Mohanadi Tribunal : ବିଳାସମୟ ପାରିବାରିକ ବ୍ୟୟବହୁଳ ଗସ୍ତକୁ ବିରୋଧ
ଭୁବନେଶ୍ୱର :(ପ୍ରସନ୍ନ ବିଷୋୟୀ )-ଆଜି ଅପରାହ୍ନରେ ମାଷ୍ଟର କ୍ୟାଣ୍ଟିନରେ ମହାନଦୀ ଟ୍ରିବୁନାଲଙ୍କ ପାରିବାରିକ ବିଳାସମୟ ବ୍ୟୟ ବହୁଳ ଗସ୍ତକୁ ବିରୋଧ କରି ମହାନଦୀ ବଞ୍ଚାଅ ଆନ୍ଦୋଳନ ପ୍ରତିବାଦ ପ୍ରଦର୍ଶନ କରିଛି l
ମହାନଦୀ ଟ୍ରିବୁନାଲ ଆଜିଠୁ ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ 5 ଦିନ ଧରି ଓଡିଶା ଗସ୍ତରେ ଆସୁଛନ୍ତି l ଏହା ପୂର୍ବରୁ 2023 ମସିହାରେ ମଧ୍ୟ ଟ୍ରିବୁନାଲର ଓଡିଶା ଗସ୍ତରେ 5 କୋଟି ଟଙ୍କା ଓଡିଶା ସରକାରଙ୍କ ଖର୍ଚ୍ଚ ହୋଇଥିଲା l ଟ୍ରିବୁନାଲ ର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ରେ ସରିବାକୁ ବସିଥିବାବେଳେ ପୁଣି ଥରେ ବିଳାସମୟ ଗସ୍ତକୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ବିରୋଧ ଓ ପ୍ରତିବାଦ କରିଛି l ଗତକାଲି ବୈଠକର ନିଷ୍ପତି ମୁତାବକ କନକ ତୋରାରୁ ଆରମ୍ଭ କରି ଝାରସୁଗୁଡା, ସମ୍ବଲପୁର, ସୋନପୁର, କଟକ, ପାରାଦ୍ୱୀପ,କୋଣାର୍କ, ଆଠମଲ୍ଲିକ ଭୁବନେଶ୍ୱର ଆଦି ପ୍ରାୟ ଦଶରୁ ଉର୍ଦ୍ଧ ସ୍ଥାନରେ ଆଜି ଠୁ ଦୁଇ ତାରିଖ ପର୍ଯ୍ୟନ୍ତ ପ୍ରତିବାଦ, ବାଲି ସତ୍ୟାଗ୍ରହ ଆଦି କାର୍ଯ୍ୟକ୍ରମ କରାଯିବ l ଆଜି ସନ୍ଧ୍ୟା 5 ଟାରେ ଟ୍ରିବୁନାଲ ଅଧ୍ୟକ୍ଷା ଓ ସଦସ୍ୟ ତାଙ୍କ ପରିବାର, ନାତି, ଜୋଇଁ ଆଦିକୁ ଧରି ଝାରସୁଗୁଡା ବିମାନ ବନ୍ଦର ରେ ପହଂଚିବେ l ବୁର୍ଲା ଗେଷ୍ଟ ହାଉସରେ ରହି ଆସନ୍ତା କାଲି ଠୁ ଦିବ୍ରୁଗାଡ଼ ବନ୍ୟଜନ୍ତୁ ସଫାରୀ, ହୀରାକୁଦ ଡ୍ୟାମ, ସମଲେଶ୍ୱରୀ ମନ୍ଦିର,ଚିଲକା, କୋଣାର୍କ ଜଗନ୍ନାଥ ଦର୍ଶନ ଆଦି ପାଞ୍ଚ ଦିନ ଧରି ବୁଲିବେ l ମହାନଦୀ ଟ୍ରିବୁନାଲର ଓଡିଶା ଗସ୍ତ ପିକନିକ ପାଇଁ ନୁହେଁ ତ? ବୋଲି ମହାନଦୀ ବଞ୍ଚାଓ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସ କହିଛନ୍ତି l
