ଚାଷୀକୂଳ ବେହାଲ…ଭୁଲ୍ ପାଣିପାଗ ସୂଚନାକୁ ଦାୟୀ କଲେ କୃଷକ…

ଭୁବନେଶ୍ୱର: ଶୀତଦିନ ଜାରି ରହିଛି। ମାତ୍ର ଏହା ଭିତରେ ଅଦିନିଆ ବର୍ଷା ଚାଷୀ ମେରୁଦଣ୍ଡକୁ ଏକ ପ୍ରକାର ଭାଙ୍ଗି ଦେଇଛି। ପାଣିପାଗ ବିଭାଗ ଓ କୃଷି ବିଭାଗ ଏହି ଅଦିନିଆ ବର୍ଷାକୁ ନେଇ ଯେଉଁପରି ଭାବେ ଚାଷୀମାନଙ୍କୁ ସଚେତନ କରିବା କଥା, ତାହା କରିନାହିଁ ବୋଲି ଅଭିଯୋଗ ଆସିଲାଣି। ଉପକୂଳ ଓ ଦକ୍ଷିଣ ଓଡିଶାର ଚାଷୀମାନେ ଏହି ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ସରକାର ଧାନ କ୍ୱିଣ୍ଟାଲ ପିଛା 800 ଟଙ୍କା ବୋନସ୍ ଦେବା କଥା କହୁଛନ୍ତି। କିଛିମାତ୍ରାରେ ପ୍ରଦାନ ମଧ୍ୟ କରିଛନ୍ତି। ହେଲେ ଯେଉଁହାରରେ ଧାନ ଉଠାଣ ହୋଇ ଟଙ୍କା ଡିବିଟି ହେବା କଥା। ତାହା ହୋଇନାହିଁ। ଏଫଏକ୍ୟୁ ମାନ ଯାଞ୍ଚ କରି ସ୍ୱଳ୍ପ ପରିମାଣର ଧାନ ଉଠାଯାଉଛି। ଏବେ ବି ଅନେକ ମଣ୍ଡିରେ ଧାନ ପଡି ରହିଛି। ଅଦିନିଆ ବର୍ଷା ପରେ ଧାନ କ୍ଷତିଗ୍ରସ୍ତ ହୋଇଛି। ତେଣୁ ଏଫଏକ୍ୟୁ ମାନ ହ୍ରାସ ପାଇବ। ଏହା ସରକାରଙ୍କୁ କଟନୀଛଟନୀ କରିବାରେ ଏକ ଅସ୍ତ୍ର ପରି କାମ କରିବ। ଏହା କରିପାରିଲେ ସରକାର କମ୍ ଧାନ ଉଠାଇବେ। କାରଣ କେନ୍ଦ୍ର ଓଡ଼ିଶାରୁ ଯେଉଁ ପରିମାଣରେ ଚାଉଳ ଉଠାଇବା କଥା, ତାହା ଉଠାଉନାହିଁ। ଏପଟେ ସବୁ ଧାନକୁ ବୋନସ୍ ବାବଦରେ 800 ଟଙ୍କା ଲେଖାଏଁ ଦେବାକୁ ଅର୍ଥ ବରାଦ ନାହିଁ। ତେଣୁ କୃଷି ବିଭାଗ ଓ ପାଣିପାଗ ବିଭାଗ ଜାଣିଶୁଣି ବର୍ଷା ସମ୍ବଦ୍ଧରେ ଯେଉଁଭଳି ଭାବେ ସମ୍ବେଦନଶୀଳ ହୋଇ ସଚେତନ କରିବା କଥା, ତାହା କରି ନ ଥିବା ଚାଷୀ ଅଭିଯୋଗ କରିଛନ୍ତି। ରାଜଧାନୀ ଉପକଣ୍ଠସ୍ଥ ତେଇଶିପୁର ପଞ୍ଚାୟତ ଅନ୍ତର୍ଗତ ଆବଲପୁର ଗ୍ରାମ ପଂଚାୟତ ଚାଷୀମାନେ କହିଛନ୍ତି ଯେ, ଚାଷୀମାନଙ୍କୁ ଠିକ୍ ସୂଚନା ଦିଆଯାଇନାହିଁ। ତେଣୁ ମଧ୍ୟମ ଧରଣର ବର୍ଷା ଯୋଗୁ ଧାନ ଆଜି ବିଲରେ ଭାସୁଛି। ଜିଲ୍ଲା କୃଷି ଅଧିକାରୀ କି ବିଡିଓଙ୍କର ଦେଖାନାହିଁ। ଗୋଟିଏ ପଟେ ଜିଲ୍ଲା କୃଷି ମହୋତ୍ସବ ଆୟୋଜନ ଚାଲୁଛି। ହେଲେ ଚାଷୀଙ୍କ ପ୍ରକୃତ କଷ୍ଟକୁ କେହି ବୁଝିବାକୁ ନାହିଁ। ଏହି ବର୍ଷାକୁ ଅତି ସାଧାରଣ ବର୍ଷା ବୋଲି ପ୍ରଚାର କରାଯାଇଥିଲା। ତେଣୁ ଏପରି ଅବସ୍ଥା। ଧାନ ପରେ ଅନ୍ୟ ଡାଲି ଜାତୀୟ ଫସଲ ପାଇଁ ସମସ୍ତ ଜିନିଷ ମାଗଣ ଯୋଗାଇ ଦିଆଯାଉ। ଦୁଇ ସପ୍ତାହ ମଧ୍ୟରେ ଏହି କ୍ଷୟକ୍ଷତିର କ୍ଷତିପୂରଣ ଦେବା ନେଇ ଆବଲପୁର ବାସୀ କହିଛନ୍ତି।