Not Ideal Its Idea ମୂର୍ତ୍ତି ନ ଥିଲା, ବିଚାର ଥିଲା
କୋଲକାତା :(ବିଜୟ ସାହୁ )-ମୁଁ ପୂର୍ବରୁ ବିଭିନ୍ନ ଲୋକଙ୍କ ସହ ଆଲୋଚନା କରିଥିଲି ବେଙ୍ଗଲ ରେ ଯଦି ବିଜେପି ଜିତେ ତାହେଲେ ମୂର୍ତ୍ତି ଭଙ୍ଗା ନିଶ୍ଚୟ ଆରମ୍ଭ ହେବ । କାରଣ ରାଷ୍ଟ୍ରୀୟ ସ୍ୱୟଂ ସଂଘ ଓ ବିଜେପି ଦ୍ୱାରା ନିଯୁକ୍ତ ଝଞ୍ଜା ବାହିନୀଙ୍କ ପ୍ରଥମ ନଜର ପଡ଼ିବ ଏହି ମୂର୍ତ୍ତି ଗୁଡ଼ିକ ଉପରେ ଯାହା ଦିନେ ବେଙ୍ଗଲ ରାଜନୀତିରେ ପ୍ରତ୍ୟେକ ଆଦର୍ଶର ପ୍ରତୀକ ମାନଙ୍କୁ ପରିଚିତ କରିବାକୁ ଚାହିଁଥିଲା ।
1967 -1969 ବଙ୍ଗଳା କଂଗ୍ରେସର ନେତା ଓ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଅଜୟ ମୁଖାର୍ଜୀ ଯୁକ୍ତଫ୍ରଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ହେଇଥିଲେ ।
ସ୍ୱାଧୀନତା ପରେ ବଙ୍ଗଳାର ପ୍ରଥମ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନଚନ୍ଦ୍ର ରାୟଙ୍କ ମୃତ୍ୟୁ ପରେ
ତାଙ୍କ କ୍ୟାବିନେଟରେ ଖାଦ୍ୟ ମନ୍ତ୍ରୀ ଥିବା ପ୍ରଫୁଲ୍ଲଚନ୍ଦ୍ର ସେନ ମୁଖ୍ୟମନ୍ତ୍ରୀ ହେଇଥିଲେ । ସେ ମଧ୍ୟ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଗାନ୍ଧିବାଦୀ ନେତା ଥିଲେ । ସ୍ୱାଧୀନତା ପୂର୍ବରୁ ବେଙ୍ଗଲର ପ୍ରଥମ ପ୍ରଧାନମନ୍ତ୍ରୀ
(Inaugural Premier after Independence) ଭାବେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପ୍ରଫୁଲ୍ଲଚନ୍ଦ୍ର ଘୋଷ ଅଳ୍ପ ଦିନ ପାଇଁ ଦାୟିତ୍ୱ ପାଳନ କରିଥିଲେ । ସେ ପ୍ରଥମେ ଅରବିନ୍ଦ ଘୋଷଙ୍କ ଅନୁଶୀଳନ ଗୋଷ୍ଠୀରେ ସାମିଲ ହେଇ ବ୍ରିଟିଶ ବିରୁଦ୍ଧରେ ସଂଗ୍ରାମ କରିଥିଲେ ।ତାପରେ ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ସାମିଲ ହେଇ ପ୍ରଜା ସୋସାଲିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ ।
ସ୍ୱାଧୀନତା ପୂର୍ବରୁ ସେ ଅନେକ ଥର ଗିରଫ ହେଇଥିଲେ ।
ଡାକ୍ତର ବିଧାନଚନ୍ଦ୍ର ରାୟ 1948 ରୁ 1961ମୃତ୍ୟୁ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହେଇଥିଲେ । ତାଙ୍କର ମୃତ୍ୟୁ ପରେ ଡାକ୍ତର ରାୟଙ୍କ କ୍ୟାବିନେଟ ଓ ଖାଦ୍ୟ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହେଇଥିଲେ ।
ଦେଶ ବିଭାଜନ ପରେ ପୂର୍ଵ ବଙ୍ଗରୁ ଲକ୍ଷ ଲକ୍ଷ ହିନ୍ଦୁ ଶରଣାର୍ଥୀ ବେଙ୍ଗଲ ଆସିବା ଯୋଗୁଁ ପ୍ରଥମରୁ ହିଁ ଖାଦ୍ୟ ସଂକଟ ସୃଷ୍ଟି ହେଇଥିଲା ଓ କ୍ରମଶଃ ଉତ୍କଟ ରୂପ ନେଇଥିଲା ।ଏହା ବିରୁଦ୍ଧରେ ବାମପନ୍ଥୀ, ସୋସାଲିଷ୍ଟ ପାର୍ଟିମାନେ ବିଭିନ୍ନ ପର୍ଯ୍ୟାୟରେ ଖାଦ୍ୟ ଆନ୍ଦୋଳନରେ ଆରମ୍ଭ କରିଥିଲେ । ସାଧାରଣ ଜନତା, ଛାତ୍ର ଯୁବକ ଏଥିରେ ସାମିଲ ହେଇଥିଲେ । 1966 ମସିହା ଖାଦ୍ୟ ଆନ୍ଦୋଳନ ପ୍ରଫୁଲ୍ଲଚନ୍ଦ୍ର ସେନଙ୍କ ମନ୍ତ୍ରୀମଣ୍ଡଳ କ୍ଷମତାଚ୍ୟୁତ ହେବା ପଛରେ ମୁଖ୍ୟ କାରଣ ହେଇଥିଲା ।
1967 ମସିହା ନିର୍ବାଚନରେ ପ୍ରଫୁଲ୍ଲଚନ୍ଦ୍ର ସେନ ନିର୍ବାଚନରେ ହାରି ଯାଇଥିଲେ । ବେଙ୍ଗଲ କଂଗ୍ରେସରେ ବିଭାଜନ ଘଟି ଥିଲା । କିଛି ମାସ ପ୍ରଥମେ ପ୍ରଫୁଲ୍ଲ ଘୋଷ କଂଗ୍ରେସର ଗୋଟିଏ ଗୋଷ୍ଠୀ ଓ ବଙ୍ଗଳା କଂଗ୍ରେସ , ବାମପନ୍ଥୀଙ୍କ ସମର୍ଥନରେ ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ହେଇଥିଲେ ଓ ପରେ ସ୍ୱାଧୀନତା ସଂଗ୍ରାମୀ ଅଜୟ ମୁଖାର୍ଜୀ ଯୁକ୍ତଫ୍ରଣ୍ଟର ମୁଖ୍ୟମନ୍ତ୍ରୀ ହେଇଥିଲେ । ଅଜୟ ମୁଖାର୍ଜୀଙ୍କ ନେତୃତ୍ୱରେ ବଙ୍ଗଳା କଂଗ୍ରେସ ଗଠନ ହେଇଥିଲା । ଏହା ଦ୍ଵିତୀୟ ମିଳିତ ମନ୍ତ୍ରୀ ମଣ୍ଡଳ ଓ ପ୍ରଥମ ଯୁକ୍ତଫ୍ରଣ୍ଟ ସରକାର ଥିଲା । ପ୍ରଜା ସୋସାଲିଷ୍ଟ ପାର୍ଟି ନେତା ପ୍ରଫୁଲ୍ଲଚନ୍ଦ୍ର ଘୋଷ କଂଗ୍ରେସର ଗୋଟିଏ ଗୋଷ୍ଠୀ,ବଙ୍ଗଳା କଂଗ୍ରେସ ଓ ବାମପନ୍ଥୀଙ୍କ ସହ Progressive Democratic Alliance ( PDA ) କରି ଅଳ୍ପ ଦିନ ପାଇଁ ଯେଉଁ ମନ୍ତ୍ରିମଣ୍ଡଳ ଦାୟିତ୍ୱ ନେଇଥିଲେ ତାହା ପ୍ରଥମ ମିଳିତ ସରକାର ଥିଲା ।
ଅଜୟ ମୁଖାର୍ଜୀଙ୍କ ନେତୃତ୍ୱରେ ଦୁଇ ଥର ଯୁକ୍ତଫ୍ରଣ୍ଟ ସରକାର ଗଠନ ହେଇଥିଲା ।
ପ୍ରଥମ ଯୁକ୍ତଫ୍ରଣ୍ଟ ସରକାର 1967-1969 ଓ ଦ୍ୱିତୀୟ ଯୁକ୍ତଫ୍ରଣ୍ଟ ସରକାର 1969-1970 ରେ ଗଠନ ହେଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ 1967 ନିର୍ବାଚନ ପୂର୍ବରୁ ବିରୋଧୀ ଦଳମାନେ ଦୁଇଟି ମେଣ୍ଟ ଗଠନ କରି ନିର୍ବାଚନ ଲଢ଼ିଥିଲେ । ଗୋଟିଏ ହେଲା United Left Front ଓ ଦ୍ଵିତୀୟ ଟି ହେଲା Peoples’ United Left Front .
