ହିଞ୍ଜିଳି ସହ ଏହି ଆସନରୁ ଲଢିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..ଲମ୍ବୁଛି ପ୍ରସ୍ତାବ….

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବିଧାନସଭା ନିର୍ବାଚନରେ  ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ନିର୍ବାଚିତ ହୋଇ ଆସିଛନ୍ତି। ମାତ୍ର ଗତଥର ହିଞ୍ଜିଳିରେ ଲଢିବା ସହ ପଶ୍ଚିମ ଓଡ଼ିଶାର ବିଜେପୁର ଆସନରୁ ମଧ୍ୟ ଲଢିଥିଲେ। ଆସନ୍ତା ବିଧାନସଭା ନିର୍ବାଚନରେ ମଧ୍ୟ ହିଞ୍ଜିଳି ସହ ଆଉ ଏକ ଆସନରୁ ଲଢିବା ସପକ୍ଷରେ ତାଙ୍କର ନିଜସ୍ୱ ସର୍ଭେକ୍ଷଣ ଟିମ୍ ମତ ରଖିଛି। ହେଲେ ପୂର୍ବପରି ବିଜେପୁର ନ ଛିଡା ହୋଇ ନୂଆ ଆସନରୁ ଛିଡ଼ା ହେବା ପାଇଁ ପ୍ରସ୍ତାବ ଆସିଛି। ଏହି ପ୍ରସ୍ତାବ ଗୁଡିକ ଉପରେ ବିଜେଡିର ଶୀର୍ଷ ନେତୃତ୍ୱ ଏବଂ ରିସର୍ଚ୍ଚ ଟିମ୍ ଗୁରୁତର ଭାବେ ବିଚାର କରୁଛି। ପ୍ରାଥମିକ ଆଲୋଚନାରେ ଯେଉଁ ପାଞ୍ଚଟି ଆସନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲଢିବା ନେଇ ଚର୍ଚ୍ଚା ହେଉଛି। ତାହା ନିମ୍ନରେ ପ୍ରଦାନ କରାଗଲା।

କେନ୍ଦ୍ରରେ ବିଜେପି ରାମମନ୍ଦିର ସମ୍ପୂର୍ଣ୍ଣ କରି ନିର୍ବାଚନୀ ରାଜନୀତିକୁ ଓହ୍ଲାଇବାକୁ ଚାହୁଁଛି। ସେହି ଢଙ୍ଗରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ କରି ବିଧାନସଭା ନିର୍ବାଚନ କରିବାକୁ ଚାହୁଁଛନ୍ତି। ପୂର୍ବ ଓଡ଼ିଶାରେ ପୁରୀ ଏବଂ ଭଦ୍ରକ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ରହିଛି। ପୁରୀ ଗୋଟିଏ ସମ୍ବେଦନଶୀଳ ଆସନ। ତେଣୁ ପରିକ୍ରମା ପ୍ରକଳ୍ପ ଉଦଘାଟନ ସହ ପୁରୀରୁ ଶ୍ରୀ ପଟ୍ଟନାୟକ ନିର୍ବାଚନ ଲଢନ୍ତୁ ବୋଲି ଗୋଟିଏ ସର୍ଭେକ୍ଷଣ ସଂସ୍ଥା ପ୍ରସ୍ତାବ ଦେଇଛି। ପୁରୀ ବିଧାନସଭା ଏବଂ ଜିଲ୍ଲା ସଙ୍ଗଠନ ଦୁର୍ବଳ ହେବାରେ ଲାଗିଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ପୁରୀରୁ ପ୍ରାର୍ଥୀ ହେବା ଦ୍ୱାରା ଏସବୁକୁ ପୂର୍ଣ୍ଣ ମାତ୍ରାରେ ନିୟନ୍ତ୍ରଣ କରାଯାଇପାରିବ। ପୁରୀରେ ପ୍ରାର୍ଥୀ ହେଲେ ପୁରୀ ଏବଂ ଭୁବନେଶ୍ୱର ଲୋକସଭା ତତ୍ ସହିତ ଅବିଭକ୍ତ ପୁରୀ ଜିଲ୍ଲାରେ ଏକ ପ୍ରଭାବ ପଡିବ ବୋଲି ଆଶା କରାଯାଉଛି।

ଅନୁରୂପ ଭାବେ ପଶ୍ଚିମ ଓଡ଼ିଶାର ସମ୍ବଲପୁର ପ୍ରାଣକେନ୍ଦ୍ର ଭାବେ ପରିଚିତ। ଏହି ଜିଲ୍ଲାର ରାଜନୀତି ସମଗ୍ର ପଶ୍ଚିମ ଓଡ଼ିଶାରେ ପ୍ରତିଫଳିତ ହୋଇଥାଏ। ଏହି ଆସନରୁ ବର୍ତ୍ତମାନ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର ପ୍ରତିନିଧିତ୍ୱ କରୁଛନ୍ତି। ତେଣୁ ଯଦି ମୁଖ୍ୟମନ୍ତ୍ରୀ ସମ୍ବଲପୁରରୁ ପ୍ରାର୍ଥୀ ହୁଅନ୍ତି, ତେବେ ସ୍ଥାନୀୟ ସମୀକରଣ ବ୍ୟାପକ ପରିମାଣରେ ଶାସକ ଦଳକୁ ସୁହାଇବ ବୋଲି ବିଜେଡି ଥିଙ୍କ୍ ଟ୍ୟାଙ୍କ୍ ଆଶା କରୁଛି। ତୃତୀୟରେ ସାରା ରାଜ୍ୟରେ ପ୍ରଚାର କରିବା ଏକ କଷ୍ଟକର ବ୍ୟାପାର। ତେଣୁ ସେ ରହୁଥିବା ଏକାମ୍ର ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ଲଢିବା ଉଚିତ ବୋଲି କେତେକ ନେତା ପ୍ରସ୍ତାବ ଦେଇଛନ୍ତି।  ଚତୁର୍ଥରେ କଳାହାଣ୍ଡି ଜିଲ୍ଲା ନର୍ଲାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଓଡ଼ିଶା ସର୍ବାଧିକ ପ୍ରସାରିତ ଖବର କାଗଜ ସାପ୍ତାହିକ ରାଜନୀତିସ୍ତମ୍ଭରେ ଉଲ୍ଲେଖ କରିଛି। ମାତ୍ର ଏହା କେଉଁ ଆଧାରରେ ହେଉଛି, ତାହା ଜଣାପଡିନାହିଁ। ସେହିପରି ପଞ୍ଚମରେ ବରଗଡ଼ ଏବଂ ବିଜେପୁର ମଧ୍ୟରୁ ଗୋଟିଏ ଆସନ ସମ୍ପର୍କରେ ଚିନ୍ତା କରିବା ଭଲ ବୋଲି ଦଳର ଜଣେ ବରିଷ୍ଠ ଉପସଭାପତି ପ୍ରସ୍ତାବ ଦେଇଛନ୍ତି। ପଶ୍ଚିମ ଓଡ଼ିଶାର ସବୁ ଅଞ୍ଚଳରେ ସମନ୍ୱୟ ପାଇଁ ବରଗଡ କିମ୍ବା ସେହି ଜିଲ୍ଲାରେ କୌଣସି ଗୋଟିଏ ଆସନରେ ଛିଡା ହେବା ନେଇ ବିଚାରବିମର୍ଶ ଜାରି ରହିଛି। ମାତ୍ର ଏନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ।

Leave a Reply

Your email address will not be published. Required fields are marked *