ସମ୍ବଲପୁର ହିଂସା : ସ୍ଥିତି ସମୀକ୍ଷା କଲେ ପୁଲିସ ଡିଜି ସୁନୀଲ ବଂଶଲ

ସମ୍ବଲପୁର,୧୫/୪(ବ୍ୟୁରୋ ): ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟିଥିବା ବ୍ୟାପକ ହିଂସାକାଣ୍ଡ ଘଟଣାର ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଶନିବାର ନେଇ ସମୀକ୍ଷା କରିଛନ୍ତି। ସ୍ଥାନୀୟ ଉତ୍ତରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକ ପରେ ଶ୍ରୀ ବଂଶଲ କହିଛନ୍ତି ଯେ , ଯେଉଁମାନେ ଏହି ଘଟଣା ସହିତ ସଂପୃକ୍ତ ଅଛନ୍ତି, କଠୋର କାର୍ଯ୍ୟାନୁଷ୍ଠାନର ସାମ୍ନା କରିବେ। ସମ୍ବଲପୁରରେ କର୍ଫ୍ୟୁ ଜାରି ରହିଛି। ସହରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ସମ୍ବେଦନଶୀଳ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଯାଇଛି। ଘଟଣାର ତଦନ୍ତ ଚାଲିଛି। ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସମ୍ବଲପୁରବାସୀ ଭୟଭୀତ ହୁଅନ୍ତୁ ନାହିଁ। ଦିନେ ଦୁଇଦିନ ଭିତରେ ପରିସ୍ଥିତି ସ୍ବାଭାବିକ ହେବ।
ପୁଲିସ ଡିଜି ଶ୍ରୀ ବଂଶଲ ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଯାତ୍ରା କରି ସ୍ଥାନୀୟ ଜମାଦାରପାଲୀ ଏୟାରଷ୍ଟିପ୍‌ରୁ ସିଧାସଳଖ ଉତ୍ତରାଞ୍ଚଳ ଆଇଜି କାର୍ଯ୍ୟାଳୟକୁ ଯାଇଥିଲେ। ଆଇନଶୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମା ଓ ଗୁଇନ୍ଦା ଏଡିଜି ସଂଜୀବ ପଣ୍ଡା ଥିଲେ। ରାଜ୍ୟ ସରକାରଙ୍କ ବରିଷ୍ଠ ପୁଲିସ ଅଧିକାରୀମାନେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ସ୍ବାଭାବିକ ସ୍ତରକୁ ଆଣିବା ପାଇଁ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାରଙ୍କ ସହିତ ବୈଠକ କରିଥିଲେ l ଡ଼ିଜିଙ୍କ ଗସ୍ତ ପୂର୍ବରୁ ପ୍ରଶାସନ ପକ୍ଷରୁ ସମ୍ବଲପୁର ଜିଲ୍ଲାର ସମସ୍ତ ସୀମା (ସୋନପୁର, ବରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ବୌଦ୍ଧ ସୀମାକୁ ଲାଗି ଥିବା ଅଞ୍ଚଳ)କୁ ସିଲ୍ କରାଯାଇଥିଲା l

ଏନେଇ ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି। ଏଣେ ସ୍ଥିତିକୁ ଦେଖି ଅଧିକସଂଖ୍ୟକ ପୁଲିସ ଫୋର୍ସ ମୁତୟନ କରାଯାଇଛି। କର୍ଫ୍ୟୁ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।ଗତ ଶୁକ୍ରବାର ମଧ୍ୟରାତ୍ରିରୁ ସମ୍ବଲପୁରରେ କର୍ଫ୍ୟୁ ଘୋଷଣା କରାଯାଇଛି। ରାତି ୧୨ଟାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି। କର୍ଫ୍ୟୁ ସମୟରେ ଡାକ୍ତରଖାନା, ଔଷଧ ଦୋକାନ ଭଳି ଅତ୍ୟାବଶ୍ୟକ ସେବା ବ୍ୟତୀତ ସବୁ କିଛି ବନ୍ଦ ରହିବ ବୋଲି ସେ ସୂଚନା ଦେଇଛନ୍ତି। ଗତ ୧୨ ତାରିଖ ସନ୍ଧ୍ୟାରେ ଘଟିଥିବା ହିଂସାକାଣ୍ଡ ପରେ ସରକାରଙ୍କ ପକ୍ଷରୁ ସତର୍କତା ପଦକ୍ଷେପ ସ୍ବରୂପ ୧୪୪ ଧାରା ଜାରି କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ୧୩ ତାରିଖ ସକାଳ ୧୦ଟାରୁ ସମ୍ବଲପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଇଣ୍ଟରନେଟ୍ ସେବା ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା।
ଅପରପକ୍ଷରେ ସକାଳ ୮ଟାରୁ ୧୦ଟା ଯାଏଁ ଏବଂ ଅପରାହ୍ଣ ସାଢେ ୩ଟାରୁ ସନ୍ଧ୍ୟା ସାଢେ ୫ଟା ଯାଏଁ ନିହାତି ଜରୁରୀ କାମରେ ସ୍ଥାନୀୟ ଲୋକେ ବାହାରିପାରିବେ । କର୍ଫ୍ୟୁ ସମୟରେ ଡାକ୍ତରଖାନା, ଔଷଧ ଦୋକାନ ଭଳି ଆତ୍ୟାବଶ୍ୟକ ସେବା ବ୍ୟତୀତ ସବୁ କିଛି ବନ୍ଦ ରହିବ। ଏପରି କି ବସ ଚଳାଚଳ ବନ୍ଦ ରହିବ। ସେହିପରି ଟ୍ରେନ ଯାତ୍ରୀ କଟକଣା କୋହଳ ସମୟରେ ଷ୍ଟେସନକୁ ଯାଇପାରିବେ, ଅନ୍ୟସମୟରେ ସହର ଭିତର ଦେଇଯାଇପାରିବେ ନାହିଁ। ସେପଟେ ଜରୁରି ସ୍ୱାସ୍ଥ୍ୟ ସେବା ପାଇଁ ୨୪ ଘଂଟିଆ ହେଲପଲାଇନ ନମ୍ବର ( ୭୬୫୫୮୦୦୭୬୦) ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *