୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର; ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ଗଞ୍ଜାମ ଜିଲ୍ଲାର ୧୦୬ଟି ହାଇସ୍କୁଲ, ଅନୁଗୁଳର ୮୭ଟି, କେନ୍ଦୁଝରର ୫୭ଟି ଓ ଜଗତସିଂହପୁରର ୧୦୭ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ତୃତୀୟ ପର୍ଯ୍ୟାୟରେ ସମୁଦାୟ ୨୧୫୧ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବର ଯୋଜନା ରହିଛି । ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବକୁ ଯାଉଛି ।ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଡି ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଛାତ୍ରଛାତ୍ରୀ ମାନଙ୍କ ସଫଳତା ହେଉଛି ଓଡିଶାର ସଫଳତା । ୫-ଟି ସ୍କୁଲ ଗୁଡିକରେ ପିଲାମାନଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଦେବା ପାଇଁ ପ୍ରଚେଷ୍ଟା କରାଯାଇଛି। ପିଲାମାନେ ଏହାର ସୁଯୋଗ ନେଇ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିପାରିଲେ, ସେମାନଙ୍କ ନିଜର ଓ ପରିବାରର ଗୌରବ ବୃଦ୍ଧି ହେବା ସହ ସାରା ଓଡିଶାର ଗୌରବ ମଧ୍ୟ ବୃଦ୍ଧି ପାଇବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ସହ ମତ ବିନିମୟ କରି ସେମାନେ ଭବିଷ୍ୟତରେ କଣ ହେବାକୁ ଚାହାନ୍ତି ବୋଲି ପ୍ରଶ୍ନ କରିଥିଲେ ।