ମଧ୍ୟବର୍ତ୍ତୀକାଳୀନ ରାୟ ମାଧ୍ୟମରେ ଅଣ ମୌସୁମୀ ସମୟରେ ମହାନଦୀରେ ପାଣି ଏପର୍ଯ୍ୟନ୍ତ ଛାଡିବାକୁ ସାମାନ୍ୟତମ ନିର୍ଦେଶ ବି ଟ୍ରିବୁନାଲ ଦେଲେନି ll ମହାନଦୀ ଟ୍ରିବୁନାଲର ୯ମାସ ଅଧକ୍ଷ ପଦବୀ ଖାଲିଥିଲା ତେଣୁ ପୁଣି ୯ ମାସ ଟ୍ରିବୁନାଲ ଅବଧି ବଢ଼ିପାରେ ହେଲେ ସେଥିରେ ଏ ପର୍ଯ୍ୟନ୍ତ ସ୍ପଷ୍ଟତା ଆସି ନାହିଁ l ଯେହେତୁ ଟ୍ରିବୁନାଲରୁ ଓଡିଶା କୁ ଏବଂ ମହାନଦୀ କୁ କିଛି ନ୍ୟାୟ ମିଳୁନି, ତେଣୁ ଓଡିଶା ଲୋକଙ୍କ ଟିକସ ପଇସା ପୁଣି ଖର୍ଚ୍ଚ କାହିଁକି ହେବ ଓ ସେଥିରୁ ଓଡିଶାର କଣ ଲାଭ ହେବ ସେଥିପାଇଁ ମହାନଦୀ ବଞ୍ଚାଅ ଆନ୍ଦୋଳନ ପ୍ରତିବାଦ କାର୍ଯ୍ୟକ୍ରମ ହାତକୁ ନେଇଛି l ଏହି ପ୍ରତିବାଦ ଜୋରଦାର ହେବ କଟକରେ 28ରେ ବାଲି ସତ୍ୟାଗ୍ରହ ସହ 2ତାରିଖ ରେ କୋଣାର୍କ ଠାରେ ଟ୍ରିବୁନାଲଙ୍କ ଗସ୍ତର ଶେଷ ଦିନରେ ବିରାଟ ପ୍ରତିବାଦ କାର୍ଯ୍ୟକ୍ରମ କରାଯିବ l ଆଜିର ପ୍ରତିବାଦ ରେ ସିପିଏମ ନେତା ପ୍ରଦୀପ୍ତ ନାୟକ, ସିପିଆଇଏମ ( ଲିବାରେସନ ) ନେତା ଯୁଧିଷ୍ଠିର ମହାପାତ୍ର, ଫୋରୱାର୍ଡ ବ୍ଲକ ନେତା ଜ୍ୟୋତି ଇଞ୍ଜନ ମହାପାତ୍ର, ଆନ୍ଦୋଳନ ସହ ଆବାହକ ବାସୁଦେବ ଭଟ୍ଟ, ମୁଖପାତ୍ର ପ୍ରସନ୍ନ ବିଷୋୟୀ,ଦୟା ସୁରକ୍ଷା ଅଭିଯାନ ର ସଚିକାନ୍ତ ପ୍ରଧାନ,ବିଶ୍ୱଭୂଷଣ,ଅଶୋକ ପ୍ରଧାନ, ବିଜୟ ପରିଡା,ସମତାକ୍ରାନ୍ତିର ପ୍ରଭାସ ସାମନ୍ତରାୟ,କଂଗ୍ରେସର ସୁନିତା ବିଶ୍ୱାଳ, ନିରୁପମା ଜେନା,ଲକ୍ଷ୍ମୀ ଦୋରା, ମନୋଜ ବାରିକ, ଅଶୋକ ପାଇକରାୟ, ଅର୍ଜୁନ ସାମନ୍ତରାୟ,ରିଙ୍କି ସାହୁ, ବିତା ଆଜାଦଙ୍କ ସମେତ ଦୁଇ ଶହରୁ ଅଧିକ ଲୋକ ଯୋଗ ଦେଇଥିଲେ l
