ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା, ପୁଣି ତଦନ୍ତର ସାମନା କରିବେ ହକି ତାରକା ବୀରେନ୍ଦ୍ର ଲାକ୍ରା
କଟକ : ବହୁ ଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଆନ୍ତର୍ଜାତିକ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କ ଅଡ଼ୁଆ ବଢିବାରେ ଲାଗିଛି। ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଏଣିକି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ହାଇକୋର୍ଟ ନିକଟରେ ଏନେଇ ରାୟ ଦେଇଛନ୍ତି। ସେହିପରି ରାଜ୍ୟ ପୁଲିସ୍ ପ୍ରଶାସନରେ ଥିବା ଜଣେ ଡିଆଇଜି ପାହ୍ୟାର ପାହ୍ୟାର ଅଧିକାରୀ ଏହି ଘଟଣାର ତଦନ୍ତ କରିବ କୋର୍ଟ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଦିଗରୁ ତଦନ୍ତ କରିବା ପରେ ଚାର୍ଜସିଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।
ପୂର୍ବରୁ ସମାନ ଘଟଣାର ତଦନ୍ତ କରି ହକି ଖେଳାଳି ବୀରେନ୍ଦ୍ରଙ୍କୁ କମିଶନରେଟ ପୁଲିସ୍ ପକ୍ଷରୁ କ୍ଲିନଚିଟ୍ ପ୍ରଦାନ କରାଯାଇଥିଲା। ସେହିପରି ଆନନ୍ଦଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି ସେସମୟରେ ପୁଲିସ୍ କହିଥିଲା। ଗତବର୍ଷ ଫେବ୍ରୁଆରୀ ୨୮ ତାରିଖ ଦିନ ପ୍ରାୟ ୧୨ଟା ବେଳେ ଭୁବନେଶ୍ୱରର ଇନଫୋସିଟି ଥାନା ଅନ୍ତର୍ଗତ ଆୟୁଷ ରେଡିୟମ ଆପାର୍ଟମେଣ୍ଟର ଫ୍ଲାଟ୍ ନମ୍ବର ୪୦୧ରେ ବେକରେ ଶାଢ଼ୀ ଲଗାଇ ଆନନ୍ଦ ଆତ୍ମହତ୍ୟା କରିଥିଲେ । ଏନେଇ ବୀରେନ୍ଦ୍ର ଫୋନ୍ କରି ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋଙ୍କୁ ସୂଚନା ଦେଇଥିଲେ। ଏହା ପରେ ଆନନ୍ଦଙ୍କ ବାପା ବନ୍ଧନ ଭୁବନେଶ୍ୱରରେ ଆସିଥିଲେ। ଆନନ୍ଦଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ କରିଥିଲେ। ଏଥିରେ ବୀରେନ୍ଦ୍ର ଲାକ୍ରାଙ୍କ ସହିତ ଆନନ୍ଦଙ୍କ ବାନ୍ଧବୀ ମଞ୍ଜିତ ଟପ୍ପୋ ସାମିଲ ଥିବା ସେ ଅଭିଯୋଗ କରିଥିଲେ। ବୀରେନ୍ଦ୍ରଙ୍କ ନାଁରେ ଇନ୍ଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋ। ହେଲେ ପୁଲିସ୍ ଅଭିଯୋଗ ଗ୍ରହଣ କରିନଥିବା ଅଭିଯୋଗ ହୋଇଥିଲା। ପୁଲିସ୍ ମାମଲା ରୁଜୁ ନକରିବାରୁ ବନ୍ଧନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।