ଆଜି ଭୋଟ ଦେଉଛି ଝାରସୁଗୁଡ଼ା, ମଇଦାନରେ ୯ ଆଶାୟୀ
ଭୁବନେଶ୍ୱର,୧୦/୫(ବ୍ୟୁରୋ ): ଝାରସୁଗୁଡ଼ା ଉପନିର୍ବାଚନ ଆଜି ଅନୁଷ୍ଠିତ ହେବାକୁ ଯାଉଛି l ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ l ନିର୍ବାଚନ ମଣ୍ଡଳୀର ୧୯୭ ଟି ଅଞ୍ଚଳରେ ୨୫୩ ବୁଥ୍ ରେ ଭୋଟିଂ ହେବ । ସମୁଦାୟ ୨ ଲକ୍ଷ ୨୧ ହଜାର ୭୧୯ ଭୋଟର୍ ଭୋଟ୍ ଦେବେ । ଏହା ମଧ୍ୟରେ ୧ ଲକ୍ଷ ୧୦ ହଜାର ୬୮୩ ମହିଳା ଭୋଟର୍ ଥିବା ବେଳେ ୧ ଲକ୍ଷ ୧୦ ହଜାର ୩୨୩ ପୁରୁଷ ଭୋଟର୍ ଅଛନ୍ତି । ୬୯ ଟି ସ୍ଥାନରେ ୧୦୬ଟି ବୁଥ୍ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ଏହି ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ମାଇକ୍ରୋ ଅବଜର୍ଭର ରହିବେ । ସମସ୍ତ ୨୫୩ ବୁଥ୍ ରେ ୱେବ୍ କାଷ୍ଟିଂ ହେବ ବୋଲି ସିଇଓ କହିଛନ୍ତି l ସମୁଦାୟ ୧୧୯୪ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।
ଆଇନଶୃଙ୍ଖଳା ଦୃଷ୍ଟିରେ ରଖି ନିର୍ବାଚନମଣ୍ଡଳୀକୁ ୫ଟି ଜୋନ୍ ରେ ବିଭକ୍ତ କରାଯାଇଛି । ଓଡ଼ିଶା ପୁଲିସର ୧୯ ପ୍ଲାଟୁନ୍ ଫୋର୍ସ, ୩୦୦ ଓଆର୍ କନେଷ୍ଟବଳ, ୧୫୦ ହୋମଗାର୍ଡ, ୧୦୦ ଅଫିସରଙ୍କୁ ନିୟୋଜିତ ହେବେ । ୭ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ୧୪୪ ବୁଥ୍ ଉପରେ ବିଶେଷ ନଜର ରଖିବେ ।
ଝାରସୁଗୁଡ଼ା ଉପନିର୍ବାଚନ ମୈଦାନରେ ମୋଟ ୯ ଜଣ ପ୍ରାର୍ଥୀ ଅଛନ୍ତି । ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦିତା ହେଉଛି । ଆସନ୍ତା ୧୩ ତାରିଖରେ ଭୋଟଗଣତି ହେବ ।