ମୋଦି ବିରୋଧିଙ୍କ ଟୁଇଟର ଆକାଉଣ୍ଟକୁ ବନ୍ଦ କରିବା ପାଇଁ ପଡ଼ିଥିଲା ଚାପ, ଖଣ୍ଡନ କଲେ ମନ୍ତ୍ରୀ

ନୂଆଦିଲ୍ଲୀ :  ଦିନକ ପୂର୍ବରୁ ଟ୍ୱିଟର ସହ-ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି ନରେନ୍ଦ୍ର ମୋଦି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କୁ ନେଇ ଏକ ଭୟଙ୍କର ବୟାନ ଦେବା ସହ  ଅଭିଯୋଗ ଆଣିଛନ୍ତି | ଅର୍ନ୍ତଜାତୀୟ ଗଣମାଧ୍ୟମକୁ ମତାମତ ଦେଇ ଜ୍ୟାକ୍  ଡୋର୍ସି କହିଛନ୍ତି ଯେ, ଗତବର୍ଷ କୃଷକଙ୍କ ଆନ୍ଦୋଳନ ସମୟରେ କେନ୍ଦ୍ର ସରକାର ଏହାକୁ ସମାଲୋଚନା କରୁଥିବା ଲୋକଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ନିଲମ୍ବନ କରିବାକୁ ଟ୍ୱିଟର କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇଥିଲେ। ମାତ୍ର ଏହି ଅଭିଯୋଗକୁ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ଟ୍ୱିଟର ପ୍ରତ୍ୟେକ ଥର ଭାରତୀୟ ନିୟମ ଉଲ୍ଲଂଘନ କରୁଛି। ଟ୍ୱିଟରରେ ଜ୍ୟାକ୍ ଡୋର୍ସିଙ୍କ ବିବୃତ୍ତିର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, “ଜ୍ୟାକ୍ ଡୋର୍ସି ମିଛ କହିଛନ୍ତି। ବୋଧହୁଏ ଟ୍ୱିଟର ଇତିହାସର ସେହି ସନ୍ଦେହଜନକ ଅଂଶକୁ ଲିଭାଇବାକୁ ଚେଷ୍ଟା କରାଯାଇଛି। ଡୋର୍ସି ଏବଂ ତାଙ୍କ ଦଳ ବାରମ୍ବାର ଭାରତୀୟ ଆଇନକୁ ଉଲ୍ଲଂଘନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୟୁଟ୍ୟୁବ ଚ୍ୟାନେଲ ବ୍ରେକିଂ ପଏଣ୍ଟକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଜ୍ୟାକ୍ ଡୋର୍ସିଙ୍କୁ ପଚରାଯାଇଥିଲା ଯେ ଯେତେବେଳେ ସେ ଟ୍ୱିଟରରେ ଥିଲେ ସେତେବେଳେ କୌଣସି ଦେଶର ସରକାର ତାଙ୍କ ଉପରେ ଚାପ ପକାଇଥିଲେ କି? ଏହାର ପ୍ରତିକ୍ରିୟାରେ ଡୋର୍ସି ଭାରତ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ, କୃଷକଙ୍କ ଆନ୍ଦୋଳନ ସମୟରେ ତାଙ୍କୁ ଏପରି ଅନେକ ଟ୍ୱିଟର ହ୍ୟାଣ୍ଡେଲ ଉପରେ ପ୍ରତିବନ୍ଧକ ଲଗାଇବାକୁ କୁହାଯାଇଥିଲା ଯାହା ସରକାରଙ୍କୁ ସମାଲୋଚନା କରୁଥିଲା। ଭାରତ ବ୍ୟତୀତ ଡୋର୍ସି ତୁର୍କୀ ସରକାର ବିଷୟରେ ମଧ୍ୟ କହିଥିଲେ | ସେଠାରେ ଥିବା ସରକାର ଟ୍ୱିଟର ଉପରେ ଲଗାତାର ଚାପ ପକାଇବା ସହ ଧମକ ମଧ୍ୟ ଦେଇଥିଲେ । ଟ୍ୱିଟରର ସହ-ପ୍ରତିଷ୍ଠାତାଙ୍କ ସାକ୍ଷାତକାରର ଏହି ଭିଡିଓ କ୍ଲିପ୍ ଭାଇରାଲ୍ ହେଉଛି | ସମସ୍ତ ବିରୋଧୀ ଦଳର ନେତାମାନେ ଏହାକୁ ସେୟାର କରୁଛନ୍ତି ଏବଂ ମୋଦି ସରକାର ଉପରେ ଆକ୍ରମଣ କରୁଛନ୍ତି ବୋଲି କହିଥିଲେ। ଏହି ମନ୍ତବ୍ୟକୁ ନେଇ ଭାରତରେ ଏକାଧିକ ପ୍ରତିକ୍ରିୟା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *