ଗଣମାଧ୍ୟମ; ସେବା ନା ବେପାର?

ଭୁବନେଶ୍ୱର : (ବାଦଲ ମହାନ୍ତି)-ସାମାଜିକ ଗଣମାଧ୍ୟମ ଆମ ସ୍ୱରକୁ ବିଭକ୍ତ କରୁଛି । ଶସ୍ତା ସହଜ ବିଦ୍ରୋହକୁ ଆମେ ଏଇ ସୋସିଆଲ୍ ମିଡ଼ିଆର କାନ୍ଥରେ ଉତ୍ତାରି ଦେଇ ବେଶ୍ ଆରାମରେ ଶକ୍ତିହୀନ ହେଇ ବସିପଡୁଛୁ । ଫଳତଃ ବାସ୍ତବ ଘଟଣା ସହ ଆମର ସଂପୃକ୍ତି ଖୁବ୍ କମ୍ ସମୟ ଭିତରେ ଶେଷ ହେଇଯାଉଛି । ନୂଆନୂଆ ଇସ୍ୟୁ ବା ଘଟଣା ତିଆରି କରାଯାଇ ପ୍ରମୁଖ ଘଟଣା ଠାରୁ ଆମକୁ ଦୂରେଇ ଦେବାରେ ବେଶ୍ ସଫଳ ହେଇପାରିଛି ସାମାଜିକ ଗଣମାଧ୍ୟମ । ବାସ୍ତବ ରୂପ ଦେବା ପାଇଁ ଗୋଟିଏ ଜନହିତକର ବା ଦେଶହିତକର ବ୍ୟାପାରରେ ଆମେ ଏକମତ ଓ ଏକାଠି ହେବା ନିହାତି ଅପରିହାର୍ଯ୍ୟ । ଯାହାକୁ ସାମାଜିକ ଗଣମାଧ୍ୟମ କରେଇ ଦେଉନାହିଁ । ଏଠାରେ ଏତେ ମାତ୍ରାରେ କୋଳାହଳ ଓ ଭିନ୍ନମତ ପ୍ରଦର୍ଶିତ ହେଉଛି ଯେ ଘଟଣାର ସତ୍ୟତା ଜାଣିବା ଅସମ୍ଭବ ହେଉଛି । ଜନମତ ବିଭ୍ରାନ୍ତ ଓ ଭାଗଭାଗ ହେଲେ ଆତଙ୍କବାଦୀ ବା ଦେଶରେ ଅଶାନ୍ତି ସୃଷ୍ଟିକାରୀ ଅପରାଧିକତତ୍ତ୍ୱମାନଙ୍କର ଅଭିବୃଦ୍ଧି ଘଟିବା ଧାର୍ଯ୍ୟ ।
ସୋସିଆଲ ମିଡ଼ିଆ ଏକ ଅସଂପାଦିତ ବୈଶ୍ୱିକ ସଂସ୍ଥା । ଖବରର ସତ୍ୟତା ନେଇ ଏଥିରେ କେହି ଉତ୍ତରଦାୟୀ ନୁହନ୍ତି । ଏହା ପ୍ରାୟତଃ ମନୋରଂଜନଧର୍ମୀ । ଏଥିରେ ଯିଏ ଯାହାର ଭାବନା ପ୍ରକାଶ କରିପାରିବ । କିନ୍ତୁ ଦେଶର ସ୍ୱୀକୃତିପ୍ରାପ୍ତ ଖବର ସରବରାହ ସଂସ୍ଥମାନେ ଏବେ ସାମାଜିକ ଗଣମାଧ୍ୟମର ସହଜ ପନ୍ଥାକୁ ଗ୍ରହଣ କରିନେଇ ଖୁବ୍ ଶସ୍ତା ଓ ମନୋରଂଜନଧର୍ମୀ ସମ୍ବାଦ ପରିବେଷଣ କରିବା ଏକ ଚିନ୍ତାଜନକ ବିଷୟ । ସାମାଜିକ ଗଣମାଧ୍ୟମ ପୂର୍ବରୁ ଲୋକଙ୍କ ପାଖରେ ପହଞ୍ôଚବା, ସାମାଜିକ ଗଣମାଧ୍ୟମ ଠାରୁ ଆହୁରି ମନୋରଂଜନଧର୍ମୀ ସମ୍ବାଦ ପରିବେଷଣ କରିବାର ପ୍ରତିଯୋଗୀ ମନୋଭାବ ନେଇ ଲୋକଙ୍କୁ ଆକର୍ଷିତ କରିବାର ମାୟାରେ ଏବେ ଦେଶର ଅଧିକାଂଶ ଗଣମାଧ୍ୟମ ବେଶ୍ ମୁଖର । ସକାଳୁ ସଂଜ ଯାଏ ଘଟଣା ଆସିବ କୋଉଠୁ? କାହିଁକି ତେବେ ଏତେ ନ୍ୟୁଜ୍ ଚେନାଲ୍‌? ୨୪ ଘଣ୍ଟା କେବଳ ଖବର? କୁଆଡୁ ଆସିବ ଏତେ ଖବର? ତେଣୁ ମନଗଢ଼ା କାହାଣୀ ଗଢ଼ା ତ ହେବ । ଦର୍କାର ହେଲେ ଖବର ତିଆରି କରିବାକୁ ପଡ଼ିବ ନହେଲେ ଅତି ଶସ୍ତା ଧରଣର ଖବରକୁ ଛାପିବା ବା ଦେଖାଇବାକୁ ତ ପଡ଼ିବ । ଖବର ଭିଡ଼ ଭିତରେ ଖବର ହଜିଯାଉଛି, ମରିଯାଉଛି । ମାନବୀୟ ସମ୍ବେଦନା ତୀବ୍ର ବେଗରେ ହ୍ରାସ ପାଉଛି । ଦିନକୁ ଷାଠିଏ ଥର ଉତ୍ତେଜିତ, ଏକ୍ସକ୍ଲୁସିଭ୍ ରିପୋର୍ଟ ଦେଖି ଦେଖି ଲୋକଙ୍କର ଉତ୍ତେଜନା ବାରମ୍ବାର ସଂକୋଚନ ପ୍ରସାଣ ହୋଇ ସ୍ଥିର ହେଉଯାଉଛି । ଅନେକେ ବାଧ୍ୟ ହେଇ ଏଥିରୁ ନିବୃତ୍ତ ରହିବା ଆରମ୍ଭ କରିଦେଲେଣି ।
ଏପଟେ ‘ଆମେ ବା ଆମ ସଂସ୍ଥା ସତ୍ୟ, ନିର୍ଭୀକ ଓ ନିରପେକ୍ଷ ଖବର ପରିବେଷଣ କରୁ’ ବୋଲି ଏମାନେ କାହିଁକି ଚିତ୍କାର କରି କହନ୍ତି? ମିଛ ବା ଅସତ୍ୟ ଖବରକୁ ସତ୍ୟ ପ୍ରମାଣିତ କରିବା ଆଶାରେ? ଆହା! ବିଚରା ଗଣମାଧ୍ୟମ! ନିଜର ମୂଳ ଲକ୍ଷ୍ୟ ଠୁ ତୁମେ କେତେ ଦୂରରେ ସତରେ! ପରସ୍ପରର ପ୍ରତିଯୋଗୀ ହୋଇ ନିଜ ଚ୍ୟାନେଲ୍ ବା ଖବରକାଗଜ ସଂସ୍ଥାକୁ ନମ୍ବର ୱାନ୍ କରିବା ପାଇଁ ଯେତିକି ଅର୍ଥ ଓ ଶ୍ରମ ବ୍ୟୟ କରୁଛ, ଯଦି ସତରେ ସତ୍ୟ, ନିରପେକ୍ଷତା ଓ ନିର୍ଭୀକତାର ପ୍ରମାଣ ପାଇଁ ସେତିକି ନିଷ୍ଠାର ସହ ସମ୍ବାଦ ସଂଗ୍ରହ କରନ୍ତ, ତେବେ ଘଟିଥିବା ଘଟଣାର ଗୁରୁତ୍ୱକୁ ସମସ୍ତେ ବୁଝନ୍ତେ । ଖବରର ପରିମାଣ ଏତେ ଅଧିକ ଆଉ ନ୍ୟୂନସ୍ତରର ଯେ ନକହିଲେ ଭଲ । ଉଭୟ ସରକାରୀ ଓ ବେସରକାରୀ ବିଜ୍ଞାପନ ପାଇବା ପାଇଁ ବିକଳ ହେଉଥିବା ଏଇ ସଂସ୍ଥାମାନେ ପ୍ରକୃତ ସତ୍ୟ ଓ ତଥ୍ୟକୁ ଲୁଚାଇଉଛନ୍ତି ।
ଦେଶର ବିପଦ ସମୟରେ ସମସ୍ତ ରାଜନୈତିକ ଦଳ, ଗୋଷ୍ଠୀ ଓ ସଂପ୍ରଦାୟ ନିଜର କଳହକୁ ଭୁଲି ଏକଜୁଟ ହେବାକୁ ବସିଥିଲା ବେଳେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ, ଲୋକପକ୍ଷର ଧାରକ ବୋଲାଉଥିବା ଗଣମାଧ୍ୟମ ନିଜର ନ୍ୟସ୍ତ ସ୍ୱାର୍ଥ ପାଇଁ ଖବର ତିଆରି କରି ପରିବେଷଣ କରିବା ଘୋର ଲଜ୍ୟାଜନକ । ମାତ୍ରାଧିକ ଭାବପ୍ରବଣତାର ଦୃଶ୍ୟ ଦେଖାଇ ଟିଆରପି ସଂଗ୍ରହର ହୀନ ପ୍ରତିଯୋଗିତାରେ ରହିବା, ସତ୍ୟ ଓ ତଥ୍ୟକୁ ନିଜ ଶୈଳୀରେ ବିଭ୍ରାନ୍ତ କରି ପରିବେଷଣ କରିବା ସତରେ ଘୋର ଲଜ୍ଜାଜନକ ।
ବନ୍ଧନମୁକ୍ତ, ସ୍ୱତନ୍ତ୍ର, ନିର୍ଭୀକ, ନିରପେକ୍ଷ ନହେଲେ ଚତୁର୍ଥ ସ୍ତମ୍ଭଯେ ଦିନେ ଜନସାଧାରଣଙ୍କ ଆସ୍ଥା ବିଶ୍ୱାସ ହରାଇ କେବଳ ଘୂଣଖିଆ କାଠ ଖଣ୍ଡେ ହୋଇ ରହିଯିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଖବର ପରିବେଷଣ ଏକ ସେବା । ବେପାର ପାଇଁ ବହୁ ବ୍ୟବସାୟ ପଡ଼ିଛି, କୋଟିପତି ହେବା ପାଇଁ ନିରୀହ ଜନସାଧାରଣଙ୍କ ଏକ ସେବାକୁ ଉପଯୋଗ କରନାହିଁ । ଏମିତି କଲେ ସନ୍ତ୍ରାସବାଦୀ ଓ ଗଣମାଧ୍ୟମର ମାଲିକଙ୍କ ଭିତରେ ବିଶେଷ କିଛି ଫରକ୍ ରହିବନି । ବେଳ ଅଛି ସୁଧୁରି ଯାଅ । ଜନସାଧରଣଙ୍କ ପକ୍ଷଧର ହୁଅ । ରାଜନୈତିକ ନେତାଙ୍କ ଚାମଚା ହୁଅନି ।

Leave a Reply

Your email address will not be published. Required fields are marked *