Cart Festival ଓଡ଼ିଶାକୁ ବିଶ୍ୱ ଦରବାରରେ ପରିଚୟ କରିବାକୁ ପ୍ରକୃଷ୍ଟ ସମୟ

ପୁରୀ :(ରଙ୍ଗାଚରଣ ପ୍ରଧାନ )-ମୂଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ଭୁବନେଶ୍ବରରୁ ପୁରୀ ସ୍କୁଟରରେ ଆସିବା ବେଳେ ଯଦି ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳର ନେତାମାନେ ନଥାନ୍ତେ ମୁଁ ଜାଣି ପାରି ନଥାନ୍ତି ଯେ ମୁଁ ଓଡିଶାର ସଡକରେ ଯାଉଛି । ମଝିରେ ମଝିରେ ଅବଶ୍ୟ ଓଡିଆ ଫିଲ୍ମ ତାରକା ଶିବାନୀଙ୍କ ବିସ୍କୁଟ୍ ଆଡ୍ ଅଛି । ନଚେତ୍ ରାସ୍ତା ସାରା ଓଡିଶାର କୌଣସି ଚିହ୍ନବର୍ଣ ନାହିଁ । ଏମାନଙ୍କୁ ବାଦ୍ ଦେଲେ ସବୁଠାରୁ ବେଶି ଯଦି କାହାର ଫଟୋ ଥିବା ହୋର୍ଡିଂ ଅଛି ସେ ହେଉଛନ୍ତି ଅନନ୍ତ ଅମ୍ବାନୀ । ତାଙ୍କ ପରେ ଧୋନୀ ଓ ସୂର୍ଯ୍ୟ କୁମାର ଯାଦବ । ମୋର ଅନୁମାନ ସତୁରୀ ପ୍ରତିଶତ ବିଜ୍ଞାପନ ବିଜେପି ନେତା ମାନଙ୍କର ରହିଛି ।

କୌଣସି ଗୋଟିଏ ବି ଓଡିଶା ପ୍ରଡକ୍ଟର ବିଜ୍ଞାପନ ହୋର୍ଡିଂ ନାହିଁ  । ଓଡିଶା ପର୍ଯ୍ୟଟନ ବିଭାଗର ହୋର୍ଡିଂ ନାହିଁ । ଆମ ପର୍ଯ୍ୟଟନ ସ୍ଥଳିଗୁଡିକୁ ସୋକେସ୍ କରା ଯାଇନାହିଁ ଯାହାକୁ ଦେଖି ଓଡିଶା ବାହାରର ଯାତ୍ରୀମାନେ ଆଉ ଥରେ ଓଡିଶା ଆସିବେ । 

ମୋର ସନ୍ଦେହ ଯେ ମାଧୁରୀ ଦିକ୍ଷୀତଙ୍କୁ ବିଜ୍ଞାପନ ପାଇଁ ସରକାର  ଦୁଇ କୋଟି ଦେଇ ନାହାନ୍ତି । ସେ ହୁଏତ ଆଉ କିଛି ପାଇଁ ଟଙ୍କା ପାଇବାର ଥିଲା । ସେ  ସରକାରଙ୍କୁ ଆଡ୍ ବିଲ୍ ଦେଇ ସେ ଟଙ୍କା ପାଇଗଲେ । ଯଦି ରଥଯାତ୍ରା ବେଳେ ମାଧୁରୀଙ୍କ ସମ୍ବଲପୁରୀ ଶାଢୀର ବିଜ୍ଞାପନ ନ ରହିବ ତେବେ ଆଉ କେଉଁଠି ରହିଥିବ ?

ଆମ ଓଡିଆଙ୍କର ସବୁଠାରୁ ମହାନ ପର୍ବ ହେଉଛି ରଥଯାତ୍ରା । ଆମେ ଏହି ସମୟରେ ଭୁବନେଶ୍ବର ପୁରୀ ରାସ୍ତାକୁ ଆହୁରି imaginatively ମନୋରମ କରି ସଜାଇ ପାରିଥାନ୍ତେ, ଯେଉଁଠି ଆମ ଐତିହର ଝଲକ ଦେଖିବାକୁ ମିଳନ୍ତା । ସାକ୍ଷୀଗୋପାଳ ପାର ହେବା ପରେ ଯାତ୍ରୀଙ୍କୁ ଏକ ନୂଆ ଅନୁଭୁତି ଆସନ୍ତା । ଯେଉଁ ଯାତ୍ରୀ ପୁରୀ ଆସିବ ସେ କେବଳ ଜଗନ୍ନାଥ, ସମୁଦ୍ର ଓ କୋଣାର୍କ ବ୍ୟତୀତ ଓଡିଶା ବିଷୟରେ ଆଉ ଅଧିକ କଣ ଜାଣିବ ? ସେ ନିଜ ରାଜ୍ୟକୁ ଫେରି ଯାଇ କହିବ କି ଓଡିଶାରେ ଚିଲିକା ନାମକ ଗୋଟିଏ ହ୍ରଦ ଅଛି ଯାହାର ପାଣି ଟିକେ ଲୁଣିଆ ? ସେ କୋରାପୁଟ ଓ ଭିତରକନିକା ବିଷୟରେ ଶୁଣି ଫେରିବ କି ଓ ପରେ ସାଙ୍ଗସାଥୀ ମାନଙ୍କ ସହ ଆଉଥରେ ଓଡିଶା ଆସିବ କି ?  କେବଳ ରଥଯାତ୍ରା ସମୟରେ ପୁରୀ ଆସିଥିବା ଯାତ୍ରୀମାନେ କେତେ ଛେନାପୋଡ କିଣି ନିଜ ରାଜ୍ୟକୁ ଫେରିବେ ?  କିନ୍ତୁ ହାୟ !

ମୁଁ ଅନେକ ୟୁଟ୍ୟୁବରେ ଦେଖିଛି ଓଡିଶା ବାହାରର ଲୋକେ ଓଡିଶାର ଖାଦ୍ୟ, ବିଶେଷ କରି ଛେନାପୋଡ, ବହୁତ ପ୍ରଶଂସା କରନ୍ତି । ମୁଁ କୋଲକତାରେ ଦେଖିଛି ସେଠାରେ ବର୍ଷର ଗୋଟିଏ ନିର୍ଦ୍ଦିଷ୍ଟ ସପ୍ତାହକୁ ଇଲିସି ମାଛ ସପ୍ତାହ ରୁପେ ପାଳନ କରାଯାଏ । ସହରରେ ହୋଟେଲ ମାନେ ଇଲିସି ମାଛର ଚିତ୍ର ଥିବା ବଡ ବଡ ହୋର୍ଡିଂ ଲଗାନ୍ତି । ସରକାର ଯଦି ପଖାଳକୁ ଗିନିଜ୍ ରେକର୍ଡରେ ରଖିବା ପାଇଁ ଦୁଇ କୋଟିରୁ ଅଧିକ ଖର୍ଚ୍ଚ କରି ପାରୁଛନ୍ତି, ଯେଉଁଥିରୁ କାଣିଚାଏ କିଛି ଲାଭ ମିଳିବ ନାହିଁ, ତେବେ ଛେନାପୋଡ କିମ୍ବା ଚିଲିକା କଙ୍କଡା ଥିବା ହୋର୍ଡିଂ ଲଗାଇ ପାରିଥାନ୍ତେ । ସେଥିପାଇଁ ଆମ ଓଡିଆ ଫିଲ୍ମ ହିରୋ ହିରୋଇନ ମାନଙ୍କୁ ବିଜ୍ଞାପନରେ ବ୍ୟବହାର କରି ପାରନ୍ତେ ।

ସତରେ । ମୁଁ ରଥଯାତ୍ରା ଦେଖିବାକୁ ଆସିଲି ସିନା, ମୋତେ କିନ୍ତୁ ଲାଗିଲା ନାହିଁ ଯେ ମୁଁ ଓଡିଶାରେ ଅଛି  ଓ ରଥଯାତ୍ରା ଓଡିଶାରେ ହେଉଛି । ଆମେ ଓଡିଆ ଓଡିଆ ହୋଇ ଅନ୍ୟ ସହିତ ଝଗଡା କରିବାକୁ ସବୁବେଳେ ପ୍ରସ୍ତୁତ । କିଏ ଧାମ କାହିଁକି କହିଲା ? କିଏ ଅଦିନରେ ରଥଯାତ୍ରା କାହିଁକି କଲା ? କିଏ ରଜ ନ ଲେଖି ରଜୋ କାହିଁକି ଲେଖିଲା ? ରସଗୋଲା ଆମର । ଜଗନ୍ନାଥଙ୍କ ରତ୍ନ ଚେନ୍ନାଇ ଚାଲିଗଲା । ରେଭେନ୍ସାଙ୍କୁ ଓଡିଶାରୁ ବିଦା କର । ଲଢିବାକୁ ଆମେ ସବୁବେଳେ ବାଜି ରାଉତ ।

ଅବଶ୍ୟ ରଥଯାତ୍ରାର ପ୍ରକୃତ ଟେକ ରଖିଲେ ମୋହନବାବୁ । ରାସ୍ତା ଡିଭାଇଡରରେ ମଝିରେ ମଝିରେ ତାଙ୍କର ନଡିଆ ଗଛ ଉଚ୍ଚ କଟ୍ ଆଉଟ୍ ଯଦି ନଥାନ୍ତା, ସତ କହୁଛି, ମୁଁ ଆଜି ପୁରୀକୁ ବାଟ ଭୁଲିଥାନ୍ତି ।

Leave a Reply

Your email address will not be published. Required fields are marked *