ବର୍ଷକ ପରେ ପୁଣି ପିସିବିର ଅଧ୍ୟକ୍ଷ ଖୋଜା ;ସେପଟେ ଚେନ୍ନାଇ ଓ ବେଙ୍ଗାଲୁରରେ ନଖେଳିବାକୁ ପାକିସ୍ତାନର ଦାବି

ବହୁ ବିବାଦ ପରେ ଏସିଆ କପ୍ ୨୦୨୩ ଚିତ୍ର ସ୍ପଷ୍ଟ ହେବା ପରେ ଏବେ ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ର କାର୍ଯ୍ୟସୂଚୀ ମଧ୍ୟ ଖୁବ୍ ଶୀଘ୍ର ଘୋଷଣା ହେବ ବୋଲି ସମସ୍ତେ ଆଶା ରଖିଛନ୍ତି। କିନ୍ତୁ ଏସିଆ କପ ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ରେ ହଟଚମଟା ଦେଖିବାକୁ ମିଳିଛି | ଗତ ବର୍ଷ ରମିଜ ରାଜା ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ନଜମ ସେଠୀ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ। ତେବେ ବର୍ତ୍ତମାନ ପାକିସ୍ତାନ କ୍ରିକେଟ୍ ବୋର୍ଡର ପରବର୍ତ୍ତୀ ଅଧ୍ୟକ୍ଷଙ୍କ ନିର୍ବାଚନ ହେବାକୁ ଯାଉଛି, କିନ୍ତୁ ନଜମ ସେଠୀ ଏହି ନିର୍ବାଚନରେ ଭାଗ ନେବେ ନାହିଁ। ନଜମ ଅଧ୍ୟକ୍ଷ ପଦ ପ୍ରାର୍ଥୀତ୍ୱରୁ ନିଜକୁ ଦୂରେଇ ରଖିଛନ୍ତି | ତେବେ ନଜମ ଏବେ ଏମିତି ଏକ ଟ୍ୱିଟ କରିଛନ୍ତି ଯାହାକୁ ନେଇ ପାକିସ୍ତାନ ରାଜନୀତିରେ ଝଡ ସୃଷ୍ଟି ହୋଇଛି । ସେହିପରି ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପରେ ପାକିସ୍ତାନ କିଛି ସ୍ଥାନରେ ନଖେଳିବାକୁ ଅରାଜିଗତା ପ୍ରକାଶ କରୁଛି । ବିଶେଷ କରି ଚେନ୍ନାଇ ଓ ବାଙ୍ଗାଲୋରରେ ଖେଳିବାକୁ ରାଜି ନାହିଁ ପାକ୍ ଦଳ । (ପିସିବି) ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବୋର୍ଡର ତଥ୍ୟ, ବିଶ୍ଲେଷଣ ଓ ଦଳୀୟ ରଣନୀତି ବିଶେଷଜ୍ଞମାନଙ୍କୁ ଖେଳସୂଚୀ ଅନୁଧ୍ୟାନ କରିବାକୁ କୁହାଯାଇଥିଲା। କିନ୍ତୁ ଚେନ୍ନାଇ ଓ ବେଙ୍ଗାଲୁରୁରେ ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳିବା ସପକ୍ଷରେ ଏହି ବିଶେଷଜ୍ଞମାନେ ନାହାନ୍ତି ବୋଲି ଜଣାପଡ଼ିଛି। ଚେନ୍ନାଇ ପିଚ୍ ସ୍ପିନରଙ୍କୁ ସହାୟତା ଦେଉଥିବାରୁ ରସିଦ ଖାନ୍ ଓ ନୂର ଅହମଦଙ୍କୁ ସାମ୍ନା କରିବାକୁ ପାକିସ୍ତାନ ଭୟ କରୁଛି। ଅନ୍ୟପକ୍ଷରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ବ୍ୟାଟରଙ୍କୁ ଅଧିକ ସହାୟତା ମିଳିବ। ହେଲେ ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ଖେଳିବାକୁ ପାକିସ୍ତାନ କାହିଁକି ଚାହୁନାହିଁ ତାହା ବୁଝାପଡୁନାହିଁ। କିନ୍ତୁ ଦଳୀୟ ଚୟନକର୍ତ୍ତାମାନେ ଏହି ସ୍ଥାନକୁ ପସନ୍ଦ କରୁନଥିବା ଜଣାପଡ଼ିଛି। ତେଣୁ ଏହି ଦୁଇ ସ୍ଥାନ ଓ ଦଳ ମଧ୍ୟରେ ଅଦଳବଦଳ ପାଇଁ ପାକିସ୍ତାନ ପ୍ରସ୍ତାବ ଦେବାକୁ ଯାଉଛି। ଚେନ୍ନାଇରେ ଅଷ୍ଟ୍ରେଲିଆ ଏବଂ ବେଙ୍ଗାଲୁରୁରେ ଆଫଗାନିସ୍ତାନ ବିପକ୍ଷରେ ପାକିସ୍ତାନ ଖେଳିବ ବୋଲି ବିସିସିଆଇ ଓ ଆଇସିସିକୁ ପ୍ରସ୍ତାବ ଆସିପାରେ। କିନ୍ତୁ ବିସିସିଆଇର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଇସିସି ଏହାର ସଦସ୍ୟ ଦଳଙ୍କଠୁ ପରାମର୍ଶ ମାଗିବା କେବଳ ଏକ ପ୍ରୋଟୋକଲ୍। ଯଦି ସୂଚୀରେ କେହି କିଛି ପରିବର୍ତ୍ତନ କରିବାକୁ ଚାହୁଛନ୍ତି, ତାହେଲେ ତାହାର ଦୃଢ଼ କାରଣ ଦର୍ଶାଇବା ଆବଶ୍ୟକ। ପୂର୍ବରୁ ୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବାକୁ ପାକିସ୍ତାନ ଭାରତକୁ ଆସିଥିଲା ବେଳେ ସୁରକ୍ଷା ଜନିତ କାରଣ ପାଇଁ ଧର୍ମଶାଳା ମ୍ୟାଚ୍ କୋଲ୍କାତାକୁ ପରିବର୍ତ୍ତନ କରିଥିଲା। ଏବେ ଯଦି କୌଣସି ଦଳ ତାହାର ଶକ୍ତି ଓ ସାମର୍ଥ୍ୟ ଅନୁସାରେ ସ୍ଥାନ ବଦଳାଇବାକୁ ଚାହେଁ, ତାହେଲେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା କଷ୍ଟକର ହୋଇପାରେ। ଏହାବାଦ୍ ଅକ୍ଟୋବର ୧୫ ତାରିଖ ପାଇଁ ଧାର୍ଯ୍ୟ ହୋଇଥିବା ଭାରତ ବିପକ୍ଷ ମ୍ୟାଚ୍ ଉପରେ ପାକିସ୍ତାନର କୌଣସି ଆପତ୍ତି ନଥିବା ଜଣାପଡ଼ିଛି। ବିଶ୍ବକପ୍ରେ ପାକିସ୍ତାନ ତାହାର ପ୍ରଥମ ଦୁଇ ମ୍ୟାଚ୍ ହାଇଦ୍ରାବାଦ୍ରେ ଖେଳିବ ବୋଲି ସ୍ପଷ୍ଟ ହୋଇଛି ।