Can Mamata Banarjee bounce Back.. ମମତା ପ୍ରତ୍ୟାବର୍ତନ କରି ପାରିବେ କି?

କୋଲକାତା :(ବିଜୟ ସାହୁ )-ମମତା ବାନାର୍ଜୀ ହାରି ନାହାନ୍ତି, ବ୍ୟବସ୍ଥା ହରେଇଛି । ଏହି ବ୍ୟବସ୍ଥା କେବଳ ସରକାରୀ ଦଳ ନୁହେଁ, ବେଙ୍ଗଲର ମୁଖ୍ୟ ବାମପନ୍ଥୀ ଦଳ ସିପିଏମ ଓ ମୁଖ୍ୟ ଜାତୀୟ ଦଳ କଂଗ୍ରେସ ମଧ୍ୟ । ସମସ୍ତେ ମମତା ବାନାର୍ଜୀ ହାରିବା ଚାହୁଁଥିଲେ ଓ ହାରିବା ପରେ ଉତ୍ସବ ମନାଉ ଥିଲେ । ଏବେ ଏହି ଦୁଇ ଦଳର ଜାତୀୟ ନେତାମାନେ ଟିକିଏ ମନ ପରିବର୍ତ୍ତନ କରିଛନ୍ତି। କିନ୍ତୁ ଏହି ମନ ପରିବର୍ତ୍ତନକୁ ମଧ୍ୟ ସନ୍ଦେହ କରାଯାଉଛି ।
ଏହି ମନ ପରିବର୍ତ୍ତନ ହୁଏତ  ଇଣ୍ଡିଆ ମେଣ୍ଟର ଡଙ୍ଗା ଆସ୍ତେ ଆସ୍ତେ ବିଜେପି ଝଡରେ ଭାସି ଯାଉଥିବା ଦେଖି ହେଇ ଥାଇ ପାରେ । କାରଣ ଏଇ ଦିନେ ଦୁଇ ଦିନ ଭିତରେ ଯେଭଳି ଘଟଣା ମାନ ଘଟି ଯାଉଛି ତାହା ସମସ୍ତ ରାଜନୈତିକ ଦଳଙ୍କୁ ଆତଙ୍କିତ କରୁଛି । ସଂସଦର ଆଗାମୀ ମୌସୁମୀ ଅଧିବେଶନ ସମ୍ଭବତଃ ଆମ ସଂସଦୀୟ ଗଣତନ୍ତ୍ର ମାର୍ଗରେ ଶେଷ ଖିଲ ବସେଇ ଦେଇ ପାରେ । ଏକ ବିଂଶ ଶତାବ୍ଦୀର ପ୍ରାତଃ କାଳରେ ରିଲାୟେନ୍ସ ମୋବାଇଲର ଯୁବ ପିଢ଼ି ପାଇଁ ଉଦିଷ୍ଟ ସେଇ ଆବେଗପୂର୍ଣ ଆହ୍ୱାନ कर लो दुनिया  मुट्ठी में ବିଜେପି ସାକାର କରିବାକୁ ଯାଉଛି । ସୀମା ପରିସନ,ମହିଳା ଆସନ
ସଂରକ୍ଷଣ ସଂଶୋଧନ ଵିଲ ,ଏକ ଦେଶ ଏକ ନିର୍ବାଚନ ଅଥବା ଏକ ଦେଶ ଏକ ଦଳ ଶାସନ ,ଭୂ ଅର୍ଜନ ଆଇନ ସଂଶୋଧନ , ସୋସିଆଲ ମିଡିଆ ସଂସ୍କାର ଇତ୍ୟାଦି ଇତ୍ୟାଦି ଯାହା ବାକି କାମ ରହି ଯାଇଛି ସବୁ ସାରିବା ପାଇଁ ବିଲ ଆସିପାରେ । 2029 ମସିହାରେ ବିଜେପିକୁ ସିଂହାସନରୁ ହଟେଇବା ସ୍ୱପ୍ନ ସ୍ୱପ୍ନରେ ରହିଯିବ ।
ବିଜେପିର ଏହି ସମସ୍ତ ସମ୍ଭାବ୍ୟ କର୍ମସୂଚୀ କାର୍ଯ୍ୟାନ୍ଵୟନ ବିରୋଧୀ ଦଳଙ୍କୁ ଆତଙ୍କିତ କରୁଛି । କରିବା କଥା । ବିଶ୍ୱର ସମସ୍ତ ଦେଶ ଭ୍ରମଣ କରି ଓ ସେମାନଙ୍କ ସମ୍ବିଧାନଗୁଡିକୁ ତନ୍ନ ତନ୍ନ ଅନୁଶୀଳନ କରି ସମ୍ବିଧାନ ପ୍ରଣୟନ ସଭାରେ ଆମ ସ୍ଵାଧୀନତା ସଂଗ୍ରାମର ମନୀଷିମାନେ ବିଶାଳକାୟ ସମ୍ବିଧାନ ଆମକୁ ଅର୍ପଣ କରିବା ବେଳେ ଆଶା ରଖିଥିଲେ ଅନନ୍ତ କାଳ ପର୍ଯ୍ୟନ୍ତ ଭବିଷ୍ୟତ ରାଜନୈତିକ ପିଢ଼ି ଏହାକୁ ବେଦ, ବାଇବଲ ଓ କୋରାନ ଭଳି ଆକ୍ଷରିକ ଓ ମାର୍ମିକ ଅନୁସରଣ କରି ଦେଶର ସେବକ ଭଳି ଶୟନେ ସପନେ ଜାଗରଣେ ସେବା କରି ଚାଲିବେ । କିନ୍ତୁ ସବୁ ସ୍ୱପ୍ନ ତାସ ଘର ଭଳି ଭାଙ୍ଗି ଯାଉଛି ।
ତଥାପି ସନ୍ଧ୍ୟାରେ ୱେବ  ଚାନେଲରେ କିଛି କିଛି ବରିଷ୍ଠ ଜର୍ଣ୍ଣାଲିଷ୍ଟ ବସି ଆମକୁ ମିଠା ମିଠା ଉପଦେଶ ଦେଉଛନ୍ତି । ସବୁ ଦିନ ଏମିତି ରହିବ ନାହିଁ । କିଛି କିଛି Corrective measures ନେଇଗଲେ 2029 ରେ ପଟ୍ଟ ପରିବର୍ତ୍ତନ ବି ହେଇ ପାରେ । 
ମୁଁ ବୁଝି ପାରୁନି ବେଙ୍ଗଲ ନିର୍ବାଚନ ପରେ ଏତେ ଆତଙ୍କ କାହିଁକି ?
