How is This Narrative ମମତା ବିଜେପିକୁ ବେଙ୍ଗଲ ଆଣିଥିଲେ… କେତେ ଯୁକ୍ତିଯୁକ୍ତ…

କୋଲକାତା :(ବିଜୟ ସାହୁ )-ଯେଉଁମାନେ ବେଙ୍ଗଲ ଓ ଜନସଂଘର ଇତିହାସ ଜାଣନ୍ତି ନାହିଁ ସେମାନେ କହିବେ ମମତା  ଧଳା ଶାଢ଼ୀ କାନିରେ ବାନ୍ଧି ବିଜେପିକୁ ବେଙ୍ଗଲ ଆଣିଥିଲେ, ଯେମିତି ରାଜା ଭଗିରଥି ଶିବଙ୍କ ଜଟା ଭିତରେ ମା ଗଙ୍ଗାକୁ ପୂରେଇ ଭାରତକୁ ଆଣିଥିଲେ ।
ତେଣୁ As you sow so you reap ତାଙ୍କ ପାଇଁ ଦରକାର ଥିଲା ବୋଲି ଉଭୟ କଂଗ୍ରେସ ଓ ବାମପନ୍ଥୀଙ୍କ ଅଭିଯୋଗ ।
କିନ୍ତୁ ବାସ୍ତବ ଇତିହାସ ହେଉଛି Janasangha was rooted in the Bengal ethos .
ଅର୍ଥାତ ବଙ୍ଗଳାର ଐତିହ୍ୟ ଚେର ଭିତରେ ଜନସଂଘ ମିଶ୍ରିତ ହେଇଥିଲା ।
ବେଙ୍ଗଲର ତିନିଜଣ ବୁଦ୍ଧିଜୀବୀ ଜନସଂଘକୁ ପତ୍ର ,ଫୁଲ,ଫଳେ ସୁଶୋଭିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ଜଣେ ହେଉଛନ୍ତି ଶ୍ୟାମାପ୍ରସାଦ ମୁଖାର୍ଜୀ, ଦ୍ଵିତୀୟ ଜଣକ ହେଉଛନ୍ତି ଆଚାର୍ଯ୍ୟ ଦେଵପ୍ରସାଦ ଘୋଷ ଓ ତୃତୀୟ ଜଣକ ହେଉଛନ୍ତି ହରିପଦ ଭାରତୀ ।
ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସମ୍ପର୍କରେ ପ୍ରସଙ୍ଗ କ୍ରମେ
ଲେଖିବି । ଇତିମଧ୍ୟରେ ପ୍ରାୟ ଅନେକ ତାଙ୍କୁ ଚିହ୍ନିଛନ୍ତି, ଅଧିକାଂଶ ଆଦୌ ଚିହ୍ନି ନାହାନ୍ତି  ।
ସେ ହିନ୍ଦୁ ମହାସଭା,ଜନସଂଘ ପ୍ରତିଷ୍ଠିତା କେବଳ ନଥିଲେ ବେଙ୍ଗଲରେ ହିନ୍ଦୁ ସାମ୍ପ୍ରଦାୟିକ ରାଜନୀତିର ଭଗିରଥି ଥିଲେ । ଶ୍ୟାମାପ୍ରାସାଦ ମୁଖାର୍ଜୀଙ୍କ ପିତା ଓ କଲିକତା ବିଶ୍ୱବିଦ୍ୟାଳୟର ୫ ଥର ଭାଇସ ଚାନ୍ସେଲର ଆଶୁତୋଷ ମୁଖାର୍ଜୀ ଜଣେ ପ୍ରବୀଣ ଶିକ୍ଷାବିତ,ଜୁରିଷ୍ଟ ଥିଲେ,ଏବଂ ପ୍ରଚଣ୍ଡ ବ୍ରିଟିଶ ବିରୋଧୀ ବ୍ୟକ୍ତି ଥିଲେ । ତାଙ୍କୁ ବେଙ୍ଗଲ ଟାଇଗର ଭାବରେ ନାମିତ କରା ଯାଇଥିଲା ।କିନ୍ତୁ ତାଙ୍କ ପୁତ୍ର ଶ୍ୟାମାପ୍ରସାଦ ମୁଖାର୍ଜୀ ବ୍ରିଟିଶ ସରକାରଙ୍କ ସହଯୋଗରେ ପ୍ରତିଷ୍ଠା ହେଇଥିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଦୃଢ଼ ପୃଷ୍ଠପୋଷକ ଥିଲେ ।
ଦ୍ୱିତୀୟ ବ୍ୟକ୍ତି ଆଚାର୍ଯ୍ୟ ଦେବପ୍ରସାଦ ଘୋଷ ଜଣେ ଗଣିତ ପ୍ରଫେସର ଓ ରାଜନୀତିଜ୍ଞ ଥିଲେ । ଶ୍ୟାମା ପ୍ରସାଦଙ୍କ ମୃତ୍ୟ ପରେ ୧୯୫୬ ରୁ ୧୯୬୫ ପର୍ଯ୍ୟନ୍ତ ଜନସଂଘର ଜାତୀୟ ସଭାପତି ଥିଲେ ।
ସେ ୧୯୫୨ରୁ ୧୯୫୪ ପର୍ଯ୍ୟନ୍ତ ବେଙ୍ଗଲରୁ ରାଜ୍ୟସଭାକୁ ନିର୍ବାଚିତ ହେଇଥିଲେ ।
ରାଜ୍ୟସଭାକୁ ପ୍ରଥମ ଜନସଂଘ ସଦସ୍ୟ ପୁରସ୍କାର ଦେବା ବେଙ୍ଗଲ ଭଦ୍ରଲୋକ ରାଜନୀତି ର ଏକ ଆଶ୍ଚର୍ଯ୍ୟ ଘଟଣା ଥିଲା । କାରଣ ସେତେବେଳେ ବେଙ୍ଗଲ ବିଧାନସଭାର ୨୪୦ ବିଧାୟକ ଥିଲେ ।
ସେମାନଙ୍କ ମଧ୍ୟରେ କଂଗ୍ରେସର ୧୫୦ ,କମ୍ୟୁନିଷ୍ଟ ପାର୍ଟି ୨୮,କିଷାନ ମଜଦୂର ପ୍ରଜା ପାର୍ଟି ( KMPP)୧୫,ଜନସଂଘ ୯,ହିନ୍ଦୁ ମହାସଭା ୪,ଫରୱାର୍ଡ ବ୍ଲକ ମାର୍କ୍ସିଷ୍ଟ ୧୧ ଓ ସ୍ୱାଧୀନ ସଭ୍ୟ ୧୯ ନିର୍ବାଚିତ ହେଇଥିଲେ । ବିଖ୍ୟାତ ଡାକ୍ତର ତଥା ଆଧୁନିକ ବେଙ୍ଗଲର ନିର୍ମାତା ଓ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଅତ୍ୟନ୍ତ ବିଶ୍ୱସ୍ତ ବିଧାନଚନ୍ଦ୍ର ରାୟ ମୁଖ୍ୟମନ୍ତ୍ରୀ ଥିଲେ । ( ଡାକ୍ତର ରାୟ ପ୍ରଥମରୁ ମୃତ୍ୟୁ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ ୧୯୪୮-୧୯୬୧)।

ଆଚାର୍ଯ୍ୟ ଦେଵପ୍ରସାଦ ଘୋଷ କଂଗ୍ରେସ ଓ ବାମପନ୍ଥୀଙ୍କ ଜାତୀୟ ସ୍ତରରେ ଏକ ବିକଳ୍ପ ସୃଷ୍ଟି ପାଇଁ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ( NDF) ଗଠନ କରିଥିଲେ ।
ଏହି ସାମ୍ମୁଖ୍ୟ ତରଫରୁ ସେ ବେଙ୍ଗଲରୁ ରାଜ୍ୟସଭା ପ୍ରାର୍ଥୀ ହେଇଥିଲେ । ଜନସଂଘ ଓ ଏକଦା ଶ୍ୟାମାପ୍ରସାଦଙ୍କ ଦ୍ଵାରା ଗଠିତ ହିନ୍ଦୁ ମହାସଭାର ସମୁଦାୟ ବିଧାୟକ ୧୩ (୯+୪) ଥିଲେ । ୧୯ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ନିର୍ବାଚିତ ହେଇଥିଲେ । ଏମାନଙ୍କ ମଧ୍ୟରୁ  ଅଧିକାଂଶ ବିଧାୟକ (୧୬) ହିନ୍ଦୁ ବୁଦ୍ଧିଜୀବୀ,ଶିକ୍ଷାବିତ ଓ ପୂର୍ବତନ ରାଜ ପରିବାର ବ୍ୟକ୍ତି ଥିଲେ । ୩ ଜଣ ମୁସଲିମ ବିଧାୟକ ଥିଲେ ।
ପ୍ରଥମ ରାଜ୍ୟସଭା ଗଠନ ପାଇଁ  ତିନି ପ୍ରକାର ସଦସ୍ୟ ନିର୍ବାଚନ କରିବା ବ୍ୟବସ୍ଥା ଥିଲା । ୨ ବର୍ଷ,୪ବର୍ଷ ଓ ୬ ବର୍ଷ ଅବଧି ପାଇଁ ପ୍ରଥମ ନିର୍ବାଚନ ହେଇଥିଲା । ସେତେବେଳେ ବେଙ୍ଗଲର ଜନସଂଖ୍ୟା ଅନୁଯାୟୀ ୧୬ ଜଣ ରାଜ୍ୟସଭା ସଭ୍ୟ ନିର୍ବାଚିତ ହେବା କଥା । ପ୍ରଥମେ ଏକ ତୃତୀୟାଂଶ ସଦସ୍ୟ ୫ ଜଣ ୨ ବର୍ଷ ପାଇଁ,ଦ୍ଵିତୀୟ ଏକ ତୃତୀୟାଂଶ ସଦସ୍ୟ ୪ ବର୍ଷ ପାଇଁ ଓ ଅବଶିଷ୍ଟ ୫ ଜଣ ୬ ବର୍ଷ ପାଇଁ ନିର୍ବାଚିତ ହେଇଥିଲେ। ଦୁଇ ବର୍ଷ ପାଇଁ ପ୍ରଥମେ ଯେଉଁମାନେ ନିର୍ବାଚିତ ହେଇଥିଲେ ସେମାନଙ୍କ ମଧ୍ୟରେ ଆଚାର୍ଯ୍ୟ ଦେବପ୍ରସାଦ ଥିଲେ ।
ଆଚାର୍ଯ୍ୟ ଦେବପ୍ରସାଦ ଆବଶ୍ୟକ ସମର୍ଥନ ହାସଲ କରି ରାଜ୍ୟସଭାକୁ ନିର୍ବାଚିତ ହେଇଥିଲେ । ତେଣୁ ଗୋଟିଏ କଥା ସ୍ପଷ୍ଟ ଯେ ବେଙ୍ଗଲର ଏହି ହିନ୍ଦୁ ଭଦ୍ରଲୋକମାନେ ଜନସଂଘ ପଶ୍ଚାତରେ ଗାନ୍ଧୀ ହତ୍ୟାର ସଦ୍ୟ କଳଙ୍କ ଲୋକେ ଭୁଲି ନଥିବା ସତ୍ତ୍ୱେ ଜନସଂଘ ପ୍ରାର୍ଥୀ ଭାବରେ ଆଚାର୍ଯ୍ୟ ଦେଵ ପ୍ରସାଦଙ୍କୁ ରାଜ୍ୟସଭାକୁ ନିର୍ବାଚିତ କରିଥିଲେ । ଅବଶ୍ୟ ପରେ କେହି ଜନସଂଘରୁ ବିଧାନସଭାକୁ ନିର୍ବାଚିତ ହେଇ ପାରି ନଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି କାଳଖଣ୍ଡ ହେଉଛି କଂଗ୍ରେସ,ବାମପନ୍ଥୀ ଓ ସୋସାଲିଷ୍ଟ ପାର୍ଟି ବିଧାୟକମାନଙ୍କ ସମ୍ପୂର୍ଣ୍ଣ
ଦବଦବା କାଳଖଣ୍ଡ ଥିଲା ।

ବେଙ୍ଗଲରେ ଜନସଂଘର ତୃତୀୟ ସ୍ତମ୍ଭ ଥିଲେ ହରିପଦ ଭାରତୀ । ସେ ମାଷ୍ଟର ମୋଶାଇ ଭାବରେ ପରିଚିତ ଥିଲେ । କଲେଜ ପ୍ରିନ୍ସିପାଲ ଥିଲେ । ଯଦିଓ ୧୯୬୭ ଓ ୧୯୭୧ ରେ ବେଙ୍ଗଲରୁ ଲୋକସଭା ପ୍ରାର୍ଥୀ ଭାବରେ ପ୍ରତିଦ୍ବନ୍ଦିତା କରିଥିଲେ, କିନ୍ତୁ ସଫଳ ହେଇ ନଥିଲେ । ୧୯୭୭ ମସିହାରେ ଜନତା ପାର୍ଟିରୁ ଜୋରବାଗାନ ଆସନରୁ ଜିତି ବେଙ୍ଗଲ ବିଧାନସଭାକୁ ଯାଇଥିଲେ ଓ ୧୯୮୦ ପର୍ଯ୍ୟନ୍ତ ବିଧାୟକ ଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୭୭ ନିର୍ବାଚନ ଲୋକସଭା ନିର୍ବାଚନ ବେଳେ ଜନତା ପାର୍ଟି ସହ ବାମଫ୍ରଣ୍ଟର ମେଣ୍ଟ ହେଇଥିଲା ଏବଂ ଜନତା ପାର୍ଟି ଭିତରେ ଜନସଂଘ ମଧ୍ୟ ଥିଲା ।
ଅବଶ୍ୟ ବିଧାନସଭା ନିର୍ବାଚନ ବେଳେ ଆସନ ବୁଝାବଣା ହେଇ ନ ପାରିବାରୁ ବାମ ଫ୍ରଣ୍ଟ ଅଲଗା ଲଢ଼ିଥିଲେ ଓ କ୍ଷମତାକୁ ଆସିଥିଲା । ଏହି ନିର୍ବାଚନରେ ବାମଫ୍ରଣ୍ଟର ଅଭ୍ୟୁତପୂର୍ଵ ସଫଳତା ପଛରେ ଜରୁରୀ ପରିସ୍ଥିତିର ଯେତିକି ଭୂମିକା ନଥିଲା ଶ୍ରୀମତୀ ଗାନ୍ଧୀଙ୍କ ରାଜନୈତିକ ପରାମର୍ଶଦାତା ତଥା ବେଙ୍ଗଲର ମୁଖ୍ୟମନ୍ତ୍ରୀ ସିଦ୍ଧାର୍ଥ ରାୟ ଓ ରାଜ୍ୟପାଳ ଧର୍ମବୀରଙ୍କ ଭୂମିକା ତା ଠାରୁ ଅଧିକ ଥିଲା । ୧୯୭୨ ନିର୍ବାଚନ ନିର୍ବାଚନ ଥିଲା ବେଙ୍ଗଲ ନିର୍ବାଚନ ଇତିହାସରେ ସବୁଠାରୁ କଳଙ୍କମୟ ଅଧ୍ୟାୟ ଯାହା ଏ ପର୍ଯ୍ୟନ୍ତ କଂଗ୍ରେସକୁ ବେଙ୍ଗଲରେ କ୍ଷମତାକୁ ଫେରିବା ରାସ୍ତା ବନ୍ଦ କରି ଦେଇଛି ; ଏବଂ ଆଉ କେବେ ସେଇ ରାସ୍ତା ଖୋଲିବା ସମ୍ଭାବନା ଆମ ଜୀବନକାଳ ମଧ୍ୟରେ ଦେଖା ଯାଉ ନାହିଁ ।
୧୯୭୭ ରେ ଜନତା ପାର୍ଟିରୁ ବିଧାୟକ ଭାବରେ ଜିତିଥିବା ଜନସଂଘ ନେତା ମାଷ୍ଟର
ମଶାଇ ହରିପଦ ଭାରତୀ ୧୯୮୦ ମସିହାରେ ବେଙ୍ଗଲ ବିଜେପିର ପ୍ରଥମ ସଭାପତି ହେଇଥିଲେ ।
୧୯୮୦ ରେ ଯାଦବପୁର ଲୋକସଭା ଆସନରୁ ପ୍ରତିଦ୍ବନ୍ଦିତା କରି ପରାସ୍ତ ହେଇଥିଲେ । ସିପିଏମର ସୋମନାଥ ଚାଟାର୍ଜୀ ତାଙ୍କୁ ପରାସ୍ତ କରିଥିଲେ । ୧୯୮୨ ମସିହାରେ ଜୋରବାଗାନ ବିଧାନସଭାରୁ ପ୍ରତିଦ୍ବନ୍ଦିତା କରି କଂଗ୍ରେସ ପ୍ରାର୍ଥୀ ଠାରୁ ହାରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୋମନାଥ ଚାଟାର୍ଜୀ ଜଣେ ପ୍ରବୀଣ ବାରିଷ୍ଟର ଥିଲେ ଓ ତାଙ୍କର ପିତା ନିର୍ମଳ ଚନ୍ଦ୍ର ଚାଟାର୍ଜୀ ପୁତ୍ର ସୋମନାଥ ଚାଟାର୍ଜୀଙ୍କ ଠାରୁ ଆହୁରି ବଡ଼ ଓକିଲ ଥିଲେ । ସେ କଲିକତା ହାଇକୋର୍ଟର ବିଚାରପତି, ସୁପ୍ରିମକୋର୍ଟ ବାର ଆସୋସିଏସନର ଉପ ସଭାପତି, କୋଷାଧ୍ୟକ୍ଷ ମଧ୍ୟ ଥିଲେ । ସେ ହିନ୍ଦୁ ମହାସଭାର ବେଙ୍ଗଲ ସଭାପତି ତଥା ଜାତୀୟ ଉପ ସଭାପତି ଥିଲେ । ପ୍ରଥମ ଲୋକସଭା ନିର୍ବାଚନ ରେ ହିନ୍ଦୁ ମହାସଭାରୁ ଲୋକସଭାକୁ ନିର୍ବାଚିତ ହେଇଥିଲେ । ପରବର୍ତ୍ତୀ ସମୟରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ସିପିଆଇ,ହିନ୍ଦୁ ମହାସଭା,ଜନସଂଘ ସମର୍ଥନରେ ଲୋକସଭାକୁ ଦୁଇଥର ନିର୍ବାଚିତ ହେଇଥିଲେ । ବାରିଷ୍ଟର ଚାଟାର୍ଜୀ ୧୯୪୮ରେ କମ୍ୟୁନିଷ୍ଟ ପାର୍ଟିକୁ ନେହେରୁ ସରକାର ନିଷିଦ୍ଧ ଘୋଷଣା କରିବା ପରେ କମ୍ୟୁନିଷ୍ଟ ପାର୍ଟିର ଆଇନ ପରାମର୍ଶ ଦାତା ଭାବରେ ନାଗରିକ ଅଧିକାର ପାଇଁ କୋର୍ଟରେ ଲଢ଼ିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୂଳରୁ ହିଁ ବେଙ୍ଗଲ ଶିକ୍ଷିତ ଭଦ୍ରଲୋକଙ୍କୁ ହିନ୍ଦୁ ସାମ୍ପ୍ରଦୟିକ ରାଜନୀତି ଦିଗରେ ଟାଣିବାରେ ଶ୍ୟାମାପ୍ରସାଦ ବୌଦ୍ଧିକ ଶକ୍ତିକୁ ପ୍ରୟୋଗ କରିବାରେ ବହୁ  ପରିମାଣରେ ସଫଳ ହେଇଥିଲେ । ସେ ହେଉଛନ୍ତି ବେଙ୍ଗଲର ପ୍ରସିଦ୍ଧ ରାଜନେତା ମାନଙ୍କ ମଧ୍ୟରେ ଜଣେ ଅଗ୍ରଣୀ ବ୍ୟକ୍ତି ଯିଏ ୧୯୦୫ ବଙ୍ଗଭଙ୍ଗ ଯୋଜନା ସପକ୍ଷରେ ହିନ୍ଦୁମାନଙ୍କ ମତ ସଂଗ୍ରହ କରିବାରେ ସମସ୍ତ କଳା କୌଶଳ ପ୍ରୟୋଗ କରିଥିଲେ । ଏହି ବିଷୟଟି ବେଙ୍ଗଲ ପାଇଁ ଅତ୍ୟନ୍ତ ଆବେଗିକ ପ୍ରଶ୍ନ ଥିଲା । ବିପ୍ଳବୀମାନେ ବନ୍ଦେ ମାତରଂ ଗାଇ ବନ୍ଧୁକ ଆଗରେ ଜୀବନ ଦେଉଥିଲେ । ସେତେବେଳେ ବେଙ୍ଗଲର କଂଗ୍ରେସ ବଡ଼ ବଡ଼ ନେତା ବ୍ରିଟିଶ ସରକାରଙ୍କ ଔପନିବେଶିକ ବିଭାଜନ ଯୋଜନାକୁ ବିରୋଧ କରୁଥିଲେ ।
୧୯୩୨ ରେ ବେଙ୍ଗଲ ରାଜନୀତିରେ ନାଟକୀୟ ପରିବର୍ତ୍ତନ ଘଟିଲା ଯେତେବେଳେ ବ୍ରିଟିଶ ରାଜ ଆଇନ ସଭାରେ ଆସନ ବଣ୍ଟନର ନୂଆ ସୂତ୍ର ଅର୍ଥାତ Communal Award ଘୋଷଣା କଲେ । ସେ ପର୍ଯ୍ୟନ୍ତ ବେଙ୍ଗଲ ମୁସଲିମ ବହୁଳ ପ୍ରଦେଶ ହେଇଥିବା ସତ୍ତ୍ୱେ ମୁସଲିମ ଆସନ ତୁଳନାରେ ହିନ୍ଦୁ ଆସନ ଅଧିକ ଥିଲା ।ଏହି ପୁରସ୍କାର ମାଧ୍ୟମରେ ଅସଂଗତି ଦୂର କରି ମୁସଲିମଙ୍କ ପାଇଁ ଅଧିକ ଆସନ ବ୍ୟବସ୍ଥା ହେଲା । ଏହି ପୁରସ୍କାର ଘୋଷଣା ଭିତରେ ଦଳିତମାନଙ୍କୁ ସଂଖ୍ୟାଲଘୁ ଘୋଷଣା କରି ସେମାନଙ୍କ ପାଇଁ ଆସନ
ସଂରକ୍ଷିତ କରାଗଲା । ମହାତ୍ମା ଗାନ୍ଧୀ ପୁନେରେ ଆମ୍ବେଦକରଙ୍କ ସହିତ ଆଲୋଚନା କରି ହିନ୍ଦୁ ମାନଙ୍କ ମଧ୍ୟରୁ କିଛି ଆସନ ଦଳିତମାନଙ୍କ ପାଇଁ ସଂରକ୍ଷିତ
କରାଗଲା । ଏହା ହିନ୍ଦୁ ସମ୍ଭ୍ରାନ୍ତ ଭଦ୍ରଲୋକଙ୍କ ରାଜନୀତିକୁ ପ୍ରଭାବିତ କଲା ଓ ହିନ୍ଦୁ ସାମ୍ପ୍ରଦାୟିକତା ପାଇଁ ବେଙ୍ଗଲ ରେ ଉର୍ବର କ୍ଷେତ୍ର ପ୍ରସ୍ତୁତ କଲା । ଏହି ପରିସ୍ଥିତିରୁ ଫାଇଦା ନେବା ପାଇଁ ଶ୍ୟାମା ପ୍ରସାଦ ସାବରକରଙ୍କ ସହ ହାତ ମିଳେଇଲେ । ଏହି ସମୟରୁ କ୍ଷମତା ପରିସର ନେଇ ଯେଉଁ ଦ୍ବନ୍ଦ୍ୱ ଥିଲା ତାହା ସମାଧାନ ହେଇ ହିନ୍ଦୁ ମହାସଭା ଓ ରାଷ୍ଟ୍ରୀୟ ସ୍ୱୟଂ ସଙ୍ଘ ମଧ୍ୟରେ ଆତ୍ମିକ ଗଠ ବନ୍ଧନ ହେଇଗଲା । ଏହା ଥିଲା ୧୯୩୯ର ଘଟଣା । ସେ ସାମ୍ପ୍ରଦାୟିକ ପ୍ରଚାର ଅଭିଯାନ ଆରମ୍ଭ କଲେ ଓ କଂଗ୍ରେସର ଏହା ମୁସଲିମ ତୁଷ୍ଟିକରଣ ନୀତି ଭାବରେ ତୀବ୍ର ସମାଲୋଚନା କଲେ ।
ଏହା ସତ୍ତ୍ୱେ ହିନ୍ଦୁ ମହାସଭା ବେଙ୍ଗଲକୁ ବିଶେଷ ପ୍ରଭାବିତ କରି ନଥିଲା । କାରଣ ସେତେବେଳେ ସୁଭାଷ ବୋଷ , ଚିତ୍ତରଞ୍ଜନ ଦାସ ପ୍ରମୁଖଙ୍କ ପ୍ରଭାବ ବେଙ୍ଗଲ ରାଜନୀତିରେ ପ୍ରଖର ଥିଲା । କେବଳ ବେଙ୍ଗଲର ଜମିଦାର ଗୋଷ୍ଠୀ ଓ କଲିକତାର ମାରୱାଡି ଶିଳ୍ପପତିଙ୍କ ବ୍ୟାପକ ସମର୍ଥନ ପାଇଥିଲେ । ତେଣୁ ଜନସଂଘ କୁ ଉତ୍ତର ଭାରତର ବଣିଆ,ଉଚ୍ଚ ବର୍ଣ୍ଣ ହିନ୍ଦୁ ଦଳ ଭାବରେ ବେଙ୍ଗଲର ମଧ୍ୟବିତ୍ତ ଶ୍ରେଣୀ ବିଚାର କରୁଥିଲେ ।  ସେତେବେଳେ ଏହି ଗୋଷ୍ଠୀର ଯେଉଁ ହିନ୍ଦୁମାନେ କଂଗ୍ରେସର ସମର୍ଥକ ଥିଲେ ସେମାନଙ୍କୁ ହିନ୍ଦୁ ଖତରାରେ ବୁଝେଇ ନିଜ ଆଡକୁ ଟାଣିଲେ । ଭାରତ ବିଭାଜନ ପରିକଳ୍ପନାକୁ ସମର୍ଥନ ତାଙ୍କର ଏହି ପ୍ରଚାର ଯୋଜନାର ଏକ ଅଂଶ ବିଶେଷ । ଏପରି କି କଲିକତାରେ ୧୯୪୪ ରେ ଏକ ରାଲିରେ ଚିତ୍କାର କରି ଭାଷଣ ଦେଇଥିଲେ ବେଙ୍ଗଲକୁ ଦୁଇଭାଗ କରାଯାଉ । ସେ ମାଉଣ୍ଟବାଟେନଙ୍କ ନିକଟକୁ ଗୋଟିଏ ଗୁପ୍ତ ଚିଠି ଲେଖି କହିଥିଲେ ଭାରତ ଅବିଭକ୍ତ ରହିଲେ ମଧ୍ୟ ବେଙ୍ଗଲକୁ ଦୁଇଭାଗ କରା ଯାଉ – ହିନ୍ଦୁ ବେଙ୍ଗଲ ଓ ମୁସଲିମ ବେଙ୍ଗଲ ।
ଏପରି କି ବେଙ୍ଗଲ କଂଗ୍ରେସର ଦୁଇ ପ୍ରବୀଣ ସଦସ୍ୟ ଶରତଚନ୍ଦ୍ର ବୋଷ ଓ କିରଣ ଶଙ୍କର ରାୟ ଙ୍କ ପ୍ରଧାନମନ୍ତ୍ରୀ ହୁସେନ ସୁହାୱର୍ଦିଙ୍କ ଅବିଭକ୍ତ ବେଙ୍ଗଲ ପ୍ରସ୍ତାବକୁ ଦୃଢ଼ ସମର୍ଥନ କରିବା ସତ୍ତ୍ୱେ ଶ୍ୟାମାପ୍ରସାଦ ଅବିଭକ୍ତ ବେଙ୍ଗଲ ପ୍ରସ୍ତାବକୁ ତୀବ୍ର ବିରୋଧ କରିଥିଲେ । ସେ ଦ୍ଵିଜାତୀୟ ତତ୍ୱ ଭିତ୍ତିରେ ସାମ୍ପ୍ରଦାୟିକ ବିଭାଜନକୁ ଖୋଲା ଖୋଲି ସମର୍ଥନ କରିଥିଲେ ।
କିନ୍ତୁ ଯେତେବେଳେ ଦେଶ ବିଭାଜନ ଯୋଗୁଁ ବେଙ୍ଗଲର କରୁଣ ଚିତ୍ର ଦେଖିଲେ ୧୯୫୧ ବେଳକୁ ଏହି ବେଙ୍ଗଲ ବିଭାଜନ ରଦ୍ଦ କରିବା ପାଇଁ ଦାବୀ କଲେ । ଶ୍ୟାମାପ୍ରସାଦଙ୍କ ଚୈତନ୍ୟ ଉଦୟ ବେଳକୁ ନେଡି ଗୁଡ଼ କହୁଣୀକୁ ବୋହି ଗଲାଣି । ସେତେବେଳେ ପୂର୍ଵ ବଙ୍ଗଳା ପାକିସ୍ତାନର ଅଂଶ ବିଶେଷ ହେଇ ଗଲାଣି ।
ଶ୍ୟାମାପ୍ରସାଦଙ୍କ ଏହି ୟୁ ଟର୍ଣ୍ଣ ସତ୍ତ୍ୱେ ଜନସଂଘ ୧୯୫୨ ମସିହା ପ୍ରଥମ ସାଧାରଣ ନିର୍ବାଚନରେ ୪% ରୁ କମ ଆସନ ବେଙ୍ଗଲ ବିଧାନସଭାରେ ପାଇଥିଲା । ଭାରତ ବିଭାଜନର ଅଧିକ ଦୁର୍ଦ୍ଦଶା ଭୋଗି ଥିଲେ ପୂର୍ବବଙ୍ଗ ରୁ ପଳାୟନ କରିଥିବା ହିନ୍ଦୁ । ଏହା ବାମପନ୍ଥୀ ଦଳ ଓ ପରବର୍ତ୍ତୀ ସମୟରେ
ସିପିଆଇଏମର ମୂଳ ଆଧାର ହେଇଥିଲା ଓ ଶ୍ୟାମାପ୍ରସାଦଙ୍କ ହିନ୍ଦୁତ୍ୱ ନୀତି ଅପସରି ଯିବାକୁ ଲାଗିଲା । ନିର୍ବାଚନ ରାଜନୀତି ରେ ସିନା ହିନ୍ଦୁ ମହାସଭା, ଜନସଂଘ ପ୍ରଭାବ ବେଙ୍ଗଲ ରାଜନୀତିରେ ବିଶେଷ ନଥିଲା, କିନ୍ତୁ ବେଙ୍ଗଲର ଉଚ୍ଚବର୍ଣ୍ଣ ହିନ୍ଦୁମାନଙ୍କ ମନରୁ ସମ୍ପୂର୍ଣ୍ଣ ବିଲୋପ ହେଇ ନଥିଲା ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଗ୍ରାମୀଣ ବେଙ୍ଗଲରେ ନିଜର ହିନ୍ଦୁତ୍ୱ କାର୍ଯ୍ୟକ୍ରମ ବନ୍ଦ କରି ନଥିଲା ।
ଶ୍ୟାମାପ୍ରସାଦ ଶିକ୍ଷା ଓ ସଂଗଠନ ଗଢିବା କ୍ଷେତ୍ରରେ ଧୁରିଣ ଓ ଆଶୁତୋଷ ମୁଖାର୍ଜୀଙ୍କ ଭଳି ବିଦ୍ୱାନ ପିତାଙ୍କ ସନ୍ତାନ ହେବା ସତ୍ତ୍ୱେ ଜଣେ କଟ୍ଟର ଦକ୍ଷିଣପନ୍ଥୀ ଧର୍ମୀୟ ରକ୍ଷଣଶୀଳ ନେତା ଥିଲେ ।
୧୯୪୩-୪୪ର ମହା ଦୁର୍ଭିକ୍ଷ ବେଳେ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ନେତୃତ୍ୱରେ ପରିଚାଳିତ ହିନ୍ଦୁ ମହାସଭାର ଆଚରଣ ଅଭୂତ ପ୍ରକାର ଥିଲା । ସରକାରୀ କ୍ୟାଣ୍ଟିନରେ ରୋଷେଇ କରୁଥିବା ମୁସଲିମ ଓ ନିମ୍ନ ଜାତିର ରୋଷେୟାଙ୍କ ଖାଦ୍ୟ ଖାଇବା ଯୋଗୁଁ ହିନ୍ଦୁମାନଙ୍କ ପାଇଁ ଧର୍ମ ହରେଇବା ଆତଙ୍କ ସୃଷ୍ଟି ହେଲା ।ଏଭଳି ନିମ୍ନ ବିଚାର ଯୋଗୁଁ ପ୍ରାୟ ୩୦ଲକ୍ଷ ବେଙ୍ଗଲି କ୍ଷୁଧାରେ ମୃତ୍ୟୁ ବରଣ କରିଥିଲେ । ଏହି ଦୁର୍ଭିକ୍ଷ ପରିସ୍ଥିତି ବେଳେ ସାମ୍ପ୍ରଦାୟିକ ପକ୍ଷପାତିତା ଓ ସରକାରୀ ରିଲିଫ କାର୍ଯ୍ୟକ୍ରମରେ ହିନ୍ଦୁ ମହାସଭାର ଦୁର୍ନୀତି ସମ୍ପର୍କରେ  The Hindu ର  ଖବର ସଂଗ୍ରାହକ ପ୍ରସିଦ୍ଧ ସାମ୍ବାଦିକ ଟି ଜି ନାରାୟଣ ଓ ବିଶିଷ୍ଟ ଚିତ୍ର ଶିଳ୍ପୀ ଚିତ୍ତୋପ୍ରସାଦ ଉଲ୍ଲେଖ କରିଥିଲେ ।
Bengal Divided : Hindu  Communalism and Partition 1932-47 ପୁସ୍ତକରେ ଐତିହାସିକା ଜୟା ଚାଟାର୍ଜୀ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଏକ ଚିଠା ଉଲ୍ଲେଖ କରିଛନ୍ତି ।
” He( Mukharjee felt a sense of superiority as an upper caste hindu fed by the belief that Bengal Muslims were by and large a set of converts from the dregs of hindu society ” .
ଅର୍ଥାତ ବେଙ୍ଗଲର ମୁସଲମାନ ହେଉଛନ୍ତି ହିନ୍ଦୁ ସମାଜର ନିମ୍ନ ସ୍ତରରୁ ଆସିଥିବା ଦଳେ ଧର୍ମାନ୍ତରିତ ବ୍ୟକ୍ତି -ଏଭଳି ଉଚ୍ଚ ବର୍ଣ୍ଣ ହିନ୍ଦୁ ମାନସିକତା ପୋଷଣ କରୁଥିଲେ ।
ସ୍ଵାଧୀନତା ପରେ ଶ୍ୟାମା ପ୍ରକାଶ ମୁଖାର୍ଜୀ ହିନ୍ଦୁ ଆଇନର ଆଧୁନିକୀକରଣ କ୍ଷେତ୍ରରେ ନେହେରୁ ଓ ଆମ୍ବେଦକରଙ୍କ ପ୍ରଚେଷ୍ଟାକୁ ସବୁ ଦିଗରୁ ବିଫଳ କରିବାକୁ ପ୍ରୟାସ କରିଥିଲେ । ସେ ହିନ୍ଦୁ ଆଇନର ଏକ ବିବାହ ପ୍ରଥା ଓ ବିଧବା ବିବାହ ଭଳି ନାରୀ-ପନ୍ଥୀ ପଦକ୍ଷେପଗୁଡିକୁ ତୀବ୍ର ସମାଲୋଚନା କରିଥିଲେ । ତାଙ୍କର ଯୁକ୍ତି ଥିଲା ଏହା ଦ୍ଵାରା ହିନ୍ଦୁ ବିବାହର ମୌଳିକ ଓ ପବିତ୍ର ପ୍ରକୃତିକୁ ବିଲୁପ୍ତ କରିବ । ହିନ୍ଦୁମାନଙ୍କ ଧର୍ମର ମୂଳ ଉତ୍ସକୁ ହତ୍ୟା କରିବ ।
ସୁତରାଂ,ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ବେଙ୍ଗଲରୁ ରାଜ୍ୟସଭାକୁ ନିର୍ବାଚିତ ହେଇଥିବା ଜନସଂଘର ପରବର୍ତ୍ତୀ ଜାତୀୟ ସଭାପତି ଆଚାର୍ଯ୍ୟ ଦେବପ୍ରସାଦ ଘୋଷ ଏବଂ ବେଙ୍ଗଲ ଜନସଂଘର ତୃତୀୟ ସ୍ତମ୍ଭ ହରିପଦ ଭାରତୀ ବେଙ୍ଗଲ ହିନ୍ଦୁ ଉଚ୍ଚବର୍ଗ ଭିତରେ ସାମ୍ପ୍ରଦାୟିକତାର ବିଷ ମଞ୍ଜି ବୁଣିବା କ୍ଷେତ୍ରରେ କେବେ ପଛଘୁଞ୍ଚା ଦେଇ ନାହାନ୍ତି ।
ସେମାନଙ୍କ ସମୟରେ ନିର୍ବାଚନ ରେ ସଫଳତା କେତେ ମିଳିଥିଲା ତାହା ବଡ଼ କଥା ନୁହେଁ, ବେଙ୍ଗଲ ଭଳି ପ୍ରଥମେ ଆଧୁନିକ ଶିକ୍ଷାର ସୁଯୋଗ ପାଇଥିବା ଉଚ୍ଚବର୍ଣ୍ଣ ଭଦ୍ରଲୋକ ସେମାନଙ୍କୁ  ଉଚ୍ଚ ଆସନ ଦେଇଥିଲେ । ଏହା ଭିତରେ ଲୁଚି ରହିଥିଲା ମୁସଲିମ ଓ ହିନ୍ଦୁ ନିମ୍ନ ଜାତି ବିରୋଧୀ ତୀବ୍ର ଘୃଣା ।
ଆମେ ଜାଣୁ ବ୍ରିଟିଶ ଶାସନ କାଳରେ ଭାରତୀୟ ସମାଜ  ସମ୍ଭ୍ରାନ୍ତ- ଶିକ୍ଷିତ ଉଚ୍ଚବର୍ଣ୍ଣ ଦ୍ୱାରା ଅନେକାଂଶରେ ପ୍ରଭାବିତ ହେଇଥିଲା । ଯେଉଁମାନେ ସ୍ୱାଧୀନତା ସଂଗ୍ରାମ ବେଳେ ଭାରତୀୟ ଜାତୀୟ କଂଗ୍ରେସର ନେତୃତ୍ୱ ନେଉଥିଲେ ସେମାନେ ଅଧିକାଂଶ ହିନ୍ଦୁ ଉଚ୍ଚବର୍ଣରୁ ଆସିଥିଲେ । ହିନ୍ଦୁ ମହାସଭା/ଜନସଂଘର ବେଙ୍ଗଲ ସମାଜରେ ପ୍ରଭାବ ଯୋଗୁଁ ଉଚ୍ଚ ବର୍ଣ୍ଣ ହିନ୍ଦୁ ସମ୍ପୂର୍ଣ୍ଣ ଭାବରେ ସାମ୍ପ୍ରଦାୟିକ ଓ ଜାତିଆଣ ଭାବନାରୁ ମୁକ୍ତ ହେଇ ନଥିଲା । ଏପରି କି ବେଙ୍ଗଲରେ ଯେତେବେଳେ ନବଜାଗରଣ ଆନ୍ଦୋଳନ ସୂତ୍ରପାତ ହେଇଥିଲା ସେତେବେଳେ ମଧ୍ୟ ବିଦ୍ୟାସଗାର ,ରାଜା ରାମମୋହନ ରାୟ ପ୍ରଭୃତିଙ୍କ ସାମାଜିକ ସଂସ୍କାର ପଦକ୍ଷେପ ହିନ୍ଦୁ ସମାଜ-ରକ୍ଷକମାନଙ୍କ ଆକ୍ରମଣର ଶିକାର ହେଇଥିଲା ।
ତେଣୁ କେବଳ ମମତା ବାନାର୍ଜୀ  ବେଙ୍ଗଲକୁ ସାମ୍ପ୍ରଦାୟିକ ରାଜନୀତିର ବାଟ କଢେଇ ଆଣିଥିଲେ ଓ ବେଙ୍ଗଲର ଶିକ୍ଷିତ ଭଦ୍ରଲୋକ ପୁରାପୁରି ଧର୍ମ ନିରପେକ୍ଷ ରାଜନୀତିର
ପୃଷ୍ଠପୋଷାକ ଥିଲେ କହିବା ଏକ ତାନାସାହି ରାଷ୍ଟ୍ରଯନ୍ତ୍ରକୁ ଶକ୍ତି ପ୍ରଦାନ କରିବା ବ୍ୟତୀତ ଅନ୍ୟ କିଛି ନୁହେଁ । ସମସ୍ତ ଦୋଷ ଜଣେ ମହିଳା ମୁଣ୍ଡରେ ଲଦି ବେଙ୍ଗଲର ଋଢ଼ି ସବୁଦୋଷ ନନ୍ଦିଘୋଷକୁ ସତ୍ୟ ପ୍ରମାଣିତ କରା ନଯାଉ ।
ବର୍ତ୍ତମାନ ସମୟ ଆସିଛି Death Of Democracy ର କାରଣ, ନିରାକରଣ ଖୋଜିବା, ଏବଂ ଯାହାର ସମ୍ଭାବନା ନିକଟ ଭବିଷ୍ୟତରେ ଦେଖିବା ସମ୍ଭାବନା ଅତି କ୍ଷୀଣ ।

Leave a Reply

Your email address will not be published. Required fields are marked *