India vs China : ଭାରତ ଚୀନ ସୀମା ବିବାଦ,ତିବତ ନୀତି,କେ ଏମ ପାନିକର -ନାନା ମତ
ନୂଆଦିଲ୍ଲୀ :(ବିଜୟ ସାହୁ )-1947 ପରେ ଚୀନରେ ନିଯୁକ୍ତ ପ୍ରଥମ ରାଷ୍ଟ୍ରଦୂତ କେ ଏମ ପାନିକର କେବଳ କୂଟନୈତିକ ଅଫିସର, ପ୍ରଶାସକ ନଥିଲେ ,ଜଣେ ବିଶିଷ୍ଟ ଐତିହାସିକ ଓ ଶିକ୍ଷାବିତ ଥିଲେ । ତାଙ୍କର ଉଲ୍ଲେଖନୀୟ ଏକାଡେମିକ କ୍ୟାରିଅର ଥିଲା । ମାଡ୍ରାସ ଖ୍ରୀଷ୍ଟିଆନ କଲେଜ ( MCC )ରୁ ଆବଶ୍ୟକ ଶିକ୍ଷା ସମାପ୍ତ ପରେ ଇଂଲଣ୍ଡର ଖ୍ରୀଷ୍ଟ କଲେଜ, ଅକ୍ସଫୋର୍ଡ ଯାଇଥିଲେ । ଡିଗ୍ରୀ ସମାପ୍ତ ପରେ ଲଣ୍ଡନର Middle Temple Law କଲେଜରେ ବାରିଷ୍ଟରୀ ଶିକ୍ଷା ସମାପ୍ତ କରିଥିଲେ । ସେ ପର୍ତ୍ତୃଗାଲ ଓ ହଲାଣ୍ଡ ଯାଇ ମାଲବାର ଅଞ୍ଚଳର ଉପନିବେଶିକ ଇତିହାସ ସମ୍ପର୍କରେ ଗବେଷଣା କରିଥିଲେ । ତାଙ୍କର ପ୍ରଥମ ପ୍ରମୁଖ ଇତିହାସ ପୁସ୍ତକ ଥିଲା – Indian Nationalism : Its origin ,History & Ideals , 1920ରେ ପ୍ରକାଶିତ ହେଇଥିଲା ।
ଏହା ପରେ ଧାରାବାହିକ ଭାବରେ ସୁନିର୍ଦିଷ୍ଟ ଐତିହାସିକ ଗବେଷଣା ମୂଳକ ଗ୍ରନ୍ଥ ଓ ସମୀକ୍ଷା ବିସ୍ତୃତ ପ୍ରକାଶ କଲେ । ସେଗୁଡିକ ହେଲା Sri Harsha of Kaunaj ( 1922), Malabar and Partuguese ( 1929) , Malabar and the Dutch ( 1931 ) .
1947 ମସିହା 15 ଅଗଷ୍ଟରେ A Survey Of Indian History ପ୍ରଖ୍ୟାତ ପୁସ୍ତକ ପ୍ରକାଶ ହେଇଥିଲା ।
ଏହା ବ୍ୟତୀତ ତାଙ୍କର ବ୍ୟକ୍ତିଗତ ସ୍ମୃତିଲେଖ ମଧ୍ୟରେ (1) -In Two Chinas : Memoirs of a Deplomat ( 1955) ,ଯେଉଁଥିରେ ତିବତ ସଙ୍କଟ ଓ କୋରିଆ ଯୁଦ୍ଧ ସମ୍ପର୍କରେ ତାଙ୍କର ପ୍ରତ୍ୟକ୍ଷ ଦୃଷ୍ଟିଭଙ୍ଗୀ ପ୍ରତିଫଳିତ ହେଇଛି ।
(2)