ମମତା ଜଙ୍ଗଲ ରାଜ ଚଳେଇ ଥିଲେ,ଗୁଣ୍ଡାରାଜ ଚଳେଇ ଥିଲେ ,ସିଏ ତ ଗଲେ ଓ ତାଙ୍କ ଦଳ ବି ଯାଇପାରେ ,ତଥାପି ଏତେ ଆତଙ୍କ କାହିଁକି । ବିରୋଧୀ ଦଳ ଓ ଜର୍ଣ୍ଣାଲିଷ୍ଟଙ୍କ ଏହି ରାଜନୀତିକ ପରିସ୍ଥିତିତନ୍ତ୍ରର ମନସ୍ତାତ୍ୱିକ ଦିଗକୁ ବିଶ୍ଳେଷଣ କଲେ ଜଣା ପଡୁଛି ମମତା ବାନାର୍ଜୀ ଅନେକ ଦୋଷ ତ୍ରୁଟି ସତ୍ତ୍ୱେ ବାଘୁଣୀ ଭଳି ବିଜେପି ବିରୁଦ୍ଧରେ ଲଢୁଥିଲେ । ଏହା ଛାୟା ଯୁଦ୍ଧ ନଥିଲା , କାୟା ଯୁଦ୍ଧ ଥିଲା । ତଥାପି ବେଙ୍ଗଲର ପ୍ରମୁଖ ପ୍ରତିପକ୍ଷ ଦଳ ମମତାଙ୍କୁ ବେଙ୍ଗଲ ର ରାଜନୈତିକ,ସାମାଜିକ ଓ ସାଂସ୍କୃତିକ ଅଧଃପତନ ପାଇଁ ଦାୟୀ କରି ଆସୁଥିଲେ ଓ ଗତ ନିର୍ବାଚନରେ ଏହି ସମସ୍ତ ଅଭିଯୋଗ ଚରମ ସୀମାରେ ପହଞ୍ଚି ଥିଲା ।

ମମତା ହିଁ ବେଙ୍ଗଲରେ ନିର୍ମମତାର ପ୍ରତୀକ ଥିଲେ । ତେଣୁ ତାଙ୍କୁ ବେଙ୍ଗଲ ମାଟିରୁ ମା ଓ ମାନୁଷ ହଟେଇ ଦେଲେ । ମମତା ରାଜନୀତିକୁ ଆସିବା ପୂର୍ବରୁ ବେଙ୍ଗଲରେ ସାଧୁସନ୍ଥଙ୍କ ଶାସନ ଥିଲା । ଏଭଳି ଏକ ଧାରଣା ସୃଷ୍ଟି କରି ଦିଆ ଯାଇଛି । ତେଣୁ ସେ ନିଜ ଦଳ ଭିତରେ ମଧ୍ୟ ନିଃସଙ୍ଗ ହେଇ ଯାଇଛନ୍ତି ।
ବାସ୍ତବରେ କଣ ବେଙ୍ଗଲର ଗୁଣ୍ଡା ରାଜର ଜନନୀ ମମତା ବାନାର୍ଜୀ ?
ବେଙ୍ଗଲର ସ୍ଵାଧୀନତା ପରବର୍ତ୍ତୀ ଇତିହାସକୁ ସମ୍ୟକ ଅବଲୋକନ କରିବା ।

ଆଜିର ଯୁବ ପିଢ଼ି ଏପରି କି ରାଜନୀତିରେ ରୁଚି ରଖୁ ନଥିବା ଅନେକ ବୟସ୍କ ମଧ୍ୟ ବେଙ୍ଗଲର ଖିଦିରପୁର ଡକର ବାଦଶାହା ଇଦ୍ରୀଶ ଅଲ୍ଲୀ ଓର୍ଫ ଇଦ୍ରୀଶ ମିଆଁ ନାଁ ଶୁଣି ନଥିବେ । ବମ୍ବେର ହାଇଦର ଅଲ୍ଲୀ ମସ୍ତାନା ଓର୍ଫ ହାଜି ମସ୍ତାନାଙ୍କ କଲିକତା ପ୍ରତିବିମ୍ବ କହି ପାରିବା ।
ଦୁହେଁ ବାଲ୍ୟ ଜୀବନରେ ଅଲୋଡ଼ା  ପିଲା ଥିଲେ । କିନ୍ତୁ ଏମିତି ଦିନ ଆସିଲା ଦୁହେଁ ସିଂହାସନକୁ ଚାଲେଞ୍ଜ କରିବା ଶକ୍ତି ସଞ୍ଚୟ କରି ପାରିଥିଲେ ।
ଦୁହେଁ ରାଜନୈତିକ ନେତାଙ୍କ ଭବିଷ୍ୟତକୁ କେବଳ ପରିପୁଷ୍ଟ କରି ନଥିଲେ,କଲିକତା ଓ ବମ୍ବେ ନଗରୀର ମାରୁଆଡି -ଗୁଜରାଟି ବ୍ୟବସାୟୀ ସମ୍ପ୍ରଦାୟ ,ପାର୍ସି ବ୍ୟବସାୟୀ ସମ୍ପ୍ରଦାୟ , ଆଙ୍ଗଲୋ ଇଣ୍ଡିଆନ ବ୍ୟବସାୟୀ ସମ୍ପ୍ରଦାୟ, ପଞ୍ଜାବୀ ବ୍ୟବସାୟୀ ସମ୍ପ୍ରଦାୟର ଆର୍ଥିକ ବିକାଶ କ୍ଷେତ୍ରରେ ଅନେକ ଅବଦାନ ରଖି ଯାଇଛନ୍ତି ।
ମୁଁ ଏହି ପୋଷ୍ଟରେ ବେଙ୍ଗଲର ଇଦ୍ରୀଶ ସାମ୍ରାଜ୍ୟ ଉପରେ ଆଲୋଚନା କେନ୍ଦ୍ରିତ କରିବି ।

ଇଦ୍ରୀଶ କୌଣସି ସୁପରିଚିତ ସମ୍ଭ୍ରାନ୍ତ ପରିବାର ପୃଷ୍ଠଭୂମୀରୁ ଆସି ନଥିଲା ।
ଖିଦିରପୁର ଓ ମାଟିଆବୁରୁଜୁ ଘନବସତିପୂର୍ଣ ,ଚରମ ଦାରିଦ୍ର୍ୟ ପ୍ରପୀଡ଼ିତ ଓ ଅର୍ଦ୍ଧ ଶିଳ୍ପାୟନ
ଜଳତୀରବର୍ତ୍ତୀ ( Waterfront )ବସ୍ତିରୁ ଆସିଥିଲା । କଲିକତାର ବନ୍ଦର ସାମାଜିକ- ଅର୍ଥନୈତିକ ବାସ୍ତୁତନ୍ତ୍ର ( socio-economic ecosystem) ସହିତ ସମ୍ପୂର୍ଣ୍ଣ ଭାବରେ ମିଶି ଯାଇଥିଲା । ସେଠାରେ ହଜାର ହଜାର ଦିନ ମଜୁରିଆ,ବନ୍ଦର ଶ୍ରମିକ ଓ ସୀମାନ୍ତ ରାଜ୍ୟମାନଙ୍କରୁ ପଳାୟନ କରି ସ୍ୱଳ୍ପ ମଜୁରୀରେ ଏଠାରେ ଜୀବିକା ଅର୍ଜନ ପାଇଁ ନିରନ୍ତର ସଂଗ୍ରାମ କରୁଥିଲେ । ଏହି ପରିବେଶ ରେ ତାର ଯୌବନ ଗଢି ଉଠିଥିଲା । ଶିକ୍ଷା ଦୀକ୍ଷା ନଥିଲା । କିନ୍ତୁ ତାର ହୃଷ୍ଟପୁଷ୍ଟ ଶାରୀରିକ ଶକ୍ତି ତା ପାଇଁ ସହାୟକ ଥିଲା ।
ସତୁରୀ ଦଶକ ଥିଲା ଇଦ୍ରୀଶ ଜଣେ ବହୁ ଜନ ପରିଚିତ ବ୍ୟକ୍ତି ଭାବରେ ଉଦୟ ହେବା କାଳଖଣ୍ଡ ।
ଭାରତର ଲାଇସେନ୍ସ ରାଜ ଅର୍ଥନୈତିକ ପ୍ରେକ୍ଷାପଟ
ତା କାର୍ଯ୍ୟ କଳାପ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥିଲା । ବିଦେଶରୁ ଆମଦାନୀ ବସ୍ତୁ ଉପରେ ଅତ୍ୟୁଚ ଶୁକ୍ଳ ଓ କେତେକ ବସ୍ତୁ ଆମଦାନୀ ସମ୍ପୂର୍ଣ୍ଣ ନିଷେଧ ଯୋଗୁଁ କଳାବଜାର ସାମ୍ରାଜ୍ୟ ବୃଦ୍ଧି ହେବା କ୍ଷେତ୍ରରେ ସହାୟକ ଥିଲା ।
ବନ୍ଦର ଟ୍ରେଡ଼ ୟୁନିୟନ ଉପରେ ନିଜର ବାହୁବଳ ପ୍ରୟୋଗ କରି ଜାହାଜରେ ଆସୁଥିବା ଚୋରା ମାଲକୁ କରାୟତ କରିବାରେ ସକ୍ଷମ ହେଇଥିଲା ।
He was the primary pipe line for contraband entering eastern India .
ଇଦ୍ରୀଶର କଳାବଜାର ସାମଗ୍ରୀର ପ୍ରାଥମିକ ପାଇକାରୀ କ୍ରେତା ଥିଲେ କଲିକତାର ମାରୁଆଡି ଓ ଗୁଜରାଟୀ ବ୍ୟବସାୟୀ ସମ୍ପ୍ରଦାୟ ।
ଖୁଚୁରା ବିକ୍ରେତା ଭାବରେ ବ୍ୟବସାୟ କରୁଥିଲେ ସ୍ଥାନୀୟ ମୁସଲିମ ବ୍ୟବସାୟୀ ଓ
ଆଙ୍ଗଲୋ ଇଣ୍ଡିଆ ବ୍ୟବସାୟୀ ।
ବିଦେଶୀ ଵସ୍ତୁ ପ୍ରତି ଭାରତୀୟ ଖାଉଟିଙ୍କ ପ୍ରଚଣ୍ଡ ମୋହ ଯୋଗୁଁ ଇଦ୍ରୀଶ ବିଶେଷ ବିଶେଷ ବ୍ୟବସାୟୀ ଗୋଷ୍ଠୀ ସହ ଚୋରା ସାମଗ୍ରୀ ଯୋଗଣବ୍ୟବସ୍ଥାର ସେତୁ ଥିଲା ।
ବଡ଼ ବଜାର, କ୍ୟାନିଂ ଷ୍ଟ୍ରିଟ ଓ ଏଜରା ଷ୍ଟ୍ରିଟରେ ମୂଳତଃ ମାରୁଆଡି ଓ ଗୁଜୁରାଟୀ ଏହି ସବୁ ସାମଗ୍ରୀର ପାଇକାରୀ ବ୍ୟବସାୟକୁ ନିୟନ୍ତ୍ରଣ କରୁଥିଲେ । ଅବଶ୍ୟ ଅଧିକାଂଶ ବ୍ୟବସାୟୀ ବୈଧ ବସ୍ତୁର ବ୍ୟବସାୟ କରୁଥିଲେ । କିନ୍ତୁ ଏମାନଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ବ୍ୟବସାୟୀ ଇଦ୍ରୀଶ ମାଧ୍ୟମରେ ବିଦେଶୀ ପୋଷାକ,ବିଦେଶୀ ହାତ ଘଣ୍ଟା ଓ ଶିଳ୍ପ ଉତ୍ପାଦନକୁ ପାଇକାରୀ ମୂଲ୍ୟରେ କିଣି ନେଉଥିଲେ । ଅବୈଧ ବସ୍ତୁ ସହ ବୈଧ ବସ୍ତୁ ମିଶ୍ରଣ କରି ଭାରତର ଖୁଚୁରା ବଜାରଗୁଡିକୁ ଯୋଗାଣ କ୍ଷେତ୍ରରେ ବିଶେଷ ବ୍ୟବସ୍ଥା ମଧ୍ୟ ସୃଷ୍ଟି ହେଇ ଯାଇଥିଲା ।
ଖିଦିରପୁର ଫାନ୍ସି ମାର୍କେଟ ଓ ଫାଇଭ ଷ୍ଟାର ମାର୍କେଟ ସ୍ଥାନୀୟ ମୁସଲିମ ଓ ପଞ୍ଜାବୀ ରିଟେଲ ବେପାରୀଙ୍କର ଥିଲା । ଏହା ଜାପାନୀ ଭି ସି ଆର, କେସେଟ ପ୍ଲେୟାର ଓ ଟେଲିଭିଜନ ପାଇଁ ପ୍ରଖ୍ୟାତ ଥିଲା । ଏହି ସମସ୍ତ ବ୍ୟବସାୟୀ ସେମାନଙ୍କ ଆବଶ୍ୟକ ଚୋରା ସାମଗ୍ରୀ ପାଇଁ ଇଦ୍ରୀଶ ସିଣ୍ଡିକେଟ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ ।
ଆଙ୍ଲୋ ଇଣ୍ଡିଆନ ଓ ଆର୍ମେନିଆ ବେପାରୀ ନିଷେଧ ହେଇଥିବା ସୌଖନୀ ବିଦେଶୀ ପାନୀୟ, ପ୍ରସାଧନ ସାମଗ୍ରୀ,ପର୍ଫ୍ୟୁମ ଓ ସିଗାରେଟ ଫ୍ରି ସ୍କୁଲ ଷ୍ଟ୍ରିଟ , ନିୟୁ ମାର୍କେଟ ଓ ପାର୍କ ଷ୍ଟ୍ରିଟରେ ବ୍ୟବସାୟ କରୁଥିଲେ । ଇଦ୍ରୀଶ ନେଟୱାର୍କ ଏହାକୁ ନିୟନ୍ତ୍ରଣ କରୁଥିଲା ।
1958 ସ୍ଵର୍ଣ ନିୟନ୍ତ୍ରଣ ଆଇନ ଅନୁଯାୟୀ ସୁନା ଆମଦାନୀ ଉପରେ କଟକଣା ଥିବାରୁ ଇଦ୍ରୀଶ ସିଣ୍ଡିକେଟ ବୋହୁବଜାରର ନିର୍ଦ୍ଦିଷ୍ଟ ଦଲାଲଙ୍କ ମାଧ୍ୟମରେ ପ୍ରତିଷ୍ଠିତ ସ୍ୱର୍ଣ୍ଣ ଅଳଙ୍କାର ବ୍ୟବସାୟୀଙ୍କୁ ବହୁ ପରିମାଣର ସୁନା ଯୋଗାଣ କରୁଥିଲା ।
ଇଦ୍ରୀଶ ମିଆଁ ପ୍ରଥମେ ସତୁରୀ ଦଶକରେ କଂଗ୍ରେସ ଦଳ ସହ ସାମିଲ ଥିଲା । ସେତେବେଳେ ସିଦ୍ଧାର୍ଥ ଶଙ୍କର ରାୟ ବେଙ୍ଗଲର ଅତ୍ୟନ୍ତ ପ୍ରଭାବଶାଳୀ ନେତା ଓ ବାରିଷ୍ଟର । ଜ୍ୟାତି ବାବୁଙ୍କ ପ୍ରିୟ ଓ ବାଲ୍ୟ ପାରିବାରିକ ବନ୍ଧୁ । ଦୁହେଁ ଫାଷ୍ଟ ନାଁ ରେ ପରସ୍ପରକୁ ସମ୍ବୋଧନ କରୁଥିଲେ (ମାନୁ ଓ ଜ୍ୟୋତି ) !

✍️✍️✍️
From My
Memory Lane
(2)
ମମତା ଦିଦି ବାଘୁଣୀ ଭଳି
ଲଢେଇ କର :

ପୋଷ୍ଟଟି ଲେଖିଲା ବେଳକୁ ମମତା ବାନାର୍ଜୀ ଓ ତାଙ୍କର ଦଳ ତୃଣମୂଳ କଂଗ୍ରେସର ଭବିଷ୍ୟତ ସମ୍ପର୍କରେ ଚିତ୍ର ସମ୍ପୂର୍ଣ୍ଣ ଅସ୍ପଷ୍ଟ । ଯଦିଓ ଏ ପର୍ଯ୍ୟନ୍ତ 58 ବିଧାୟକ ଅସଲ ତୃଣମୂଳ ଦାବୀ କରି ଋତୁବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଘୋଷଣା କରିଛନ୍ତି ଓ ବାଚସ୍ପତି ତଡିତ ବେଗରେ ସ୍ୱୀକୃତି ଦେଇ ସାରିଛନ୍ତି ଏବଂ ଅନ୍ୟପକ୍ଷରେ କାକଳୀ ଘୋଷଙ୍କ ନେତୃତ୍ୱରେ ସଂଖ୍ୟାଧିକ ସାଂସଦ ଏନଡ଼ିଏରେ ସାମିଲ ହେବା ପାଇଁ ବିଜେପି କେନ୍ଦ୍ର ନେତୃତ୍ୱ ସହ ଆଲୋଚନା କରି ସାରିଛନ୍ତି, ତଥାପି ପ୍ରକ୍ରିୟା ଗତ ପ୍ରଶ୍ନ ଉଠିଛି ।
ମମତା ବାନାର୍ଜୀ ଇଣ୍ଡିଆ ମେଣ୍ଟ ବୈଠକ ପରେ ସୋନିଆ ଗାନ୍ଧୀଙ୍କ ସହ ଦୁଇ ଥର ଆଲୋଚନା ଓ ଅଭିଷେକ ବାନାର୍ଜୀଙ୍କ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା ପରେ ମମତା ବାନାର୍ଜୀ କଂଗ୍ରେସରେ ଦଳକୁ ମିଶ୍ରଣ କରିବା ଚର୍ଚ୍ଚା ମଧ୍ୟ ହେଉଛି ।
କିନ୍ତୁ ଆନୁଷ୍ଠାନିକ ଭାବରେ କୌଣସି ନିଷ୍ପତ୍ତି ଘୋଷଣା ହେଇନାହିଁ । ଯାହା ସବୁ ଖବର ଆସୁଛି ତାହା କେବଳ ସୂତ୍ରରୁ ଆସୁଛି । ଏବଂ ସୂତ୍ର ଖବର ମଧ୍ୟ ସୂତ୍ର ଦ୍ୱାରା ଖଣ୍ଡନ ହେଉଛି ।
କିନ୍ତୁ ଏକଥା ସତ ମମତାଙ୍କ ତୃଣମୂଳ କଂଗ୍ରେସ ତାସଘର ଭଳି ଭାଙ୍ଗି ଚାଲିଛି ଓ ମମତାଙ୍କ ରାଜନୈତିକ ଭବିଷ୍ୟତ ନେଇ ସନ୍ଦେହ ପ୍ରକାଶ ହେଉଛି ।
ଏହି ପରିସ୍ଥିତି ଯେ ଆକସ୍ମିକ ନଥିଲା ଓ ନିର୍ବାଚନ ଫଳାଫଳ ଉପରେ ନିର୍ଭରଶୀଳ ଥିଲା ତାହା ପୂର୍ବରୁ ଜଣା ଥିଲା । ଯେ କୌଣସି ପ୍ରକାରେ ମମତା ବାନାର୍ଜୀଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ରାଜନୈତିକ, ଆର୍ଥିକ, ପ୍ରଶାସନିକ ଓ ନ୍ୟାୟିକ ନୀଳ ନକ୍ସା ପ୍ରସ୍ତୁତ ହେଇ ସାରିଥିଲା । ଭୋଟ ଗ୍ରହଣ ଓ ଫଳ ପ୍ରକାଶନ କେବଳ ଲୋକ ଦେଖାଣିଆ ଥିଲା ।
ତେଣୁ ମମତା ବାନାର୍ଜୀ ହାରି ନଥିଲେ,ତାଙ୍କୁ ହରେଇ ଦିଆ ଯାଇଥିଲା । ପ୍ରଥମରୁ ହିଁ ମୋର ଏହି ମତ ଥିଲା ଓ ରହିବ ମଧ୍ୟ ।
ଏକଥା ମମତା ବାନାର୍ଜୀ ଜାଣନ୍ତି ଓ ବିଜେପି ମଧ୍ୟ ଜାଣେ । ଅନ୍ୟ ଯେଉଁମାନେ ଜାଣି ନାହାଁନ୍ତି ବୋଲି ଅଭିନୟ କରୁଛନ୍ତି ସେମାନେ ମମତାଙ୍କ ପ୍ରତି ରାଜନୈତିକ ଈର୍ଷ୍ୟା ଯୋଗୁଁ ଏଭଳି ଅଭିନୟ କରୁଛନ୍ତି ।
ତେଣୁ ମୋର ବିଶ୍ୱାସ ମମତା ବାନାର୍ଜୀ କଂଗ୍ରେସ ସହ ଦଳକୁ ମିଶ୍ରଣ କରିବା ପ୍ରଶ୍ନ ଉଠୁନାହିଁ ।
ଯଦିଓ କଂଗ୍ରେସର କେନ୍ଦ୍ର ନେତା ଓ କଂଗ୍ରେସ ସମର୍ଥକ କିଛି କିଛି ଜର୍ଣ୍ଣାଲିଷ୍ଟ ମିଶ୍ରଣ ସମ୍ପର୍କରେ ଦୃଢ଼ ମତ ରଖୁଛନ୍ତି ।
ମୋର ଧାରଣା ସୋନିଆ ଗାନ୍ଧୀ ମମତାଙ୍କୁ ଦଳରେ ସମ୍ପୂର୍ଣ୍ଣ ମିଶ୍ରଣ ପାଇଁ ଚାହିଁବେ ନାହିଁ, କେବଳ ପୂର୍ବର ଦୂରତ୍ୱକୁ ଭୁଲି ଯାଇ ଉଭୟ ପକ୍ଷ କେନ୍ଦ୍ର ଓ ରାଜ୍ୟ ରାଜନୀତିରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ।
ସୋନିଆ ଗାନ୍ଧୀ ନିଜ ଦଳର ବେଙ୍ଗଲ ନେତାମାନଙ୍କୁ ଭଲ ଭାବରେ ଜାଣିଛନ୍ତି । ଥରେ ମମତା କଂଗ୍ରେସରେ ସାମିଲ ହେବା ପରେ ବିଜେପି ପାଇଁ ବେଙ୍ଗଲ ଖୋଲା ମଇଦାନ ହେଇଯିବ । ଅତୀତରେ ବେଙ୍ଗଲ କଂଗ୍ରେସର ସିଦ୍ଧାର୍ଥ ଶଙ୍କର ରାୟଙ୍କ ଶାସନ ବେଳରୁ ଯେତେ ସବୁ କ୍ରିୟାକଳାପକୁ ବିଜେପି ଓ ଗୋଦୀ ମିଡ଼ିଆ ଏଭଳି ଉଠେଇବେ ଯାହାକୁ ମମତା ମଧ୍ୟ ରୋକିଦେଇ ପାରିବେ ନାହିଁ ।

ବେଙ୍ଗଲର ଜନମାନସ ସ୍ୱାଧୀନତା ପରବର୍ତ୍ତୀ କାଳରୁ କଂଗ୍ରେସ ବିରୋଧୀ । ଏପରି କି ସ୍ୱାଧୀନତା ଆନ୍ଦୋଳନ ବେଳେ ମଧ୍ୟ ଉତ୍ତର ଭାରତ କଂଗ୍ରେସ ଓ ବେଙ୍ଗଲ କଂଗ୍ରେସ ମଧ୍ୟରେ ତୀବ୍ର ଆଦର୍ଶଗତ ପାର୍ଥକ୍ୟ ଥିଲା ।
ବେଙ୍ଗଲ ମାଟିରୁ ହିଁ ଭାରତୀୟ ନବଜଗରଣ ଜୁଆର ସୃଷ୍ଟି ହେଇଥିଲା । ତେଣୁ ସମସ୍ତେ କହୁଥିଲେ What Bengal Thinks Today, India Thinks Tomorrow .
ଭାଷା, ସାହିତ୍ୟ, ସଂସ୍କୃତି , ସାମାଜିକ ଚାଲିଚଳନ , ଖାଦ୍ୟ, ବସ୍ତ୍ର , ସାମାଜିକ ଅନୁଷ୍ଠାନ ସବୁ କିଛି ଉତ୍ତର ଭାରତ ଠାରୁ ଭିନ୍ନ ଥିଲା । ଆଜି ବି ବେଙ୍ଗଲି ପୃଥିବୀର ଯେଉଁ କୋଣରେ ଥାନ୍ତୁ ନା କାହିଁକି ସେମାନେ ନିଜର ସ୍ୱତନ୍ତ୍ର ପରିଚୟ ନେଇ ଗର୍ଵ କରନ୍ତି ।
ଏହାର ପ୍ରକାଶ ରାଜନୀତିରେ ମଧ୍ୟ ପ୍ରତିଫଳିତ ହେଇଥିଲା । ଡାକ୍ତର ବିଧାନ ଚନ୍ଦ୍ର ରାୟ , ପ୍ରଫୁଲ୍ଲ ଘୋଷଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ ବେଳେ ମଧ୍ୟ ବେଙ୍ଗଲ ମାଟିରେ ପ୍ରତିବାଦର ସ୍ୱର ଶୁଭୁଥିଲା । ଡାକ୍ତର ରାୟ ସେକଥା ଜାଣିଥିଲେ । ତେଣୁ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ସହ ଆଲୋଚନା କରି ଜଣେ ବେଙ୍ଗଲି ମୂଳ ବାସିନ୍ଦାଙ୍କ କନ୍ୟା ପଦ୍ମଜା ନାଇଡୁ ରାଜ୍ୟପାଳ ହେଇଥିଲେ । ପଦ୍ମଜାଙ୍କ ମାମୁଁ ଘର ବେଙ୍ଗଲ । ତାଙ୍କର ମା ସରୋଜିନୀ ନାଇଡୁ ବେଙ୍ଗଲର ମୂଳ ବାସିନ୍ଦା ।
ତାଙ୍କର ବାପା ଅଘୋରନାଥ ଚଟ୍ଟୋପାଧ୍ୟାୟ ଓ ମା ବରଦାସୁନ୍ଦରୀ ଦେବୀ ପ୍ରଖ୍ୟାତ ବେଙ୍ଗଲି ପରିବାରର ।
ତେଣୁ ପଦ୍ମଜା ନାଇଡୁ ବେଙ୍ଗଲୀ ମାନସିକତାକୁ ଭଲ ଭାବରେ ହୃଦୟଙ୍ଗମ କରି ଥିବାରୁ ଜଣେ ମହିଳା ରାଜ୍ୟପାଳ ଭାବରେ ସର୍ବାଧିକ 11 ବର୍ଷ ବେଙ୍ଗଲରେ ଥିଲେ । ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମଧ୍ୟରେ ବିବାଦ ନଥିଲା ଯାହା ପରବର୍ତ୍ତୀ ରାଜ୍ୟପାଳଙ୍କ କ୍ଷେତ୍ରରେ ବିଭିନ୍ନ କାରଣ ନେଇ ବିବାଦ ସୃଷ୍ଟି ହେଇଛି ।
ତଥାପି ବେଙ୍ଗଲ ଥିଲା ନେହେରୁଙ୍କ ଦୁଃସ୍ୱପ୍ନ ନଗରୀ,ଶୋଭାଯାତ୍ରାର ନଗରୀ ।
କାହିଁକି ଏଭଳି ପରିବେଶ ହେଇଥିଲା ତାହା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବଞ୍ଚିଥିଲେ କହି ଥାନ୍ତେ । କଲିକତା ସୁବୋଧ ମଲ୍ଲିକ ସ୍କୋୟାର ସଭାରେ ହିଁ କଂଗ୍ରେସରୁ ଇସ୍ତଫା ଘୋଷଣା କରିଥିଲେ ଓ ପରବର୍ତ୍ତୀ ରାଜନୈତିକ ଗତିପଥ ବଦଳି ଯାଇଥିଲା । Rest is history .