ନିର୍ବାଚନ ପରେ ଦୁଇ ଫ୍ରଣ୍ଟ ମିଳିତ ହେଇ ଯୁକ୍ତଫ୍ରଣ୍ଟ ଗଠନ କରିଥିଲେ । ଏହି ନିର୍ବାଚନରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରଫୁଲ୍ଲ ସେନ ବଙ୍ଗଳା କଂଗ୍ରେସ ନେତା ଅଜୟ ମୁଖାର୍ଜୀଙ୍କ ଦ୍ୱାରା ପରାସ୍ତ ହେଇଥିଲେ ।
ଯୁକ୍ତଫ୍ରଣ୍ଟ ସମୟରେ ସିପିଆଇଏମ ନେତା କମ୍ରେଡ଼ ଜ୍ୟୋତି ବସୁ ଉପ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ ଏବଂ ସାଧାରଣ ପ୍ରଶାସନ ମନ୍ତ୍ରୀ ହେଇଥିଲେ । ମୁଁ ଯେହେତୁ ବେଙ୍ଗଲର ମୂର୍ତ୍ତି ଉପରେ ଲେଖାଟି କେନ୍ଦ୍ରିତ କରୁଛି ତେଣୁ ପ୍ରାୟ 12-14 ଦଳର ମନ୍ତ୍ରୀମାନଙ୍କ ବିଭାଗ ବିଷୟରେ ଲେଖିବି ନାହିଁ । ମନ୍ତ୍ରୀ ମଣ୍ଡଳରେ ଏସୟୁସିଆଇରୁ କମ୍ରେଡ଼ ସୁବୋଧ ବାନାର୍ଜୀ ଓ କମ୍ରେଡ଼ ପ୍ରତିଭା ମୁଖାର୍ଜୀ ସଦସ୍ୟ ଥିଲେ । ପ୍ରଥମେ ସୁବୋଧ ବାନାର୍ଜୀ ଶ୍ରମ ମନ୍ତ୍ରୀ ଓ ପରେ ପବ୍ଲିକ ୱାର୍କସ ମନ୍ତ୍ରୀ ଏବଂ ପ୍ରତିଭା ମୁଖାର୍ଜୀ ସଡକ ବିଭାଗ ଉପ ମନ୍ତ୍ରୀ ଓ ପରେ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ହେଇଥିଲେ । ମନ୍ତ୍ରୀ ମଣ୍ଡଳରେ ଯୋଗ ନଦେଇ ବାହାରୁ ସମର୍ଥନ କରିବା ପାଇଁ
ଏସୟୁସିଆଇ ମତ ରଖିଥିଲା । କିନ୍ତୁ ଅଜୟ ମୁଖାର୍ଜୀ ଓ ଜ୍ୟୋତି ବାବୁଙ୍କ ଅନୁରୋଧ କ୍ରମେ ମନ୍ତ୍ରୀମଣ୍ଡଳରେ ସ୍ଥିରତା ପାଇଁ ମନ୍ତ୍ରୀ ମଣ୍ଡଳରେ ସାମିଲ ହେଇଥିଲେ । କିଛି ସର୍ତ୍ତ ଓ ସର୍ବନିମ୍ନ କର୍ମସୂଚୀ ଭିତ୍ତିରେ ସୁବୋଧ ବାନାର୍ଜୀ ଓ ପ୍ରତିଭା ମୁଖାର୍ଜୀ ମନ୍ତ୍ରୀମଣ୍ଡଳରେ ଯୋଗଦେଲେ ।
ମୁଁ ପବ୍ଲିକ ୱାର୍କସ ବିଭାଗ କଥା ଉଲ୍ଲେଖ କରିବି ।
ପ୍ରଥମ କ୍ୟାବିନେଟରେ କମ୍ରେଡ଼ ସୁବୋଧ ବାନାର୍ଜୀଙ୍କ କ୍ୟାବିନେଟ ଚିଠା ଥିଲା କଲିକତା ସହରରେ ଚାରିଆଡ଼େ ସ୍ଥାନ ମାଡି ବସିଥିବା ବ୍ରିଟିଶ ଅମଳର ବିଶାଳ ବିଶାଳ ବ୍ରୋଞ୍ଜ ମୂର୍ତ୍ତିମାନଙ୍କ ବ୍ୟବସ୍ଥା । ଏମାନଙ୍କ ମଧ୍ୟରେ ଥିଲେ ବଡ଼ ଲାଟ,ଜେନେରାଲ, ବ୍ରିଟିଶ ରାଣୀ, ମହାରାଣୀ ପ୍ରମୁଖ । ସେମାନେ କଲିକତା ମଇଦାନ ଓ ଷ୍ଟ୍ରିଟ ଗୁଡିକ ମାଡି ବସିଥିଲେ । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଏଥିରେ ସହମତ ହେଲେ ।କିନ୍ତୁ ପ୍ରଶ୍ନ ଥିଲା ମୂର୍ତ୍ତିଗୁଡିକୁ କେଉଁଠି ରଖାଯିବ । କିଛି ମତ ଦେଲେ ମୂର୍ତ୍ତି ଗୁଡିକୁ ତରଳେଇ ଦିଆଯାଉ । କିନ୍ତୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟ ମନ୍ତ୍ରୀ, ସୁବୋଧ ବାନାର୍ଜୀ ପ୍ରମୁଖଙ୍କ ମତ ହେଲା କୌଣସି ମୂର୍ତ୍ତିକୁ ଭଙ୍ଗା ନଯାଇ କେବଳ ସ୍ଥାନାନ୍ତରିତ କରାଯିବ ।କାରଣ ଏହି ମୂର୍ତ୍ତି ପଛରେ ରହିଛି ଭାରତ ବର୍ଷର ଅନେକ ଇତିହାସ । ଭବିଷ୍ୟତ ବଂଶଧର ସେମାନଙ୍କ କାହାଣୀ ଜାଣିବେ । ଶିଳ୍ପୀ/ ଐତିହାସିକ/ ଗବେଷକ/ ସାହିତ୍ୟିକ ମଧ୍ୟ ସେଥିରୁ ଉପକୃତ ହେବେ ।
ଶେଷରେ ନିଷ୍ପତ୍ତି ହେଲା ମଇଦାନକୁ ମାଡି ବସିଥିବା 37ଟି ପ୍ରମୁଖ ମୂର୍ତ୍ତିକୁ ସ୍ଥାନାନ୍ତର କରାଯିବ । ସବୁବେଳେ ଠିକାଦାର ଏସବୁ କାମ ପାଇଁ ଅନେଇ ବସିଥାନ୍ତି । କିନ୍ତୁ ବିଭାଗୀୟ ମନ୍ତ୍ରୀ ଭାବରେ ସୁବୋଧ ବାନାର୍ଜୀ ପ୍ରସ୍ତାବ ଦେଲେ ବିଭାଗ ଏହି କାର୍ଯ୍ୟ କରିବ । ସେଇ ପ୍ରସ୍ତାବ ଗୃହୀତ ହେଲା ଓ ମଇଦାନ ଅଞ୍ଚଳରୁ 37ଟି ମୂର୍ତ୍ତି ସ୍ଥାନାନ୍ତରିତ ହେଲା । ଆଜି ଯେଉଁ ସହୀଦ ମୀନର ମଇଦାନ ରହିଛି, ବ୍ରିଟିଶ କାଳରେ ତାହା ପ୍ରଥମେ Ochterterlony Monument ଭାବରେ 1825-1828 ମଧ୍ୟରେ ଭାରତ ବାସୀଙ୍କ ଟିକସରେ ନିର୍ମାଣ ହେଇଥିଲା । Major-General Sir David
Ochterterlony ଙ୍କ ସ୍ମୃତିରେ ଏହା ନିର୍ମାଣ ହେଇଥିଲା । ମହାଶୟ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ସିନିୟର କମାଣ୍ଡର ଥିଲେ । ସେ 1804 ମସିହାରେ ମରାଠା ଆକ୍ରମଣ ବିରୁଦ୍ଧରେ ଦିଲ୍ଲୀକୁ ସୁରକ୍ଷା ନେତୃତ୍ୱ ନେଇଥିଲେ,1814-1816 ଆଙ୍ଗଲୋ -ନେପାଲିଜ ୱାର ବା ଗୁର୍ଖା ଯୁଦ୍ଧରେ ସାମରିକ ସଫଳତା ଅର୍ଜନ କରିଥିଲେ ।
ଯେଉଁ ବର୍ଷ ମହାଶୟଙ୍କୁ God ସେପାରି ନେଇଗଲେ ସେଇ ବର୍ଷ ତାଙ୍କର ମହାନ ସ୍ମୃତି ଉଦେଶ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଇ 3 ବର୍ଷ ଭିତରେ 1828ରେ ଶେଷ ହେଇଥିଲା । ଏହାର Design Architect ଥିଲେ JP Parker .
ଏହାକୁ ନିର୍ମାଣ କରିଥିଲେ Burn & Company .
165 ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନୁମେଣ୍ଟ Indo-Ishalamic -European ଶୈଳୀରେ ନିର୍ମାଣ ହେଇଥିଲା।
ତଳ ଭାଗ ଇଜିପ୍ଟିୟ ,ମଧ୍ୟଭାଗ ସିରିୟାନ ଓ ଉପର ଗମ୍ବୁଜ ତୁର୍କୀ ଶୈଳୀର ନିର୍ମାଣ ହେଇଥିଲା ।
ମାର୍କ ଟ୍ଵିନ ଯେତେବେଳେ ଏହାକୁ ଦେଖିଥିଲେ ଏହାକୁ ଆକାଶ ଚୁମ୍ବୀ ସ୍ମାରକ ବୋଲି ଟିପ୍ପଣୀ ଦେଇଥିଲେ ।
1969 ମସିହା ଅଗଷ୍ଟ 9 ତାରିଖରେ ମୁଖ୍ୟମନ୍ତ୍ରୀ ଅଜୟ ମୁଖାର୍ଜୀ ଏହାକୁ ସହୀଦ ମୀନାର ଭାବେ ନାମକରଣ କରି ସ୍ଵାଧୀନତା ସଂଗ୍ରାମର ସହୀଦମାନଙ୍କୁ ସମର୍ପିତ କରିଥିଲେ ।
ସେମିତି 37 ଟି ମୂର୍ତ୍ତି ସ୍ଥାନାନ୍ତରିତ କରି ସେଠାରେ ବିଭିନ୍ନ ମୂର୍ତ୍ତି ନିର୍ମାଣ କରି ପ୍ରତିଷ୍ଠା କରା ଯାଇଥିଲା ଓ ବିଭିନ୍ନ ଛକର / ମୁଖ୍ୟ ରାସ୍ତାର ନାମକରଣ କରା ଯାଇଥିଲା । ଯେମିତି ଡେଲାହାଉସୀ ଅଞ୍ଚଳ କୁ ବିବିଡ଼ି ବାଗ – ବିନୟ ବସୁ, ବାଦଲ ଗୁପ୍ତା ଓ ଦିନେଶ ଗୁପ୍ତା ପାର୍କ । ଏହି ତିନିଜଣ ଯୁବକ ଡେଲାହାଉସୀ ଛକର ରାଇଟର୍ସ ବିଲ୍ଡିଂ ଭିତରକୁ ପ୍ରବେଶ କରି ବ୍ରିଟିଶ ଜେଲ ଇନ୍ସପେକ୍ଟର ଜେନେରାଲ ଏନ ଏସ ସିମ୍ପସନ କୁ ଗୁଳି ମାରି ହତ୍ୟା କରିଥିଲେ ଓ ନିଜକୁ ଗୁଳି ମାରି ହତ୍ୟା ଉଦ୍ୟମ କରିଥିଲେ । ବିନୟ ବାଦଲଙ୍କ ମୃତ୍ୟୁ ହେଇଯାଇଥିଲା ଓ ଦିନେଶ ଧରା ପଡି ଫାଶୀ ପାଇଥିଲେ ।
ସେମିତି ମାତଙ୍ଗିନୀ ହଜାରେଙ୍କ ମୂର୍ତ୍ତି ମଧ୍ୟ ରହିଛି । ଏହି ବୀରଙ୍ଗନା ହାତରେ ରକ୍ତ ପତାକା ଧରି ବନ୍ଦେ ମାତରଂ ସ୍ଲୋଗାନ ଦେଇ ସହୀଦ ହେଇଥିଲେ । ସେମିତି କିଶୋର ସହୀଦ ଖୁଦୀରାମ ବସୁଙ୍କ ମୂର୍ତ୍ତି ରହିଛି, ଯାହାକୁ ଏସୟୁସିଆଇ ନେତା କମ୍ରେଡ଼ ତାପସ ଦତ୍ତ ନିର୍ମାଣ କରିଥିଲେ ।
ମହାନ ଚଳଚ୍ଚିତ୍ର ନିର୍ମାତା ମୃଣାଳ ସେନ ଓ ସତ୍ୟଜିତ ରାୟଙ୍କ ଆର୍ଟ ଚଳଚ୍ଚିତ୍ର ନିର୍ମାଣ ରେ ଉପନିବେଶ କାଳଖଣ୍ଡ ଓ ସ୍ୱାଧୀନତା କାଳର ସପ୍ତମ ଦଶକ ପର୍ଯ୍ୟନ୍ତ ସଂଗ୍ରାମର ଅନେକ ଛାପ ରହିଛି । ମୃଣାଳ ସେନଙ୍କ Calcutta Trilogy ଭାବରେ ପରିଚିତ ତିନୋଟି ବେଙ୍ଗଲି ଚଳଚ୍ଚିତ୍ର –
ଇଣ୍ଟରଭିୟୁ ,କଲକାତା ଓ ପଦାତିକ ଭାରତୀୟ ସିନେମା ଜଗତରେ ଉଚ୍ଚ ପ୍ରଶଂସା ଅର୍ଜନ କରିଥିଲା । ସେମିତି ସତ୍ୟଜିତ ରାୟଙ୍କ Calcutta Trilogy ଚଳଚ୍ଚିତ୍ର ହେଉଛି ପ୍ରତିଦ୍ବନ୍ଦୀ, ସୀମାବଦ୍ଧ ଓ ଜନ ଅରଣ୍ୟ ।
ମୃଣାଳ ସେନଙ୍କ ପ୍ରୋକ୍ତ ଚଳଚ୍ଚିତ୍ରଗୁଡିକ ଷଷ୍ଠ ଦଶକର ଶେଷ ଓ ସପ୍ତମ ଦଶକର ଆରମ୍ଭରେ କଲିକତା ଓ ବେଙ୍ଗଲର ସାମାଜିକ-ରାଜନୈତିକ ଅସ୍ଥିରତା ( Turmoil) କୁ ପ୍ରତିଫଳିତ କରିଥିଲା ଯେଉଁଥିରେ ବ୍ୟାପକ ବେକାରୀ, ଦାରିଦ୍ର୍ୟ, ଖାଦ୍ୟାଭାବ, ଶରଣାର୍ଥୀ ସଙ୍କଟ,ନକ୍ସଲ ବିଦ୍ରୋହ,ଛାତ୍ର ବିଦ୍ରୋହ ଓ ରାଜନୈତିକ ହିଂସା,ଶ୍ରେଣୀ ଶୋଷଣ,ଔପନିବେଶିକ ଶାସନ କାଳର ଧ୍ବଂସାବଶେଷ, ରାଜନୈତିକ କର୍ମକାଣ୍ଡର ସୀମାବଦ୍ଧତା ଇତ୍ୟାଦିର କଳାତ୍ମକ ଚିତ୍ରଣ କରା ଯାଇଥିଲା ।
ଅନ୍ୟ ପକ୍ଷରେ ସତ୍ୟଜିତ ରାୟ ଙ୍କ ପ୍ରୋକ୍ତ ଚଳଚ୍ଚିତ୍ରଗୁଡିକ ଉପେକ୍ଷିତ ସହର,ଯୁବ ସମାଜ ଭିତରେ ସ୍ୱାଧୀନତା ସଂଗ୍ରାମ କାଳୀନ ସ୍ୱପ୍ନର ମୋହଭଙ୍ଗ ଓ ଅଶାନ୍ତ କଲିକତାର ନିଖୁଣ ଚିତ୍ରଣର ପ୍ରତୀକାତ୍ମକ ସୃଷ୍ଟି ଥିଲା ।
ଚଳଚ୍ଚିତ୍ରରେ ନିର୍ଦ୍ଦିଷ୍ଟ ଐତିହାସିକ ମୁହୂର୍ତ୍ତର ଆଶା,କ୍ରୋଧ ଓ ବେଙ୍ଗଲର ଅନିଶ୍ଚିତତାକୁ ପରିବେଷଣ କରିଥିଲା ।
ସୁତରାଂ,ଅଜୟ ମୁଖାର୍ଜୀଙ୍କ ନେତୃତ୍ୱରେ ଗଠିତ ଦୁଇଟି ଯୁକ୍ତଫ୍ରଣ୍ଟ ସରକାର ପୁଞ୍ଜିବାଦୀ ବ୍ୟବସ୍ଥାର ସୀମାବଦ୍ଧତା ଭିତରେ ବେଙ୍ଗଲରେ କେବଳ ନୂତନ ଆଶା ସଞ୍ଚାର କରି ନଥିଲା ଭାରତ ବର୍ଷର ବାମପନ୍ଥୀ ଆନ୍ଦୋଳନକୁ ପ୍ରଭାବିତ କରିଥିଲା । ଯେଉଁମାନେ ସକ୍ରିୟ ରାଜନୀତି ମଧ୍ୟ କରୁ ନଥିଲେ ସେମାନେ ମଧ୍ୟ ବିଭିନ୍ନ ପ୍ରକାର ସୃଜନାତ୍ମକ କାର୍ଯ୍ୟ ପାଇଁ ପ୍ରେରଣାର ଏକ ପରିବେଶ ପାଇଥିଲେ ।
ଏହି ପୃଷ୍ଠଭୂମୀରେ ହିଁ 1977 ମସିହାରେ ସିପିଏମ ନେତୃତ୍ବରେ ବାମଫ୍ରଣ୍ଟ ସରକାର ଆସିଥିଲା । କିନ୍ତୁ ବାମଫ୍ରଣ୍ଟର ବୟସ ବୃଦ୍ଧି ସହ ଗୋଟିଏ ପରେ ଗୋଟିଏ ଅବାମ ପଦକ୍ଷେପ ଯୋଗୁଁ ଲାଲ ଦୁର୍ଗର ପତନ ହେଲା ଯାହା ଏବେ ବି ସେମାନେ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହଁନ୍ତି ।
ମମତାଙ୍କ ଶାସନ ମଧ୍ୟ ଅତୀତର ସେଇ ଷ୍ଟ୍ରିଟଫାଇଟ ମାଧ୍ୟମରେ ଆସିଥିଲା ।
ଆଜି ସେ ପରାଜୟ ହେବା ପରେ କଲିକତା ଓ ବେଙ୍ଗଲ ରେ ରାଷ୍ଟ୍ରଯନ୍ତ୍ରର ଯେଉଁ ହିଟଲରୀ ଅଫିସ ଭଙ୍ଗା, ମୂର୍ତ୍ତି ଭଙ୍ଗା ଚାଲିଛି ତାହା ତାଲିବାନୀ ମାନଙ୍କ କର୍ମକାଣ୍ଡ ଠାରୁ କୌଣସି ମାତ୍ରାରେ କମ ନୁହେଁ ।
ଇରାନ ଜୟ ପାଇଁ ଯେଉଁଠି 50 ହଜାର ସେନା ନିଯୁକ୍ତି ହେଇଥିଲା,ଏଥର ବେଙ୍ଗଲ ଜୟ ପାଇଁ 250000 ସେନା ନିଯୁକ୍ତି ହେଇଛି । ଏହି ଉନ୍ମତ କାଣ୍ଡର ଭରଣା କିଏ କରିବ ?
ଏହା କଣ ପରିବର୍ତ୍ତନର ଚିତ୍ର ?
ଲେନିନ ମୂର୍ତ୍ତି :
(3)
ଯେଉଁ ଉଦ୍ଧତ ସଙ୍ଘ ପରିବାର ଯୁବକ ପୋଲିସ ଉପସ୍ଥିତିରେ କମ୍ରେଡ଼ ଲେନିନଙ୍କ ମୂର୍ତ୍ତି ଭାଙ୍ଗିଲେ ସେମାନେ ଜାଣି ପାରିଲେନି ପ୍ରକୃତରେ କାହାକୁ ଭାଙ୍ଗିଲେ । ହୁଏତ ସେଇ ଭଙ୍ଗା ମୂର୍ତ୍ତି ପୁଣି ନିର୍ମାଣ ହେଇପାରେ ଅଥବା ନିର୍ମାଣ ହେବା ପରେ ପୁଣି ଥରେ ଭାଙ୍ଗି ଦେଇ ପାରନ୍ତି । ବେଙ୍ଗଲର ଅନେକ ଅଞ୍ଚଳରେ ଲେନିନଙ୍କ ମୂର୍ତ୍ତି ସ୍ଥାନୀୟ ବାମପନ୍ଥୀ ଯୁବକମାନେ ନିର୍ମାଣ କରିଛନ୍ତି । ସ୍ଥାନୀୟ କଳାକାର ଏଥିରେ ସହଯୋଗ କରିଛନ୍ତି ।
ସେ ଗୁଡିକ ହୁଏତ ସଙ୍ଘ ଯୁବକ ଅଥବା ପ୍ରଶାସନ ଭାଙ୍ଗି ଦେଇପାରେ ।
ସେମାନେ ଯଦି ଭାରତରେ ଲେନିନ ମୂର୍ତ୍ତିର ଇତିହାସ ଜାଣିଥାନ୍ତେ ତାହେଲେ ଏମିତି କରି ନଥାନ୍ତେ ।
ପୂର୍ବରୁ ଲେଖିଥିଲି ବଙ୍ଗଳା କଂଗ୍ରେସର ନେତା ଅଜୟ ମୁଖାର୍ଜୀଙ୍କ ନେତୃତ୍ୱରେ ପ୍ରତିଷ୍ଠା ହେଇଥିବା ଦୁଇଟି ଯୁକ୍ତଫ୍ରଣ୍ଟ ସରକାର ସମୟର ମୂର୍ତ୍ତି ସ୍ଥାନାନ୍ତର ଓ ମୂର୍ତ୍ତି ପ୍ରତିଷ୍ଠା କଥା ।
ଅଜୟ ମୁଖାର୍ଜୀ କମ୍ୟୁନିଷ୍ଟ ନଥିଲେ । କହିବାକୁ ଗଲେ ମୂଳରୁ ବିବେକାନନ୍ଦଙ୍କ ଦ୍ୱାରା ପ୍ରଭାବିତ ହେଇ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ସେ ପୂର୍ଵ ମେଦିନପୁର ଜିଲ୍ଲାର ତମଲୁକରେ ଜନ୍ମ ଗ୍ରହଣ କରିଥିଲେ ।
ସେ କିନ୍ତୁ ବିଦ୍ରୋହୀ ମାନସିକତା ର ନେତା ଥିଲେ । ଗାନ୍ଧୀ 1942 ମସିହାରେ ଯେତେବେଳେ ଭାରତ ଛାଡ଼ ଆନ୍ଦୋଳନର ଡାକରା ଦେଲେ ସେତେବେଳେ ତାମ୍ରଲିପ୍ତ ଜାତୀୟ ସରକାରର ଜଣେ ତୁଙ୍ଗ ନେତା ଥିଲେ । ଏହା ଏକ ସମାନ୍ତରାଳ ସରକାର ଥିଲା ଏବଂ ନିଜ ଅଞ୍ଚଳରେ ବ୍ରିଟିଶ ଶାସନକୁ ସମ୍ପୂର୍ଣ୍ଣ ଅଚଳ କରି ଦେଇଥିଲେ । ଗାନ୍ଧୀଙ୍କ ମର ବା କର ଆହ୍ୱାନ ଅନୁଯାୟୀ ଅଜୟ ମୁଖାର୍ଜୀ, ସତୀଶ ଚନ୍ଦ୍ର ସାମନ୍ତ ଓ ସୁଶୀଲ କୁମାର ଧର ଏହି ସରକାରର ନେତୃତ୍ୱ ନେଇଥିଲେ । ଏହି ସରକାର ନିଜସ୍ଵ ପୋଲିସ ଥାନା,ନିଜସ୍ଵ ସାମରିକ ବିଭାଗ ( ବିଦ୍ୟୁତ ବାହିନୀ), କୋର୍ଟ ,ରାଜସ୍ୱ ସଂଗ୍ରହ ବିଭାଗ ପ୍ରତିଷ୍ଠା କରିଥିଲେ । ସରକାର ପରିଚାଳନା ସହିତ ବାତ୍ୟା ବେଳେ ରିଲିଫ ସେବା,
ଶିକ୍ଷାନୁଷ୍ଠାନ ପରିଚାଳନା କରୁଥିଲେ । 1944 ରେ ଗାନ୍ଧୀଙ୍କ ଆହ୍ୱାନ କ୍ରମେ ସରକାର ଭଙ୍ଗ କରିଥିଲେ ।
ତାଙ୍କର ଭାଇ ବିଶ୍ୱନାଥ ମୁଖାର୍ଜୀ ,ଭାଉଜ ଗୀତା ମୁଖାର୍ଜୀ ପ୍ରବୀଣ କମ୍ୟୁନିଷ୍ଟ ନେତା ଥିଲେ । ଜଣେ ଝିଆରୀ କଲ୍ୟାଣି ମୋହନ କୁମାର ମଙ୍ଗଲମଙ୍କୁ ବିବାହ କରିଥିଲେ । କଲ୍ୟାଣି ହେଉଛନ୍ତି ରଙ୍ଗରାଜନ କୁମାର ମଙ୍ଗଲମ ଓ ଲଳିତା କୁମାରମଙ୍ଗଲମଙ୍କ ମା ।
ଅଜୟ ମୁଖାର୍ଜୀଙ୍କୁ 1977 ମସିହାରେ ଜନତା ପାର୍ଟି ସରକାର ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରିଥିଲେ ।
ସୁତରାଂ,ତାଙ୍କ ସମୟରେ ଧର୍ମତାଲା ଷ୍ଟିଟକୁ ଲେନିନ ସରଣୀ ନାମକରଣ କରିବା ଭିତରେ କିଛି ମହାନ ଲକ୍ଷ୍ୟ ନିଶ୍ଚିତ ଥିଲା, ଯାହା ପ୍ରସଙ୍ଗ କ୍ରମେ ଉଲ୍ଲେଖ କରିବି ।
ଧର୍ମତାଲା ସମ୍ପର୍କରେ ପ୍ରଥମେ କିଛି ତଥ୍ୟ ଉଲ୍ଲେଖ କରିବି । ଐତିହାସିକ ବିନୟ ଘୋଷ ଓ ଅନ୍ୟମାନଙ୍କ ମତ ଅନୁଯାୟୀ
ହରି ଓ ଡୋମ ଜନଜାତି ଦ୍ୱାରା ପୂଜା ପାଉଥିବା ଲୋକ ଦେବତା ଧର୍ମ ଠାକୁର ବା ଧର୍ମରାଜଙ୍କ ନାମ ଅନୁଯାୟୀ ଅଞ୍ଚଳଟି ପରିଚିତ ଥିଲା । ବ୍ରିଟିଶ ଆସିବା ପୂର୍ବରୁ ଏହି ସମ୍ପ୍ରଦାୟଗୁଡ଼ିକ ଥିଲେ ଅଞ୍ଚଳର ଆଦି ବାସିନ୍ଦା ।
ମନ୍ଦିରଟି ଜାନ ବଜାର ନିକଟରେ ରହିଥିଲା । କେହି କେହି ମତ ଦିଅନ୍ତି ଧର୍ମ ଅର୍ଥ ବୌଦ୍ଧ ତ୍ରିମୂର୍ତ୍ତିକୁ ବୁଝାଏ । କାରଣ ଜାନ ବଜାର ଅଞ୍ଚଳରେ ଏକଦା ବୌଦ୍ଧ ମନ୍ଦିରଟି ଥିଲା ।
ଅନ୍ୟ ଏକ ପ୍ରଚଳିତ ମତ ଅନୁସାରେ କୁକ ଏଣ୍ଡ କମ୍ପାନୀର ଘୋଡ଼ାଶାଳ ନିକଟରେ ଅବସ୍ଥିତି ଗୋଟିଏ ପ୍ରାଚୀନ ଓ ବିଶାଳ ଐତିହାସିକ ମସଜିଦର ନାମ ଅନୁଯାୟୀ ଧର୍ମସ୍ଥଳ
ନାମକରଣ ହେଇଥିଲା । ପଲାସୀ ଯୁଦ୍ଧ ପରେ ଇଷ୍ଟ ଇଣ୍ଡିଆ କମ୍ପାନୀର କ୍ଷମତା ବୃଦ୍ଧି ପାଇଲା ଓ ଫୋର୍ଟ ଉଇଲିୟମ, ଏସପ୍ଲାନେଡ଼ ଇତ୍ୟାଦି ଯୋଗୁଁ ଅଞ୍ଚଳଟି ବାଣିଜ୍ୟିକ କେନ୍ଦ୍ର ଭାବରେ ଗଢି ଉଠିଥିଲା । 1842 ମସିହାରେ ଟିପୁ ସୁଲତାନଙ୍କ କନିଷ୍ଠ ପୁତ୍ର ଯୁବରାଜ ଗୋଲାମ ମହମ୍ମଦଙ୍କ ଦ୍ୱାରା ନିର୍ମିତ ଟିପୁ ସୁଲତାନ ମସଜିଦ ଚୌରଙ୍ଗୀ ପାଖରେ ଏକ ପ୍ରାଚୀନ ନିଦର୍ଶନ ଭାବରେ ରହିଛି ।
ଏହି ଅଞ୍ଚଳରେ ମଧ୍ୟ ଅନେକ ଐତିହାସିକ ଚର୍ଚ୍ଚ ରହିଛି । ସାକ୍ରେଡ଼ ହାର୍ଟ ଚର୍ଚ୍ଚ,ଥୋବର୍ଣ୍ଣ ମେଥୋଡିଷ୍ଟ ଚର୍ଚ୍ଚ,କାରେୟ ବାପିଷ୍ଟ ଚର୍ଚ୍ଚ ଅନ୍ୟତମ ।
ଏହା ସାଙ୍ଗକୁ ଅନେକ ଐତିହାସିକ କୀର୍ତ୍ତିରାଜି ରହିଛି , ଯେମିତି ଚାପଲିନ ଥିଏଟର , ନିଜାମ ରେଷ୍ଟୁରାଣ୍ଟ , ହୋଟେଲ ସିଦ୍ଧେଶ୍ୱରୀ ଆଶ୍ରମ , ଓବାରାଇ ଗ୍ରାଣ୍ଟ,ୱେଦର କକ ଇତ୍ୟାଦି ।
ଲେନିନ ସରଣୀ କେନ୍ଦ୍ର କଲିକତାର ଅନ୍ୟତମ ଗୁରୁତ୍ତ୍ୱପୂର୍ଣ୍ଣ ପୂର୍ଵ ପଶ୍ଚିମ ସଡକ ।ଏହା ପଶ୍ଚିମ ଦିଗରେ ଏସ ପ୍ଲାନେଡ଼ କ୍ରସିଂ ରୁ ଆରମ୍ଭ ହେଇ ଜବହାରଲାଲ ନେହରୁ ରୋଡକୁ ସଂଯୋଗ କରୁଛି ଓ ପୂର୍ବ ଦିଗରେ ମୌଲାଲି କ୍ରସିଂ ରୁ ଆରମ୍ଭ ହେଇ ଜଗଦୀଶ ଚନ୍ଦ୍ର ବୋଷ ରୋଡ଼କୁ ସଂଯୋଗ କରୁଛି ।
କମ୍ରେଡ଼ ଲେନିନଙ୍କ ଗୋଟିଏ ବ୍ରୋଞ୍ଜ ମୂର୍ତ୍ତି ଏସପ୍ଲାନେଡ଼ ଅଞ୍ଚଳର ସୁରେନ୍ଦ୍ର ନାଥ ପାର୍କର ଉତ୍ତର-ପୂର୍ଵ କୋଣରେ ସ୍ଥାପନା ହେଇଛି ।
ଯଦିଓ ରାସ୍ତା ନାମକରଣ ଅଜୟ ମୁଖାର୍ଜୀଙ୍କ ଯୁକ୍ତଫ୍ରଣ୍ଟ ଅମଳରେ ହେଇଥିଲା , କିନ୍ତୁ ମୂର୍ତ୍ତି ସ୍ଥାପନା କମ୍ରେଡ଼ ଲେନିନଙ୍କ ଜନ୍ମ ଶତାବ୍ଦୀ ପାଳନ ବର୍ଷରେ 1970 ମସିହା ଏପ୍ରିଲ 22ରେ ହେଇଥିଲା । ସେତେବେଳେ ବେଙ୍ଗଲରେ ରାଷ୍ଟ୍ରପତି ଶାସନ ଲାଗି ଥିଲା । ତେଣୁ ପ୍ରତିଷ୍ଠା ଦିନ ଭାରତ ଭ୍ରମଣରେ ଆସିଥିବା ସୋଭିଏତ ୟୁନିୟନ ପ୍ରତିନିଧି ମଣ୍ଡଳୀ ଓ ଯୁକ୍ତଫ୍ରଣ୍ଟ ସରକାରଙ୍କ ମନ୍ତ୍ରୀମାନେ ଉପସ୍ଥିତ ଥିଲେ । ଉପମୁଖ୍ୟ ମନ୍ତ୍ରୀ କମ୍ରେଡ଼ ଜ୍ୟୋତି ବସୁ , ପବ୍ଲିକ ୱାର୍କସ ମନ୍ତ୍ରୀ କମ୍ରେଡ଼ ସୁବୋଧ ବାନାର୍ଜୀ , କମ୍ରେଡ଼ ପ୍ରତିଭା ପାଟିଲ , ଅନ୍ୟାନ୍ୟ ବାମପନ୍ଥୀ ଦଳର ମନ୍ତ୍ରୀ ଓ ନେତା ଏବଂ ସାଧାରଣ ଜନତା ଉପସ୍ଥିତ ଥିଲେ । ଏହି ମୂର୍ତ୍ତି କୁ ସୋଭିଏତ ୟୁନିୟନ ଗିଫ୍ଟ ଆକାରରେ ପ୍ରଦାନ କରିଥିଲେ ।
ଏହି ପାର୍କରେ ପରବର୍ତ୍ତୀ ସମୟରେ ବାମଫ୍ରଣ୍ଟ ଅମଳରେ କମ୍ରେଡ଼ କାର୍ଲ ମାର୍କ୍ସ ଓ ଫ୍ରେଡିରିକ ଏଞ୍ଜେଲସଙ୍କ ଯୁଗଳ ମୂର୍ତ୍ତି ପ୍ରତିଷ୍ଠା କରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ 1971ରେ ଭାରତ-ସୋଭିଏତ ଶାନ୍ତି, ମୈତ୍ରୀ ଓ ସହଯୋଗ ଚୁକ୍ତି ସ୍ବାକ୍ଷର ହେବା ପୂର୍ବରୁ କମ୍ରେଡ଼ ଲେନିନଙ୍କ ମୂର୍ତ୍ତି ଆସିଥିଲା ।
ଏହି ମୈତ୍ରୀ ଚୁକ୍ତି ପରେ ସୋଭିଏତ ୟୁନିୟନର ସବୁଠାରୁ ବଡ଼ ଗିଫ୍ଟ ଥିଲା କଲିକତା ମେଟ୍ରୋ । ସୋଭିଏତ ବିଶେଷଜ୍ଞ ଓ ଇଞ୍ଜିନିୟରମାନେ ପୂର୍ଵ ଜର୍ମାନୀରୁ ଆସି 1971 ମସିହାରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିଲେ । ସୋଭିଏତ ୟୁନିୟନର ବୈଷୟିକ ଜ୍ଞାନ କୌଶଳ ଯୋଗୁଁ ଭାରତର ପ୍ରଥମ ଭୂତଳ ବେଗମାନ ଟ୍ରେନ ଚାଲିବା ଆରମ୍ଭ ହେଇଥିଲା ।
ଦ୍ଵିତୀୟରେ ଜଗଦୀଶ ବୋଷ ରୋଡରେ ଗର୍କୀ ସଦନ, ମାକ୍ସିମ ଗର୍କୀଙ୍କ ମୂର୍ତ୍ତି,ଆଲେଖିନ ଚେସ କ୍ଲବ, ଆଇନଷ୍ଟାଇନ ସିନେ କ୍ଲବ ଇତ୍ୟାଦି କଲିକତାର ବୁଦ୍ଧିଜୀବୀ, ଲେଖକ, ଶିଳ୍ପୀ, ଚିତ୍ରକର, ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ସାଂସ୍କୃତିକ ମିଳନ କେନ୍ଦ୍ର ଭାବରେ ସହାୟତା କରିଥିଲା ।
ଏହା ସାଙ୍ଗକୁ ସୋଭିଏତ ଭାସ୍କରଙ୍କ ଦ୍ୱାରା ନିର୍ମିତ ରବୀନ୍ଦ୍ରନାଥ ଠାକୁରଙ୍କ ମୂର୍ତ୍ତି ତାଙ୍କର ଜୋରାସଙ୍କ ଠାକୁର ବାଡ଼ିର ଶୋଭା ବର୍ଦ୍ଧନ କରୁଛି ।
ଗୋଟିଏ କଥାରେ କହିବାକୁ ଗଲେ ସୋଭିଏତ ୟୁନିୟନ କେବଳ କଲିକତା ନୁହେଁ, ଭାରତର ଆର୍ଥିକ ବିକାଶରେ ଗୋଟିଏ ନିର୍ଭରଶୀଳ ବନ୍ଧୁ ରାଷ୍ଟ୍ର ଥିଲା ।
ସୋଭିଏତ ୟୁନିୟନ ପତନ ପରେ ମଧ୍ୟ ରୁଷିଆ ଆମର ବିପଦ ବେଳେ ଠିଆ ହେଇଛି ।
କମ୍ରେଡ଼ ଲେନିନ କେବଳ ଋଷିଆର ନେତା ନଥିଲେ ସମଗ୍ର ମାନଵ ଜାତିର ଶୋଷିତ ନିଷ୍ପେସିତ ଜନାଗଣଙ୍କ ପ୍ରେରଣା ର ଉତ୍ସ ।
ତାଙ୍କ ମୂର୍ତ୍ତି ଭାଙ୍ଗିବା କେତେଦୂର ଯୁକ୍ତିଯୁକ୍ତ ସଙ୍ଘ ପରିବାର ବିଚାର କରିବା ଉଚିତ ।
ବେଙ୍ଗଲର ପ୍ରତ୍ୟେକ ସରକାର ସ୍ୱାଧୀନତା ଆନ୍ଦୋଳନ ଓ ବିଶ୍ୱ ମୁକ୍ତି ଆନ୍ଦୋଳନର ପ୍ରତୀକ ଙ୍କ ନାମରେ ଯେଉଁ କୀର୍ତ୍ତିରାଜି ପ୍ରତିଷ୍ଠା କରିଛନ୍ତି ତାର ସୁରକ୍ଷା ଦାୟିତ୍ୱ ବଙ୍ଗଳା ଜନସାଧାରଣ ଙ୍କର । ଆଦର୍ଶଗତ ପାର୍ଥକ୍ୟ ଏଥିରେ ପ୍ରତିବନ୍ଧକ ହେବା ଉଚିତ ନୁହେଁ । ଏପରି କି ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଙ୍କ
ବାମଫ୍ରଣ୍ଟ ବେଳେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାମରେ ରାସ୍ତା ନାମିତ କରିଛନ୍ତି ଓ ମୂର୍ତ୍ତି ପ୍ରତିଷ୍ଠା କରିଛନ୍ତି ।
ସୁତରାଂ,ବେଙ୍ଗଲର ସାଂସ୍କୃତିକ ବିରାଦରୀ ନଷ୍ଟ ହେଲେ ଇତିହାସ କ୍ଷମା କରିବ ନାହିଁ ।
ଲେନିନଙ୍କ ପାର୍ଟି ଅଫିସ ନଥିଲା ।ସେ ଜାର ଶାସନ ବେଳେ ପ୍ରାୟ 10 ବର୍ଷ ସୁଇଜରଲାଣ୍ଡ ଓ ପଶ୍ଚିମ ୟୁରୋପରେ ନିର୍ବାସନରେ ଥିଲେ । କେବଳ 1905 ମସିହା ବିପ୍ଳବ ବେଳେ କିଛି ସମୟ ରୁଷିଆକୁ ଗୁପ୍ତ ଭାବରେ ଆସି ଫେରି ଯାଇଥିଲେ । ଫେବ୍ରୁଆରୀ ବିପ୍ଳବରେ ଜାର ନିକୋଲାସଙ୍କ ପତନ ପରେ ନିର୍ବାସନରୁ 16 ଏପ୍ରିଲ ,1917ରେ ପେଟ୍ରୋଗ୍ରାଡ଼କୁ ଫେରିଲେ । ସାଥିରେ ଥିଲେ ଅଳ୍ପ ସଂଖ୍ୟକ ବଲସେଭିକ । ଜର୍ମାନୀ ବାଟେ ସ୍ଵିଡେନ ଦେଇ ଗୋଟିଏ ବନ୍ଦ ଟ୍ରେନ ବଗିରେ ବସି ଫିନଲାଣ୍ଡ ଷ୍ଟେସନରେ ପହଞ୍ଚିଲେ ।
ପେଟ୍ରୋଗ୍ରାଡ଼ରେ ପହଞ୍ଚିବା ପରେ ସେ ତାଙ୍କର ଏପ୍ରିଲ ଥେସିଶ ଭାଷଣ ଦେଇ କହିଲେ ” all power to Soviets”
ସୋଭିଏତ ଅର୍ଥ ଶ୍ରମିକ, କୃଷକ ଓ ସେନାଙ୍କ ନିର୍ବାଚିତ ପରିଷଦ ।
1917 ଅକ୍ଟୋବର/ନଭେମ୍ବର ବିପ୍ଳବ ଯାହା ସୋଭିଏତ କମ୍ୟୁନିଷ୍ଟ ପାର୍ଟି ନେତୃତ୍ୱରେ ଦ୍ୱାରା ରାଷ୍ଟ୍ର କ୍ଷମତା ଦଖଲ ହେଇଥିଲା ତଥା ଦୁନିଆର ଶୋଷକ ବର୍ଗଙ୍କୁ 10 ଦିନ ଦୋହଲାଇ ଦେଇଥିଲା ।
ଆମେରିକୀୟ ଜର୍ଣ୍ଣାଲିଷ୍ଟ ଓ ସୋସାଲିଷ୍ଟ John Reed ତାଙ୍କର କ୍ଲାସିକ ପୁସ୍ତକ Ten days that shook the world ରେ ବଲସେଭିକ ବିପ୍ଳବ ଆଖିଦେଖା ଜୀବନ୍ତ ବିବରଣୀ ପ୍ରକାଶ କରିଥିଲେ ।
କମ୍ରେଡ଼ ଭ୍ଲାଡିମିର ଲେନିନଙ୍କ ନେତୃତ୍ୱରେ ଲିଓଟ୍ରଟସ୍କି , କମ୍ରେଡ଼ ଷ୍ଟାଲିନ,ଲେଭ କାମନେଭ,ଗ୍ରୀଗୋରୀ ଜିନୋଭିଭ,ୟାକୋଭ
ଭେର୍ଡଲୋଭ,ଭ୍ଲାଡିମିର ଆଣ୍ଟୋନୋଭ ,ପାଭେଲ ଡିବେଙ୍କୋ ପ୍ରମୁଖ ବଲସେଭିକ ନେତାମାନେ ଏହି ବିପ୍ଳବର ନେତୃତ୍ୱ ନେଇଥିଲେ ।
ମୋର କହିବା କଥା ବିଜେପି ଗଙ୍ଗାସାଗର ରାଜ୍ୟ ଦଖଲ କରିବା ପରେ କମ୍ରେଡ଼ ଲେନିନ ଙ୍କ ମୂର୍ତ୍ତି ଭାଙ୍ଗୁ ଥିବା ବେଳେ କମ୍ରେଡ଼ମାନେ କିଛି ପାର୍ଟି ଅଫିସ ପୁନଃ ଦଖଲ କରି ଏତେ ଉଲ୍ଲସିତ ହେଇ ସୋସିଆଲ ମିଡିଆରେ ଫଟୋ ଛାଡିବା ଦରକାର ନାହିଁ କିମ୍ବା ମମତା ହାରିବାରେ ଏତେ ଖୁସି ହେବା ଦରକାର ନାହିଁ । ଏତିକି ପ୍ରୟାସ କରି ରାମ ପରେ ବାମ ଆସିବା ସମ୍ଭାବନା ନାହିଁ ।
ବରଂ ଗୋଟିଏ ଭୁଲ ବାର୍ତ୍ତା ଯାଉଛି ବିଜେପି ଏଥିରେ ସହଯୋଗ କରୁ ନାହାନ୍ତି ତ ?
ପ୍ରତ୍ୟେକ ବାମପନ୍ଥୀ/କମ୍ୟୁନିଷ୍ଟ ଜାଣନ୍ତି କମ୍ରେଡ଼ ଲେନିନଙ୍କ ବିଚାର ମୂର୍ତ୍ତିରେ ନାହିଁ । ତାଙ୍କର ବିଚାର ଶ୍ରମିକ ଶ୍ରେଣୀର ରାଷ୍ଟ୍ର କ୍ଷମତା ଦଖଲରେ ରହିଛି । ଏପ୍ରିଲ ଥେଶିସ ଆଉ ଥରେ ବୁଝି ନେବା ଉଚିତ ।କମ୍ରେଡ଼ ଲେନିନ ଯଦି ଫେବୃଆରୀ ବିପ୍ଳବରେ ତୃପ୍ତ ହେଇ
କେରେନସ୍କି ବୁର୍ଜୁଆ ସରକାର ପ୍ରତିଷ୍ଠା ମଧ୍ୟରେ ବିପ୍ଳବର କର୍ମକାଣ୍ଡକୁ ବିରାମ ଦେଇଥାନ୍ତେ,ଯାହା ମେନସେଭିକ ନେତାମାନଙ୍କ ଥେଶିସ ଥିଲା,ତାହେଲେ ବିଶ୍ୱର ପ୍ରଥମ ସୋଭିଏତ ସମାଜତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା ହେଇ ନଥାନ୍ତା ।ଶ୍ରମିକ ଶ୍ରେଣୀ ନେତୃତ୍ୱରେ ବିପ୍ଳବ ଦ୍ଵାରା ରାଷ୍ଟ୍ର କ୍ଷମତା ଦଖଲ ଓ ନିର୍ବାଚନ ମାଧ୍ୟମରେ କିଛି ଆସନ ଅଥବା ଗୋଟିଏ ରାଜ୍ୟ ସରକାର ଏପରି କି କେନ୍ଦ୍ର ସରକାର ଦଖଲ କମ୍ରେଡ଼ ଲେନିନ କିମ୍ବା କାର୍ଲମାର୍କ୍ସ-ଫ୍ରେଡିରିକ
ଏଞ୍ଜେଲସଙ୍କ ଦର୍ଶନ ନଥିଲା ।
ବାମପନ୍ଥୀ ନେତାମାନେ ଆତ୍ମ ସମୀକ୍ଷା କରି ବୁଝିବା ଦରକାର 34 ବର୍ଷର ସରକାର ପତନ ସେତେବେଳେ ହେଲା ଯେତେବେଳେ ବାମପନ୍ଥୀ ଦଳମାନେ ଶ୍ରେଣୀ ସଂଘର୍ଷ ପଥ ପରିତ୍ୟାଗ କରି ପୁଞ୍ଜିବାଦୀ ବ୍ୟବସ୍ଥା ସହ ଆପୋଷ ମାଧ୍ୟମରେ ଅନନ୍ତ କାଳ ପର୍ଯ୍ୟନ୍ତ କ୍ଷମତାରେ ରହିବା ସ୍ୱପ୍ନ ଦେଖିଲେ । ତୃଣମୂଳ କଂଗ୍ରେସ ସେଇ ଲଢେଇ ମାଧ୍ୟମରେ ଆସିଥିଲା ଯେଉଁ ଲଢେଇ ମାଧ୍ୟମରେ ଏକଦା ବାମଫ୍ରଣ୍ଟ କ୍ଷମତାକୁ ଆସିଥିଲା । ସାଧାରଣ ଲୋକେ ପାର୍ଥକ୍ୟ ବୁଝି ପାରିଲେ ନାହିଁ । କେରଳ ଓ ତ୍ରିପୁରା ସରକାର ପତନକୁ ମଧ୍ୟ ଅନୁରୂପ ଭାବରେ ବିଚାର କରିବାକୁ ହେବ ।
ବାମପନ୍ଥୀ ନେତାମାନଙ୍କ ସ୍ୱାଧୀନତା ସଂଗ୍ରାମ କାଳରେ ଆତ୍ମତ୍ୟାଗ,ବଳିଦାନର ପ୍ରଭାବ କିଛି ବର୍ଷ ପରେ ପରବର୍ତ୍ତୀ ପିଢ଼ି ଭୁଲି ଗଲେ, କାରଣ ସେମାନେ ସେତେବେଳେ ସରକାରୀ ଦଳର କର୍ମୀ ଓ ନେତା । ଯେମିତି ଭାରତୀୟ ଜାତୀୟ କଂଗ୍ରେସକୁ ଲୋକେ ଆସ୍ତେ ଆସ୍ତେ ଭୁଲି ଯାଉଛନ୍ତି ।
ଆମ ଦେଶର କିଛି ମିଡ଼ିଆ ଓ ବୁଦ୍ଧିଜୀବୀ ଯେଉଁମାନେ ଦେଶବ୍ୟାପୀ ସଂଘ ପରିବାରର
ଶାସନରେ ଅଣ ନିଃଶ୍ୱାସୀ ହେଲେଣି ଓ ବେଙ୍ଗଲ ଜିତିବା ପରେ ଆତଙ୍କିତ ହେଲେଣି ସେମାନେ ମଧ୍ୟ ଭାବୁଛନ୍ତି କେବଳ ଗୋଟିଏ ସିକୁଲାର ମେଣ୍ଟ ହେଇଗଲେ ସଙ୍ଘ ପରିବାରର ସାମ୍ପ୍ରଦାୟିକ ସରକାରକୁ 2029 ମସିହାରେ ହଟେଇ ହେବ । ହଁ, ଯଦି ପ୍ରକୃତରେ ଦେଶବ୍ୟାପୀ ଓ ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଇସ୍ୟୁ ଭିତ୍ତିକ ବାମ ଓ ଗଣତାନ୍ତ୍ରିକ ମେଣ୍ଟ ହେଇ ଦେଶବ୍ୟାପୀ କ୍ରମାଗତ ଆନ୍ଦୋଳନ ଆରମ୍ଭ କରାଯିବ ଓ ସେଥିରେ କେବଳ ପାର୍ଟି ନୁହେଁ ସାଧାରଣ ଜନତାଙ୍କୁ ସାମିଲ କରା ଯାଇ ପାରିବ ତାହେଲେ ନିଶ୍ଚିତ ଭାବରେ ମୁକାବିଲା କରିହେବ । କିନ୍ତୁ ସବୁ ରାଜ୍ୟରେ ମେଣ୍ଟ ହେଇ ପାରିବ କି ? ମମତା ଇଣ୍ଡିଆ ମେଣ୍ଟ କଥା କହିଲେଣି,ରାହୁଳ ନିଜର ମତାମତ ଟ୍ୱିଟ କଲେଣି । ଅଖିଲେଶ ମମତାଙ୍କୁ ଦେଖା କଲେଣି । ତେଜସ୍ଵୀ, କେଜରିବାଲ ମମତାଙ୍କ ସହ କଥା ହେଲେଣି । ତାମିଲନାଡୁ ଡିଏମକେ ନେତା ଷ୍ଟାଲିନ କୁଆଡେ ଯିବେ ? ନବୀନ ପଟ୍ଟନାୟକ କୁଆଡେ ଯିବେ ?
ବେଙ୍ଗଲରେ ମମତା -ସିପିଏମ ଗୋଟିଏ ମେଣ୍ଟରେ ରହିବେ ତ ?
କେବଳ ନିର୍ବାଚନକୁ ଆଖି ଆଗରେ ରଖି କିଏ ପ୍ରଧାନମନ୍ତ୍ରୀ ହେବ ବିଚାର ରଖିଲେ ମେଣ୍ଟର ଚକ ଗଡ଼ିବାର ନାହିଁ ।
ଦଳେ ବରିଷ୍ଠ ତଥାକଥିତ ସିକୁଲାର/ ଲିବରାଲ ଜର୍ଣ୍ଣାଲିଷ୍ଟ ଦିନ ସାରା Web Channel ରେ ବସି ଯେଉଁ ଆଲୋଚନା କରୁଛନ୍ତି ସେଥିରୁ ଜଣା ପଡୁଛି ମେଣ୍ଟ ରାହୁଲ ଗାନ୍ଧୀଙ୍କ କଂଗ୍ରେସ ବିଚାରକୁ ସମସ୍ତଙ୍କ ବିଚାର କରିଦେଲେ ମୋଦୀଙ୍କୁ ହଟେଇ ହେବ । ତାହେଲେ ବାମପନ୍ଥୀଙ୍କ ବିଚାର ଓ କଂଗ୍ରେସ ବିଚାର କଣ ଏକ ହେଇଯିବ । ହୁଏତ ମମତା ବିଚାର ଓ କଂଗ୍ରେସ ବିଚାର ଏକ ହେଇ ପାରେ । କିନ୍ତୁ ମମତା ସଂଘର୍ଷରେ ବିଶ୍ୱାସ କରନ୍ତି, କଂଗ୍ରେସ କୋର୍ଟରେ ମୋକଦ୍ଦମା କରି ମୋଦୀଙ୍କୁ ଟକ୍କର ଦେବାରେ ବିଶ୍ଵାସ କରେ । କେମିତି ସମସ୍ତେ ଗୋଟିଏ ପ୍ରକାର ରାସ୍ତାରେ ଚାଲିବେ ?
