ମୋଦିଙ୍କ ସହ ରାଜନୈତିକ ଆଲୋଚନା ହୋଇନି ବୋଲି କହିଲେ ନବୀନ
ଭୁବନେଶ୍ୱର,୧୧/୬ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଆସିବା ଦିନଠାରୁ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଗତିବିଧି ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଛି। ଆନୁଷ୍ଠାନିକ ଭାବେ ବିଜେଡି କିମ୍ବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ପକ୍ଷରୁ ଯାହା ମନ୍ତବ୍ୟ ଦିଆଯାଉଛି, ତାହା ଉପରେ ସନ୍ଦେହ ପ୍ରକାଶ ପାଉଛି। ଏହି କ୍ରମରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ 4ଟା 30ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ଭେଟ-ଘାଟ ପରେ ନବୀନ ପଟ୍ଟନାୟକ କହିଛନ୍ତି ଯେ, ବୈଠକରେ କୌଣସି ରାଜନୈତିକ ଆଲୋଚନା ହୋଇନି। ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଷୟରେ ଆଲୋଚନା ହୋଇଛି। ପୁରୀରେ ବିମାନବନ୍ଦର, ଭୁବନେଶ୍ୱରର ଟ୍ରାଫିକ୍ ଜାମ୍ ସମସ୍ୟା ନେଇ ଆଲୋଚନା ହୋଇଥିବା ନବୀନ କହିଛନ୍ତି।
ଅପରପକ୍ଷରେ ରାଜନୈତିକ ସମୀକ୍ଷକ ଓ କଂଗ୍ରେସ ଦଳର ନେତା ମାନେ ନବୀନଙ୍କ ଗସ୍ତକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନବୀନ ପଟ୍ଟନାୟକଙ୍କୁ ମାର୍କାମରା ବିଜେପି ନେତା ବୋଲି ଅଭିହିତ କରିଛନ୍ତି। ଗତବର୍ଷ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିଥିଲେ। ସେ ସମୟରେ ଆଲୋଚନାକୁ ଅଣ ରାଜନୈତିକ ବୋଲି ଅଭିହିତ କରିଥିଲେ। ହେଲେ ଜେପି ନଡ୍ଡା ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ପରେ ନବୀନ ସଙ୍ଗେ ସଙ୍ଗେ ତାଙ୍କ ସହ ଆଲୋଚନା କରିଥିବା ଟୁଇଟ୍ କରିଥିଲେ। ତେଣୁ ନବୀନ ଯାହା କୁହନ୍ତି, ତାହା ବୀପରିତ କରନ୍ତି ବୋଲି ଏକ ଧାରଣା ବଳବତ୍ତର ହେବାରେ ଲାଗିଛି। ନୀତିଶଙ୍କ ଓଡ଼ିଶା ଗସ୍ତ ପରେ ବିଜେପି ନେତୃତ୍ୱର ରୋଷର ଶୀକାର ନ ହେବାକୁ ଶ୍ରୀ ପଟ୍ଟନାୟକ ଏହି ଗସ୍ତ କରିଛନ୍ତି। ସେହିପରି ତାଙ୍କ ଅନୁଯାୟୀ ଦେଶର କୌଣସି ପ୍ରକାରରରେ ବି ତୃତୀୟ ସାମ୍ମୁଖ୍ୟର ସମ୍ଭାବନା ନ ଥିବା ନବୀନ ପଟ୍ଟନାୟକ କହିଛନ୍ତି।