An Auto biography (1977 ) ମୃତ୍ୟୁ ପରେ ପ୍ରକାଶିତ ହେଇଥିଲା । ଏଥିରେ ତାଙ୍କର ଅକ୍ସଫୋର୍ଡରେ ଶିକ୍ଷା ଓ ଦେଶୀୟ ରାଜ୍ୟରେ ସର୍ଭିସ ଏବଂ ଇଜିପ୍ଟ ଓ ଫ୍ରାନ୍ସରେ ତାଙ୍କର କୂଟନୈତିକ ଭୂମିକା ଉଲ୍ଲେଖ ହେଇଛି ।
(3) Asia and Western Dominance ( 1955 ) – ଏହି ପୁସ୍ତକକୁ ତାଙ୍କର ଶ୍ରେଷ୍ଠ କୃତି ଭାବରେ ବିବେଚନା କରାଯାଏ । ଏଥିରେ ସେ1498 ରୁ 1945 ପର୍ଯ୍ୟନ୍ତ ଏସିଆର ଇତିହାସ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ପୁସ୍ତକରେ ଭାସ୍କୋଡାଗାମାଙ୍କ ଯୁଗ ଓ ପଶ୍ଚିମ ସାମୁଦ୍ରିକ ପ୍ରଭୂତ୍ୱର ଅନ୍ତ ପରେ କିପରି ଏସିଆ ପ୍ରଭୂତ୍ୱ ଯୁଗର ପଥ ଖୋଲିଛି ତାହା ଆଲୋଚନା କରିଛନ୍ତି ।
( 4 ) – The Principles of Practice of Deplomacy ପୁସ୍ତକ ହେଉଛି ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସରେ ପ୍ରଦାନ କରିଥିବା ଏକ ବକ୍ତୃତାମାଳା । ଏଥିରେ ସେ ନିଜର Theories of negotiation and the qualities of a successful deplomat ରେଖାଙ୍କିତ କରିଛନ୍ତି ।
(5) – India and Indian Ocean( 1945/ 1951) – ଏଥିରେ ସେ ଭାରତର ନିରାପତ୍ତା କ୍ଷେତ୍ରରେ ସାମୁଦ୍ରିକ ଶକ୍ତିର ଗୁରୁତ୍ୱ ଉପରେ ନିବନ୍ଧ ରହିଛି । ଏବଂ ଏହି ନିବନ୍ଧଗୁଡ଼ିକ ଆଧୁନିକ ଭାରତର Maritime Strategy ପ୍ରଣୟନ କ୍ଷେତ୍ରକୁ ରୂପରେଖ ଦେବାରେ ସହାୟତା କରିଛି ।
(6) – ତାଙ୍କର ଶେଷ ପ୍ରମୁଖ ପୁସ୍ତକ ହେଉଛି Foundations of New India (1963 ) .
ଏହା ବ୍ୟତୀତ ତାଙ୍କ ଉପରେ ଅନେକ ବାଓଗ୍ରାଫି ଅନ୍ୟମାନେ ଲେଖିଛନ୍ତି ।
(1) – Man for All Seasons by Narayani Basu ,(2) Indian National Identity and Foreign Policy : Re-valuating the career of KM panikkar by Mauro Elli and Rita Piolini .
ପାନିକର 1950 ରୁ1952 ପର୍ଯ୍ୟନ୍ତ Peoples Republic of China ର ପ୍ରଥମ ରାଷ୍ଟ୍ରଦୂତ ଥିଲେ । ତାଙ୍କ ସମ୍ପର୍କରେ ଉଲ୍ଲେଖ କରା ଯାଇଥିବା ପୃଷ୍ଠଭୂମିକୁ ବିଚାର କରି ବେଜିଂରେ ବ୍ୟାପକ ଭୂ-ରାଜନୈତିକ ପରିବର୍ତ୍ତନ,ଚୀନ ବିପ୍ଳବ ତଥା କୋରିଆ ଯୁଦ୍ଧ ସମୟ କାଳରେ ରାଷ୍ଟ୍ରଦୂତ ପାଇଁ ସେ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ପ୍ରଥମ ପସନ୍ଦ ଥିଲେ । ପ୍ରଥମ ଅଣସୋସାଲିଷ୍ଟ ବ୍ଲକର ଦେଶ ଭାବରେ ଭାରତ ଗଣରାଜ୍ୟ ଚୀନକୁ ସ୍ୱୀକୃତି ଦେବା କ୍ଷେତ୍ରରେ ପାନିକରଙ୍କ ପ୍ରମୁଖ ଭୂମିକା ଥିଲା ।
କୁମିଙ୍ଗଟାଙ୍ଗଙ୍କ ରାଷ୍ଟ୍ରବାଦୀ ସରକାର ମାଓ ସେତୁଙ୍ଗଙ୍କ ନେତୃତ୍ୱରେ ଗଣବିପ୍ଳବ ପରେ କ୍ଷମତା ଚ୍ୟୁତ ହେଇଥିଲେ । ତତ୍କାଳୀନ ବିଶ୍ୱ ଶକ୍ତି ସମନ୍ୱୟ ପୃଷ୍ଠଭୂମିରେ ଗଣରାଜ୍ୟ ଚୀନକୁ ତୁରନ୍ତ ସ୍ବୀକୃତି ପ୍ରଦାନ କରିବା ପାଇଁ ପାନିକର ନିଜର ଦୃଢ଼ ମତ ରଖିଥିଲେ ।
ଚୀନର ପ୍ରଧାନମନ୍ତ୍ରୀ ଚାଓ ଏନ ଲାଇ ଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିଲା ଓ ସେ ଚୀନ ଓ ପଶ୍ଚିମ ଜଗତ ସହିତ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବରେ କାର୍ଯ୍ୟ କରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜାପାନ ଉପନିବେଶ ବିରୋଧୀ କୋରିଆ ଜାତୀୟ ମୁକ୍ତିଯୁଦ୍ଧ ସମ୍ପର୍କରେ ଗଭୀର ଅନୁଶୀଳନ କରିଥିଲେ ଓ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ଜାପାନର ପରାଜୟ ପରବର୍ତ୍ତୀ ସମ୍ଭାବ୍ୟ ପରିସ୍ଥିତି ସମ୍ପର୍କରେ ଚୀନ କମ୍ୟୁନିଷ୍ଟ ନେତାମାନଙ୍କ ଠାରୁ ସମ୍ବାଦ ପାଉଥିଲେ ଓ ଦିଲ୍ଲୀ ବୈଦେଶିକ ବିଭାଗ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ
ଅବଗତ କରୁଥିଲେ ।
ଚୀନ ପ୍ରଧାନମନ୍ତ୍ରୀ ଚାଓ ଏନ ଲାଇ ପାନିକରଙ୍କୁ ପ୍ରଥମେ କୋରିଆ ଯୁଦ୍ଧରେ ଚୀନ ସାମିଲ ହେବାକୁ ଯାଉଥିବା ସୂଚନା ଦେଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜାପାନର ପରାଜୟ ପରେ ସୋଭିଏତ ସେନା କୋରିଆର ଉତ୍ତର ଅଂଶ ଓ ଆମେରିକା ଦକ୍ଷିଣ ଅଂଶକୁ ନିଜ ଅଧୀନକୁ ନେଇଥିଲେ । କିନ୍ତୁ କୋରିଆ ଜନଗଣ ବିଭିନ୍ନ ଗଣ କମିଟି ବିଶେଷ କରି ଶ୍ରମିକ ଓ କୃଷକ କମିଟି କରି ଜାପାନ ସାମ୍ରାଜ୍ୟବାଦ ବିରୁଦ୍ଧରେ 1910 ରୁ ଶକ୍ତିଶାଳୀ ମୁକ୍ତି ଆନ୍ଦୋଳନ କରୁଥିଲେ । ଜାପାନର ହିରୋସିମା-ନାଗାସାକୀ ସହରରେ ଉପରେ ବୋମା ନିକ୍ଷେପଣରେ କୋରିଆର 10 ହଜାର ଶ୍ରମିକ ମୃତ୍ୟୁ ବରଣ କରିଥିଲେ ,ଯାହା ଅବିଭାଜିତ କୋରିଆ ଜନଗଣଙ୍କୁ ଆନ୍ଦୋଳିତ କରିଥିଲା । ସେତେବେଳେ ଏହି ଜାତୀୟ ମୁକ୍ତି ଆନ୍ଦୋଳନର ନେତୃତ୍ୱରେ ନେଉଥିଲେ Kim Il-sung .ତାଙ୍କର ଦର୍ଶନ ଥିଲା Ideology of Juche ଅର୍ଥାତ ଆତ୍ମ ଅଧିକାର । ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକା ଦକ୍ଷିଣ ଭାଗକୁ ଓ ସୋଭିଏତ ୟୁନିୟନ ଉତ୍ତର ଭାଗକୁ ନିଜର ସମର୍ଥନ ଯୋଗାଇ ଥିଲେ । ଆମେରିକା ହସ୍ତକ୍ଷେପ କରି ନଥିଲେ ଗୋଟିଏ କୋରିଆ ରାଷ୍ଟ୍ର ଭାବରେ ସ୍ୱାଧୀନତା ଅର୍ଜନ କରିବା ସମ୍ଭାବନା ଥିଲା । ସେତେବେଳେ ପ୍ରତ୍ୟେକ ଦେଶର ମୁକ୍ତି ଆନ୍ଦୋଳନକୁ ସମର୍ଥନ ପୃଷ୍ଠଭୂମୀରେ ସୋଭିଏତ ୟୁନିୟନ ଉତ୍ତର କୋରିଆ ରାଷ୍ଟ୍ରର Right to Self Defense କୁ ସମର୍ଥନ କରୁଥିଲା । ମାଓ ସେତୁଙ୍ଗ ମଧ୍ୟ ଉତ୍ତର କୋରିଆ ଯୁଦ୍ଧକୁ ଆମେରିକା ଓ ପଶ୍ଚିମ ଜଗତ ଦ୍ଵାରା ସମର୍ଥିତ କାଠ ପୁତୁଳି ଦକ୍ଷିଣ କୋରିଆ ଶାସନ ବିରୁଦ୍ଧରେ ଜାତୀୟ ମୁକ୍ତି ଆନ୍ଦୋଳନ ବୋଲି ଆଲୋଚନା କରିଥିଲେ ଓ ଚୀନର ଭଲ୍ୟୁଣ୍ଟର ସେନା ଉତ୍ତର କୋରିଆ କୁ ସହାୟତା କରିଥିଲା ।ସେତେବେଳେ କମ୍ରେଡ଼ ଶିବଦାସ ଘୋଷ ମାଓ ଙ୍କ କୋରିଆ ନୀତିକୁ ସମର୍ଥନ କରି କହିଥିଲେ ଏହି ଯୁଦ୍ଧ ଆମେରିକାର Myth of military invincibilty କୁ ମିଥ୍ୟା ପ୍ରମାଣିତ କରିଛି ।
ରାଷ୍ଟ୍ରଦୂତ ପାନିକର ଭାରତର ବୈଦେଶିକ ମନ୍ତ୍ରଣାଳୟ ମାଧ୍ୟମରେ ଚୀନର ଯୁଦ୍ଧରେ ସାମିଲ ହେବାକୁ ଯାଉଥିବା ଖବର ପଠେଇ ଥିଲେ । ସେ ଖବର ଦେଇଥିଲେ ଜାତିସଂଘ ବାହିନୀ ଯଦି 38ତମ ସମାନ୍ତରାଳ ଅତିକ୍ରମ କରିବ ତାହେଲେ ଚୀନ କୋରିଆ ଯୁଦ୍ଧରେ ସାମିଲ ହେବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜାତିସଂଘ ବାହିନୀ ପତାକା ବ୍ୟବହାର କରି ଆମେରିକା ସେନା ହିଁ ଯୁଦ୍ଧରେ ସାମିଲ ହେଇଥିଲା । 38ତମ ସମାନ୍ତରାଳ ରେଖା ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ କୋରିଆ ଉପଦ୍ୱୀପକୁ ଦକ୍ଷିଣ ଓ ଉତ୍ତର କୋରିଆ ବୋଲି ସୀମା ଚିହ୍ନଟ କରିଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦ୍ଵିତୀୟ ବିଶ୍ୱଯୁଦ୍ଧରେ ମାର୍କୀନ ସାମରିକ ପରିକଳ୍ପନାବିଦ Colonels Dean Rusk ଓ Charles Bonesteel ନେସନାଲ ଜିଓଗ୍ରାଫିର ନକ୍ସା ବ୍ୟବହାର କରି ଏହି ସୀମା ରେଖା ଚିହ୍ନଟ କରିଥିଲେ ଓ ଜାପାନ ଆମେରିକା ନିକଟରେ ଆତ୍ମ ସମର୍ପଣ ପାଇଁ ଏହି କାଳ୍ପନିକ ଅସ୍ଥାୟୀ ସୀମା ଚିହ୍ନଟ କରିଥିଲେ ।
ଏହି ସୀମାରେଖା ପ୍ରସ୍ତାବରେ କୋରିଆ ରାଜଧାନୀ ସିଓଲକୁ ଦୁଇ ଭାଗରେ ବିଭକ୍ତ କରି କୋରିଆର ଅଧା ଆମେରିକା ( ଦକ୍ଷିଣ ଅଞ୍ଚଳ) ଓ ଉତ୍ତର ଅଞ୍ଚଳ ସୋଭିଏତ ଭାଗରେ ରହିଥିଲା । ଏହି ବିଭାଜନ ଯୋଗୁଁ 1948ରେ ଉତ୍ତର କୋରିଆ ଗଣରାଜ୍ୟ ଓ ଦକ୍ଷିଣ କୋରିଆ ପୁଞ୍ଜିବାଦୀ ଦେଶ ସୃଷ୍ଟି ହେଇଥିଲା ଓ ଗୋଟିଏ ରାଷ୍ଟ୍ରକୁ ଦୁଇ ଭାଗ କରି ଅଞ୍ଚଳରେ ବିଦ୍ୱେଷ ମଞ୍ଜି ବୁଣା ଯାଇଥିଲା ।
1950 ଜୁନ 25 ରେ କୋରିଆ ଯୁଦ୍ଧ ଆରମ୍ଭ ହେଇଥିଲା । ତେଣୁ ଚୀନ ଧମକ ଦେଇଥିଲା ଯଦି ଆମେରିକା ସୈନ୍ୟ 38ତମ ସମାନ୍ତରାଳ ଅତିକ୍ରମ କରି ଚୀନ ସୀମା ଅତିକ୍ରମ କରନ୍ତି ତାହେଲେ ଚୀନ ଏଥିରେ ହସ୍ତକ୍ଷେପ କରିବ ।
ପାନିକର ନୂଆଦିଲ୍ଲୀ ମାଧ୍ୟମରେ ଏହି ସମ୍ବାଦ ୱାଶିଙ୍ଗଟନକୁ ଜଣେଇ ଦେଲେ । ଆମେରିକା ପ୍ରେସିଡେଣ୍ଟ Harry S Truman ଓ General MacArthur ଚୀନର ଏହି ଧମକକୁ ନଜର ଅନ୍ଦାଜ କଲେ । ଆମେରିକା ବୈଦେଶିକ ସଚିବ Dean Acheson ପାନିକରଙ୍କ ଏହି ବର୍ତ୍ତାକୁ ” ଆତଙ୍କିତ ପାନିକରଙ୍କ ମିଥ୍ୟା ପ୍ରଳାପ “ବୋଲି କହିଲେ ।
ଜାତିସଂଘ ଛତା ତଳେ ଆମେରିକା ସେନା ସୀମା ଅତିକ୍ରମ କରିବା ପରେ ଚୀନ ପ୍ରତିରୋଧ କଲା ଓ ଚୀନ ଏବଂ ଆମେରିକା ମଧ୍ୟରେ ପ୍ରତ୍ୟକ୍ଷ ସଂଘର୍ଷ ରୂପ ନେଲା ।
Truman ତାଙ୍କର ସ୍ମୃତିଲେଖରେ ପାନିକରଙ୍କ ନିରପେକ୍ଷତା ଉପରେ ସନ୍ଦେହ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ପାନିକର କେବଳ କମ୍ୟୁନିଷ୍ଟ ପ୍ରୋପାଗଣ୍ଡା ଉପରେ ବିଶ୍ୱାସ କରୁଥିଲେ ।
କିନ୍ତୁ ପାନିକରଙ୍କ ଦୃଢ଼ ଆଶଙ୍କା ଥିଲା ଆମେରିକା ନୂତନ ଚୀନ ସରକାରକୁ ଧ୍ୱଂସ କରିବା ପାଇଁ ପ୍ରସ୍ତୁତ ହେଉଛି ଓ ଏପରି କି ବୋମା ବର୍ଷଣ ସମ୍ଭାବନା ରହିଛି । ଏବଂ ଯଦି ଆମେରିକା ମାଞ୍ଚୁରିଆ ଉପରେ ଆକ୍ରମଣ କରେ ତାହେଲେ ସୋଭିଏତ ୟୁନିୟନ ଓ ଆମେରିକା ମଧ୍ୟରେ ସିଧାସଳଖ ଯୁଦ୍ଧ ହେବ । ଏବଂ ଏହା ବିଶ୍ୱଯୁଦ୍ଧର ରୂପ ନେବ ।
ଏହି ପ୍ରେକ୍ଷାପଟରେ ପାନିକର ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ଏହି ଯୁଦ୍ଧ ବିସ୍ତାର ହେବା ରୋକିବା ଓ ଚୀନକୁ ଜାତିସଂଘରେ ସାମିଲ କରିବା ଉପଦେଶ ଦେଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେତେବେଳେ ଷ୍ଟାଲିନ ମଧ୍ୟ ନିରସ୍ତ୍ରୀକରଣ ଉପରେ ଆମେରିକା ଉପରେ ଚାପ ସୃଷ୍ଟି କରୁଥିଲେ । ତେଣୁ ଉତ୍ତର କୋରିଆକୁ ଯେଉଁ ଧରଣର ସହାୟତା ଯୋଗାଇବା କଥା କରି ନଥିଲେ ବୋଲି ଉତ୍ତର କୋରିଆ ଅଭିଯୋଗ କରିଥିଲା ।
ଆମେରିକା ସେତେବେଳେ ଦକ୍ଷିଣ କୋରିଆକୁ ଘାଟି ଭାବରେ ବ୍ୟବହାର କରି ଉତ୍ତର କୋରିଆ ସହରଗୁଡିକୁ ଧ୍ୱଂସ କରିଥିଲା ଓ ବ୍ୟାପକ ବେସାମରିକ କ୍ଷୟକ୍ଷତି ହେଇଥିଲା ।
ଇତିହାସର ସର୍ବାଧିକ ସମୟ ଦୁଇବର୍ଷ ପର୍ଯ୍ୟନ୍ତ ଆଲୋଚନା ପରେ 1953 ରେ କେବଳ ସାମରିକ ଯୁଦ୍ଧ ବିରତି ଚୁକ୍ତି ହେଇଥିଲା । କିନ୍ତୁ କୌଣସି ରାଜନୈତିକ ଚୁକ୍ତି ସ୍ବାକ୍ଷର ହେଇ ନଥିଲା । ଏହି ସାମରିକ ଯୁଦ୍ଧ ବିରତି ଚୁକ୍ତିକୁ ଜାତିସଂଘ କମାଣ୍ଡ , ଉତ୍ତର କୋରିଆ ଗଣସେନାବାହିନୀ ଓ ଚୀନ ଗଣ ସ୍ୱେଚ୍ଛାସେବକ ସେନାବାହିନୀ ସ୍ବାକ୍ଷର କରିଥିଲେ ।
ଦକ୍ଷିଣ କୋରିଆ ରାଷ୍ଟ୍ରପତି ସ୍ବାକ୍ଷର କରି ନଥିଲେ ।
ଚୁକ୍ତିନାମା କାର୍ଯ୍ୟକାରୀ କରିବା ପାଇଁ Military Demarcation Line ଓ 2.5 ମାଇଲର ଏକ ବଫର ଯୋନ ସୃଷ୍ଟି କରା ଯାଇଥିଲା ।
ଏହି ଯୁଦ୍ଧରେ ପ୍ରାୟ 15 ଲକ୍ଷ ରୁ 30 ଲକ୍ଷ ପର୍ଯ୍ୟନ୍ତ ନାଗରିକ ଓ ସେନା ଉଭୟ ପଟେ ମୃତ୍ୟୁ ବରଣ କରିଥିଲେ ।
ସାମରିକ ଯୁଦ୍ଧ ବିରତି ଚୁକ୍ତି ପରେ 1953 ରେ ଆମେରିକା ଓ ଦକ୍ଷିଣ କୋରିଆ Mutual Defense Treaty କରିଥିଲେ ଓ ଏହା ପରେ ଆମେରିକା ଦକ୍ଷିଣ କୋରିଆର ସ୍ଥାୟୀ ଆମେରିକା ସେନା ଛାଉଣୀ କରିଥିଲା ।
ପ୍ରଧାନମନ୍ତ୍ରୀ ନେହେରୁଙ୍କ ନେତୃତ୍ୱରେ ଭାରତ ପଶ୍ଚିମ ଓ କମ୍ୟୁନିଷ୍ଟ ବ୍ଲକ ( ସମାଜବାଦୀ ବ୍ଲକ ) ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ସେତୁ ସୃଷ୍ଟି କରିଥିଲେ ।
1952 ନଭେମ୍ବରରେ ଭାରତ ଜାତିସଂଘ ସାଧାରଣ ପରିଷଦରେ ଯୁଦ୍ଧବନ୍ଦୀମାନଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ସୃଷ୍ଟି ହେଇଥିବା ଅଚଳ ଅବସ୍ଥା ଦୂର ପାଇଁ ପ୍ରସ୍ତାବ ଆଣିଥିଲା । ଭାରତକୁ ନିରପେକ୍ଷ ରାଷ୍ଟ୍ର ପ୍ରତ୍ୟାବାସନ କମିଶନର ଅଧ୍ୟକ୍ଷ ଓ ଅମ୍ପାୟାର ଭାବରେ ନିର୍ବାଚିତ କରା ଯାଇଥିଲା । ଲେଫ୍ଟନାଣ୍ଟ ଜେନେରାଲ କେ ଏସ ଥିମାୟା ଅଧ୍ୟକ୍ଷ ହେଇଥିଲେ ।
ନେହେରୁଙ୍କ ଏହି ଭୂମିକା ପରବର୍ତ୍ତୀ ସମୟରେ ତୃତୀୟ ବିଶ୍ୱର ନେତା ଭାବରେ ଯଦିଓ ପ୍ରତିଷ୍ଠା କରିଥିଲା ତଥାପି ସେ ଓ ରାଷ୍ଟ୍ରଦୂତ ପାନିକରଙ୍କ ଭୂମିକାକୁ ସୋସିଆଲିଷ୍ଟ ପାର୍ଟି, ରାମ ମନୋହର ଲୋହିୟା , ଜନସଂଘ ତୀବ୍ର ସମାଲୋଚନା କରିଥିଲେ । କଂଗ୍ରେସର କିଛି ନେତା ମଧ୍ୟ ସମାଲୋଚନା କରିଥିଲେ ।
ଏହାର କାରଣ ବହୁବିଧ ଥିଲା ଓ ତିବତ ସମସ୍ୟା ଅନ୍ୟତମ କାରଣ ଥିଲା । ଏହା ପରବର୍ତ୍ତୀ ପୋଷ୍ଟରେ
ଆଲୋଚନା କରିବି ଓ ଅନ୍ୟାନ୍ୟ ମୁନିଙ୍କ ବିଶେଷ ବିଶେଷ ଅଭିଯୋଗ ତଥା ପାନିକରଙ୍କ କିଛି ପ୍ରତିଯୋଗୀ, ଭାରତ ସେବାରେ ସେତେବେଳେ ଭର୍ତ୍ତି କରାଯାଇଥିବା ଅଧିକାରୀଙ୍କ ପରଶ୍ରୀକାତରତା ବିଷୟ ମଧ୍ୟ ଉଲ୍ଲେଖ କରାଯିବ ।