କେଜରୀବାଲଙ୍କୁ କଂଗ୍ରେସ ପାଖରେ ବସେଇବାକୁ ଚାହୁଁନି ।ବରଂ ବିଜେପି ସହ ମିଶି ପଞ୍ଜାବ ରୁ ସରକାର ହଟେଇବାରେ ବ୍ୟସ୍ତ । ବେଙ୍ଗଲରେ ଯେମିତି ବିଜେପି ବରଂ ଜିତୁ ମମତା ନୁହେଁ, ସେମିତି ପଞ୍ଜାବରେ ବିଜେପି ବରଂ କିଛି ଆସନ ଜିତୁ, ଆପ ଆଦୌ ନୁହେଁ ।
ରାହୁଲଙ୍କ ବିବୃତିରେ ବେଙ୍ଗଲ , ହରିଆଣା,ବିହାର , ଆସାମ ଭୋଟ ଚୋରି କଥା ଉଲ୍ଲେଖ କଲେ, କିନ୍ତୁ ଦିଲ୍ଲୀ, ଓଡ଼ିଶା, ତାମିଲନାଡୁ କିମ୍ବା କେରଳ କଥା କହିଲେ ନାହିଁ । ତାହେଲେ ନିର୍ବାଚନ ପ୍ରକ୍ରିୟା କଂଗ୍ରେସ ଜିତିବା ରାଜ୍ୟରେ ଠିକ, ହାରିବା ଜାଗାରେ ଭୁଲ ଏହା କେମିତି ହେବ । ମୋଦୀ ଶାସନରେ ସାଧାରଣ ଲୋକ ଅନୁଭବ କରୁଛନ୍ତି ନିର୍ବାଚନରେ ସାଧୁତା ନାହିଁ । ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପନ୍ଥାରେ ନିର୍ବାଚନ କମିଶନ ନିର୍ବାଚନ କରୁଛନ୍ତି । ସୁପ୍ରିମକୋର୍ଟ ଠିକ ସମୟରେ ହାତ ଟେକି ଦେଉଛନ୍ତି । ଅର୍ଥବଳ, ପ୍ରଶାସନିକ କଳ, ଭୋଟର ଲିଷ୍ଟ , ଭୋଟ ଗ୍ରହଣ, ଭୋଟ ଗଣତି, ଫଳାଫଳ ପ୍ରକାଶ ସବୁ କ୍ଷେତ୍ରରେ ଅବିଶ୍ୱାସ ସୃଷ୍ଟି ହେଇଛି । ତେଣୁ ତୁଟକା ଔଷଧ ଦେଇ ଏହି କର୍କଟ ବ୍ୟାଧି ଭଲ ହେବ ନାହିଁ ।
ବର୍ତ୍ତମାନ ମୁଁ କିଛିଟା ବେଙ୍ଗଲ ସିକୁଲାର ରାଜନୀତି ଓ କମୁନାଲ ରାଜନୀତି ଇତିହାସ ଉପରେ ଆଲୋକପାତ କରିବି ।
ସମସ୍ତେ ଜାଣନ୍ତି ବେଙ୍ଗଲରେ ସାମ୍ପ୍ରଦାୟିକ ରାଜନୀତିର ଜନକ ଶ୍ୟାମା ପ୍ରସାଦ ମୁଖାର୍ଜୀ । ଯେଉଁ କାରଣରୁ ସୁବାଷ ଚନ୍ଦ୍ର ବୋଷ କହିଥିଲେ ତମେ ଯଦି କଲିକତାରେ ହିନ୍ଦୁ- ମୁସଲିମ ରାଜନୀତି କରିବ ତାହେଲେ ମୁଁ ଟୋକା ପଠେଇ ତମ ନାକ ପଠେଇ ଦେବି ।
କିନ୍ତୁ କଲିକତା ମୁନିସିପାଲିଟି କର୍ପୋରେସନ ଜୁଲାଇ 3, 1953 ମସିହାରେ ପ୍ରସ୍ତାବ ଗ୍ରହଣ କଲା ରୁଷା ରୋଡ଼ର ଦକ୍ଷିଣ ପାଖ ଶ୍ୟାମା ପ୍ରସାଦ ମୁଖାର୍ଜୀ ରୋଡ଼ ହେବ । ସେତେବେଳେ ମେୟର ହେଉଛନ୍ତି ଭାରତୀୟ ଜାତୀୟ କଂଗ୍ରେସର ନେତା ନରେଶ ନାଥ ମୁଖାର୍ଜୀ । ପୂର୍ବରୁ ଏହି ରୋଡ଼ 1924 ମସିହା ମଇ 25 ତାରିଖରେ ବ୍ରିଟିଶ ଅମଳରେ ଆଶୁତୋଷ ମୁଖାର୍ଜୀ ରୋଡ଼ ଭାବରେ ନାମକରଣ ହେଇଥିଲା । ସେତେବେଳେ କଲିକତା କର୍ପୋରେସନର ମେୟର ଥିଲେ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ । ସୁବାଷ ଚନ୍ଦ୍ର ବୋଷ ମେୟରଙ୍କ ଅଧୀନରେ Chief Executive Officer ଥିଲେ ।
ତେଣୁ ଆଶୁତୋଷ ମୁଖାର୍ଜୀ ରୋଡ଼କୁ ଦୁଇ ଭାଗ କରି ଗୋଟିଏ ଭାଗକୁ ଶ୍ୟାମପ୍ରସାଦ ମୁଖାର୍ଜୀ ରୋଡ଼ ହେଇଥିଲା ।
ସ୍ଥାନୀୟ ଲୋକେ ଏହାକୁ ଶ୍ରଦ୍ଧାରେ ବାବା ଛେଲେର ରାସ୍ତା କୁହନ୍ତି ।
ତାପରେ କମ୍ରେଡ଼ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ମୂର୍ତ୍ତି କେଓରତାଲା ବିଦ୍ୟୁତ ଶ୍ମଶାନ ଘାଟ ନିକଟରେ ଉନ୍ମୋଚନ କରିଥିଲେ,କାରଣ ମୁଖାର୍ଜୀଙ୍କ ମରଶରୀର ସେଠାରେ 1953 ମସିହାରେ ସତ୍କାର ହେଇଥିଲା ।ଏହା 2003 ମସିହା ସାଧାରଣତନ୍ତ୍ର ଦିବସରେ ଉନ୍ମୋଚନ ହେଇଥିଲା ।
ଏହି ସମୟରେ କଂଗ୍ରେସର ପ୍ରବୀଣ ନେତା ସୁବ୍ରତ ମୁଖାର୍ଜୀ ମେୟର ଥିଲେ ଓ କର୍ପୋରେସନ ଏହି ମୂର୍ତ୍ତି ପ୍ରତିଷ୍ଠା ପ୍ରସ୍ତାବ ଗ୍ରହଣ କରିଥିଲା ।
ଅବଶ୍ୟ ପରେ ସେ ତୃଣମୂଳ କଂଗ୍ରେସକୁ ଚାଲି ଯାଇଥିଲେ ।
କଲିକତାର ଅନ୍ୟ ସ୍ଥାନରେ ମଧ୍ୟ ଶ୍ୟାମପ୍ରସାଦ ମୁଖାର୍ଜୀ ମୂର୍ତ୍ତି ରହିଛି ।
ଅତଏବ ଏଭଳି ପରିସ୍ଥିତିରେ ଲେନିନ, କାର୍ଲ ମାର୍କ୍ସ,
ଏଞ୍ଜେଲସ , ଗର୍କୀ, ହୋଚିମିନଙ୍କ ମୂର୍ତ୍ତି ଅଥବା ରାସ୍ତା ନାମ ଗୁଡ଼ିକ ସୁରକ୍ଷିତ ରହିବ ତ ?
କାରଣ ବିଜେପି ସରକାର ସବୁଠି ରଙ୍ଗ ବୋଳା, ନାମ ବଦଳ, ଫଳକ ବଦଳ,ମୂର୍ତ୍ତି ଭଙ୍ଗା ବୁଲଡୋଜର ସରକାର ଭାବରେ ଇତିମଧ୍ୟରେ ନିଜକୁ ପ୍ରମାଣିତ କରି ସାରିଛି ।।
କଥା ଏତିକି ।।
