‘ଉତ୍କର୍ଷ ଓଡ଼ିଶାର’ ଦ୍ୱିତୀୟ ଦିନରେ ରାଜ୍ୟକୁ ଆସିବ ପ୍ରାୟ ୩ ଲକ୍ଷ କୋଟିର ନିବେଶ

ଭୁବନେଶ୍ୱର: ବୁଧବାର ‘ଉତ୍କର୍ଷ ଓଡ଼ିଶାର ଦ୍ୱିତୀୟ ଦିନରେ ରାଜ୍ୟ ସରକାର ପ୍ରାୟ 3 ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ଅତି କମରେ 30ଟି ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରିବେ। ନବୀକରଣୀୟ ଶକ୍ତି, ବିଦ୍ୟୁତ୍, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ଏବଂ କୃଷି-ଉଦ୍ୟୋଗ ଭଳି କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ସମ୍ଭାବନା ଅଛି ବୋଲି କହିଛନ୍ତି ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ (ACS) ହେମନ୍ତ ଶର୍ମା । ବୁଧବାର ଦିନ ପ୍ରାୟ 30ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ, ଯାହା ଦ୍ୱାରା ଓଡ଼ିଶାରେ 3 ଲକ୍ଷ କୋଟି ଟଙ୍କାର ନିବେଶ ଆସିବ।
ଶର୍ମା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଦ୍ୱିତୀୟ ଅଧିବେଶନରେ ଅନ୍ୟ କିଛି କମ୍ପାନୀ ସହିତ ଚୁକ୍ତିନାମା ସ୍ୱାକ୍ଷରିତ ହେବାର ସମ୍ଭାବନାରହିଛି। ମଙ୍ଗଳବାର ସମ୍ମିଳନୀର ପ୍ରଥମ ଦିନରେ, ଓଡ଼ିଶା ସରକାର ରାଜ୍ୟରେ ୪.୫୦ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଥିବା ବିଭିନ୍ନ କମ୍ପାନୀ ସହିତ ୫୪ଟି ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ନବୀକରଣୀୟ ଶକ୍ତି କମ୍ପାନୀ ଆଭାଡା ଗ୍ରୁପ୍ ‘ଭାସମାନ ସୌର’ ଏବଂ ‘ପମ୍ପଡ୍ ଷ୍ଟୋରେଜ୍’ ସମେତ ନବୀକରଣୀୟ ଶକ୍ତି ପ୍ରକଳ୍ପରେ 20,700 କୋଟି ଟଙ୍କା ନିବେଶ ପାଇଁ ରାଜ୍ୟ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦୁଇ ଦିନିଆ ଉତ୍କର୍ଷ ଓଡ଼ିଶା ସମ୍ମିଳନୀକୁ ଉଦଘାଟନ କରିଛନ୍ତି।
‘ଉତ୍କର୍ଷ ଓଡ଼ିଶା କନକ୍ଲେଭ’ରେ, ଆଦାନୀ ଗ୍ରୁପ୍ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ ବିଦ୍ୟୁତ, ସିମେଣ୍ଟ, ଶିଳ୍ପ ପାର୍କ, ଆଲୁମିନିୟମ ଏବଂ ସିଟି ଗ୍ୟାସ୍ ସମ୍ପ୍ରସାରଣରେ ୨.୩ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛି। ଆଦାନୀ ଗ୍ରୁପ୍ ପକ୍ଷରୁ ଜାରି ଏକ ବିବୃତ୍ତି ଅନୁଯାୟୀ, ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସ୍ଇଜେଡ୍ ଲିମିଟେଡ୍ (ଏପିଏସଇଜେଡ୍)ର ପରିଚାଳନା ନିର୍ଦ୍ଦେଶକ କରଣ ଆଦାନୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଗାମୀ ପାଞ୍ଚ ବର୍ଷ ପାଇଁ ଓଡ଼ିଶାରେ ନିବେଶ ପାଇଁ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରିଛନ୍ତି।