Biju legacy Debate Row ବ୍ୟବସାୟିକ ଲାଭ ହିଁ ସାର, ଅନ୍ୟ କଥା ଗାଲୁ ଗପ
ଭୁବନେଶ୍ୱର :(ବିଜୟ ସାହୁ )-ରାଜ୍ୟ ସଭା ନିର୍ବାଚନରେ ଯେହେତୁ ନବୀନ ପଟ୍ଟନାୟକ କଂଗ୍ରେସ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ କଲେ ତେଣୁ ଓରିଜିନାଲ ବିଜୁ ପରିବାରର
ନେତାମାନଙ୍କ ସନ୍ତାନମାନେ ବିଦ୍ରୋହ କରୁଛନ୍ତି । ଏହା ହିଁ ବର୍ତ୍ତମାନର ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ବିଷୟ ,ଏପରି କି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ।
କିନ୍ତୁ ଟିକିଏ ପଛକୁ ବୁଲି ଇତିହାସ ଦେଖିଲେ ଏହି ଚର୍ଚ୍ଚାର ମେରୀଖୁଣ୍ଟ
ଦିଲ୍ଲୀପ ରାୟ ପ୍ରଥମରୁ ସେୟା ନଥିଲେ । ଏକଥା ଆମ ସୁରଭାଇ ଭଲ ଭାବରେ ଜାଣନ୍ତି । ମୁଁ ମଧ୍ୟ କିଛି କିଛି ପୁରୁଣା ଖବର ଜାଣିଛି ।
ବିଜୁବାବୁଙ୍କ ସହ ଦିଲ୍ଲୀପ ରାୟଙ୍କ ଭେଟ ପ୍ରଥମେ କେମିତି ହେଲା ସେ କଥା ସେ ବିଭିନ୍ନ ସମୟରେ କହିଛନ୍ତି । କିନ୍ତୁ ପୂରା କଥା କହୁ ନାହାନ୍ତି । ହୁଏତ ଯେଉଁ ପୁସ୍ତକ ଲେଖୁଛନ୍ତି ତାହା ପ୍ରକାଶ ହେଲେ ଆମେ ଜାଣିବା ।
ପୁରୁଣା ଇତିହାସ କହୁଛି ମୋରାରଜି ଦେଶାଇ ପ୍ରଧାନମନ୍ତ୍ରୀ ଥିବା ବେଳେ 1978 ମସିହାରେ କ୍ୟୁବାର ରାଜଧାନୀ ହାଭନାରେ ଏକାଦଶ ଯୁବ ଓ ଛାତ୍ର ମହୋତ୍ସବ ଅନୁଷ୍ଠିତ ହେଉଥିଲା । ପଶ୍ଚିମ ଗୋଲାର୍ଦ୍ଧରେ ପ୍ରଥମ ଥର ଏହି ମହୋତ୍ସବ/ସମ୍ମିଳନୀ ଅନୁଷ୍ଠିତ ହେଇଥିଲା । 145 ଦେଶରୁ 18500 ପ୍ରତିନିଧି ଯୋଗ ଦେଇଥିଲେ । ଏକଥା ମଧ୍ୟ ଉଲ୍ଲେଖଯୋଗ୍ୟଯେ ଆମେରିକାରୁ ମଧ୍ୟ 400 ପ୍ରତିନିଧି ଯୋଗ ଦେଇଥିଲେ । ଏବଂ ସମାଜବାଦୀ ଦେଶ ଭାବରେ କ୍ୟୁବା ଏହାର ଆୟୋଜକ ଥିଲା ।
ଏହି ସମ୍ମିଳନୀର ଘୋଷିତ Motto ଥିଲା – For Anti-imperialist Solidarity ,Peace and Friendship .
ଆମେରିକାର ତରୁଣ ଗୋଷ୍ଠୀ ମଧ୍ୟ ମାର୍କିନ ବୈଦେଶିକ ନୀତି ଓ ସିଆଇଏ ବିରୋଧୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗିଦାର ଥିଲେ ଓ ଆଙ୍ଗୋଲା, ଭିଏତନାମ ଯୁଦ୍ଧ ସମ୍ପର୍କରେ ଆଲୋଚନାରେ ସାମିଲ ହେଇଥିଲେ ।
ଷ୍ଟାଡିୟମରେ ଯେଉଁ ଜାକଜମଜ ରଙ୍ଗାରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ହେଇଥିଲା ତାର ପୋଷ୍ଟର ଥିଲା – ସାମ୍ରାଜ୍ୟବାଦ ବିରୁଦ୍ଧରେ ତରୁଣଙ୍କ ଆନ୍ତର୍ଜାତିକ ଟ୍ରିବ୍ୟୁନାଲ ।
ସେତେବେଳେ ଯେଉଁ ଉଲ୍ଲେଖନୀୟ ରାଜନୈତିକ ଓ ଛାତ୍ର ପ୍ରତିନିଧି ଯୋଗ ଦେଇଥିଲେ ସେମାନଙ୍କ ମଧ୍ୟରେ ଥିଲେ ଜାମ୍ମୁକାଶ୍ମୀର ପାନ୍ଥର୍ସ ପାର୍ଟି ନେତା ଓ ପ୍ରତିଷ୍ଠାତା ଭୀମ ସିଂହ, ଭାରତୀୟ ଯୁବ କଂଗ୍ରେସ ନେତା ଆନନ୍ଦ ଶର୍ମା, ଛାତ୍ର ଫେଡରେସନ ନେତା ସୀତାରାମ ୟେଚୁରୀ, ଅଖିଳ ଭାରତ ୟୁଥ ଫେଡରସନ ନେତା ଡି ରାଜା ,ଛାତ୍ର କଂଗ୍ରେସ ନେତା ପ୍ରିୟରଞ୍ଜନ ଦାଶମୁନ୍ସୀ ପ୍ରମୁଖ ।
ଓଡିଶା ଯୁବ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ , ବାମପନ୍ଥୀ ପ୍ୟାରୀମୋହନ ମହାପାତ୍ର ପ୍ରମୁଖ ।
ସେହି ପ୍ରତିନିଧି ଦଳରେ ଓଡ଼ିଶାରୁ ଦିଲ୍ଲୀପ ରାୟ ମଧ୍ୟ ଯୁବ ପ୍ରତିନିଧି ଭାବରେ ଯାଇଥିଲେ । ଛାତ୍ର ଜନତାର ପ୍ରତାପ ଶତପଥୀ, ଯୁବ ଜନତାର ନଳିନୀ ମହାନ୍ତି , ଅଖିଳ ଭାରତୀୟ ଛାତ୍ର ଫେଡେରେସନ ଓଡ଼ିଶା ନେତା ଅକ୍ଷୟ କୁମାର ଶତପଥୀ,ବଡ଼ଚଣା ଅଞ୍ଚଳରୁ ଏକଦା ଅଲ ଇଣ୍ଡିଆ ଡି ଏସ ଓ ସହ ଛାତ୍ର ଅବସ୍ଥାରେ ସଂଶ୍ଲିଷ୍ଟ ଥିବା ମୋର ଜଣେ ପ୍ରିୟ ବନ୍ଧୁ ଛବି ନାୟକ ମଧ୍ୟ ପ୍ରତିନିଧି ଥିଲେ ।
ଅତଏବ ଆମେ ଧରିନେବା ଦିଲ୍ଲୀପ ରାୟ ଛାତ୍ର ଓ ଯୁବ ଅବସ୍ଥାରେ ଜନତା ପାର୍ଟି /କଂଗ୍ରେସ/କମ୍ୟୁନିଷ୍ଟ ଛାତ୍ର -ଯୁବନେତାଙ୍କ ସହ ଜଡ଼ିତ ଥିଲେ ।
କିନ୍ତୁ କିପରି ସେ ବିଜୁବାବୁଙ୍କ ଜନତା ପାର୍ଟିରେ ଥିଲେ ମଧ୍ୟ ହନୁମାନ ଜୀ ତାଙ୍କୁ ବିଜେପି ମୁହାଁ କରିଦେଲେ ତାହା ଆଶ୍ଚର୍ଯ୍ୟ ଜନକ ଘଟଣା ।
ଏହି ଆନ୍ତର୍ଜାତିକ ମହୋତ୍ସବ ପରେ ହୁଏତ ତାଙ୍କର ସକ୍ରିୟ ରାଜନୀତି ଆଡକୁ ମନ ବଳେଇ ଥିବ । କାରଣ ଭାରତୀୟ ଓ ଓଡ଼ିଶା ପ୍ରତିନିଧିଙ୍କ ସହ ମିଳାମିଶା ଭିତରେ ରାଜନୀତି ପ୍ରତି ଆକର୍ଷଣ ଆସିଥିବ । 1985 ବେଳକୁ ଜନତା ପାର୍ଟିରେ ଯୋଗ ଦେବା ଓ ରାଉରକେଲାରୁ ପ୍ରାର୍ଥୀ ହେବା ବିଷୟ ସେ କହି ସାରିଛନ୍ତି ।
ନବେ ଦଶକରେ ତାଙ୍କର ହନୁମାନ ଜୀ ଙ୍କ ପାଇଁ ଗୋଟିଏ ବିଶାଳ ମୂର୍ତ୍ତି କରିବା ଆକାଂକ୍ଷା ସୃଷ୍ଟି ହେଲା । ଏବଂ ଭାରତର ସର୍ବ ଉଚ୍ଚା ହନୁମାନ ମୂର୍ତ୍ତି ନିର୍ମାଣ କଲେ ଯାହା ରାଉରକେଲାର ହନୁମାନ ବାଟିକା ଭାବରେ ପରିଚିତ ଓ ରାଉରକେଲା ରାଜନୀତିର କର୍ମଶାଳା । ବିଜୁବାବୁ ଯେତେବେଳେ ଏହାକୁ ଉନ୍ମୋଚନ କରିବାକୁ ଯାଇଥିଲେ ସେତେବେଳେ କ୍ରେନ ଉପରେ ଚଢ଼ି ଫୁଲମାଳ ପକେଇ ଥିବା ଚର୍ଚ୍ଚା ଖବର କାଗଜରେ ବହୁତ ହେଇଥିଲା ।
ଆମେ କହି ପାରିବା ମହାଦେବ ଯେମିତି ପ୍ରଥମେ ଭଗୀରଥିଙ୍କୁ ମର୍ତ୍ତ୍ୟକୁ ଆଣି ସଗର ବଂଶକୁ ଜୀବ ନ୍ୟାସ ଦେଇଥିଲେ,ସେମିତି ଦିଲ୍ଳୀପ ରାୟ ହନୁମାନ ଜୀଙ୍କୁ ପ୍ରଥମେ ଓଡ଼ିଶାକୁ ଆଣି ବଜରଙ୍ଗୀ ଦଳର କାୟା ବିସ୍ତାର କରିବାରେ ସହାୟତା କରିଥିଲେ ।
ବିଜୁବାବୁ ଯଦିଓ ବିଜେପିକୁ ସାଇନବୋର୍ଡ଼ ପାର୍ଟି କହୁଥିଲେ, ତଥାପି ତାଙ୍କର ଦିଲ୍ଳୀପ ରାୟଙ୍କ ପ୍ରତି ସ୍ନେହବନ୍ଧନ ଯୋଗୁଁ ବୋଧେ କ୍ରେନ ଉପରେ ଚଢିଥିଲେ । ଅନ୍ୟଥା ସେ ଉତ୍ତର ଭାରତର ଏଭଳି ଧର୍ମୀୟ ସଂସ୍କୃତିକୁ ପରୋକ୍ଷ ପ୍ରୋତ୍ସାହନ ଦେବା ପାଇଁ ଆଗ୍ରହ ପ୍ରକାଶ କରି ନଥାନ୍ତେ । ସମ୍ଭବତଃ ତାଙ୍କର ଜୀବନ କାଳ ମଧ୍ୟରେ ରାଜଧାନୀ ରାମ ମନ୍ଦିର ବେଢାକୁ ଦିନେ ଯାଇ ନଥିବେ । କାରଣ ଯେଉଁ ଦିନ ରାମ ମନ୍ଦିର ପାଇଁ ଡିନାମାଇଟ ଖଞ୍ଜି ବାବରୀ ମସଜିଦ ଧ୍ୱଂସ କରା ଯାଇଥିଲା ସେଇଦିନ ସେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ।
ଏବେ ଜଗନ୍ନାଥ ସଂସ୍କୃତିର ବାହକ ଓଡ଼ିଆମାନେ ଗାଁ ଗାଁ ରେ ହନୁମାନ ମନ୍ଦିର, ରାମନବମୀ ଇତ୍ୟାଦି କରିବାରେ ଇତିହାସ ସୃଷ୍ଟି କରି ସାରିଲେଣି । ଏହାର ସମୁଦାୟ କ୍ରେଡିଟ ନିଶ୍ଚୟ ଦିଲ୍ଲୀପ ରାୟଙ୍କ ଖାତାକୁ ଯିବ । ବିଜୁବାବୁ ଥିଲେ କଣ କରିଥାନ୍ତେ ବା ତାଙ୍କର ସ୍ନେହାଧୀନ ପୁତ୍ରଙ୍କୁ କଣ କହିଥାନ୍ତେ ଆମେ ଜାଣିବା ସୁଯୋଗ ରହିଲା ନାହିଁ ।
ମୁଁ କିନ୍ତୁ ସେଇ ସମୟରୁ ଅନୁମାନ କରୁଥିଲି ଦେଶର ବ୍ୟବସାୟୀ ବର୍ଗ ସର୍ବଦା କ୍ଷମତା ଅଳନ୍ଦୀ ପାଖରେ ରହିବାକୁ ପ୍ରିୟ ମଣିଥାନ୍ତି ଓ ଛବି ନାୟକ ଅନେକ ଥର କହିଛନ୍ତି,ଦିଲ୍ଲୀପ ରାୟ ବିଜୁବାବୁଙ୍କୁ ମଧ୍ୟ ବିଜେପି ଆଡେ ନେବା ଯୋଜନା କରୁଥିଲେ । ଅବଶ୍ୟ ବିଜୁ ବାବୁଙ୍କୁ ଟାଣିନେବା ଶକ୍ତି ସେତେବେଳେ ବିଜୁ ପରିବାର ଭିତରେ କାହାର ନଥିଲା ।
ତେଣୁ ନବୀନ ବାବୁଙ୍କୁ ବିଜେଡି ଗଠନ ଓ ବିଜେପି ସହ ଗଠବନ୍ଧନ ମାଧ୍ୟମରେ ବହୁ ବର୍ଷ ସିଆଡେ ଟାଣି ନେଇଥିଲେ । କାରଣ ଦିଲ୍ଲୀପ ରାୟ ଙ୍କ ରାଜନୀତି ଅପେକ୍ଷା ବାଣିଜ୍ୟ କ୍ଷେତ୍ରରେ ଅନେକ କିଛି କାଗଜପତ୍ର ରଫା ଦଫା କରିବା ସୁଯୋଗ ରହିଥାଏ । ଶାସ୍ତ୍ର କହିଛି ବାଣିଜ୍ୟେ ବସତି ଲକ୍ଷ୍ମୀ ।
ଅତଏବ ବିଜୁ ପରିବାର ବନାମ ବିଜୁ ଲିଗାସୀ ଚର୍ଚ୍ଚା ମଧ୍ୟରେ ପଡି ଯେଉଁମାନେ ଓଡ଼ିଶାରେ ନୂଆ ଦଳ କରିବାକୁ ଚାହୁଁଛନ୍ତି ସେମାନେ ଦିଲ୍ଳୀପ ରାୟଙ୍କ ନିକଟରୁ ସେମିତି କିଛି ଅଧିନାୟକତ୍ୱ ସହାୟତା ପାଇବେ ନାହିଁ । କେବଳ ସଭାସମିତି, ପେଞ୍ଚ ପାଞ୍ଚ ରାଜନୀତି ପାଇଁ Mayfair ଫାଇଦା ନେଇ ପାରିବେ ।।
ସୁଯୋଗ ହାତଛଡା କରନ୍ତୁ ନାହିଁ ।।
