ନୂଆଦିଲ୍ଲୀ :(ବିଜୟ ସାହୁ )-ବିଏନପି ନେତା ତାରିକ ରେହମାନ ଙ୍କ ଶପଥ ଗ୍ରହଣ ପୂର୍ବରୁ ଆମ ଭାରତୀୟ ମିଡ଼ିଆ ଓ କିଛି ବୁଦ୍ଧିଜୀବୀ ସେମାନଙ୍କ ଭବିଷ୍ୟତ ଜାତୀୟତା ( Nationhood) ସମ୍ଭାବନା ବ୍ୟାଖ୍ୟା କରିବା ଆରମ୍ଭ କରି ଦେଲୁଣି । ଅତୀତରେ ଶେଖ ହସିନାଙ୍କ ପ୍ରେମରେ ପଡି ଯେଉଁ ଭୁଲ କରିଥିଲୁ ସେଥିରୁ କିଛି ଶିଖିବାକୁ ଆଦୌ ପ୍ରସ୍ତୁତ ନୁହେଁ । କାରଣ ଶେଖ ହସିନା ଭାରତର “Trusted Friend” ଥିଲେ ।
କିନ୍ତୁ “Russia Trusted Friend” ଥିଲା ପ୍ରଶ୍ନ ପଚାରିଲେ ଏହି ଗୋଷ୍ଠୀ ର ଚାଙ୍ଗୁମଙ୍ଗୁ ଉତ୍ତର ଦିଅନ୍ତି ଭାରତ ନିଜର “Domestic Policy” ହିତରେ ଆମେରିକା / ଭେନେଜୁଲା ରେ ତେଲ ଆଣିବା ଏକ ବଳିଷ୍ଠ ନିଷ୍ପତ୍ତି ।
ହସିନା କୁଆଡ଼େ ” Centre-left” ଥିଲେ,ଏବେ ତାରିକ ରେହମାନ ” Centre-right” ଓ ଜମାତ ଇସଲମୀ Right-right ଥିଲେ Extreme -right ହେଇଯିବେ ଏମିତି କେତେ କଣ ବ୍ୟାଖ୍ୟା ।
ଆମେ “Big Brother” ଯେମିତି ଆମର “Domestic Policy” ନିର୍ଦ୍ଧାରଣ କରିବା “Option ” ଆମ ପକେଟରେ ରଖୁଛୁ, ସେମିତି “Small Brother ” ମଧ୍ୟ ସେମାନଙ୍କ “Domestic Policy ”
ନିଜ ପକେଟରେ ରଖିଲେ ଆମେ ଏତେ ବିବ୍ରତ ହେବା ବାଞ୍ଛନୀୟ ନୁହେଁ । ପ୍ରତ୍ୟେକ ସାର୍ବଭୌମ ରାଷ୍ଟ୍ର ସେମାନଙ୍କ ନୀତି ନିର୍ଦ୍ଧାରଣ କରନ୍ତୁ ଓ ସେଇ ଦେଶର ଜନତା ସେଥିପାଇଁ ଯଥେଷ୍ଟ ଯୋଗ୍ୟ ।
ସରକାର ଗଠନ କରିବାକୁ ଯାଉଥିବା ଦଳ ଓ ମୁଖ୍ୟ ବିରୋଧୀ ଦଳର ନେତାମାନେ ସେମାନଙ୍କ ଭବିଷ୍ୟତ ଭାରତ ସମ୍ପର୍କ ଓ ବୃହତ୍ତର ପଡୋଶୀ ନୀତି ସମ୍ପର୍କରେ ଉଲ୍ଲେଖ କରି ସାରିଛନ୍ତି, ତେଣୁ ଭାରତ ସେଇ ସବୁ କଥା In between line ସମୀକ୍ଷା କରି ନିଜର ନୀତି ନିର୍ଦ୍ଧାରଣ କରିବା ଜରୁରୀ । ବୋଧେ ସେଇ କଥା ଚିନ୍ତା କରି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ବିଦେଶୀ ରାଷ୍ଟ୍ର ଭାବରେ ବଙ୍ଗଳା ଦେଶର ନିର୍ବାଚନ ଫଳାଫଳକୁ Authenticate କରିଛନ୍ତି ଓ ତାରିକ ରହମାନଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ହେଇ ସାରିଛନ୍ତି । ନିର୍ବାଚନ ପୂର୍ବରୁ ଜାନୁଆରୀ 26 ରେ At Home କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରଦୂତ ଢାକାରେ ଜମାତ ଇସଲମୀ ନେତାଙ୍କୁ ନିମନ୍ତ୍ରିତ କରି ସାରିଛନ୍ତି ।
ଅତଏବ ଭାରତ ବଙ୍ଗଳା ଦେଶର ସରକାର ଓ ମୁଖ୍ୟ ବିରୋଧୀ ଦଳ ସହ ସମ୍ପର୍କରେ ଯେ ସୁଧାର ଆଣିବାକୁ ଚାହୁଁଛନ୍ତି ତାହା ପ୍ରାଥମିକ ପ୍ରତିକ୍ରିୟାଗୁଡିକରୁ ଆମେ ଜାଣୁଛେ ।
ଚାଙ୍ଗୁମଙ୍ଗୁ ମିଡ଼ିଆ ଓ ବୁଦ୍ଧିଜୀବୀ ଏହାକୁ De-rail ପ୍ରୟାସ କରିବା ଅନୁଚିତ । ବିଶେଷ କରି ପୂର୍ବତନ କିଛି ରାଷ୍ଟ୍ରଦୂତମାନେ ଏଥିପାଇଁ ଲାଗି ପଡିଛନ୍ତି ଯେଉଁମାନେ ଜେଫ୍ରି ଏପିସ୍ତିନ ଫାଇଲରେ ପୂର୍ବତନ ରାଷ୍ଟ୍ରଦୂତଙ୍କ ଡୁବନ ସମ୍ପର୍କରେ ” ଗାନ୍ଧୀଙ୍କ ତିନି ମାଙ୍କଡ ” ଭଳି ଆଚରଣ କରୁଛନ୍ତି ।
2024 ଛାତ୍ର ବିଦ୍ରୋହ/ ବିପ୍ଳବ ପରେ ଯେଉଁ ଅସ୍ଥିରତା ସୃଷ୍ଟି ହେଇଥିଲା ତାହା ଶୀଘ୍ର ଦୂର ହେଇ ବଙ୍ଗଳାଦେଶ ଗଣତାନ୍ତ୍ରିକ ପ୍ରକ୍ରିୟା ଭିତରକୁ ତୁରନ୍ତ ଆସିବା ଆଶା ଆମେ କରିବା ଜରୁରୀ । ଏହା ଉଭୟ ଦେଶର ଜନସାଧାରଣଙ୍କ ପାଇଁ ମଙ୍ଗଳଦାୟୀ ହେବ ।
ଏହି ନିର୍ବାଚନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି July Charter ଉପରେ ବଙ୍ଗଳାଦେଶ ଭୋଟର ସର୍ବାଧିକ ମତ ଦେଇଛନ୍ତି ଓ ଏହାକୁ କାର୍ଯ୍ୟକାରୀ କରିବା ଉପରେ ମୁଖ୍ୟ ବିରୋଧୀ ଦଳ ଜମାତ ଓ NATIONAL CITIZEN PARTY ଚାପ ସୃଷ୍ଟି କରିବେ ବୋଲି ସୂଚନା ଦେଇ ସାରିଲେଣି । ବଙ୍ଗଳାଦେଶ ସରକାର ଏହାକୁ କାର୍ଯ୍ୟକାରୀ କରିବା ଉପରେ ବଙ୍ଗଳାଦେଶ ସରକାରଙ୍କ ଓ ବଙ୍ଗଳା ଦେଶର ଆକାଂକ୍ଷୀ ଜନତାଙ୍କ କେବଳ ଭବିଷ୍ୟତ ନିର୍ଭର କରିବ ନାହିଁ ଏହାର ପ୍ରଭାବ ଆଜୀବନ ସିଂହାସନ ମାଡି ବସିବା ପାଇଁ ସ୍ୱପ୍ନ ଦେଖୁଥିବା ଆମ ଦେଶର ଶାସକମାନଙ୍କ କିଛିଟା ଚୈତନ୍ୟ ଉଦୟ କରିବ ।
ବର୍ତ୍ତମାନର ଆଲୋଚନା ମୁଁ ଜୁଲାଇ ଜନମତ ଇସ୍ତାହାରକୁ ନେଇ କେନ୍ଦ୍ରିତ କରିବି ।
ଛାତ୍ର ବିଦ୍ରୋହର ମୁଖ୍ୟ ଦାବୀ ଥିଲା ଜୁଲାଇ ଜନମତ ଇସ୍ତାହାରରେ ଉଲ୍ଲେଖ କରା ଯାଇଥିବା ବିନ୍ଦୁଗୁଡିକ ।
କିଛି ସାମ୍ବିଧାନିକ ସଂସ୍କାର ଓ କିଛି ପ୍ରଶାସନିକ ସଂସ୍କାର ମାଧ୍ୟମରେ ଦୀର୍ଘ ସ୍ଥାୟୀ ଓ ଏକଚ୍ଛଦ୍ରବାଦୀ କ୍ଷମତା ଉପରେ ରୋକ ଏବଂ ନାଗରିକଙ୍କ ଭାଗୀଦାରୀ ସହିତ ସରକାରଙ୍କ ଜବାଵଦେହୀ ହେଉଛି ଏହି ଇସ୍ତାହାରର ଆତ୍ମା ।
କାମଚଳା ସରକାରଙ୍କ ମୁଖ୍ୟଦେଷ୍ଟା ମହମ୍ମଦ ୟୁନୁସ ଅନ୍ତତଃ ଛାତ୍ର ନେତାମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପ୍ରଥମଦୃଷ୍ଟା କାର୍ଯ୍ୟକାରୀ କରି ଜନମତ ଭୋଟ କରାଇଛନ୍ତି ଓ ଏହାକୁ ସମସ୍ତେ ସ୍ୱାଗତ କରିଛନ୍ତି । ଅବଶ୍ୟ କିଛି ଚାଙ୍ଗୁମଙ୍ଗୁ ମିଡ଼ିଆ ଓ ବୁଦ୍ଧିଜୀବୀ ଶେଖ ହସିନାଙ୍କୁ କ୍ଷମତାଚ୍ୟୁତ ପାଇଁ
ଆମେରିକାର ହାତବାରିସୀ ହେଇ ଜମାତ ଇସଲମୀ ମାଧ୍ୟମରେ ଛାତ୍ର ବିଦ୍ରୋହ କରିଥିଲେ ବୋଲି ଜୋର ଚର୍ଚ୍ଚା କରୁଥିଲେ ଓ ଏବେ ବି କରୁଛନ୍ତି । ଅର୍ଥାତ ଛାତ୍ର ବିଦ୍ରୋହ ଏକ ନକଲି ବିଦ୍ରୋହ ଥିଲା ।
ଏହି ଗୋଷ୍ଠୀ ପ୍ରତ୍ୟେକ ଆନ୍ଦୋଳନ ଓ ପ୍ରତ୍ୟେକ ଦେଶର ଆନ୍ଦୋଳନକୁ ସର୍ବଦା ବିଦେଶୀ ଚକ୍ରାନ୍ତ ଚଷମାରେ
ଦେଖନ୍ତି ଏକଥା ଆମ ଭାରତୀୟ ଙ୍କ ଠାରୁ ବେଶୀ ଅଭିଜ୍ଞତା କାହାର ନାହିଁ ।
ଏହି ସଂସ୍କାର ପ୍ରସ୍ତାବଗୁଡିକ ମଧ୍ୟରେ
ମୁଖ୍ୟ ପ୍ରସ୍ତାବଗୁଡ଼ିକ ହେଉଛି –
1- ମୂଳ ରାଷ୍ଟ୍ରୀୟ ପ୍ରସ୍ତାବନା ବେଙ୍ଗଲି ଜାତୀୟତାବାଦ,ଗଣତନ୍ତ୍ର,
ସମାଜବାଦ ଓ ଧର୍ମ ନିରପେକ୍ଷତା ପରିବର୍ତ୍ତେ ସମାନତା,ମାନବିକ ଗାରିମା,ସାମାଜିକ ନ୍ୟାୟ,ଧର୍ମୀୟ ସ୍ୱାଧୀନତା ଓ ସଦ୍ଭାବନା ;
2- ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ଦୁଇ ଥର ମଧ୍ୟରେ ସୀମିତ ;
3- ରାଜ୍ୟ ସଭା ଭଳି ଦ୍ୱିତୀୟ ସଦନ ;
4- ବିଚାରବିଭାଗ ଓ ନିର୍ବାଚନ ପରିଚାଳନାରେ ସ୍ୱାତନ୍ତ୍ର୍ୟ ;
5- ମହିଳା ପ୍ରତିନିଧିତ୍ୱ ବୃଦ୍ଧି;
6- ମୌଳିକ ଅଧିକାର ସମ୍ପ୍ରସାରଣ , ଭ୍ରଷ୍ଟାଚାରବିରୋଧୀ ସଂସ୍ଥା ଇତ୍ୟାଦି
ଏହି ସଂସ୍କାର ପ୍ରସ୍ତାବ ମଧ୍ୟରେ ନିର୍ବାଚନ ପରିଚାଳନା ସଂସ୍କାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହା ଯଦି କାର୍ଯ୍ୟକାରୀ ହୁଏ ସାଧାରଣ ନିର୍ବାଚନ ପୂର୍ବରୁ ସରକାରଙ୍କ କ୍ଷମତା ନିର୍ବାଚନ ପରିଚାଳନା ପାଇଁ ଗଠିତ ଗୋଟିଏ କାମଚଳା ସରକାର ହାତକୁ ଯିବ ଓ ନିର୍ବାଚନ ପରେ ନୂତନ ସରକାର ଗଠନ ହେବ । ଏହି ପରିଚାଳନା ପାଇଁ ସମ୍ବିଧାନ ସଂଶୋଧନ ମାଧ୍ୟମରେ ସାମ୍ବିଧାନିକ ସଂସ୍ଥା ସୃଷ୍ଟି ହେବ ।
ଅବଶ୍ୟ 1972 ସମ୍ବିଧାନ ପ୍ରସ୍ତାବନାରେ ଧର୍ମ ନିରପେକ୍ଷତା ଶବ୍ଦ ପରିବର୍ତ୍ତନ ସମ୍ପର୍କରେ ବଙ୍ଗଳା ଦେଶର କିଛି ମହଲ ଆଶଙ୍କା ପ୍ରକାଶ କରିଛନ୍ତି । ବିଶେଷ କରି ସଂଖ୍ୟା ଲଘୁ ସମ୍ପ୍ରଦାୟ,ଧର୍ମ ନିରପେକ୍ଷ ବାଦୀ, ମହିଳା ଅଧିକାର ସୁରକ୍ଷା କର୍ମୀ ଚିନ୍ତା ପ୍ରକଟ କରୁଛନ୍ତି । ସେମାନଙ୍କ ଅଭିଯୋଗ ହେଲା ଜମାତ ଚାପରେ ବିଏନପି ସରକାର କିଛି କିଛି ସୁରକ୍ଷା କବଚକୁ ଦୁର୍ବଳ କରିଦେବେ ଓ ବଙ୍ଗଳାଦେଶ ଅଧିକରୁ ଅଧିକ ଇସଲାମ ପ୍ରଭାବ ଆଡକୁ ଗତି କରିବ ।
ଦ୍ୱିତୀୟ ଅଭିଯୋଗ ଆସୁଛି ବେଙ୍ଗଲି ଜାତୀୟତା ଶବ୍ଦ ପରିବର୍ତ୍ତନକୁ ନେଇ ;ଯେହେତୁ ବଙ୍ଗଳାଦେଶ ଗଠନ ପଛରେ ବେଙ୍ଗଲି ଭାଷା ସୁରକ୍ଷା ଆନ୍ଦୋଳନର ଗୁରୁତ୍ୱପୂର୍ଣ ଭୂମିକା ଥିଲା । କାରଣ ସେତେବେଳେ ପଶ୍ଚିମ ପାକିସ୍ତାନର ଶାସକମାନେ ଉର୍ଦ୍ଦୁ କୁ ଏକମାତ୍ର ସରକାରୀ ଭାଷା ଭାବରେ ସ୍ୱୀକୃତି ଦେଇଥିଲେ ଓ ବଙ୍ଗଳା ଭାଷା ପ୍ରତି ଅବିଚାର ହେଉଥିଲା । କିନ୍ତୁ ବଙ୍ଗଳାଦେଶର ଜାତୀୟତା ଆନ୍ଦୋଳନ କେବଳ ଭାଷାକୁ ନେଇ ହେଇ ନଥିଲା । ଅନ୍ୟାନ୍ୟ କାରକଗୁଡ଼ିକ ମଧ୍ୟ ଥିଲା ।
ଏହି କାରକଗୁଡ଼ିକ ସମେତ ଅର୍ଥନୈତିକ ଭେଦଭାବ ଓ ପ୍ରଶାସନିକ ସହଭାଗୀତାରେ ପୂର୍ଵ ବଙ୍ଗ ପ୍ରତି ଅବିଚାର ତଥା ଭୌଗଳିକ ଦୂରତ୍ୱ ମିଶ୍ରିତ ହେଇ ବଙ୍ଗଳାଦେଶ ଜାତୀୟତାବାଦର ଉନ୍ମେଷ ଘଟିଥିଲା । ଭାରତରୁ ପାକିସ୍ତାନ ଅଲଗା ହେବା ପରେ ଯଦି ପାକିସ୍ତାନ ସମାଜର ଗଣତାନ୍ତ୍ରିକରଣ ହେଇ ପାରିଥାନ୍ତା ଓ ଧର୍ମ, ଜାତି, ଜନଜାତି , ଭାଷା ,ସଂସ୍କୃତି ନିର୍ବିଶେଷରେ ସମସ୍ତ ନାଗରିକ ସମାନ ଅଧିକାର ହାସଲ କରି ପାରିଥାନ୍ତେ ତାହେଲେ ପାକିସ୍ତାନ ଦୁଇ ଖଣ୍ଡ ହେବା କାରଣ କିଛି ନଥିଲା ।
ତେଣୁ ବର୍ତ୍ତମାନ ସମ୍ବିଧାନ ସଂଶୋଧନ ବେଳେ ଯଦି ସମସ୍ତ ଭାଷା, ଧର୍ମ ଓ ସଂସ୍କୃତି ସୁରକ୍ଷା ପ୍ରାବଧାନ ଓ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଚାରବିଭାଗ ସମେତ ଅନ୍ୟାନ୍ୟ ସାମ୍ବିଧାନିକ ସଂସ୍ଥାଗୁଡିକ ନିଜର ଦାୟିତ୍ୱ ପାଳନ କରିବେ ତାହେଲେ କୌଣସି ସରକାର ଏହାକୁ ହନନ ଅଥବା ଗୌଣ କରିବା ପାଇଁ ସାହସ କରିବେ ନାହିଁ । ଏ ଦାୟିତ୍ୱ ବଙ୍ଗଳାଦେଶର ନାଗରିକ ସମାଜର ।
ଜମାତ ଇସଲମର ମହିଳାମାନଙ୍କ ପ୍ରତି ଯେଉଁ ଦୃଷ୍ଟିଭଙ୍ଗୀ ରହିଛି ତାହା ଆମ ଦେଶର ହିନ୍ଦୁ ମୌଳବାଦୀଙ୍କ ଦୃଷ୍ଟିଭଙ୍ଗୀ ଠାରୁ ଭିନ୍ନ କିଛି ନୁହେଁ । କିନ୍ତୁ ପାର୍ଥକ୍ୟ ହେଉଛି ବଙ୍ଗଳା ଦେଶର ଅଧିକାଂଶ ମହିଳା ଐତିହାସିକ କାରଣରୁ ନିଜର ଅଧିକାର ନେଇ ସଚେତନ ଓ ଦୃଢ଼ ସ୍ୱର ଉତ୍ତୋଳନ କରି ଆସିଛନ୍ତି ।ବିଶେଷ କରି ବଙ୍ଗଳା ଦେଶର ଅର୍ଥନୀତି ମହିଳା ଅଧିକାର ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ସମୁଦାୟ ଶ୍ରମରେ 43% ମହିଳାଙ୍କ ଅବଦାନ ରହିଛି । ତେଣୁ ଚାହିଁଲେ ମଧ୍ୟ ସେମାନଙ୍କ ଉପରେ ମୌଳବାଦୀ ଆଇନ ଲାଗୁ କରି ଘରେ ଅଟକାଇ ହେବ ନାହିଁ ।
ଏହି କାରଣରୁ ତାରିକ ରହମାନ ଯେଉଁଦିନ17 ବର୍ଷ ନିର୍ବାସନ ପରେ ଢାକାରେ ପହଞ୍ଚି ଥିଲେ ସେଇ ଦିନ ତାଙ୍କର ମହିଳାଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ସ୍ପଷ୍ଟ କରିଥିଲେ । ଅତଏବ ସମ୍ବିଧାନ ସଂଶୋଧନ ମାଧ୍ୟମରେ ମହିଳା ସଶକ୍ତିକରଣ ଆହୁରି ଦୃଢ଼ିଭୁକ୍ତ ହେବ ଓ ସେମାନେ ଶାସନର ପ୍ରତ୍ୟେକ କ୍ଷେତ୍ରରେ ଅଧିକ ଭାଗିଦାରୀ ହେବେ ଏହା ଆମେ ଆଶା କରିବା l ଭାରତ-ବଙ୍ଗଳାଦେଶ ସମ୍ପର୍କ ଉପରେ ଇତିମଧ୍ୟରେ ଭାବି ପ୍ରଧାନମନ୍ତ୍ରୀ ତାରିକ ରେହମାନ ଓ ଭାବି ବୈଦେଶିକ ମନ୍ତ୍ରୀ ୟୁମାୟୁନ
କବୀର ସ୍ପଷ୍ଟ କରି ସାରିଛନ୍ତି ।
ଗତ 14 ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ପରେ ପ୍ରଥମ
ବିଧିବଦ୍ଧ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱର ବିଭିନ୍ନ ଦେଶର ମିଡ଼ିଆ ସମେତ ଭାରତର ମିଡ଼ିଆ ଉପସ୍ଥିତ ଥିଲେ ଓ ତାରିକ ରେହମାନ ଅଧିକାଂଶ ପ୍ରଶ୍ନର ଉତ୍ତର ଦେଲେ ।
ଏହି ସମ୍ମିଳନୀ ଢାକାର Hotel Inter Continental ଠାରେ ଅନୁଷ୍ଠିତ ହେଇଥିଲା । ଭାରତ- ବଙ୍ଗଳାଦେଶ ସମ୍ପର୍କ ସମେତ ଆଇନ ଶୃଙ୍ଖଳା ,ଆର୍ଥିକ ନୀତି, ଜାତୀୟ ଏକତା,ପ୍ରଶାସନ ଉପରେ ଭାବି ପ୍ରଧାନମନ୍ତ୍ରୀ ସାମ୍ବାଦିକଙ୍କ
ପ୍ରଶ୍ନର ଉତ୍ତର ଦେଇଥିଲେ ଓ ଭାବି ବୈଦେଶିକ ମନ୍ତ୍ରୀ ତାଙ୍କର ବୈଦେଶିକ ନୀତି ଉତ୍ତର ଗୁଡିକୁ ଵିସ୍ତାରିତ କରିଥିଲେ ।
ସଂକ୍ଷେପରେ ନିମ୍ନରେ କିଛି ତଥ୍ୟ –
1- ବଙ୍ଗଳାଦେଶ ପ୍ରଥମ – ବୈଦେଶିକ ନୀତିକୁ ଜାତୀୟ ସ୍ୱାର୍ଥ ଓ ବଙ୍ଗଳାଦେଶର ଜନଗଣଙ୍କ ସ୍ଵାର୍ଥ ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ଉଲ୍ଲେଖ କରିଥିଲେ ।
2- କୌଣସି ନିର୍ଦ୍ଦିଷ୍ଟ ଗୋଟିଏ ଦେଶ ଉପରେ ଅତ୍ୟଧିକ ନିର୍ଭରଶୀଳ ନ ହେଇ ସମସ୍ତ ପଡୋଶୀ ଦେଶ ସହିତ ସନ୍ତୁଳିତ ଓ ନ୍ୟାୟସଂଗତ ସମ୍ପର୍କ ରହିବ ।
3- ଭାରତର India Today,PTI,
WION,NDTV,The Wire ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ
ହୁମାୟୁନ କବୀର କହିଥିଲେ ଶେଖ ହସିନାଙ୍କ ସମୟର ପୁରୁଣା ଫ୍ରେମୱାର୍କ ଆଉ ନାହିଁ । ଶେଖ ହସିନା ଓ ଆୱାମୀ ଲିଗ ଆଜିର ବଙ୍ଗଳା ଦେଶକୁ ପ୍ରତିନିଧିତ୍ୱ କରୁ ନାହାନ୍ତି । ଅତୀତରେ ଭାରତ ସହିତ ସମ୍ପର୍କ ବଙ୍ଗଳାଦେଶର ସ୍ୱାର୍ଥ ଅପେକ୍ଷା ଭାରତର ସ୍ଵାର୍ଥକୁ ଅଧିକ ପ୍ରାଧାନ୍ୟ ପ୍ରଦାନ କରୁଥିଲା । ବିଗତ 15 ବର୍ଷ ଧରି ହସିନାଙ୍କ ଶାସନରେ ବୈଦେଶିକ ନୀତି ଉଦ୍ବେଗଜନକ ଥିଲା ଓ ଭାରତର ବୈଦେଶିକ ନୀତି ସହିତ ମିଶ୍ରଣ ହେଇ ଯାଇଥିଲା । ତେଣୁ ବର୍ତ୍ତମାନର ବଙ୍ଗଳାଦେଶ- ଭାରତ ସମ୍ପର୍କକୁ ପୁନଃ ନିର୍ଦ୍ଧାରଣ କରିବାକୁ ହେବ ।
4- ଭାରତ ବର୍ତ୍ତମାନ ବଙ୍ଗଳାଦେଶର ରାଜନୈତିକ ପରିବର୍ତ୍ତନକୁ ସ୍ୱୀକାର କରିବା ଜରୁରୀ ଓ ପାରସ୍ପରିକ ସମ୍ମାନ ଭିତ୍ତିକ ସମ୍ପର୍କ ପ୍ରତିଷ୍ଠା ଗଢି ଉଠିବା ଜରୁରୀ ।
5-କେବଳ ଭାରତ ମଧ୍ୟରେ ବ୍ୟବସାୟିକ ଅଥବା ସହଭାଗୀତା ଚୁକ୍ତିନାମା ସୀମିତ ନକରି ଅନ୍ୟମାନଙ୍କ ସହ ମଧ୍ୟ ସାମିଲ ହେବ ।
6- ୟୁମାୟୁନ କବୀର ବହୁପକ୍ଷୀୟ, ଆଞ୍ଚଳିକ ସହଯୋଗ ଯଥା BIMSTEC/ SAARC ଉପରେ ଗୁରୁତ୍ୱ ଦେଇଥିଲେ ଓ ଦକ୍ଷିଣ ଏସିଆ କୁ ଅଧିକ ପ୍ରଭାବଶାଳୀ କରିବା ମତ ଦେଇଥିଲେ ।
7- ଭାରତର ସାମ୍ବାଦିକଙ୍କ ଶେଖ ହସିନାଙ୍କ ପ୍ରତ୍ୟାର୍ପଣ ଉପରେ ପ୍ରଶ୍ନର ଉତ୍ତର ଦେଇ ତାରିକ ରେହମାନ କହିଥିଲେ, ଏହା ଆଇନଗତ ପ୍ରକ୍ରିୟା ଉପରେ ନିର୍ଭର କରିବ । ଏହି ବିଷୟ ପ୍ରତିଷ୍ଠିତ ଆଇନଗତ ପ୍ରକ୍ରିୟା ଓ 2013 ଭାରତ-ବଙ୍ଗଳାଦେଶ ଚୁକ୍ତି ଭିତ୍ତିକ କୂଟନୈତିକ ପ୍ରକ୍ରିୟାରେ ସମାଧାନ ହେବ ।
ବିଏନପିର ବରିଷ୍ଠ ନେତା ସଲାଉଦ୍ଦିନ ଅହମ୍ମଦ ପ୍ରେସ ବର୍ତ୍ତାଳାପରେ କହିଛନ୍ତି ନୂତନ ସରକାର ବୈଦେଶିକ ମନ୍ତ୍ରଣାଳୟ ମାଧ୍ୟମରେ ପ୍ରତ୍ୟାର୍ପଣ ଉପରେ ଗୁରୁତ୍ୱ ପ୍ରଦାନ କରିବ । ଅନ୍ୟତମ ବରିଷ୍ଠ ନେତା ମିର୍ଜା ଫକରୁଲ ଇସଲାମ ଆଲାମଗିରି କହିଛନ୍ତି ଭାରତ ଆଇନଗତ ପ୍ରକ୍ରିୟା ଅନୁସରଣ କରି ହସିନାଙ୍କୁ ପ୍ରତ୍ୟାର୍ପଣ କରିବା ଜରୁରୀ ।
8- ଶପଥ ଗ୍ରହଣ ଉତ୍ସବକୁ ଭାରତ, ପାକିସ୍ତାନ, ଚୀନ ,ସାଉଦୀ ଆରବୀୟା, ତୁର୍କୀ, ସଂଯୁକ୍ତ ଆରବ ଏମିରେଟ, କତାର ସମେତ 13 ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରିବା ଖବର ଆସୁଛି ।
କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଏଥିରେ ସାମିଲ ହେବେ ନାହିଁ ।
ତାରିକ ରେହମାନଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଉଛି ଉଭୟ ଦେଶମଧ୍ୟରେ ସ୍ଥଗିତ ହେଇ ଥିବା ଦ୍ଵି-ପାକ୍ଷିକ ସମ୍ପର୍କ ଆଲୋଚନା ଆରମ୍ଭ ହେବ । କାରଣ ବଙ୍ଗଳା ଦେଶରେ ଅଦାନୀ ପାୱାର ଯୋଗାଣ ବିଷୟଟି ବିବାଦୀୟ ହେଇ ରହିଛି । ଶେଖ ହସିନାଙ୍କ ସମୟରେ 2017 ମସିହାରେ 25 ବର୍ଷୀୟ Power Purchase Agreement ଉପରେ ନୂଆ ସରକାର ପୁନଃ ସମୀକ୍ଷା କରିବା ସମ୍ବାବନା ରହିଛି । କାରଣ ବିଏନପି ଓ ସାଧାରଣ ନାଗରିକଙ୍କ ଏହା ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ଇସ୍ୟୁ ଥିଲା । ତେଣୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଶେଖ ହସିନା ପ୍ରତ୍ୟାର୍ପଣ ଓ ଆଦାନୀ PPA ବିବାଦ ସମାଧାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
