ଅଚଳ ହେବ ଦୁଇ ହଜାର ଟଙ୍କିଆ ନୋଟ, ନିଷ୍ପତ୍ତିକୁ ମମତା ଓ କେଜ୍ରିୱାଲଙ୍କ ସମାଲୋଚନା

କୋଲକାତା/ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ଠାରୁ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିନେବା ପାଇଁ କେନ୍ଦ୍ର ସରକାର ନିକଟରେ ନିଷ୍ପତ୍ତି ନେଇଛନ୍ତି l କେନ୍ଦ୍ରର ଏହି ନିଷ୍ପତ୍ତିକୁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୀବ୍ର ସମାଲୋଚନା କରି ଛନ୍ତି l
ଏହି ପଦକ୍ଷେପକୁ ଶ୍ରୀମତୀ ବାନାର୍ଜୀ ‘ବିଲିୟନ୍ ଡଲାର୍ ଧୋକା’ ବୋଲି କହିଛନ୍ତି। ଅନୁରୂପ ଭାବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରିଛନ୍ତି l
ଶ୍ରୀ କେଜ୍ରିୱାଲ କହିଛନ୍ତି ଯେ, ପ୍ରଥମେ କହିଲେ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ କଲେ ଦୁର୍ନୀତି ବନ୍ଦ ହେବ। ଏବେ କହୁଛନ୍ତି ୨୦୦୦ ଟଙ୍କିଆ ନୋଟ୍ ବନ୍ଦ କଲେ ଭ୍ରଷ୍ଟାଚାରର ଅବସାନ ଘଟିବ। ଏଥିପାଇଁ ମୁଁ କହୁଛି ଯେ, ପ୍ରଧାନମନ୍ତ୍ରୀ ଶିକ୍ଷତ ହେବା ଉଚିତ। ଜଣେ ଅଶିକ୍ଷିତ ପ୍ରଧାନମନ୍ତ୍ରୀଙ୍କୁ ଯିଏ ଯାହା କହିଲେ ବି ସେ ବୁଝି ପାରନ୍ତି ନାହିଁ। ଜନସାଧାରଣ ହିଁ ଦୁର୍ଦ୍ଦଶା ଭୋଗୁଛନ୍ତି ବୋଲି ଅରବିନ୍ଦ କହିଛନ୍ତି l
୨୦୧୬ରେ ବିମୁଦ୍ରିକରଣ ଯୋଗୁଁ ଜନସାଧାରଣ ଭୋଗିଥିବା ଅଭୁଲା ଦୁର୍ଦ୍ଦଶା କଥା ସ୍ମରଣ କରାଇ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଟୁଇଟ୍ କରି କହିଛନ୍ତି ଯେ, ଏଇଟା ୨୦୦୦ ଟଙ୍କିଆ ‘ଧମାକା’ ନୁହେଁ, ୧୦୦ କୋଟି ଭାରତୀୟଙ୍କ ପ୍ରତି ‘ବିଲିୟନ୍ ଡଲାର୍ ଧୋକା’। ଭାଇଭଉଣୀମାନେ ଜାଗ୍ରତ ହୁଅନ୍ତୁ। ବିମୁଦ୍ରିକରଣ ସମୟରେ ଭୋଗିଥିବା ଦୁର୍ଦ୍ଦଶା ଆମେ ଭୁଲିପାରିବା ନାହିଁ। ଯେଉଁମାନେ ଏ ଦୁର୍ଦ୍ଦଶାର କାରଣ ସେମାନଙ୍କୁ କ୍ଷମା ଦେବା ଅନୁଚିତ ବୋଲି ବାନାର୍ଜୀ କହିଛନ୍ତି l