ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ନବୀନ ! ହେଲେ କାହିଁକି…ଶାହା ରାଜି ନାହାନ୍ତି…ନରେନ୍ଦ୍ରଙ୍କୁ ରାଜି କରାଇ ପାରିବେ ତ
ଭୁବନେଶ୍ୱର : ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭେଟଘାଟ୍ ହେବାର ସମ୍ଭାବନା ରହିଛି। ନିକଟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିଥିଲେ। ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ଏହି ସମୟରେ ଅମିତ ଶାହା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ସବୁଠୁ ପ୍ରଭାବଶାଳୀ ଅଫିସରଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶା ସରକାର ମୌସୁମୀ ଅଧିବେଶନ ବିଧାନସଭାରେ ଅତିରିକ୍ତ ବଜେଟ୍ ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଅତିରିକ୍ତ ବଜେଟ୍ ଆଣିବା ପରେ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଏବଂ ଛତିଶଗଡ଼ ସହ ଏକାଠି ବିଧାନସଭା ନିର୍ବାଚନ କରାଇବା ପାଇଁ ଏକ ପ୍ରକାର ମାନସିକ ପ୍ରସ୍ତୁତି କଲେଣି। ମାତ୍ର ବିଧାନସଭା ଭଙ୍ଗ ପରେ କେନ୍ଦ୍ର ନିର୍ବାଚନ କମିସନ ହିଁ ଚୂଡାନ୍ତ ନିଷ୍ପତ୍ତି ନେବେ। ଏହି ସମୟରେ କମିସନ ଗୃହ ମନ୍ତ୍ରଣାଳୟର ପରାମର୍ଶ ନେବ। ନିକଟରେ ଶାହା ଓଡ଼ିଶା ଗସ୍ତରେ ଆସି ଆଗୁଆ ନିର୍ବାଚନରେ ବିଜେପିର କ୍ଷତି ହେଉଥିବା ହୃଦବୋଧ କରିଛନ୍ତି। ତେଣୁ ଓଡ଼ିଶା ସରକାର ଆଗୁଆ ନିର୍ବାଚନ ନ କରି ଧାର୍ଯ୍ୟ ସମୟରେ କରନ୍ତୁ ବୋଲି ଶାହା ପ୍ରସ୍ତାବ ଦେଇଛନ୍ତି।
ମାତ୍ର ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶାହା ଅଲଗା ଅଲଗା ନିର୍ବାଚନ ନେଇ ରାଜି ନାହାନ୍ତି। ମାତ୍ର ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରି ସହମତିର ରାସ୍ତା ବାହାର କରିବା ପାଇଁ ନବୀନ ଆଶାବାଦୀ ଅଛନ୍ତି। ତେଣୁ ନବୀନ ଏବଂ ମୋଦିଙ୍କ ପରବର୍ତ୍ତୀ ସାକ୍ଷାତ ଉପରେ ରାଜ୍ୟର ରାଜନୈତିକ ମହଲର ଦୃଷ୍ଟି ନିବଦ୍ଧ ହୋଇ ରହିଛି।