ଜଗତସିଂହପୁର ଜିଲ୍ଲା ବିଜେଡି କମିଟିରେ ଟିଟୋ ସହଯୋଗୀ

ପାରାଦୀପ : ସରଳ ଜୀବନଯାପନ କର। ଦେଖାଇହେବା ପ୍ରକୃତିରୁ ଦୂରେଇ ରୁହ। ଗାନ୍ଧୀଙ୍କ ଆଦର୍ଶରେ ରୁହ। ଅପରାଧ କାର୍ଯ୍ୟକଳାପ ଠାରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଦୂରେଇ ରୁହ। ଏକଥା ନବୀନ ପଟ୍ଟନାୟକ ବିଜେଡି ବିଧାୟକ ଓ ପ୍ରତିନିଧିମାନଙ୍କୁ କହିଥିଲେ। ମାତ୍ର ଜିଲ୍ଲା ସ୍ତରରେ କେତେକ ନେତା ନିଜ ରାଜନୈତିକ ଫାଇଦା ପାଇଁ ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ବିଜେଡିରେ ମିଶାଉଥିବା ଜଣାପଡିଛି। ଗ୍ୟାଙ୍ଗଷ୍ଟର ଟିଟୋର ଜଣେ ପୂର୍ବ ସହଯୋଗୀକୁ ମିଳିଲା ବିଜେଡିର ଜିଲ୍ଲା ଉପସଭାପତି ଦାୟିତ୍ୱ | ନିକଟରେ ଜଗତସିଂହପୁର ଜିଲ୍ଲା ଉପ ସଭାପତି ଭାବେ ଟିଟୋର ସହଯୋଗୀ ବା ଅତି ଘନିଷ୍ଠ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁ ପରିଡ଼ାଙ୍କୁ ଦାୟିତ୍ୱ ମିଳିବା ପରେ ପାରାଦ୍ୱୀପ ବିଜେଡିରେ ବିବାଦ ବଢିଥିବା ଜଣାପଡିଛି।

          ଗତ ୨୦୧୮ ମସିହାରେ ଟିଟୋ ଲିଙ୍କରେ ବାପୁ ପରିଡ଼ା ଏସଟିଏଫ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲା । ହତ୍ୟା, ଦାଦା ବଟି, ଗୁଳିକାଣ୍ଡ, ଅପହରଣ ଓ ଧମକଚମକ ଭଳି ୨୮ଟି ମାମଲାରେ ବାପୁର ସମ୍ପୃକ୍ତି ଥିବା ଏସଟିଏଫ ସେବେ ପ୍ରମାଣ ପାଇଥିଲା । ଆଉ ଏବେ ସେହି ବାପୁ ପରିଡା ବା ଜ୍ୟୋତିକାନ୍ତ ପରିଡ଼ାକୁ ଜଗତସିଂହପୁର ଜିଲ୍ଲା ବିଜେଡି ଉପ ସଭାପତି ପଦ ମିଳିବା ପରେ ଜିଲ୍ଲା ବିଜେଡି ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହେଲେ ବରିଷ୍ଠ ନେତା ଦାମ ରାଉତ ପୁଅ ତଥା ସ୍ଥାନୀୟ ବିଧାୟକ ସମ୍ବିତ ରାଉତରାୟଙ୍କ ବୟାନ ଘଟଣାକୁ ନୂଆ ମୋଡ଼ ଦେଇଛି।  ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି ଯେ, ସେ ବାପୁ ନାଁ ସୁପାରିଶ କରିନ ଥିଲେ।  କେମିତି ତା ନାଁ ଲିଷ୍ଟରେ ଆସିଲା ତାଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି । ମୋ ବିନା ପରାମର୍ଶରେ ଅପରାଧିକ ମାମଲା ଥିବା ବାପୁକୁ ଦଳୀୟ ସଂଗଠନରେ ସାମିଲ କରାଯାଇଛି । ପୂର୍ବତନ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲିଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ସ୍ଥାନୀୟ ବିଜେଡି ବିଧାୟକ ଶ୍ରୀ ରାଉତରାୟ । ଅପରପକ୍ଷରେ ସରକାରୀ ଦଳ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ସେ ବର୍ତ୍ତମାନ ଜିଲ୍ଲା ସଭାପତି ନାହାନ୍ତି।  ସେ ଜିଲ୍ଲା ସଭାପତି ଥିବା ସମୟରେ ଏହା ହୋଇନାହିଁ । କିଏ କଣ ହେବ ବା ପଦବୀ ପାଇବ ତାହା ଦଳୀୟ ନିଷ୍ପତ୍ତିରେ ହୁଏ । ଯିଏ ମୋ ନାଁ ନେଇଛି ତାଙ୍କୁ ପଚାର ସେ କାହିଁକି ମୋ ନାଁ ନେଉଛି । ସେ ହିଁ ତାହାର ସ୍ପଷ୍ଟୀକରଣ ଦେବ ବୋଲି ପ୍ରଶାନ୍ତ ମୁଦୁଲି କହି ଜଗତସିଂହପୁର ରାଜନୀତିକୁ ନୂଆ ମୋଡ ଦେଇଛନ୍ତି।

Leave a Reply

Your email address will not be published. Required fields are marked *