ତେଣୁ ମମତା ନିଶ୍ଚୟ ଏହି ପୃଷ୍ଠଭୂମିକୁ ହୃଦୟଙ୍ଗମ କରି କଂଗ୍ରେସରେ ମିଶିବେ କି ସ୍ୱତନ୍ତ୍ର ପରିଚୟ ନେଇ ରହିବେ ତାହା ନିଷ୍ପତ୍ତି କରିବେ ।
ଏକଥା ଠିକ ବର୍ତ୍ତମାନ ମମତାଙ୍କ ରାଜନୈତିକ ଜୀବନର ସବୁଠାରୁ ଦୁର୍ବଳ ଓ ଅସହାୟ ମୁହୂର୍ତ୍ତ ।
ନିଜ ଦଳ ଭିତରେ ମିତ୍ର ସୀମିତ ଓ ଶତ୍ରୁ ଅଧିକ । ତାଙ୍କର ଅବସ୍ଥା କୂଅ ଭିତରେ ବେଙ୍ଗ ଦେଖିଲେ ଆମେ ପିଲାଦିନେ ଯେମିତି ଉପରୁ ଢେଲା ମାଡ଼ କରୁ ଥିଲୁ, ସେମିତି ଅବସ୍ଥା ତାଙ୍କର ।
ବାତ୍ତାବରଣ ଏମିତି ସୃଷ୍ଟି କରି ଦିଆ ଯାଇଛି ଯେମିତି ସେ କଂଗ୍ରେସର ଦୟାର ପାତ୍ର ବୋଲି ଅନେକ ରାଜନୈତିକ ପଣ୍ଡିତ ମତାମତ ଦେଉଛନ୍ତି ।
ମମତା ଜଣେ ନିଜକୁ ନିଜେ ଗଢି ଥିବା ବିଦ୍ରୋହୀ ନେତ୍ରୀ । ଭାରତୀୟ ଜାତୀୟ କଂଗ୍ରେସର କେନ୍ଦ୍ର ନେତୃତ୍ୱ ଓ ବେଙ୍ଗଲର ଅନେକ ପ୍ରଭାବଶାଳୀ କଂଗ୍ରେସ ନେତାଙ୍କୁ ଛାଡି ସେ ନିଜର ରାଜନୈତିକ ଦଳ ଗଠନ କରିଥିଲେ । ଆମ ବାମପନ୍ଥୀମାନଙ୍କ ବିଚାରରେ ତାଙ୍କୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ପ୍ଲାଣ୍ଟ କରିଥିଲା । ହୁଏତ ହେଇଥିବ । କାରଣ ସେମାନେ ଏକ୍ଷେତ୍ରରେ ଵିଜ୍ଞ । ଅନ୍ୟଥା 34 ବର୍ଷ ଶାସନରେ ରହିବା ପରେ ଦଳର କ୍ୟାଡର, ଅନେକ ନେତା ମମତା ଙ୍କ ଆଡକୁ ଚାଲି ଯାଇ ନଥାନ୍ତେ ।
ଅବଶ୍ୟ ଏକଥା ମଧ୍ୟ ସତ୍ୟ ପୁଞ୍ଜିବାଦୀ ବ୍ୟବସ୍ଥାରେ କ୍ଷମତା ରେ ରହିଲେ ବ୍ୟବସ୍ଥାର କୀଟ ନେତା ଓ କ୍ୟାଡରଙ୍କ ଭିତରକୁ ପଶି ଆସିଥାଏ । ଏହା ବୋଲି ପୂରାପୁରି ବାମପନ୍ଥୀ ଦୁର୍ଗ ଭୁଶୁଡି ପଡ଼ିବ ତାହା ବିଶ୍ଵାସ ହେଉ ନଥିଲା । କମ୍ୟୁନିଷ୍ଟ ଖୋଳପା ଭିତରେ ପୁଞ୍ଜିବାଦୀ ବ୍ୟବସ୍ଥାକୁ କିପରି ଭଲ ଚଳେଇ ହେବ ସେଇ ପରୀକ୍ଷାର ଯେତେବେଳେ ଯୁଗ ସରିଗଲା ଓ ମୁକ୍ତ ବାଣିଜ୍ୟ ଅର୍ଥନୀତିର ହାୱା କମ୍ରେଡ଼ମାନଙ୍କ ଦେହରେ ବାଜିଲା ସେତେବେଳେ ପ୍ରତିଷ୍ଠିତ ପୁଞ୍ଜିବାଦୀ ଦଳଗୁଡିକ ଯେମିତି ବିକାଶ ପନ୍ଥା ବାଛିଲେ ସେମିତି ପନ୍ଥା ବାମ ଫ୍ରଣ୍ଟ ବାଛିଥିଲା । ଜ୍ୟୋତି ବାବୁଙ୍କ ଭଳି ସବୁଠାରୁ ଭଦ୍ର କମ୍ୟୁନିଷ୍ଟ ମୁଖ୍ୟମନ୍ତ୍ରୀ ଓ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଭଳି କବି ଓ ଲେଖକ ମୁଖ୍ୟମନ୍ତ୍ରୀ ମଧ୍ୟ ଆନ୍ଦୋଳନକୁ ସମାନ ଶକ୍ତି ପ୍ରୟୋଗ କରି ଦମନ କଲେ ଯେମିତି ସିଦ୍ଧାର୍ଥ ଶଙ୍କର ରାୟ କମ୍ୟୁନିଷ୍ଟ କର୍ମୀଙ୍କ ଉପରେ ଦମନ କରୁଥିଲେ । ସିଙ୍ଗୁର , ନନ୍ଦିଗ୍ରାମ ଘଟଣା ଏକ ନଜୀର ମାତ୍ର । ମରିଚି ଝାମ୍ପି ଘଟଣା ଉଲ୍ଲେଖ ନ କଲେ ଭଲ ।
ଏଥିପାଇଁ କଣ ମମତା ଦାୟୀ ?
ଯଦି ପୋସ୍କୋ SEZ ପ୍ରକଳ୍ପ ପାଇଁ ନବୀନ ସରକାର ଦାୟୀ ତାହେଲେ ଲକ୍ଷେ ଟଙ୍କିଆ ଟାଟା କାର ସିଙ୍ଗୁର SEZ ପ୍ରକଳ୍ପ , ନନ୍ଦିଗ୍ରାମ ପ୍ରକଳ୍ପ ପାଇଁ ବୁଦ୍ଧଦେଵ ଭଟ୍ଟାଚାର୍ଯ୍ୟ କାହିଁକି ଦାୟୀ ହେବେ ନାହିଁ ? ଏହାର ଉତ୍ତର ଆଜି ବି ନାହିଁ । ବରଂ ଯୁକ୍ତି ଦିଆ ଯାଉଛି ଲୋକେ ଆଜି ଟାଟା,ନନ୍ଦିଗ୍ରାମ ପ୍ରକଳ୍ପ ପାଇଁ କାନ୍ଦୁଛନ୍ତି ।
ବର୍ତ୍ତମାନ ଲୋକେ ଆଉ କାନ୍ଦିବେ ନାହିଁ,ପୂରା ବେଙ୍ଗଲରେ ଅଦାନୀ SEZ ପ୍ରକଳ୍ପ ମୁଣ୍ଡ ଟେକିବ ।
ବର୍ତ୍ତମାନ ଗୋଦୀ ମିଡ଼ିଆର ଦିନ ରାତି ପ୍ରଚାର ଓ ମୋଦୀ ସରକାରଙ୍କ ପିଆର ଯୋଗୁଁ ହୁଏତ ବାହାର ରାଜ୍ୟର ମଧ୍ୟବିତ୍ତ ଶ୍ରେଣୀ ମମତାଙ୍କ “ଶିଳ୍ପ ବିପ୍ଳବ” ପ୍ରତିରୋଧ ଭୂମିକାକୁ ନାପସନ୍ଦ କରୁଥିବେ । କିନ୍ତୁ ମମତା ବେଙ୍ଗଲର ଶିଳ୍ପ ବିପ୍ଳବର ବାଧକ ଥିଲେ ନା ମନମୋହନ ସିଂହ,ନରସିଂହ ରାଓଙ୍କ ଖୋଲା ବଜାର ଅର୍ଥନୀତି ବାଧକ ଥିଲା ତାହା କମ୍ରେଡ଼ମାନେ ଜାଣନ୍ତି ଓ ବୁଦ୍ଧଦେବ ବାବୁ କିପରି ପାର୍ଟି ନେତୃତ୍ୱ ଏବଂ ପାର୍ଟିର ଘୋଷିତ ନୀତିକୁ ନାକଚ କରି ମାର୍କ୍ସବାଦ ପ୍ରୟୋଗ କରିଥିଲେ ତାହା ରେକର୍ଡରେ ରହିଛି ।
ତଥାପି ମମତାଙ୍କ ସମୟରେ ଆର୍ଥିକ ଓ ସାମାଜିକ ବିକାଶ ଡାଟା
ଦକ୍ଷିଣ ଭାରତ ଡାଟା ସହ ପାଖାପାଖି ଥିଲା । ଏପରି କି ମୁସଲିମ ତୋଷଣ ନୀତି ଯୋଗୁଁ ଭାରତରେ ହିନ୍ଦୁ ଜନସଂଖ୍ୟା ହାର ହ୍ରାସ ହେଉଛି ଯୁକ୍ତିକୁ ମଧ୍ୟ ବେଙ୍ଗଲ ଡାଟା ପ୍ରମାଣ କରୁ ନଥିଲା ।
ସବୁଠାରୁ ବଡ଼ ଅଭିଯୋଗ ହେଉଛି ମମତା ପୂରା ହିଟଲରୀ ଦିଦି ।
ହିଟଲରୀ ନ ହେଲେ ବି ମୁଁ କହିବି ଭାରୀ ଉଦଣ୍ଡୀ ।ତେଣୁ ପୁରୁଷ ମାନସିକତା ଟିକିଏ ଗ୍ରହଣ କରି ପାରେନି । ସେ ଆଗପଛ ବିଚାର ନ କରି ସମସ୍ତଙ୍କୁ ନେତା କରି ଦେଇଥିଲେ । କିଏ କଣ କରୁଛି ତାର ହିସାବ ରଖୁ ନଥିଲେ ।କିନ୍ତୁ ତାଙ୍କର ଏହି ବିଶେଷ ଆଚରଣ ବେଙ୍ଗଲ ରାଜନୀତିର ବିଶେଷ ତାତ୍ପର୍ଯ୍ୟ ନୁହେଁ କି ? ପାର୍ଟି କ୍ୟାଡର ମାଧ୍ୟମରେ ଶାସନ କରିବା
ବାମଫ୍ରଣ୍ଟ ଶାସନର ଅବଦାନ ନୁହେଁ କି ?
ଅନେକ ରାଜନୈତିକ ସମୀକ୍ଷକ କହୁଛନ୍ତି Ideology left ବେଙ୍ଗଲ ରେ ବଞ୍ଚିଛି । କେବଳ ମମତାଙ୍କ ଯୋଗୁଁ Political left ଦୁର୍ବଳ ହେଇ ଯାଇଥିଲା । ଏବେ ଆସ୍ତେ ଆସ୍ତେ ଶକ୍ତି ସଞ୍ଚୟ କରିବ ।
ଏଭଳି ବ୍ୟାଖ୍ୟା ମୁଣ୍ଡରେ ପଶୁନି ।

ଆମେ ଟିକିଏ ବୁଦ୍ଧଦେବ ବାବୁଙ୍କ କମ୍ୟୁନିଷ୍ଟ ତତ୍ୱକୁ ସମୀକ୍ଷା କରିବା ଯାହା ସେ ନିଜେ କହିଛନ୍ତି ।
ବୁଦ୍ଧଦେବ ବାବୁ 2000 ମସିହାରେ ଜ୍ୟୋତି ବାବୁଙ୍କ ଠାରୁ କ୍ଷମତା ଗ୍ରହଣ କଲେ । ସମ୍ଭବତଃ ଜ୍ୟୋତିବାବୁଙ୍କ ଭାଷାରେ ପ୍ରଧାନମନ୍ତ୍ରୀ ପଦବୀ ଅସ୍ବୀକାର କରିବା ଐତିହାସିକ ଭୁଲ ଯୋଗୁଁ ସକ୍ରିୟ ରାଜନୀତିରୁ ଓହରି ଗଲେ । ବୁଦ୍ଧଦେବ ବାବୁ ଧୁରୀଣ ରାଜନେତା ସହ ଜଣେ ସାହିତ୍ୟିକ ମଧ୍ୟ ଥିଲେ ।କଲମ୍ବିଆର ପ୍ରସିଦ୍ଧ ଲେଖକ Gabriel Garcia Marquez ଙ୍କ ଦୁଇଟି ପୁସ୍ତକ ” The story of a Shipwrecked sailor ଓ Clanndestine in Chile କୁ ଅନୁବାଦ କରିଥିଲେ । କିନ୍ତୁ ପ୍ରୟୋଗ ବେଳେ No Strike, No Protest ମାର୍ଗ ବାଛିଲେ । ନିଜକୁ ଜଣେ ସଂସ୍କାରବାଦୀ ଅଗ୍ରଦୂତର ପରିଚୟ ଦେବା ପାଇଁ Communism’ Red Book ନୂଆ ଲେଖିଲେ ।
2001ରେ ନିର୍ବାଚନରେ ଜିତି ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ହେଲେ ସେତେବେଳେ ସେ ପ୍ରଥମେ ଆକ୍ରମଣ କଲେ ଟ୍ରେଡ଼ ୟୁନିୟନ ମାନଙ୍କ ଉପରେ ବିଶେଷ କରି ନିଜ ଦଳର ଟ୍ରେଡ଼ ୟୁନିୟନ ସିଟୁ ଉପରେ । ଧର୍ମଘଟକୁ ନିଷେଧ କଲେ । ଘଟଣାଟି କେନ୍ଦ୍ର
ପଲିଟିବ୍ୟୁରୋ ପର୍ଯ୍ୟନ୍ତ ଗଲା । ପଲିଟିବ୍ୟୁରୋ କହିଲେ, ଶ୍ରମ ନୀତି ଆଇ ଟି ସେକ୍ଟରରେ ମଧ୍ୟ ଲାଗୁହେବ । କର୍ମଚାରୀଙ୍କ ସଂଗଠନ କରିବା ଓ ଧର୍ମଘଟ କରିବା ଅଧିକାର ରହିବ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇଣ୍ଡୋନେସିଆର ସଲେମ ଗ୍ରୁପ,ଜାପାନର ମିତସୁବିଶ ବିଦେଶୀ ପୁଞ୍ଜି ଓ ଟାଟା ମୋଟର୍ସ ସମ୍ପ୍ରସାରଣ ପ୍ଲାନ ନେଇ ନୀତି ।
ଏହି ସବୁ ସଂସ୍ଥାରେ କର୍ମଚାରୀ ସଂଗଠନ ଗଠନ ଓ ଧର୍ମଘଟକୁ ନିଷେଧ ନୀତି ପ୍ରଣୟନ କରିଥିଲେ ।
2006 ନିର୍ବାଚନରେ ବୁଦ୍ଧଦେବ ବାବୁ ବିପୁଳ ବିଜୟ ହାସଲ କଲେ ସେତେବେଳେ ଭାବିନେଲେ ବେଙ୍ଗଲ ଭୋଟର ତାଙ୍କ ବିଦେଶୀ ପୁଞ୍ଜି ଲଗାଣ ନୀତିକୁ ଅକୁଣ୍ଠ ସମର୍ଥନ କଲେ । ଶପଥ ଗ୍ରହଣ ପୂର୍ବରୁ ସାମ୍ବାଦିକଙ୍କୁ କହିଲେ, ” Iam a communist ,
compromising with capitalism .”
ବୋଧେ ଭୋଟରେ ସଫଳତାକୁ ମାର୍କ୍ସବାଦୀ ଶାସନର ସଫଳତା ସହ ତୁଳନା କରିଦେଲେ । ତାପର ଘଟଣା ଆମେ ସିଙ୍ଗୁର ଓ ନନ୍ଦିଗ୍ରାମ ରେ ଦେଖିଲେ ।
ତାଙ୍କର ଏହି ମାର୍କ୍ସବାଦୀ ଅର୍ଥନୀତି କେନ୍ଦ୍ରୀୟ ନେତାମାନଙ୍କୁ ଅଶ୍ୱସ୍ତି କରିଥିଲା, କିନ୍ତୁ କରିବେ କଣ, ସରକାର ଚଳେଇବାକୁ ପଡ଼ିବ ତ ?
ଜଣେ ବାମପନ୍ଥୀ ପ୍ରଫେସର ଓ ଏକଦା ସିପିଏମ Peoples Democracy ର ସମ୍ପାଦକ ରଣଧୀର ସିଂହ ତାଙ୍କ ପୁସ୍ତକରେ ଲେଖିଛନ୍ତି, Budhadeb Bhattarjya is the Poster Boy of Corporate world .”
କେବଳ ଏତିକି ନୁହେଁ । ସିପିଏମ ସାଧାରଣ ସମ୍ପାଦକ ପ୍ରକାଶ କରାଟେ ଯେତେବେଳେ ମନ ମୋହନ ସିଂହଙ୍କ ଇଣ୍ଡୋ-ଆମେରିକା ପରମାଣୁ ଚୁକ୍ତି କୁ ବିରୋଧ କଲେ ସେତେବେଳେ ବୁଦ୍ଧଦେଵ ବାବୁଙ୍କ ବେଙ୍ଗଲ
ମାର୍କ୍ସବାଦୀ ଗୋଷ୍ଠୀ ଓ କରାଟେ ୟେଚୁରୀଙ୍କ ମାର୍କ୍ସବାଦୀ ଗୋଷ୍ଠୀ ଦୁଇ ଫାଳ ହେଇଗଲେ ।
ସୋମନାଥ ଚାଟାର୍ଜୀ ଦଳରୂ ବହିଷ୍କାର ହେବାକୁ ପଡ଼ିଲା ।
ଅବଶ୍ୟ ପରେ ବେଙ୍ଗଲ କମ୍ରେଡ଼ ମାନେ କେରଳ ଉପରେ ପ୍ରତିଶୋଧ ନେଲେ । କରାଟେ ବିଦାୟ ହେଇ ୟେଚୁରୀ ଆସିଲେ ।
ମମତା ବାନାର୍ଜୀ କମ୍ରେଡ଼ମାନଙ୍କ
ପନ୍ଥା ଅନୁସରଣ କରି ଆନ୍ଦୋଳନ ପ୍ରତି ସମାନ ଦୃଷ୍ଟି ଭଙ୍ଗୀ ଗ୍ରହଣ କଲେ । ଏପରି କି ବ୍ୟଙ୍ଗ ଚିତ୍ର କୁ ବି ସହ୍ୟ କରି ପାରିଲେ ନାହିଁ । ତେଣୁ ଯେଉଁ ବଙ୍ଗଳା ଭଦ୍ରଲୋକ ମମତାଙ୍କ ପଛରେ ଠିଆ ହେଇ ବାମଫ୍ରଣ୍ଟ ସରକାରକୁ ହଟେଇ ଥିଲେ ସେମାନେ ଏଥର ପୂରା ନିଷ୍କ୍ରିୟ ଥିଲେ ଅଥବା ମମତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ । ଏହାର ସୁଯୋଗ ବିଜେପି ନେଲା ।
ମମତା ଦିଦି ନିଜର ତ୍ରୁଟି ବୁଝିବା ଦରକାର । ଯଦି ନିଜକୁ ସଂଶୋଧନ କରି ଭବିଷ୍ୟତ ରାଜନୀତି କରନ୍ତି ତାହେଲେ ବିଜେପିକୁ ମୁକାବିଲା କରି ପାରିବେ । କାରଣ ବ୍ୟକ୍ତିଗତ ଭାବରେ ତାଙ୍କ ହାରିବାକୁ କେହି ଚାହୁଁ ନଥିଲେ । ଜଣେ ଲଢୁଆ ନେତ୍ରୀ ଭାବରେ ଏବେ ବି ଭାବମୂର୍ତ୍ତି ରହିଛି । ବେଙ୍ଗଲ ସବୁବେଳେ ରାସ୍ତାରେ ପ୍ରତିବାଦର
ଶୋଭାଯାତ୍ରାକୁ ଭଲ ପାଇଁ ଆସିଛି । ବିଜେପିର ତାନାସାହିକୁ ଲୋକେ ବରଦାସ୍ତ କରିବେ ନାହିଁ ।
ବାମଫ୍ରଣ୍ଟ ପାଖରେ ସେ ସୁଯୋଗ ନାହିଁ । ନା ସେମାନେ ମାର୍କ୍ସ ଙ୍କ ପରିଚୟ ଦେଇ ପାରିବେ ନା ସାମ୍ପ୍ରଦାୟିକ ଶକ୍ତି ବିରୁଦ୍ଧରେ ଲଢ଼ୁଛନ୍ତି ବୋଲି ପରିଚୟ ଦେଇ ପାରିବେ । ରାମ – ବାମ ଛିଟା ଏତେ ଶୀଘ୍ର ଲିଭିବ ନାହିଁ । କେବଳ ଅତୀତର ରୋମନ୍ଥନ କରିବେ ମାତ୍ର ।

Leave a Reply

Your email address will not be published. Required fields are marked *