ଆମ ଜିଲ୍ଲାରେ ଆମ ମନପସନ୍ଦର ଅଧିକାରୀଙ୍କୁ ନିଯୁକ୍ତି ଦିଅ

ଭୁବନେଶ୍ୱର – ନିର୍ବାଚନ ପାଖେଇ ଆସିଲାଣି । ରାଜ୍ୟ ସରକାର ଆଗୁଆ ନିର୍ବାଚନ ନେଇ ଅଣ୍ଟା ଭିଡିଛନ୍ତି। ଏହି କଥା ପରୋକ୍ଷରେ କେତେକ ବିଜେଡି ନେତାମାନଙ୍କୁ କୁହାଗଲାଣି । ଏସବୁ ମଧ୍ୟରେ ନେତାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଏକ ନିର୍ଦ୍ଦିଷ୍ଟ ଆପତ୍ତି ଅଭିଯୋଗ କରିଛନ୍ତି । ରାଜ୍ୟରେ ଅଫିସର ରାଜ ଚାଲିଥିବା ଏକ ଧାରଣା ବିରୋଧି ସୃଷ୍ଟି କରିଛନ୍ତି । ତେଣୁ ଏହାକୁ ଚେକ୍ ଦେବାକୁ ହେବ । ତେଣୁ ଅନ୍ତଃତ ଜିଲ୍ଲାସ୍ତରରେ ହେଉଥିବା ଅଦଳବଦଳରେ ନେତାଙ୍କ କଥା ଶୁଣାଯାଉ। ଏହି କ୍ରମରେ ବରିଷ୍ଠ ବିଧାୟକ, ପୂର୍ବତନ ମନ୍ତ୍ରୀମାନେ ନିଜ ମନପସନ୍ଦର ଅଫିସର ପାଇଁ ତୃତୀୟ ମହଲାକୁ ଅବଗତ କରିଛନ୍ତି। ଏକ ତୃତୀୟାଂଶ ଜିଲ୍ଲାରେ ପଦୋନ୍ନତି ଅଫିସର (ଓଏଏସରୁଆଇଏଏସ) ଅଧିକାରୀ ଜିଲ୍ଲା ଦାୟିତ୍ୱରେ ରହିବେ। ତେଣୁ ଏହି ଦଶ ଜିଲ୍ଲାର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀମାନେ କିଛି ନିର୍ଦ୍ଦିଷ୍ଟ ଅଫିସରଙ୍କ ନାଁ ତାଲିକା ତୃତୀୟ ମହଲାରେ ଦାଖଲ କରିକି ଆସିଛନ୍ତି। ଅନୁରୂପ ଭାବେ ପୂର୍ବତନ ମନ୍ତ୍ରୀ ମାନେ ନିଜର ପୂର୍ବତନ ବ୍ୟକ୍ତିଗତ ସହାୟକମାନଙ୍କୁ ନିଜ ଜିଲ୍ଲାରେ ଜିଲ୍ଲାପାଳ କରିବା ନେଇ ସୁପାରିସ୍ କରିଛନ୍ତି। ଖୁବଶୀଘ୍ର ସେମାନଙ୍କ ସୁପାରିସ୍ ଅନୁଯାୟୀ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ।