ଆଜି କେରଳ ଛୁଇଁଲା ମୌସୁମୀ, ରଜ ବେଳକୁ ଓଦା ହେବ ଓଡ଼ିଶା
ନୂଆଦିଲ୍ଲୀ : ପ୍ରାୟ ସପ୍ତାହେ ବିଳମ୍ବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଅର୍ଥାତ ଗୁରୁବାର କେରଳ ଛୁଇଁଛି । ମୌସୁମୀ ଆଜି କେରଳ ଛୁଇଁବା ନେଇ ଆଇଏମ୍ଡି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହା ପ୍ରଭାବରେ କେରଳରେ ପାଣିପାଗ କିପରି ଅଛି, ବର୍ଷା ହେଉଛି ନା ନାହିଁ ସେ ସମ୍ପର୍କରେ ସବିଶେଷ ତଥ୍ୟ ଏଯାବତ୍ ଜଣା ପଡ଼ି ନାହିଁ। ୨୦୨୨ ମେ ମାସ ଶେଷ ଆଡ଼କୁ ମୌସୁମୀ କେରଳ ଛୁଇଁଥିଲା। ହେଲେ ଏହା ପୂର୍ବ ବର୍ଷ ୨୦୨୧ରେ ଏହା ଜୁନ ପ୍ରଥମ ସପ୍ତାହ ଓ ୨୦୨୦ରେ ମୌସୁମୀ ଜୁନ ପହିଲାରେ ହିଁ କେରଳରେ ପହଞ୍ଚିଥିଲା। କେରଳ ଛୁଇଁବାର ପ୍ରାୟ ଦୁଇସପ୍ତାହ କିମ୍ବା ୧୦ ଦିନ ପରେ ସାଧାରଣତଃ ମୌସୁମୀ ଓଡ଼ିଶାକୁ ଆସିଥାଏ। ତେଣୁ ଜୁନ ୪ରେ ମୌସୁମୀ କେରଳ ଛୁଇଁବାକୁ ଥିବା ବେଳେ ଜୁନ ୧୪ ଅର୍ଥାତ ରଜ ବେଳକୁ ଓଡ଼ିଶାରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ହେଲେ ଏନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇନାହିଁ।