ସତ୍ୟବ୍ରତ ପାଣିଗ୍ରାହୀ ଓ ଅପୂର୍ବା ଶୁକ୍ଳାଙ୍କୁ ରାଧାନାଥ ରଥ ଓ ସତ୍ୟ ମହାପାତ୍ର ଫେଲୋସିପ୍‍

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳର ଚଳିତ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ର ସତ୍ୟବ୍ରତ ପାଣିଗ୍ରାହୀଙ୍କୁ ରାଧାନାଥ ରଥ ସ୍ମାରକୀ ଫେଲୋସିପ୍‍ ଓ ଇଂରାଜୀ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରୀ ଅପୂର୍ବା ଶୁକ୍ଳାଙ୍କୁ ସତ୍ୟ ମହାପାତ୍ର ସ୍ମାରକୀ ଫେଲୋସିପ୍‍ ପ୍ରଦାନ କରାଯାଇଛି । ଫେଲୋସିପ୍‍ ବାବଦକୁ ଉଭୟଙ୍କୁ ମାନପତ୍ର ସହ ଦଶ ହଜାର ଟଙ୍କା ଆର୍ଥିକ ରାଶି ଦିଆଯାଇଛି ।
ଆଇଆଇଏମ୍‍ସିର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଫେଲୋସିପ୍‍ ପ୍ରଦାନ କରାଯାଇଛି । ଏଥିରେ ଅତିଥିଭାବେ ଯୋଗଦେଇ ଡିଜିଟାଲ୍‍ ପ୍ଲାଟ୍‍ଫର୍ମ ‘ଓଡ଼ିଶା ଲାଇଭ୍‍’ର ମୁଖ୍ୟ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳାମ୍ବର ରଥ ଉଭୟ ଶିକ୍ଷାର୍ଥୀଙ୍କୁ ଫେଲୋସିପ୍‍ ପ୍ରଦାନ କରିଛନ୍ତି । ପ୍ରାରମ୍ଭରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ସାମ୍ବାଦିକତା କ୍ଷେତ୍ରରେ ରାଧାନାଥ ରଥ ଓ ସତ୍ୟ ମହାପାତ୍ରଙ୍କ ଅବଦାନ କଥା ଉଲ୍ଲେଖ କରିଛନ୍ତି ।
ଫେଲୋସିପ୍‍ ଗ୍ରହଣ କରିବା ପରେ ସତ୍ୟବ୍ରତ କହିଛନ୍ତି, ଖ୍ୟାତନାମା ସାମ୍ବାଦିକ ରାଧାନାଥ ରଥଙ୍କ ନାମରେ ନାମିତ ଫେଲୋସିପ୍‍ ପାଇ ସେ ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି । ସାମ୍ବାଦିକତା କ୍ଷେତ୍ରରେ ଆଗକୁ ଯିବା ପାଇଁ ଏହା ବେଶ୍‍ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି । ସେହିପରି ଅପୂର୍ବା କହିଛନ୍ତି, ସଂସ୍ଥାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କ ଶିକ୍ଷାଦାନ, ପ୍ରେରଣା ଯୋଗୁଁ ଏହି ଫେଲୋସିପ୍‍ ମିଳିଛି । ଏଥିପାଇଁ ସେ ସମସ୍ତ ଶିକ୍ଷକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ପ୍ଲସ୍‍ ନେଟ୍‍ୱର୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ରଥ, ସଂସ୍ଥାନର ଆସୋସିଏଟ୍‍ ଆଡ୍‍ମିନ୍‍ ଆଣ୍ଡ୍‍ ଆକାଉଣ୍ଟ୍‍ସ୍‍ କେଦାରନାଥ ଜେନା, ସହକାରୀ ପ୍ରଫେସର ଭାବନା ଆଚାର୍ଯ୍ୟ, ଡ. ହରି କୃଷ୍ଣ ବେହେରା, ଶିକ୍ଷା ସଂଯୋଜକ ଜିତେନ୍ଦ୍ର ପତି, ବୈଷୟିକ ସଂଯୋଜକ ବଦ୍ରିନାଥ ଜେନା, ଗ୍ରନ୍ଥାଗାରିକା ଶୁଭଙ୍କରୀ ଦାସ, ଷ୍ଟେନୋଗ୍ରାଫର ଲକ୍ଷ୍ମୀନାରାୟଣ ମିଶ୍ର ଓ ଆକାଡେମିକ ଆସିଷ୍ଟାଣ୍ଟ ସୌମ୍ୟ ରଞ୍ଜନ ବିହାରା ଉପସ୍ଥିତ ରହିଥିଲେ ।
ଆଇଆଇଏମ୍‍ସିରେ ୨୦୦୨-୦୩ ଶିକ୍ଷାବର୍ଷରୁ ରାଧାନାଥ ରଥ ସ୍ମାରକୀ ଫେଲୋସିପ୍‍ ପ୍ରଦାନ କରାଯାଇଆସୁଛି । ଓଡ଼ିଶାରେ ସାମ୍ବାଦିକତା କ୍ଷେତ୍ରରେ ପ୍ରବାଦପ୍ରତିମ ରାଧାନାଥ ରଥଙ୍କ ପରଲୋକ ପରେ ତାଙ୍କ ପୁଅ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ନୀଳକଣ୍ଠ ରଥ ଏହି ଫେଲୋସିପ୍‍ ପ୍ରଦାନ କରୁଛନ୍ତି । ସେହିପରି ‘ଦିନଲିପି’ର ସମ୍ପାଦକ ଥିବା ସତ୍ୟ ମହାପାତ୍ରଙ୍କ ଦେହାନ୍ତ ପରେ ତାଙ୍କ ପରିବାର ୨୦୧୬-୧୭ ଶିକ୍ଷାବର୍ଷରୁ ସ୍ମାରକୀ ଫେଲୋସିପ୍‍ ଦେଇଆସୁଛନ୍ତି । ସତ୍ୟ ମହାପାତ୍ରଙ୍କ ତିନି ଝିଅ ଆଇଆଇଏମ୍‍ସି, ଢେଙ୍କାନାଳରେ ପାଠ ପଢ଼ିଛନ୍ତି ।
ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ଉତ୍କର୍ଷତା ପାଇଁ ଦିଆଯାଉଥିବା ରାଧାନାଥ ରଥ ଫେଲୋସିପ୍‍ ପାଇଥିବା ଶିକ୍ଷାର୍ଥୀମାନେ ଦେଶ ବିଦେଶରେ ନିଜ ପ୍ରତିଭା ପ୍ରତିପାଦନ କରି ବେଶ୍‍ ପ୍ରଶଂସା ସାଉଁଟିଛନ୍ତି । ଗଣ ଯୋଗାଯୋଗ, ସାମ୍ବାଦିକତା, ଭାରତୀୟ ପ୍ରଶାସନିକ ସେବା ଆଦି ବିଭିନ୍ନ କ୍ଷେତ୍ରରେ ଏହି ଶିକ୍ଷାର୍ଥୀମାନେ ଆସୀନ ହୋଇ ସଂସ୍ଥାନ ପାଇଁ ଗୌରବ ଆଣିଦେଇଛନ୍ତି । ସେହିଭଳି ସତ୍ୟ ମହାପାତ୍ର ଫେଲୋସିପ୍‍ ପାଇଥିବା ଶିକ୍ଷାର୍ଥୀମାନେ ଦେଶର ପ୍ରତିଷ୍ଠିତ ଗଣମାଧ୍ୟମରେ ସାମ୍ବାଦିକତା କରିବା ସହ ଗଣ ଯୋଗାଯୋଗର ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଛନ୍ତି ।

Leave a Reply

Your email address will not be published. Required fields are marked *