ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ପାଇଁ ହେବ ଉପ ନିର୍ବାଚନ

ଭୁବନେଶ୍ୱର : ବିଜେଡ଼ିରୁ ରାଜ୍ୟସଭା ଯାଇଥିବା ମମତା ମହନ୍ତଙ୍କ ଇସ୍ତଫା ପରେ ଗୋଟିଏ ଆସନ ଖାଲି ପଡିଥିଲା l ବର୍ତ୍ତମାନ ଏହି ଆସନରେ ଭୋଟ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି l ଆସନ୍ତା ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ ହେବ  । ୯ ରାଜ୍ୟର ୧୨ ଆସନ ପାଇଁ ଆଜି ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି  । ଅଗଷ୍ଟ ୧୪ରେ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ  । ଅଗଷ୍ଟ ୨୧ରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହେବାର ଥିବାବେଳେ ଆବଶ୍ୟକ ପଡ଼ିଲେ ଭୋଟ୍‌ ଗ୍ରହଣ ହେବ  ।

ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ପ୍ରେସ୍‌ ବିବୃତ୍ତି ଅନୁଯାୟୀ, ଆସାମରୁ କାମାକ୍ଷା ପ୍ରସାଦ ତାସା ଓ ସର୍ବାନନ୍ଦ ସୋନୱାଲ, ବିହାରରୁ ମିସା ଭାରତୀ ଓ ବିବେକ ଠାକୁର, ହରିୟାଣାର ଦୀପେନ୍ଦର ସିଂ ହୁଦା, ମଧ୍ୟପ୍ରଦେଶରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମହାରାଷ୍ଟ୍ରରୁ ଉଦୟନରାଜେ ଭୋନସଲେ ଓ ପୀୟୁଷ ଗୋୟଲ, ରାଜସ୍ଥାନରୁ କେସି ବେଣୁଗୋପାଳ ଏବଂ ତ୍ରିପୁରାରୁ ବିପ୍ଳବ କୁମାର ଦେବ ଲୋକସଭା ନିର୍ବାଚନ ଜିତିଥିବାରୁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ  । ତେଣୁ ଏହି ୧୦ ସ୍ଥାନରେ ଉପନିର୍ବାଚନ ଆବଶ୍ୟକ ହେଉଥିଲା  । ଅନୁରୂପ ଭାବେ ଶ୍ରୀମତୀ ମହାନ୍ତଙ୍କ ପରି ତେଲେଙ୍ଗାନାର ଡକ୍ଟର କେ କେଶବ ରାଓ  ନିଜ ପଦରୁ ଇସ୍ତଫା ଦେବାରୁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି l

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୪ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ  । ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାର ଶେଷ ଦିନ ଅଗଷ୍ଟ ୨୧କୁ ଧାର୍ଯ୍ୟ କରାଯାଇଛି  । ଅଗଷ୍ଟ ୨୨ରେ ପ୍ରାର୍ଥପତ୍ର ଯାଞ୍ଚ କରାଯିବ  । ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିବସ ଆସାମ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ତ୍ରିପୁରା ପାଇଁ  ଅଗଷ୍ଟ ୨୬ ଧାର୍ଯ୍ୟ ହୋଇଥିବାବେଳେ ବିହାର, ହରିୟାଣା, ରାଜସ୍ଥାନ, ତେଲେଙ୍ଗାନା ଓ ଓଡ଼ିଶା ପାଇଁ ଅଗଷ୍ଟ ୨୭ ଧାର୍ଯ୍ୟ ହୋଇଛି  । ଯଦି ଆବଶ୍ୟକ ପଡେ଼ ତେବେ ସେପ୍ଟେମ୍ବର ୩ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ହେବ  । ସେହିଦିନ ଅପରାହ୍ନ ୫ଟାରେ ଭୋଟ ଗଣତି କରାଯିବ  ।

Leave a Reply

Your email address will not be published. Required fields are marked *