କଂଗ୍ରେସର ଝାରସୁଗୁଡ଼ା ବିପର୍ଯ୍ୟୟ, ପ୍ରାର୍ଥୀ ଚୟନ ପୂର୍ବରୁ ଚେତାଇଥିଲେ ଶ୍ରୀକାନ୍ତ, ହେଲେ ଧ୍ୟାନ ଦେଇ ନ ଥିଲା ରାଜ୍ୟ ନେତୃତ୍ୱ

ଭୁବନେଶ୍ୱର,୧୩/୬ : ବିଜେପି ସାରା ଭାରତରେ କେବଳ ସାମ୍ପ୍ରଦାୟିକ ଧ୍ରୁବୀକରଣ କରି ଜିତୁନି। ନିଜର ହିନ୍ଦୁତ୍ୱ କାର୍ଯ୍ୟସୂଚୀ ସହ ଠିକଣା ସମୟରେ ସାମାଜିକ ସମୀକରଣ ଦେଶରେ ବିଜେପିକୁ ଆଗରେ ରଖିଛି। ଯେଉଁ ଦିନ ଏ ସାମାଜିକ ସମୀକରଣ ବିରୋଧୀ ମାନେ ଏକ ହୋଇ ଭାଙ୍ଗି ଦେବେ, ସେଦିନ ବିଜେପି ରସାତଳକୁ ପଳେଇ ଆସିବ। ଅନୁରୂପ ଭାବେ ଦୁଇ ଦଶନ୍ଧିର ଦୀର୍ଘ କ୍ଷମତା ପରେ ମଧ୍ୟ ନବୀନ ପଟ୍ଟନାୟକ ବିଜୟ ଜାରି ରହିଛି। 2020 ପରଠାରୁ ନବୀନଙ୍କ ଛଦ୍ନବେଶୀ ସାମାଜିକ ନ୍ୟାୟ କାର୍ଯ୍ୟକ୍ରମ ମଧ୍ୟ ତାଙ୍କୁ ରାଜନୈତିକ ଫାଇଦା ରହୁଛି। ତେଣୁ ଓଡ଼ିଶା କଂଗ୍ରେସକୁ ସାମାଜିକ ସମୀକରଣ ସହ ଜାତୀୟ ରାଜନୀତିକୁ ବୁଝିବାକୁ ପଡିବ। ସେଥିରୁ ଶିକ୍ଷା ଗ୍ରହଣ କରି ଆଗାମୀ ରାଜନୈତିକ କାର୍ଯ୍ୟସୂଚୀ ଗ୍ରହଣ ନ କଲେ କଂଗ୍ରେସ ରାଜ୍ୟରେ ଫେରି ପାରିବ ନାହିଁ। ଏହା ଥିଲା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ବାର୍ତ୍ତାଳାପର କ୍ରିୟଦଂଶ।
କେବଳ ସେତକ ନୁହେଁ, ଝାରସୁଗୁଡାରେ ଗଣ୍ଡ, ଅଘରିଆ, ଅନୁସୂଚିତ ଜାତି ଏବଂ ସଂଖ୍ୟାଲଘୁ ମାନଙ୍କ ସମୀକରଣ କଂଗ୍ରେସ ପାଇଁ କମବ୍ୟାକ୍ ସମ୍ଭାବନା ଆଣିପାରିବ। ତେଣୁ କଂଗ୍ରେସ ୨୦୧୯ ପରି ମହେନ୍ଦ୍ର ନାଏକଙ୍କୁ ପ୍ରାର୍ଥୀ କରୁ। ଯାହାଙ୍କର ନିଜସ୍ୱ ୧୫ରୁ ୧୬ ହଜାର ଭୋଟ ଉପରେ କର୍ତ୍ତୃତ୍ୱ ରହିଛି। ସେହିପରି ବିରେନ ପାଣ୍ଡେଙ୍କ ପରିବାର କଂଗ୍ରେସ ସହ ପ୍ରଚାର କରନ୍ତୁ। ଏହା ଦ୍ୱାରା ଆଉ 5ରୁ 6 ହଜାର ଦଳୀୟ ଭୋଟ କଂଗ୍ରେସ ରଖିପାରିବ। କଂଗ୍ରେସ ସଙ୍ଗଠିତ ହୋଇ ଲଢିଲେ ବାମଦଳ, ଏନସିପି ଏବଂ ଅନ୍ୟମାନେ ନୈତିକ ସମର୍ଥନ ଦେବେ। ଝାରସୁଗୁଡ଼ାରେ ଏକ ବିକଳ୍ପ ମଞ୍ଚ ତିଆରି ହୋଇପାରିବ। ଏହା ଜରିଆରେ ସାମ୍ପ୍ରଦାୟିକ ଦଳ ବିଜେପି ଏବଂ ତାଙ୍କ ବଚସ୍କର ବିଜେଡିକୁ ରାଜନୈତିକ ଆକ୍ରମଣ କରାଯାଇପାରିବ ବୋଲି ଶ୍ରୀକାନ୍ତ ଜେନା କହିଥିଲେ। ଏହି ପ୍ରସ୍ତାବକୁ ନେଇ ବିଜୟ ରାଜ୍ୟ ନେତୃତ୍ୱ ସମ୍ମୁଖରେ ଉପସ୍ଥାପନ କରିଥିଲେ। ମାତ୍ର ରାଜ୍ୟ ନେତୃତ୍ୱ ତାହା ଏଡାଇ ଦେଇଥିଲା। ଯୁକ୍ତି ଦିଆଯାଇଥିଲା ଯେ, କଂଗ୍ରେସ 2019ରେ ଆହୁରି ଭୋଟ ପାଇଥାଆନ୍ତି। ମହେନ୍ଦ୍ର ନିଜ ଭୋଟ ବିଜେଡିକୁ ଡାଇଭଟ କରିଦେଲେ। ତେଣୁ ତାଙ୍କୁ ପ୍ରାର୍ଥୀ କଲେ ଦଳ ଲାଭରେ ରହିବନି। ଘଟଣାକ୍ରମରେ ମହେନ୍ଦ୍ର ଦଳ ଛାଡିଲେ। ଏବେ ବିଜେଡିର ଭୋଟ ବଢିଲା। କଂଗ୍ରେସର ଭୋଟ କମିଲା। ମୋଟ ଉପରେ କହିବାକୁ ଗଲେ ଅମାନତ ରହିଲା ନାହିଁ। ଏବେ ଶରତ ପଟ୍ଟନାୟକ କହିପାରିବେ କି କଂଗ୍ରେସ ଭୋଟ କାହିଁକି ଡାଇଭଟ ହେଲା ଆଉ କିଏ ଡାଇଭଟ୍ କଲା।

ବିଜେଡି ଲଗାତର ଭାବେ ଜାତି ଜନଗଣନା, ଆଧାର ନ ଥିବା ସର୍ଭେକ୍ଷଣ, ପଦ୍ମପୁର ନିର୍ବାଚନ ସମୟରେ କୁଲତା ଓ ମେହେର ସମାଜକୁ ଜମି ପ୍ରଦାନ କଲା। ଅନୁରୂପ ଭାବେ ଅଘରିଆ ସମାଜଙ୍କ ପାଇଁ ମଧ୍ୟ ସମାନ ବ୍ୟବସ୍ଥା କଲା। ଦୀପାଲି କରଣ ବର୍ଗର ହୋଇଥିଲେ ବି ଅଘରିଆ ସମାଜ ସହ ମେଳାପ କରାଇଲା। ତେଣୁ ସାମାଜିକ ସମୀକରଣ ବିଜେଡିକୁ ବିରୋଧିଙ୍କ ତୁଳନାରେ ଢେର ଆଗରେ ରଖିଲା। ତେଣୁ ଛଦ୍ନବେଶୀ ସାମାଜିକ ସମୀକରଣର ରୂପକାର ନବୀନ ପଟ୍ଟନାୟକଙ୍କୁ ଚେକ୍ ଦେବାକୁ ହେଲେ କଂଗ୍ରେସକୁ ରଣନୀତି ବଦଳାଇବାକୁ ପଡିବ। ଖଣି ଲବି, କର୍ପୋରେଟ ଏବଂ ମୋଦି-ଶାହାଙ୍କ ଗୁଜରାଟ ଲବି କଥାରେ ଅଶ୍ୱିନୀ ବୈଷ୍ଣବଙ୍କୁ ନବୀନ ରାଜ୍ୟସଭା ପଠାଇଥିଲେ। ନୀତିଶ ଖାଲି ଭେଟିବାକୁ ଆସିଗଲେ ବୋଲି ତରତର ହୋଇ ନବୀନ ଦିଲ୍ଲୀ ପଳାଇଗଲେ। ତେଣୁ ବିଜେଡି ଏକ ଭୟର ପରିସ୍ଥିତିରେ ଗତି କରୁଛି। କର୍ନାଟକ ପରେ ବିଜେପିର କର୍ତ୍ତୃତ୍ୱ ବିଭିନ୍ନ ରାଜ୍ୟରେ ହ୍ରାସ ପାଇବ। ତେଣୁ କଂଗ୍ରେସ-ଏନସିପି-ବାମଦଳ-ସପା ରାଜ୍ୟ ରାଜନୀତିରେ ଏକ ନିଣ୍ଣାୟକ ଭୂମିକା ଗ୍ରହଣ କରିପାରିବେ ବୋଲି ଶ୍ରୀକାନ୍ତ ଜେନା କହି ଆସୁଛନ୍ତି। ହେଲେ ରାଜ୍ୟ କଂଗ୍ରେସରେ ଏକଥା ହେଜିବାକୁ ମଗଜ କାହାର ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। କଂଗ୍ରେସର ଶୋଚନୀୟ ପରାଜୟ ପରେ ଶରତଙ୍କ ପ୍ରତିକ୍ରିୟା ଏବଂ ଆଗାମୀ ରଣନୀତି ଉପରେ ସମସ୍ତଙ୍କ ନଜର ରହିବ।

Leave a Reply

Your email address will not be published. Required fields are marked *