କେନ୍ଦ୍ରାପଡ଼ା : କଟିସାରିଲାଣି ତିନି ଜଣଙ୍କ ଟିକେଟ୍, ନୂଆ ଚେହେରା ଖୋଜିଲାଣି ବିଜେଡି

ଭୁବନେଶ୍ୱର: ମାସ କେଇଟା ପରେ ସାଧାରଣ ନିର୍ବାଚନ। ଭୋଟ ବେଳ ଯେତିକି ପାଖେଇ ଆସୁଛି, କେନ୍ଦ୍ରାପଡ଼ା ରାଜନୀତି ସେତିକି ଜମୁଛି। ଦୀର୍ଘଦିନ ଧରି ଶାସକ ଦଳ ବିଜେଡିରୁ ଟିକେଟ୍ ଉପରେ ସମସ୍ତଙ୍କ ନଜର ରହିଛି। ଜିଲ୍ଲାର ତିନୋଟି ଆସନର ବିଜେଡି ଟିକେଟ୍ ବଦଳିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଏହି ଆସନ ଗୁଡିକ ହେଉଛି- କେନ୍ଦ୍ରାପଡ଼ା(ସଂରକ୍ଷିତ), ରାଜନଗର ଏବଂ ପାଟକୁରା। ତେଣୁ ଏହି ଆସନ ପାଇଁ ନୂଆ ମୁହଁ ତଥା କିଛି ପୁରୁଣା ମୁହଁଙ୍କୁ ନେଇ ବିଚାରବିମର୍ଶ ଆରମ୍ଭ ହୋଇଗଲାଣି।

କେନ୍ଦ୍ରାପଡ଼ା ଆସନରୁ ଶଶୀଭୂଷଣ ବେହେରାଙ୍କୁ ଦ୍ୱିତୀୟ ଥର ଟିକେଟ୍ ଦିଆଯିବ ନାହିଁ। ତେଣୁ ଏହି ଆସନରୁ ଜିତିଥିବା ଦୁଇ ପୂର୍ବତନ ପ୍ରତିନିଧି ଏବଂ ଜଣେ ଜାତୀୟ ଦଳରୁ ପୂର୍ବରୁ ବହୁଥର ପ୍ରାର୍ଥୀ ହୋଇଥିବା ନେତାଙ୍କ ନାଁ ବିଚାରରେ ରହିଛି। ଏହି ଆସନକୁ ମହିଳାଙ୍କୁ ଦେବା ନେଇ ମଧ୍ୟ ଚିନ୍ତା କରାଯାଉଛି। ଶେଷ ମୁହୂର୍ତ୍ତରେ କୌଣସି ଉଚ୍ଚଶିକ୍ଷିତା ମହିଳା କିମ୍ବା ସକ୍ରିୟ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ କେନ୍ଦ୍ରାପଡ଼ା ଟିକେଟ୍ ପ୍ରଦାନ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି।

ଏହା ପରେ ପାଟକୁରାରୁ ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ ଆଉ ଥରେ ପ୍ରାର୍ଥୀ କରିବାକୁ ବିଜେଡି ଚାହୁଁନାହିଁ। ତେଣୁ ଏହି ଆସନ ପାଇଁ ଏକାଧିକ ଆଶାୟୀ ରହିଛନ୍ତି। ଆଶ୍ଚର୍ଯ୍ୟର କଥା ଏହି ଆସନରେ ଜଣେ ଆଇଏଏସ୍ ଅଧିକାରୀ ଚାକିରୀକୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ଲଢିପାରନ୍ତି ବୋଲି ଚର୍ଚ୍ଚା ଦୀର୍ଘ ଦୁଇବର୍ଷ ଧରି ଜୋର ଧରିଛି। ଅଗ୍ରଓ୍ୱାଲ ପରିବାର ବାଦ୍ ଅନ୍ୟ କେହି ସକ୍ରିୟ ନାହାନ୍ତି। ତେଣୁ ଏହି ଆସନ ପାଇଁ ପ୍ରାର୍ଥୀ ସମ୍ପୂର୍ଣ୍ଣ ରୂପେ ତୃତୀୟ ମହଲା ଉପରେ ଛାଡି ଦିଆଯାଇଛି।

ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ନିଜ ଦଳ ଭିତରରୁ ବିରୋଧରେ ଶୀକାର ହେଲାଣି। ସ୍ଥାନୀୟ ଗଣମାଧ୍ୟମରେ ତାଙ୍କ ବିରୋଧରେ ନିୟମିତ ଭାବେ ନକରାତ୍ମକ ଖବର ପ୍ରକାଶ ପାଉଛି। ବିଜେଡି ପକ୍ଷରୁ କରାଯାଇଥିବା ବିଭିନ୍ନ ସର୍ଭେରେ ତାଙ୍କର ତୃତୀୟ ଥର ପ୍ରାର୍ଥୀତ୍ୱ ନେଇ ଏତେଟା ଉତ୍ସାହ ନାହିଁ। ତେଣୁ ସେହି ସ୍ଥାନରେ ବିଜେଡି ନୂଆ ମୁହଁ ଦେବା ସୁନିଶ୍ଚିତ ରହିଛି। କଂଗ୍ରେସ ପ୍ରାର୍ଥୀ ଥିବା ଅଂଶୁମାନ ମହାନ୍ତି ବିଜେଡି ଆସିଲେ, ତାଙ୍କ ଟିକେଟ୍ ସୁନିଶ୍ଚିତ ବୋଲି କୁହାଯାଉଛି। ମାତ୍ର କଂଗ୍ରେସରେ ଅଂଶୁମାନ ପୂର୍ବପରି କାମ ଜାରି ରଖିଛନ୍ତି। ଆଗାମୀ ଦିନରେ ରାଜ୍ୟ କଂଗ୍ରେସର ମତିଗତି ଦେଖି  ଅଂଶୁମାନ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି। ଧ୍ରୁବଙ୍କ ପରେ ବିଜେଡିରୁ ରାଜ୍ୟ ହାଉସିଂ ବୋର୍ଡର ଅଧିକାରୀ ବସନ୍ତ ସାହାଣୀଙ୍କ ନାଁ ଚର୍ଚ୍ଚା ହେଉଛି। ସେ ସାମାଜିକ ଗଣମାଧ୍ୟମରେ ସାମାନ୍ୟ ସକ୍ରିୟତା ଦେଖାଇବା ସହ ନିୟମିତ ବ୍ୟବଧାନରେ ସାମାଜିକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହୁଛନ୍ତି।

Leave a Reply

Your email address will not be published. Required fields are marked *