ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ

ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଅତିରିକ୍ତ ଉପଜିଲ୍ଲାପାଳଙ୍କ ସମ୍ପତ୍ତି ଦେଖି ଅବାକ ଭିଜିଲାନ୍ସ। ସବୁ  ସ୍ଥାନରୁ ମିଳୁଛି ଲକ୍ଷ ଲକ୍ଷ ଟଙ୍କା ଭର୍ତ୍ତି ପେଟି। ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସକୁ ମିଳିଛି ୨ କୋଟିରୁ ଅଧିକ ଟଙ୍କା। ଭୁବନେଶ୍ୱର କାନନବିହାର ପଡୋଶୀ ଘର ଛାତରୁ ୬ଟି ଟଙ୍କା ଭର୍ତ୍ତି ପେଟି ମିଳିଛି। କାନନବିହାର ସ୍ଥିତ ଦୁଇ ମହଲା କୋଠାରେ ଚଢାଉ ଜାରି ରହିଛି। ନବରଙ୍ଗପୁରରେ ଥିବା ଘର, କାର୍ଯ୍ୟାଳୟରେ ଚଢାଉ ଚାଲିଛି। ଭଦ୍ରକ ବହୁଦରଡାରେ ଥିବା ପୈତୃକ ଘରେ, ସରକାରୀ ବାସଭବନ ସମେତ ମୋଟ ୯ଟି ସ୍ଥାନରେ ଚଢାଉ ଜାରି ରହିଛି। ଏହି ଚଢାଉରେ ୨ ଆଡିସନାଲ ଏସପି, ୭ ଡିଏସପି, ୮ ଇନ୍ସପେକ୍ଟର ସାମିଲ ଅଛନ୍ତି। ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ପୂର୍ବରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ। ବିଶ୍ରା ବ୍ଲକରେ ବିଡିଓ ଥିବା ବେଳେ ଲାଞ୍ଚ ନେଇ ଧରା ପଡିଥିଲେ। ଏହାସହ ନବରଙ୍ଗପୁରର ଏକ ସରକାରୀ ବାସଭବନରୁ ମିଳିଛି ଆଉ ୨ପେଟି ଟଙ୍କା। ୫ ଶହ ଟଙ୍କିଆ ଭର୍ତ୍ତି ଦୁଇ ପେଟି ଟଙ୍କା ଠାବ କରିଛି ଭିଜିଲାନ୍ସ। ଗୋଟିଏ ପେଟିରେ ୫୬ ଲକ୍ଷ, ଅନ୍ୟଟିରେ ୨୧ ଲକ୍ଷ ଟଙ୍କା ଥିବା ନେଇ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *