Story : A Different Savitri & her Contribution ଭିନ୍ନ ଏକ ସାବିତ୍ରୀ

ଭୁବନେଶ୍ୱର :(ସୌଭାଗ୍ୟ ପାଣିଗ୍ରାହୀ)-ରାତି ଗଭୀର ହେଉଥିଲା । ବାହାରେ ପ୍ରବଳ ବର୍ଷା , ଝରକାର କାଚ ଦେଇ ଘର ଭିତରକୁ ଧସେଇ ପଶୁଥିଲା ବିଜୁଳି ଓ ଘଡ଼ଘଡ଼ିର ରୋଶଣି । ଝରକାର କାଚରେ ସଙ୍ଗୀତର ମଧୁର ମୂର୍ଚ୍ଛନା ତୋଳୁଥିଲା ବର୍ଷା ବିନ୍ଦୁ । ନିଜ କାମ ସାରି ଶୟନ କକ୍ଷକୁ ପଶି ସ୍ୱାମୀ ପ୍ରକାଶ ନିଦରେ ଘୁଙ୍ଗୁଡ଼ି ମାରୁଥିବା ଦେଖୁଥିଲା ଅନନ୍ୟା । ଅନନ୍ୟା ଫେରିଯାଉଥିଲା ଅତୀତକୁ । ସେ ସାମ୍ବାଦିକତାର ଛାତ୍ରୀ ଥିବା ବେଳେ ଦିନେ ଏକ ରିପୋର୍ଟ ପଢି ଏହି ନୀତିଗିରି ପାହାଡ ତଳି ଅଞ୍ଚଳକୁ ଆସିଥିଲା । ଖଣି ଖନନ ପ୍ରସ୍ତାବ ଓ ବିସ୍ଥାପନ ଆଦିକୁ ନେଇ ଏ ଅଞ୍ଚଳରେ ମୁଣ୍ଡ ଟେକିଥିଲା ବିରାଟ ଜନ ଆନ୍ଦୋଳନ, ଆଉ ସେହି ଆନ୍ଦୋଳନର ପୁରୋଧା ଥିଲା ଏହି ବିପ୍ଳବୀ ପ୍ରକାଶ ଦାସ  । 

ପାହାଡ ଜଙ୍ଗଲ ଭରା ଆଦିବାସୀ ଗାଁରୁ ସେଦିନ ଫେରିପାରିନଥିଲା ଅନନ୍ୟା । ସେଦିନର ରାତି ଥିଲା ବି ବର୍ଷଣମୁଖର, ଆଉ ସେଦିନ ପ୍ରକାଶ ଦେହରେ ବି ଖଇଫୁଟା ତାତି, ଜ୍ବରରେ ଦେହଟା ଥରି ଯାଉଥାଏ, ଏକ ସାକ୍ଷାତକାର ନେବାକୁ ଆସି ଅନନ୍ୟା କିନ୍ତୁ ମାନବିକତା ଦୃଷ୍ଟିକୋଣରୁ ଅନୁନ୍ନତ ଆଦିବାସୀ ଗ୍ରାମର ଶେଷ ମୁଣ୍ଡ ଘରେ ରହିଯାଇଥିଲା କେବଳ ଏକ ଅସୁସ୍ଥ ମଣିଷକୁ ସେବା ଦେବାକୁ । ପରଦିନ ସାମାନ୍ୟ ସୁସ୍ଥ ହୋଇଥିଲା ପ୍ରକାଶ । ପ୍ରକାଶର ବିପ୍ଳବୀ ଅଭିବ୍ୟକ୍ତି ତାକୁ ଆକୃଷ୍ଟ କରିଥିଲା । ଆଉ ସେଇଠୁ ହିଁ ଉଭୟଙ୍କ ମନରେ ପ୍ରେମର ବୀଜବପନ ହେଇଥିଲା । ପ୍ରକାଶ ବି ଥିଲା ସହରରେ ବଢ଼ିଥିବା ପୁଅ, କିନ୍ତୁ ଆଦିବାସୀଙ୍କ ଜଳ, ଜମି, ଜଙ୍ଗଲର ସୁରକ୍ଷା ପାଇଁ ସେ ନୀତିଗିରି ପାହାଡ ତଳି ଅଞ୍ଚଳକୁ ନିଜ କର୍ମକ୍ଷେତ୍ର କରିଥିଲା, ତେବେ  ଉଭୟେ ଥିଲେ ଭିନ୍ନ ଜାତିର । ତେଣୁ ଅନନ୍ୟାର ପରିବାର ଉଭୟଙ୍କ ପ୍ରେମକୁ ବିରୋଧ କରିଥିଲେ । କିନ୍ତୁ ପ୍ରେମ କି ମାନେ ପ୍ରତିବନ୍ଧକ? ଉଭୟେ ସବୁ ପ୍ରତିବନ୍ଧକ ଏଡାଇ ବିବାହ କରିଥିଲେ ।

ଅନନ୍ୟା ଓ ପ୍ରକାଶର ବିବାହକୁ ଦୁଇ ମାସ ପୁରି ଯାଇଥିବା ବେଳେ ରାତି ପାହିଲେ ସାବିତ୍ରୀ ବ୍ରତ । ଜୀବନରେ ପ୍ରଥମ ଥର ସେ ସାବିତ୍ରୀ ବ୍ରତ ରଖିବ । ଅନନ୍ୟାର ମନେ ପଡ଼ୁଥିଲା ଗତ ବର୍ଷ ସାବିତ୍ରୀ ଅମାବାସ୍ୟା ଦିନର କଥା । ମାଆ ତା’ର ଉପବାସ ରଖିଥିଲେ । ପୂଜା ସାରି ଯେତେବେଳେ ସେ ତାଙ୍କ ସ୍ବାମୀ ବା ଅନନ୍ୟା ବାପାଙ୍କୁ ମୁଣ୍ଡିଆ ମାରିଲେ, ସେତେବେଳେ ହସିକି ଅନନ୍ୟା ପଚାରୁଥିଲା ସତରେ କଣ ସ୍ତ୍ରୀ ଉପାସ ରହି ସାବିତ୍ରୀ ବ୍ରତ ରଖିଲେ ସ୍ୱାମୀର ଆୟୁଷ ବଢେ? ଏବେ କିନ୍ତୁ ସାବିତ୍ରୀ ବ୍ରତର ମହତ୍ତ୍ଵ ବୁଝୁଥିଲା ଅନନ୍ୟା । ଏହା କେବଳ ଏକ ବ୍ରତ ନୁହେଁ, ବରଂ ସ୍ବାମୀ ପ୍ରତି ସ୍ତ୍ରୀର ଅନାବିଳ ଭଲପାଇବା, ସମର୍ପିତ ଭାବନାକୁ ଜଣାଇବାର ଏକ ପବିତ୍ର ମୂହୁର୍ତ୍ତ । ଏହା ପୁରାଣର ଗପ ନୁହେଁ, ବରଂ ପରସ୍ପର ପ୍ରତି ଥିବା ବିଶ୍ବାସକୁ ଦୃଢ଼ କରିବା ସହ ଜୀବନସାଥୀ ପାଇଁ ଶୁଭମନାସିବାର ଏକ ଆତ୍ମିକ ସଂକଳ୍ପ ମାତ୍ର । ନିଘୋଡ଼ ନିଦରେ ଶୋଇଥିଲା ପ୍ରକାଶ । ପ୍ରକାଶ ଭଳି ଏକ ବିପ୍ଳବୀକୁ ସ୍ବାମୀ ରୂପେ ପାଇଁ ଗର୍ବ ଅନୁଭବ କରୁଥିଲା ଅନନ୍ୟା ।  ବର୍ଷା ପାଇଁ ଶୀତ ଲାଗୁଥିଲା । ବେଡସିଟଟାକୁ ପ୍ରକାଶ ଦେହରେ ଢ଼ାଙ୍କିଦେଇ ପ୍ରକାଶକୁ ଜାବୁଡ଼ି ଧରି ଶୋଇବାକୁ ଯାଉଥିଲା ଅନନ୍ୟା । ହଠାତ୍ ମୁଣ୍ଡ ଉପରେ ଚାର୍ଜରେ ବସିଥିବା ପ୍ରକାଶର ମୋବାଇଲ ବ୍ଲିଙ୍କ କଲା । ଚାର୍ଜ କମ୍ପ୍ଲିଟ ହେଲାଣି ଭାବି ମୋବାଇଲ ଖୋଲିବାକୁ ଯାଇ ଏକ ହ୍ୱାଟ୍ସାପ ମେସେଜ ଦେଖିଥିଲା ଅନନ୍ୟା । ନୀତିଗିରି ପାହାଡ଼ରେ ଖଣିଖନନ କରିବାକୁ ଚାହୁଁଥିବା ମାଇନିଂ କମ୍ପାନୀର ଏଚଆର୍ ମୁଖ୍ୟ     ନିଶିଗନ୍ଧା ମିଶ୍ର ମେସେଜ ପଠେଇଥିଲା । କଂପାନୀ ସହ ପ୍ରକାଶର ପୂର୍ବ ଆଲୋଚନା ଅନୁସାରେ ପ୍ରକାଶକୁ ଚାହିଁବା ଅନୁଯାୟୀ ଟଙ୍କା ସହ କମ୍ପାନୀ ଅଧୀନରେ ଠିକା କାମ ଯୋଗେଇ  ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିବା ସେ  ଜଣାଇଦେଇଥିଲା । ପରଦିନ ସଞ୍ଜ ବେଳେ ପାହାଡ ତଳି ନିଛାଟିଆ ଗେଷ୍ଟ ହାଉସକୁ ଏକାକୀ ଯିବାକୁ ନିଶିଗନ୍ଧା ଲେଖିଥିଲା । ନିଜ ଆଖିକୁ ବିଶ୍ଵାସ କରିପାରୁନଥିଲା ଅନନ୍ୟା । ସେ ଯେଉଁ ବିପ୍ଲବୀକୁ ଭଲ ପାଉଥିଲା, ଏ କଣ ସେହି ପ୍ରକାଶ? ନିଶିଗନ୍ଧା ସହ ପୂର୍ବର ସବୁ ମେସେଜ ମଧ୍ୟ ଡିଲିଟ କରିଦେଇଥିଲା ପ୍ରକାଶ । କ୍ରମାଗତ ଭାବେ ଖଣି କମ୍ପାନୀର ଅଧିକାରୀଙ୍କ ସହ ମେସେଜ ଯୋଗାଯୋଗରେ ଥିବା ପ୍ରକାଶ ଏବେ ଅନନ୍ୟାର ସନ୍ଦେହ ଘେରକୁ ଆସିସାରିଥିଲା । ପ୍ରକାଶ ଅଜାଣତରେ ଏବେ ଆଉ କିଛି ପ୍ରମାଣର ଅପେକ୍ଷା ରଖିଥିଲା ଅନନ୍ୟା ।

ଗୋଟିଏ ଶଯ୍ୟାରେ ଥିଲେ ବି ପ୍ରକାଶ ଏବେ ଅନନ୍ୟାର ହୃଦୟ ଠାରୁ ଯୋଜନ ଯୋଜନ ଦୂରକୁ ଚାଲିଯାଇଥିଲା  । ନିରବରେ ଅନ୍ୟ ଦିଗକୁ ମୁହଁ କରି ଶୋଇଯାଇଥିଲା ଅନନ୍ୟା । ରାତି ପାହି ସକାଳ ହେଲା । ଦିନ ଥିଲା ସାବିତ୍ରୀ ବ୍ରତର । ହେଲେ ଅନନ୍ୟା ମନରେ ନଥିଲା ସରାଗ । କାଲି ଯାଏ ନିଜ  ନାଲି ଶଙ୍ଖା ଓ ସୀମନ୍ତର ସିନ୍ଦୂର ଭିତରେ ସେ ଜୀବନର ସବୁ କିଛି ଖୁସିକୁ ଅନୁଭବ କରୁଥିଲା, ହେଲେ କିଛି ସମୟ ଭିତରେ ଏକ ଭୟଙ୍କର ଝଡ଼ ଆସି ତାର ଜୀବନକୁ ଧ୍ଵଂସ୍ତ ବିଧ୍ୱସ୍ତ କରିଦେଇଥିଲା ।

ଦିନରେ ସାବିତ୍ରୀ ବ୍ରତ ପାଇଁ ଉପବାସ ବି ରଖିଲା ଅନନ୍ୟା । ଅନନ୍ୟା ମନର ସନ୍ଦେହ ସମ୍ପର୍କରେ କିନ୍ତୁ ଟିକେ ବି ସୂଚନା ପାଇନଥିଲା ପ୍ରକାଶ ଓ ସେ ସଂଜ ହେଲା ମାତ୍ରେ ବାଇକ୍ ଧରି କୁଆଡେ଼ ବାହାରିଗଲା । ରାତିର ମେସେଜ ପଢିଥିବା ଅନନ୍ୟା ଏବେ ଦୂରତା ରଖି ପଛେ ପଛେ ସ୍କୁଟି ଧରି ବାହାରି ପଡ଼ିଲା । ପ୍ରକାଶ ନିଜ ଘରଠୁଁ ପ୍ରାୟ ସାତ/ ଆଠ କିମି ଦୂର ସହର ଉପକଣ୍ଠରେ ଥିବା ଏକ ପାହାଡ ତଳି ନିର୍ଜନ ଗେଷ୍ଟ ହାଉସ ଗେଟ୍ ଅତିକ୍ରମ କରି ଭିତରେ ପଶିଲା । ଗେଟ୍ ବାହାରେ ଏକ ଅଂଧାରୁଆ ସ୍ଥାନରେ ନିଜ ସ୍କୁଟି ଥୋଇ ପଛେ ପଛେ ଭିତରକୁ ପଶିଗଲା ଅନନ୍ୟା। ଗେଷ୍ଟ ହାଉସର ଏକ ରୁମ୍ ଭିତରୁ ଏକାଧିକ ଲୋକଙ୍କ କୋଳାହଳ ଆସୁଥିବା ଶୁଣି ଝରକା ପାଖକୁ ଯାଇ ଭିତରକୁ ଚାହିଁବାକୁ ଚେଷ୍ଟା କଲା ଅନନ୍ୟା । ତେବେ ତାକୁ ବେଶି କଷ୍ଟ କରିବାକୁ ପଡିଲାନି, ପୁରୁଣା କାଠ ଝରକାର ପଟା ଶୁଖିଯାଇ ବେଶ ଫାଙ୍କ ସୃଷ୍ଟି ହେଇଥିଲା । ଭିତରେ ସୁଟ ବୁଟ ପରିହିତ କିଛି ଲୋକଙ୍କ ସହ ଏକ ଝିଅ ବସିଥିଲା, ଗତକାଲିର ହ୍ୱାଟସାପ ପ୍ରୋଫାଇଲ୍ ଫଟୋ ଦେଖିଥିବା ଅନନ୍ୟା ନିଶ୍ଚିତ ହେଲା ଯେ, ସେ ହିଁ ନିଶିଗନ୍ଧା  । ଘର ଭିତରୁ ବାହାରକୁ ଶୁଣାଯାଉଥିବା କଥା କିନ୍ତୁ ଅନନ୍ୟାକୁ ଉତ୍ତ୍ୟକ୍ତ କରିଦେଲା ।  ଖଣି ଖନନ ରୋକିବା ନାମରେ ନିରକ୍ଷର ସରଳ ଆଦିବାସୀଙ୍କ ଠାରୁ ଟିପ ଚିହ୍ନ ଆଣି ଜମି, ଜଙ୍ଗଲ ହଡ଼ପ କରିବାକୁ ଯୋଜନା ପ୍ରସ୍ତୁତ ହେଉଥିଲା ଭିତରେ । କେବଳ ସେତିକି ନୁହେଁ ସରଳ ଆଦିବାସୀଙ୍କୁ ଠକି ଜମି ହାତେଇବା ପରେ ଯେତେବେଳେ ଖଣି ଖନନ ଆରମ୍ଭ ହେବ, ସେତେବେଳେ ପ୍ରକାଶକୁ ଖଣି କମ୍ପାନୀ ଅନ୍ୟାନ୍ୟ ଫାଇଦା ଦେବ ବୋଲି ନିଶିଗନ୍ଧା କହିବା ବେଳେ ସୁଟ୍ ବୁଟ୍ ପରିହିତ କମ୍ପାନୀ ଅଧିକାରୀ ଜଣେ ପ୍ରକାଶ ହାତକୁ କେଇ ବିଡା ନୋଟ ବଢେଇବା ସହ ଏହା କେବଳ ଅଗ୍ରୀମ, କାମ ସଂପୂର୍ଣ୍ଣ ହେବା ପରେ ସହରରେ ଘର ସହ ଗାଡ଼ି ମଧ୍ୟ ମିଳିବ ବୋଲି ପ୍ରତିଶ୍ରୁତି ଦେଉଥିଲେ । ଟଙ୍କା ଧରିବା ପରେ ନିର୍ଲଜ୍ଜ ହସ ହସି କମ୍ପାନୀ ଅଧିକାରୀଙ୍କୁ ଚାହିଁ ପ୍ରକାଶ କହିଥିଲା କଣ କେବଳ ଏତିକି ? ଅଧିକାରୀ ଜଣଙ୍କ ହସିଦେଇ କହିଥିଲେ, ତୁମକୁ (ପ୍ରକାଶକୁ) ଖୁସି କରିବାକୁ ସବୁ ବ୍ୟବସ୍ଥା ହେଇସାରିଛି । କିଛି ସମୟ ଅପେକ୍ଷା କରିବାକୁ କହି ନିଶିଗନ୍ଧା ଓ ଅନ୍ୟ କର୍ମଚାରୀ ବାହାରି ଯିବା ପରେ ଟଙ୍କା ବିଡାକୁ ହାତରେ ଧରି ଚୁମ୍ବନ ଦେଇଥିଲା ପ୍ରକାଶ । ସେପଟେ ଗେଟ୍ ବାହାରକୁ ଏକ କାର ବାହାରି ଯିବାର ଶବ୍ଦ ସହ ଆଉ ଏକ କାର ଆସିଥିଲା । ଝରକା ପଛପଟୁ ଅନନ୍ୟା ଦେଖୁଥିଲା କ୍ଷୁଦ୍ର ଏବଂ ଉତ୍ତେଜକ ପୋଷାକ ପରିହିତା ଯୁବତୀ ଜଣେ ହାତରେ ବିଦେଶୀ  ମଦ ବୋତଲ ଓ କିଛି ପୁଡିଆ ଧରି ପ୍ରକାଶ ଥିବା ରୁମ୍ ଭିତରକୁ ପ୍ରବେଶ କରୁଥିଲେ । ସେହି ଯୁବତୀକୁ ଦେଖି ଚମକି ଉଠୁଥିଲା ପ୍ରକାଶଙ୍କ ଆଖି । ପ୍ୟାକେଟରୁ ମାଂସ କଷା ବାହାର କରି ଖାଇବା ସହ ମଦ ପିଇ ସଂପୃକ୍ତ ଯୁବତୀକୁ ଜାବୁଡ଼ି ଧରିଥିଲା ପ୍ରକାଶ । ଘୃଣାରେ ଲାଲ୍ ହୋଇ ଆସୁଥିଲା ଅନନ୍ୟାର ମୁହଁ । ପ୍ରକାଶକୁ ସେ ନିଜ ଜୀବନ ଭାବିଥିଲା । ପ୍ରକାଶ ପ୍ରେମରେ ସେ ନିଜ ପରିବାର ଛାଡ଼ି ଚାଲି ଆସିଥିଲା । ଆଜି କିନ୍ତୁ ସେହି ପ୍ରକାଶ ଆଉ କେଉଁ ଯୁବତୀ ସହ ସମ୍ଭୋଗ ରଚୁଛି, ଆଉ ସେ ଝରକା ଆରପଟୁ ସେସବୁ ଲୁଚି ଦେଖୁଛି । ପ୍ରକାଶକୁ ଅଲଗା ଝିଅ ସହ ଦେଖି ଅନନ୍ୟା ଯେତିକି କଷ୍ଟ ପାଉନଥିଲା, ତାହାଠୁ ଅଧିକ ଆହତ ହେଉଥିଲା ପ୍ରକାଶର ଅସଲ ସତ୍ୟ ଜାଣି । ଅସଲରେ ଆଦିବାସୀଙ୍କ ସ୍ବାର୍ଥ ଓ ଅଧିକାର ପାଇଁ ଲଢେଇ ବାହାନାରେ ଆଦିବାସୀଙ୍କ ଭବିଷ୍ୟତ ନଷ୍ଟ ପାଇଁ ଗାଡ଼ ଖୋଳୁଥିଲା ପ୍ରକାଶ । ସେ ଆଦିବାସୀଙ୍କ ହିତାକାଙ୍କ୍ଷୀ ବିପ୍ଳବୀ ନୁହଁ, ବରଂ ବାସ୍ତବରେ ପ୍ରକାଶ ଥିଲା ଏକ ଛଦ୍ମବେଶୀ କମ୍ପାନୀ ଦଲାଲ୍ । କିନ୍ତୁ ତାର ଛଦ୍ମବେଶକୁ ଜାଣିନଥିବା ଆଦିବାସୀ ଲୋକେ ତାକୁ ଦେବତା ଭଳି ସମ୍ମାନ କରୁଥିଲେ, ତାର ଗୋଟେ ଡାକରାରେ ବିଦ୍ରୋହର ନିଆଁ ଜଳୁଥିଲା । ଆଦିବାସୀ ଲୋକେ ଭାବୁଥିଲେ ବଡ ଅଧିକାରୀ, ନେତା, ମନ୍ତ୍ରୀ ସମାଜର ଯେଉଁ ଲୋକଙ୍କ ଗୁହାରୀ ଶୁଣନ୍ତି ନାହିଁ, ସେହି ଶୋଷିତ, ନିଷ୍ପେସିତ ଲୋକଙ୍କ ସ୍ଵର  ହେଉଛି ପ୍ରକାଶ । ଆଉ ସେହି ପ୍ରକାଶର ସ୍ତ୍ରୀ ହିସାବରେ ଅନନ୍ୟାର ନୀତିଗିରି ଅଞ୍ଚଳରେ ବି ବହୁତ୍ ସମ୍ମାନ ଥିଲା । ତେବେ ଦିନେ ନା ଦିନେ ପ୍ରକାଶର ଅସଲ ଚେହେରା ସେ ଅଞ୍ଚଳର ଆଦିବାସୀଙ୍କ ସାମ୍ନାକୁ ଆସିବ, ସେତେବେଳେ କଣ ହେବ? ପ୍ରକାଶ  ସତ ଜାଣିବା ପରେ ଲୋକଙ୍କ ବିଶ୍ୱାସ ଭାଙ୍ଗିଯିବ, ଆଉ ତା ସହ ପ୍ରକାଶର ତଥାକଥିତ ଭାବମୂର୍ତ୍ତି ମଧ୍ୟ ମାଟିରେ ମିଶିଯିବ ।

ଏବେ ଅନନ୍ୟା   ଭାବନାର ଦୋଛକିରେ ଛିଡା ହୋଇଥିଲା । ସ୍ତ୍ରୀ ହିସାବରେ ନିରବ ରହି ସ୍ୱାମୀର ଶଠତାକୁ ପ୍ରୋତ୍ସାହନ ଦେବ ନା ନିଜ ସମାଜ ବିରୋଧୀ ଛଦ୍ମବେଶୀ ସ୍ବାମୀର ଜୀବନ ଦୀପ ଲିଭେଇ ସବୁଦିନ ପାଇଁ ସ୍ୱାମୀର ଛଦ୍ମବେଶକୁ ଦୁନିଆଁ ସାମ୍ନାରୁ ଲୁଚେଇ ଦେବ? ପ୍ରକାଶ ବଞ୍ଚି ରହିଲେ ଖଣି କମ୍ପାନୀର ଜେସିବି ଆଦିବାସୀଙ୍କ ଜମି ଓ ପାହାଡ଼ରେ ବୁଲିବ । ଆଦିବାସୀଙ୍କ ଆସ୍ଥା ଓ ବିଶ୍ବାସର ପ୍ରତୀକ ଡଙ୍ଗର ଦେବତାଙ୍କ ଆସ୍ଥାନ ବି ମାଟିରେ ମିଶିଯିବ । ଶାଳ ଜଙ୍ଗଲ ବି କଟା ହୋଇଯିବ । ପାହାଡ, ଜଙ୍ଗଲ, ଝରଣାରେ ସମୃଦ୍ଧ ତଥା ପ୍ରାକୃତିକ ଶୋଭାରେ ପ୍ରକୃତି ପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରୁଥିବା   ନୀତିଗିରି ଓ ଏହାର ଜଙ୍ଗଲ ଧ୍ବଂସ ପାଇଯିବ , ଆଉ ବିଶ୍ଵାସଘାତକର ସ୍ତ୍ରୀ ଭାବେ ସେ ବି ଅପନିନ୍ଦା ପାଇବ । ଅନନ୍ୟା ଏବେ ଚରମ ପଦକ୍ଷେପ ନେବାକୁ ନିଜକୁ ପ୍ରସ୍ତୁତ କରୁଥିଲା । ସମାଜ ବିରୋଧୀ ଅପରାଧୀକୁ ଶାସ୍ତି ଦେବାକୁ ଯଦି ଅସ୍ତ୍ର ଉଠେଇବାକୁ ପଡେ ତାହା ଆଦୌ ପାପ ନୁହେଁ । ତେବେ ସେ ଭାରତୀୟ ନାରୀ, ନିଜ ହାତରେ ନିଜ ମଥାର ସିନ୍ଦୂର ପୋଛିବା କଥା ଭାବିବା ବେଳକୁ ତାର ଅନ୍ତର ଭିତରଟା ଯେମିତି କୋରି ହୋଇଯାଉଥିଲା । ତେବେ ଆଦର୍ଶର ମୃତ୍ୟୁରେ ବ୍ୟକ୍ତିର ମୃତ୍ୟୁ ହୁଏ, ସମାଜର ବି ଅଶେଷ କ୍ଷତି ହୁଏ । ପ୍ରତାରକ ପ୍ରକାଶର ଛଦ୍ମବେଶ ଦୁନିଆଁ ସାମ୍ନାକୁ ନଆସୁ, ମୃତ୍ୟୁ ପରେ ପ୍ରକାଶ ଅମର ସଂଗ୍ରାମୀ ହୋଇ ତାର ସତ ଜାଣିନଥିବା ଲୋକଙ୍କ ଭିତରେ ବଞ୍ଚିରହୁ ଏବଂ ଅନନ୍ୟା ଏକ ବିଶ୍ବାସଘାତକର ସ୍ତ୍ରୀ ଅପେକ୍ଷା ଏକ ବିପ୍ଲବୀର ବିଧବା ପତ୍ନୀ ଭାବେ ବଞ୍ଚିବାକୁ ଏବେ ସମ୍ମାନଜନକ ଭାବୁଥିଲା । ଝରକାର ଫାଙ୍କ ଦେଇ ଏବେ ପ୍ରକାଶ ଥିବା ଗେଷ୍ଟ ହାଉସ ରୁମ୍ ଭିତରକୁ ନିରେଖି ଦେଖୁଥିଲା ଅନନ୍ୟା । ପ୍ରକାଶ ପାଖକୁ ଆସିଥିବା ଯୁବତୀ ଏବେ ନିଜ ପୋଷାକ ପିନ୍ଧୁଥିଲେ । ମଦ ନିଶାରେ ସମ୍ଭୋଗ ପରେ ନିସ୍ତେଜ୍ ହୋଇ ବେଡରେ ଶୋଇଯାଇଥିଲା ପ୍ରକାଶ । ଆଉ ତକିଆ ତଳୁ ଦେଖାଯାଉଥିବା ଟଙ୍କା ବିଡ଼ାକୁ ନିଜ ଭ୍ୟାନିଟି ବ୍ୟାଗରେ ପୁରାଇ ଯୁବତୀ ଜଣଙ୍କ ରୁମରୁ ବାହାରିବାର କିଛି ମିନିଟ ଭିତରେ ଯୁବତୀଙ୍କ କାର ବି ଗେଷ୍ଟ ହାଉସ୍ ଗେଟ୍ ଡେଇଁ ବାହାରିଗଲା । ଅନନ୍ୟାର ମନେ ପଡ଼ୁଥିଲା କିଛି ଦିନ ତଳେ ପରିବା କାଟିବା ପାଇଁ ସେ ପାଖ ବଜାରରୁ କିଣିଥିବା ବଡ ଛୁରୀଟେ ସ୍କୁଟି ଡିକିରେ ପଡ଼ିରହିଛି । ସେହି ଛୁରୀକୁ ଅନ୍ଧାରରେ ଥୁଆ ଯାଇଥିବା ସ୍କୁଟିରୁ ଆଣିବାକୁ ଯିବା ବେଳକୁ ଗେଟ୍ ପାଖ ରୁମରୁ ବୃଦ୍ଧ ସିକ୍ୟୁରିଟି ଗାର୍ଡର ଘୁଙ୍ଗୁଡ଼ି ଶୁଣି ଆଶ୍ବସ୍ତ ହୋଇଥିଲା ଅନନ୍ୟା । ଛୁରୀ ଧରି ଅତି  ସନ୍ତର୍ପଣରେ ପ୍ରକାଶ ଶୋଇଥିବା ରୁମ୍ ଭିତରକୁ ପଶିଥିଲା ଅନନ୍ୟା । ଯୁବତୀ ଜଣଙ୍କ ଯିବା ପରେ ନିସ୍ତେଜ୍ ହୋଇ ଶୋଇଥିବା ପ୍ରକାଶ ରୁମର କବାଟ ବି ବନ୍ଦ କରିନଥିଲା । ରୁମ୍ ଭିତରେ ଅନନ୍ୟାର ଉପସ୍ଥିତି ନେଇ ସାମାନ୍ୟ ଆଭାସ ବି ପାଇନଥିଲା ପ୍ରକାଶ । ପ୍ରକାଶକୁ ଉଠେଇବାର ଚେଷ୍ଟା କରିଥିଲା ଅନନ୍ୟା । ନିଦ ମଳ ମଳ ଆଖିରେ ସାମ୍ନାକୁ ଚାହିଁବା ବେଳକୁ ଅନନ୍ୟା ହାତରେ ଚମକୁ ଥିବା ଛୁରୀ ଦେଖି ଚମକି ପଡ଼ିଥିଲା ପ୍ରକାଶ । ତେବେ ନିଶାରେ ଥିବା ପ୍ରକାଶ କିଛି ଶବ୍ଦ କରିବା ପୂର୍ବରୁ ଅନନ୍ୟା ହାତର ଛୁରୀ ପ୍ରକାଶ ଗଳା ଭିତରେ ପଶିସାରିଥିଲା । ପ୍ରକାଶର ଆଖିରେ ଥିଲା ମୃତ୍ୟୁର ଭୟ । ଦଲକାଏ ରକ୍ତ ଛିଟିକି ପଡିଥିଲା ଓ ଅନନ୍ୟାର ହାତ ରକ୍ତରେ ଭିଜିଯାଇଥିଲା । ଆଉ ସାବିତ୍ରୀ ଦିନ ହିଁ ସେହି ରକ୍ତ ଭିଜା ହାତରେ ନିଜ ମଥାର ସିନ୍ଦୂରକୁ ଅନନ୍ୟା ପୋଛି ଦେବା ପରେ  କିନ୍ତୁ ପାଗଳ ଭଳି ପ୍ରକାଶର ନିସ୍ତେଜ୍ ଶରୀରରେ ଛୁରିକାଘାତ କରି ଚାଲିଥିଲା । ସେଦିନ ସାବିତ୍ରୀ ଯମଙ୍କ ପାଖରୁ ନିଜ ସ୍ଵାମୀଙ୍କ ଜୀବନ ଫେରାଇ ଆଣିଥିଲେ, ହେଲେ ଆଜି ସେ ସାବିତ୍ରୀରେ ସମାଜର ମଙ୍ଗଳ ପାଇଁ ନିଜ ସ୍ୱାମୀର ବଧ କରିଛି । କିଛି ସମୟ ପରେ ଛୁରୀ ଧରି ରୁମ୍ ବାହାରୁ ଅନନ୍ୟା । ବାଟରେ ନଦୀ କୂଳରେ ପାଣି ଭିତରକୁ ଛୁରୀର ଦାଗ ସଫା କରି ଫିଙ୍ଗିଦେବା ପରେ ଚିତ୍କାର କରି କାନ୍ଦିଥିଲା ଅନନ୍ୟା । ଆଉ ତାପରେ ନଦୀରେ ଗାଧୋଇ ସେ ଘରକୁ ଫେରିଥିଲା ।

ନାରୀର ସିନ୍ଦୂର ତାର ଶ୍ରେଷ୍ଠ ସମ୍ପତ୍ତି, କିନ୍ତୁ ଯେତେବେଳେ ସେହି ସିନ୍ଦୂର ସମାଜ ପାଇଁ ଅଭିଶାପ ପାଲଟିଯାଏ, ତେବେ ସେତେବେଳେ ସେ ସିନ୍ଦୂରକୁ ପୋଛିଦେବା ଦରକାର, ଯାହା ସେ କରିଥିଲା । ଆଦର୍ଶ ଓ ସିନ୍ଦୂରର ଲଢେଇରେ ଅନନ୍ୟାର ଆଦର୍ଶ ସିନା ଜିତିଗଲା, ହେଲେ ତାହା କିନ୍ତୁ ଅନନ୍ୟାର ବାକି ଜୀବନ ପାଇଁ ଏକ କରୁଣ କାହାଣୀ ଲେଖିଦେଲା । ପରଦିନ ଖବର କାଗଜରେ ବାହାରିଥିବା ଖବରର ଶିରୋନାମା ଥିଲା ‘ ବିପ୍ଳବୀ ପ୍ରକାଶଙ୍କୁ ବିଭତ୍ସ ଭାବେ ହତ୍ୟା କଲେ ଖଣି ମାଲିକଙ୍କ ଗୁଣ୍ଡା ! ‘ । ତେବେ ସତ କଣ ଜାଣିଥିଲା ଅନନ୍ୟା, ଆଉ ସେପଟେ ତା ଘର ଆଗରେ ଜମା ହେଉଥିବା ସରଳ ଆଦିବାସୀ ‘ବିପ୍ଲବୀ ପ୍ରକାଶ ଅମର ରହେ’ ନାରା ଦେବା ବେଳେ କିଛି ଆଦିବାସୀ ସ୍ତ୍ରୀ ଲୋକ ତାକୁ ସମବେଦନା ଜଣାଇବାକୁ ଘର ଭିତରକୁ ପଶି ଆସୁଥିଲେ, ଆଉ ଅନନ୍ୟା ଭାବୁଥିଲା ଵିଶ୍ଵାସଘାତକ ସ୍ୱାମୀକୁ ହତ୍ୟା କରି ସେ ନିଜ ସଂସାରକୁ ସିନା ଉଜାଡି ଦେଲା, ହେଲେ ସେ ଏହି ସରଳବିଶ୍ବାସୀ ମଣିଷମାନଙ୍କ ବିଶ୍ୱାସକୁ କିନ୍ତୁ ବଞ୍ଚେଇ ଦେଇଛି l

Leave a Reply

Your email address will not be published. Required fields are marked *