ମଣିପୁର ପ୍ରସଙ୍ଗରେ ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି ନବୀନ, ବିଜେଡି
ଭୁବନେଶ୍ୱର- ଦେଶ ର ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଜାରି ରହିଥିବା ହିଂସା ସମସ୍ତଙ୍କୁ ବ୍ୟଥିତ କରିଛି। ଦୁଇ ମାସ ତଳେ ଦୁଇ ଜଣ ମହିଳା ଉଲଗ୍ନ କରି ଯେପରି ଭାବେ ରାସ୍ତାରେ ନିଆଗଲା, ସେମାନଙ୍କ ସହ ପଶୁ ଭଳି ବ୍ୟବହାର କରାଗଲା। ପରବର୍ତ୍ତୀ ସମୟରେ ସେହି ଭିଡିଓକୁ ଭାଇରାଲ କରାଗଲା। ଏହା ପରେ ନୀରବ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଷରେ ୭୯ ଦିନ ପରେ ମୁହଁ ଖୋଲିଲେ। ମାତ୍ର ଏପର୍ଯ୍ୟନ୍ତ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ୍ ସିଂ ଇସ୍ତଫା ଦେବା ଦୂରର କଥା, ନୈତିକ ଭୁଲ୍ ସ୍ୱୀକାର କରୁନାହାନ୍ତି। ଏହାକୁ ନେଇ ମୋସୁମୀ ଅଧିବେଶନର ପ୍ରଥମ ଦୁଇଦିନ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ଦଳ ବିଜେଡି ନୀରବମୁଦ୍ରା ଅବଲମ୍ବନ କରିଛି।
ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କିଛି ବି କହି ନାହାନ୍ତି। ଇତି ମଧ୍ୟରେ ତାଙ୍କ ନବୀନ ଓଡ଼ିଶା ଟୁଇଟର ହ୍ୟାଣ୍ଡେଲରୁ ଏକାଧିକ ଟୁଇଟ୍ ହୋଇଥିଲେ ବି ମଣିପୁର ଘଟଣାରେ ଟୁଇଟ୍ ଟିଏ ମଧ୍ୟ କରିନାହାନ୍ତି। ସେହିପରି ଦିଲ୍ଲୀରେ ଥିବା ଦଳର ସାଂସଦ ସମୂହଙ୍କ କାହାର ବିବୃତ୍ତି ମଧ୍ୟ ଦେଖିବାକୁ ମିଳିନାହିଁ। ଏହାକୁ ନେଇ ରାଜ୍ୟ କଂଗ୍ରେସ ନିଜ ଟୁଇଟର ହ୍ୟାଣ୍ଡେଲରୁ ନବୀନ ପଟ୍ଟନାୟକ ଏବଂ ବିଜେଡିକୁ ସମାଲୋଚନା କରିଛନ୍ତି। ସେହିପରି ଅନ୍ୟ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ବିଜେଡିର ମହିଳା ସଶକ୍ତୀକରଣ, ଗାନ୍ଧିବାଦୀ ଶାନ୍ତି ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।