ପ୍ରଶ୍ନପତ୍ର ପ୍ରଘଟ ରୋକିବାକୁ ଆସିଲା ନୂଆ ଆଇନ୍…
ୟୁଜିସି ନେଟ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହେବା ପରେ ଆକ୍ସନ ମୋଡରେ ଏବେ ସରକାର । ଦେଶରେ ବିଭିନ୍ନ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଉଛି। ଏହାକୁ ରୋକିବା ଲାଗି କେନ୍ଦ୍ର ସରକାର ଦେଶରେ ପ୍ରଶ୍ନପତ୍ର ପ୍ରଘଟ ନିରୋଧ ଆଇନ (ଆଣ୍ଟି ପେପର ଲିକ୍ ଲ’) ଲାଗୁ କରିଛନ୍ତି। ଚଳିତ ମାସ ଜୁନ ୨୧ ତାରିଖରୁ ଏହା ଲାଗୁ କରାଯାଇଛି। କେନ୍ଦ୍ର ସରକାରଙ୍କ କାର୍ମିକ ବିଭାଗ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି।
ସୂଚନା ଅନୁସାରେ, ପ୍ରଶ୍ନପତ୍ର ପ୍ରଘଟ ନିରୋଧ ବିଲ୍ ଚଳିତବର୍ଷ ଫେବୃୟାରୀ ମାସରେ ସଂସଦରେ ପାରିତ ହୋଇଥିଲା। ଏହି ଆଇନ ଲାଗୁ ହେବା ପରେ ଏଣିକି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦୋଷୀ ସାବ୍ୟସ୍ତ ହେଉଥିବା ବ୍ୟକ୍ତି ବିଶେଷଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ୧ କୋଟି ଟଙ୍କା ଜରିମାନାରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି। ସେହିପରି ସାବର୍ଜନିକ ପରୀକ୍ଷାରେ ଅନୁଚିତ ଉପାୟ ଅବଲମ୍ବନ କରୁଥିବା ଧରାପଡ଼ିଲେ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।ଏଣିକି କେନ୍ଦ୍ର ଲୋକସେବା ଆୟୋଗ(ୟୁପିଏସସି), କର୍ମଚାରୀ ଚୟନ ଆୟୋଗ (ଏସଏସସି), ରେଲୱେ, ବ୍ୟାଙ୍କିଙ୍ଗ, ଏନଟିଏ ଦ୍ୱାରା ଆୟୋଜିତ ପରୀକ୍ଷା ପାଇଁ ଏହି ଆଇନ ଲାଗୁ ହୋଇଛି।