନର ଗିରିରାଜ ଭୋଇ, ବାଲିଆପାଳ ଜଳକା ନଦୀ ସୁରକ୍ଷା ଆନ୍ଦୋଳନର କମଳ ଲୋଚନ ବାରିକ ପ୍ରମୁଖ ସେମାନଙ୍କ ଭିଟାମାଟି ଓ ଜୀବନ ଜୀବିକାର ଲଢେଇ ବିଷୟରେ ବର୍ଣ୍ଣନା କରିଥିଲେ ତଥା ପ୍ରକୃତି ଓ ପରିବେଶକୁ ବଞ୍ଚାଇବାକୁ ବ୍ୟାପକ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ।

*ଘୋଷଣାପତ୍ର – ଲୋକ ଅଧିକାର ସମାବେଶ*

୧. ରାଜ୍ୟର ପ୍ରାକୃତିକ ସମ୍ବଳଗୁଡ଼ିକର ସ୍ଥିତି ଓ କେତେ ସରିଛି ଓ  କେତେ ରହିଛି, ସେ ସମ୍ପର୍କିତ ଏକ ଶ୍ୱେତପତ୍ର ପ୍ରକାଶ କରାଯାଉ। ପ୍ରାକୃତିକ ସମ୍ପଦଗୁଡ଼ିକୁ ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷିତ ରଖିବା ସହ ବର୍ତମାନ ଜୀବିକାର ସ୍ରୋତ ପ୍ରାକୃତିକ ସମ୍ପଦ ଦୋହନ କରିବା ଉପରେ ନିଷେଧାଦେଶ ଜାରି କରାଯାଉ। 

୨. ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଥିବା ଦେଶର ୬୦ ପ୍ରତିଶତ ବକ୍ସାଇଟ ଆମ ରାଜ୍ୟର ଆରାବଳି ପରି ଅତି ଅମୂଲ୍ୟ ପ୍ରାକୃତିକ ସମ୍ପଦ, ଯାହାର ସଂରକ୍ଷଣ ଅତି ଜରୁରୀ ବର୍ତ୍ତମାନ ପଞ୍ଚପଟମାଳି, ବାଫିଲିମାଳି ଓ କୋଡ଼ିଙ୍ଗାମାଳି ମାଇନିଂ ଖଣି ଖନନ ଅନେକ କ୍ଷତି କରିସାରିଲାଣି। ତେଣୁ ଭବିଷ୍ୟତ ପିଢ଼ି ଓ ବର୍ତମାନର ପରିବେଶ ସୁରକ୍ଷା ଦୃଷ୍ଟିରୁ ଅନ୍ୟ କୌଣସି ନୂତନ ଖଣି ଖନନ ଉପରେ ନିଷେଧାଦେଶ ଜାରି କରାଯାଉ। 

୩. ପ୍ୟାରିସ ବୁଝାମଣା ପତ୍ର ଅନୁଯାୟୀ, ଭାରତ ସରକାରଙ୍କ ନୀତି ନୂଆ ଥର୍ମାଲ ପାୱାର ପ୍ଲାଣ୍ଟ ଉପରେ ନିଷେଧ ଜାରି କରାଯାଇ ଓଡ଼ିଶାର କୃଷି ଜମି ଓ ଜଙ୍ଗଲରେ ଦିଆଯାଉ ଥିବା ନୂଆ କୋଇଲା ଖନନ ଲିଜ ପ୍ରତ୍ୟାହାର କରାଯାଉ।

୪. ଆମ ରାଜ୍ୟର ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ସଂରକ୍ଷଣ ପାଇଁ ଅବିଚାରିତ, ଅବୈଜ୍ଞାନିକ, ଅତ୍ୟଧିକ ଖଣି ଖନନକୁ ନିଷେଧ କରାଯାଉ। ଭବିଷ୍ୟତ ପିଢ଼ି ଓ ବର୍ତ୍ତମାନର ସର୍ବସାଧାରଣଙ୍କ ମୌଳିକ ଆବଶ୍ୟକତା ପାଇଁ ସୀମିତ ପ୍ରାକୃତିକ ସମ୍ପଦକୁ ବ୍ୟବହାର କରାଯାଉ। 

୫. କୃଷିଜାତ, ଜଙ୍ଗଲଜାତ ଓ ସାମୁଦ୍ରିକ ଉତ୍ପାଦନ କେନ୍ଦ୍ରିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାୟନ ପାଇଁ ନୀତି ଓ ଯୋଜନା ପ୍ରଣୟନ କରାଯାଉ। ଇସ୍ପାତ, ଆଲୁମିନିୟମ ତଥା ଅନ୍ୟାନ୍ୟ ଶିଳ୍ପଜାତ ପଦାର୍ଥକୁ ବ୍ୟବହାର କରି (Intermediary Industry) ବା ‘ଫିନିସଡ୍ ଗୁଡ୍ସ’ ପ୍ରସ୍ତୁତ କରିବା ଶିଳ୍ପ ପ୍ରତିଷ୍ଠା କରାଯାଉ। ଏହି ବିକଳ୍ପ ଶିଳ୍ପାୟନ ଦ୍ୱାରା ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ। 

୬. କୃଷିକୁ ଗୁରୁତ୍ୱ ଦେଇ କୃଷିଜାତ ଶସ୍ୟର ଉଚିତ୍ ମୂଲ୍ୟପାଇଁ ଆଇନ ପ୍ରଣୟନ ହେଉ।

୭. ଜବରଦସ୍ତ ଜମି ଓ ଜଙ୍ଗଲ ଅଧିଗ୍ରହଣ ବନ୍ଦ ହେଉ। 

୮. ଗଣତାନ୍ତ୍ରିକ ଜନ ଆନ୍ଦୋଳନଗୁଡ଼ିକ ଉପରେ ରାଷ୍ଟ୍ରଦମନ ବନ୍ଦ କରାଯାଉ।

୯. ସାମ୍ବିଧାନିକ ଅଧିକାରକୁ ସୁରକ୍ଷିତ ରଖି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଗ୍ରାମସଭାର ନିଷ୍ପତ୍ତିକୁ ସ୍ୱୀକାର କରାଯାଉ।

୧୦. ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଆଦିବାସୀ ସମେତ ସମସ୍ତ ପାରମ୍ପରିକ ଜଙ୍ଗଲବାସୀଙ୍କୁ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପ୍ରଦାନ କରାଯାଉ। 

୧୧. ଲ୍ୟାଣ୍ଡ ବ୍ୟାଙ୍କ ବ୍ୟବସ୍ଥା ଉଚ୍ଛେଦ କରି ପ୍ରଥମେ ଜମିହୀନ କୃଷିଜୀବୀଙ୍କୁ ଚାଷ ଓ ବାସୋପଯୋଗୀ ଜମି ବଣ୍ଟନ କରାଯାଉ। 

୧୨. ପଞ୍ଚାୟତ ସ୍ତରରେ କର୍ମ ନିଯୁକ୍ତି ଯୋଜନା ପ୍ରସ୍ତୁତ କରି ଦଲାଲମାନଙ୍କ ଦ୍ୱାରା ଦାଦନ ଶ୍ରମିକ ଚାଲାଣ ଓ ନିର୍ଯାତନା ବନ୍ଦ କରାଯାଉ।

୧୩. ପ୍ରତ୍ୟେକ ଗ୍ରାମରେ ପ୍ରାଥମିକ ଶିକ୍ଷା ଓ ଗ୍ରାମ ପଞ୍ଚାୟତ ସ୍ତରରେ ହାଇସ୍କୁଲ ପର୍ଯ୍ୟନ୍ତ ସମାନ ସ୍କୁଲ, ସମାନ ଓ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଲାଗୁ କରାଯାଉ। 

୧୪. ପ୍ରତି ଗ୍ରାମ ପଞ୍ଚାୟତରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ସହ ସମସ୍ତ ନାଗରିକମାନଙ୍କୁ ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉ। 

୧୫. ରାଜ୍ୟକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଆଶୁ ପଦକ୍ଷେପ ନିଆଯାଉ। ରାଜ୍ୟର ନଦୀ ସମୂହର ଜଳର ନିରନ୍ତର ପ୍ରାକୃତିକ ପ୍ରବାହ ପାଇଁ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନଦୀଗୁଡ଼ିକର ପ୍ରକୃତ ପ୍ରବାହକୁ ବାଧ୍ୟ ଦେଉଥିବା ପ୍ରକଳ୍ପଗୁଡ଼ିକୁ ପ୍ରତ୍ୟାହାର କରାଯାଉ।

୧୬. ଲୋକ ଅଧିକାରର ସୁରକ୍ଷା ପାଇଁ ସାମ୍ବିଧାନିକ ଅଧିକାରଗୁଡ଼ିକୁ କାର୍ଯ୍ୟକାରୀ କରିବା ସହ ଦେଶ ତଥା ଆମ ରାଜ୍ୟକୁ ସାମ୍ପ୍ରଦାୟିକ ହିଂସା ଓ ଘୃଣାରୁ ମୁକ୍ତ ରଖାଯାଉ। 

୧୭. ବିସ୍ଥାପିତମାନଙ୍କୁ ନ୍ୟାୟ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟରେ ସାମ୍ବିଧାନିକ ଆୟୋଗ ଗଠନ କରାଯାଉ। 

Leave a Reply

Your email address will not be published. Required fields are marked *