ମଣିପୁର ହିଂସାକାଣ୍ଡ : ଦଙ୍ଗାକରୀଙ୍କୁ ଗୁଳି ଆଦେଶ

ଇମ୍ଫାଲ: ମଣିପୁର ହିଂସାକାଣ୍ଡ ମଧ୍ୟରେ ସରକାର ଦଙ୍ଗାକାରୀଙ୍କୁ ଦେଖିବା କ୍ଷଣି ଗୁଳି ମାରିବାକୁ ଆଦେଶ ଦେଇଛନ୍ତି। ମଣିପୁର ରାଜ୍ୟପାଳ ଗୁରୁବାର ରାଜ୍ୟ ଗୃହ ବିଭାଗକୁ ଏହି ଗୁଳି ଆଦେଶକୁ ଅନୁମୋଦନ କରିଛନ୍ତି। ସରକାରଙ୍କ ତରଫରୁ ଜାରି ହୋଇଥିବା ଆଦେଶରେ କୁହାଯାଇଛି ଯେ, ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଜାରି କରାଯାଇଛି। ୮ଟି ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଥିବାବେଳେ ଇମ୍ଫାଲ, ଚୁରାଚାନ୍ଦପୁର ଓ କାଙ୍ଗପୋକପିରେ ସ୍ଥିତି ଅତି ଉତ୍ତେଜନାପ୍ରବଣ ରହିଛି । ସାରା ରାଜ୍ୟରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି । ହିଂସା ରୋକିବା ଲାଗି ଆର୍ମି ଓ ଆସାମ ରାଇଫଲ ଯବାନଙ୍କୁ ମୁତୟନ କରାଯାଇଛି। ତେଣେ ଇମ୍ଫାଲରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ । । ତେଣେ ଦିଲ୍ଲୀରେ ମଣିପୁରୀ ଆଦିବାସୀ କରିଛନ୍ତି ବିକ୍ଷୋଭ । ସେନା ଶିବିରରେ ପ୍ରାୟ ୪ ହଜାର ବିପନ୍ନଙ୍କୁ ଆଶ୍ରୟ ଦିଆଯାଇଛି।
ସୂଚନା ଅନୁଯାୟୀ, ଅଣ ଆଦିବାସୀ ସମ୍ପ୍ରଦାୟ କୁହାଯାଉଥିବା ମେଇତି ସମ୍ପ୍ରଦାୟ ପକ୍ଷରୁ ଆଦିବାସୀ ମାନ୍ୟତା ଦାବି କରାଯିବା ପରେ ତାତିଛି ମଣିପୁରର ହିଂସା । ମଣିପୁରର ମୋଟ ଜନସଂଖ୍ୟାର ୫୩ ପ୍ରତିଶତ ହେଉଛନ୍ତି ମେଇତି ସମ୍ପ୍ରଦାୟ । ମାତ୍ର ସେମାନେ ରାଜ୍ୟର ମୋଟ ୧୦ ପ୍ରତିଶତ ଅଞ୍ଚଳରେ ସୀମାବଦ୍ଧ ରହିଛନ୍ତି । ବେଆଇନ ମିଆଁମାର ଓ ବାଂଲାଦେଶୀ ନାଗରିକଙ୍କ ଅନୁପ୍ରବେଶକୁ ବି ବିରୋଧ କରିଥିବା ଜଣାପଡିଛି ।