ଓଡିଶାରେ କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ନାହିଁ

ନୂଆଦିଲ୍ଲୀ:କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏହା ସ୍ପଷ୍ଟ କରିଦେଇଛନ୍ତି ।ନିକଟର ହୋଇଥିବା ବଜେଟ୍‍ ଅଧିବେଶନର ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଠାକୁର ଏହା କହିଛନ୍ତି । ବିଜେଡି ସାଂସଦ ମମତା ମୋହାନ୍ତ ଓଡିଶାରେ କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଯେଉଁ ପ୍ରଶ୍ନ ପଚାରିଥିଲେ ତାହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୨୦୧୮ମସିହାରେ ମଣିପୁରର ଇମ୍ଫାଲ ଠାରେ ଜାତୀୟ କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ଏହି ବିଶ୍ୱବିଦ୍ୟାଳୟରେ ଓଡିଶା ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଛାତ୍ରଛାତ୍ରୀ ଓ ଆଥଲେଟ୍‍ମାନେ ଶିକ୍ଷାଗ୍ରହଣ କରୁଛନ୍ତି । ଏହି ବିଶ୍ୱବିଦ୍ୟାଳୟଟି ଜାତୀୟ କ୍ରୀଡା ବିଶ୍ୱବିଦ୍ୟାଳୟ ଅଧିନିୟମ ୨୦୧୮ ଅନୁଯାୟୀ ପ୍ରତିଷ୍ଠା କରାଯାଇଛି। ତେବେ ଓଡିଶାରେ କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ରଖିନାହାନ୍ତି।
କେନ୍ଦ୍ରମନ୍ତ୍ରୀ ଠାକୁର କହିଛନ୍ତି ଯେ କ୍ରୀଡା ହେଉଛି ରାଜ୍ୟ ପ୍ରସଙ୍ଗ । ନିଜ ନିଜ ରାଜ୍ୟରେ କ୍ରୀଡାର ବିକାଶ ଏବଂ ପ୍ରୋତ୍ସାହନ ସହିତ କ୍ରୀଡା ପାଠ୍ୟକ୍ରମ ଆଦିକୁ ଆଗକୁ ନେବା ହେଉଛି ସମ୍ପୃକ୍ତି ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳର ଦାୟିତ୍ବ। ତେବେ ଏଥିପାଇଁ କୌଣସି ବିଶେଷ ଆବଶ୍ୟକତା ଦେଖାଦେଲେ କେନ୍ଦ୍ର ସରକାର ସେ କ୍ଷେତ୍ରରେ ସହାୟତାର ହାତ ବଢାଇବ।
ସେହିଭଳି ସାଂସଦ ଶ୍ରୀମତୀ ମୋହାନ୍ତ ପଚାରିଥିଲେ ଯେ ଓଡିଶାର କ୍ରୀଡାବିତ୍‍ମାନେ ଯେଭଳି ଅଲମ୍ପିକ୍‍ରେ ଅଂଶଗ୍ରହଣ କରି ପଦକ ଜିଣିବେ ସେଥିପାଇଁ ସେମାନଙ୍କୁ ଆର୍ନ୍ତଜାତୀୟ ସ୍ତରର ତାଲିମ ପ୍ରଦାନ ପାଇଁ ଓଡିଶାରେ ଅଲମ୍ପିକ ପାର୍କ ନିର୍ମାଣର କୌଣସି ପ୍ରସ୍ତାବ ଅଛି କି ? ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ କେନ୍ଦ୍ରର ଏଭଳି କୌଣସି ଯୋଜନା ନାହିଁ । ତେବେ ଟାର୍ଗେଟ ଅଲମ୍ପିକ ପୋଡିୟମ ସ୍କିମ୍‍ ଜରିଆରେ ମନ୍ତ୍ରାଳୟର ପକ୍ଷରୁ ଓଡିଶା ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଦକ୍ଷ କ୍ରୀଡାବିତ୍‍ମାନଙ୍କୁ ଅଲମ୍ପିକ୍‍ ଓ ପାରାଅଲମ୍ପିକରେ ଅଂଶଗ୍ରହଣରେ ପ୍ରସ୍ତୁତି ପାଇଁ ସମସ୍ତ ସହାୟତା ପ୍ରଦାନ କରାଯାଇଥାଏ ।

Leave a Reply

Your email address will not be published. Required fields are marked *