ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ୪୬୯, ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୧୫୧/୫

ଲଣ୍ଡନ: ଓଭାଲ ଠାରେ ଖେଳାଯାଉଥିବା ଟେଷ୍ଟ ଚାମ୍ପିୟନସିପ ଫାଇନାଲର ଦ୍ୱିତୀୟ ଦିନରେ ମହମ୍ମଦ ସିରାଜ ୪ ୱିକେଟ୍ ନେଇ ଭାରତୀୟ ଦଳକୁ ପତ୍ୟାବର୍ତ୍ତନର ସୁଯୋଗ ଦେଇଥିଲେ, କିନ୍ତୁ ଭାରତୀୟ ବ୍ୟାଟର୍ ଏହାକୁ ହାତଛଡ଼ା କରି ଦେଇଛନ୍ତି। ଫଳରେ ପ୍ରଥମ ଦିନ ଭଳି ଦ୍ବିତୀୟ ଦିବସରେ ମଧ୍ୟ ଅଷ୍ଟ୍ରେଲିଆ ତାର ଦବ୍ ଦବା ମ୍ୟାଚ ରେ ବନେଇ ରଖିଛି । ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ର ଏହି ଫାଇନାଲ୍ରେ ଅଷ୍ଟ୍ରେଲିଆର ୪୬୯ ରନ୍ ଜବାବରେ ଭାରତ ଦ୍ବିତୀୟ ଦିନ ସୁଦ୍ଧା ୫ ୱିକେଟ୍ ହରାଇ ୧୫୧ ରନ୍ ସଂଗ୍ରହ କରିବା ସହ ସଂଘର୍ଷ କରୁଛି। ଅଜିଙ୍କ୍ୟ ରାହାଣେ ୨୯* ଓ ଶ୍ରୀକର ଭରତ ୫* ରନ୍ କରି ଅପରାଜିତ ଅଛନ୍ତି। ଏଥିପୂର୍ବରୁ ଅଧିନାୟକ ରୋହିତ ଶର୍ମା ଓ ଆଇପିଏଲ୍ ଓ ଶୁଭମନ ଗିଲ୍ ପ୍ରଥମରୁ ଆକ୍ରମଣାତ୍ମକ ଶୈଳୀ ଆପଣାଇଥିଲେ। କିନ୍ତୁ ଏହାକୁ ବଡ଼ ସ୍କୋରରେ ପରିଣତ କରିବାରେ ଉଭୟ ବିଫଳ ହୋଇଥିଲେ। ଷଷ୍ଠ ଓଭରର ଶେଷ ବଲ୍ରେ ପ୍ୟାଟ୍ କମିନ୍ସ ଭାରତୀୟ ଅଧିନାୟକଙ୍କୁ ଏଲ୍ବିଡବ୍ଲୁ କରିଥିଲା ବେଳେ ୩ ବଲ୍ ବ୍ୟବଧାନ ପରେ ସ୍କଟ୍ ବୋଲାଣ୍ଡଙ୍କ ଇନ୍ ସୁଇଂକୁ ବୁଝିନପାରି ଗିଲ୍ ବୋଲ୍ଡ ହୋଇଯାଇଥିଲେ। ବଲ୍କୁ ସେ ଛାଡ଼ି ଦେଇଥିବାବେଳେ ଷ୍ଟମ୍ପ୍ ହରାଇଥିଲେ। ଚା’ ପାନ ବିରତି ସୁଦ୍ଧା ଭାରତକୁ ବିରାଟ କୋହଲି ଓ ଚେତେଶ୍ବର ପୂଜାରା ସମ୍ଭାଳିଥିଲେ। କିନ୍ତୁ ପୂଜାରା ମଧ୍ୟ ସମାନ ଢଙ୍ଗରେ ବଲ୍ ଛାଡ଼ି କାମେରନ୍ ଗ୍ରିନ୍ଙ୍କ ବଲ ରେ ବୋଲ୍ଡ ହୋଇଯାଇଥିଲେ। କୋହଲିଙ୍କୁ ଷ୍ଟାର୍କ ଆଉଟ୍ କରି ଟିମ୍ ଇଣ୍ଡିଆକୁ ବଡ ଧକ୍କା ଦେଇଥିଲେ। ୧୯ ଓଭର ଭିତରେ ଭାରତ ୭୧ ରନ୍ରେ ୪ ୱିକେଟ୍ ହରାଇସାରିଥିଲା। ଜାଡେଜା ଓ ଅଜିଙ୍କ୍ୟ ରାହାଣେ ପଞ୍ଚମ ୱିକେଟ୍ରେ ୭୧ ରନ୍ ଭାଗୀଦାରି କରି ପାଳି ସମ୍ଭାଳିଥିଲେ। କିନ୍ତୁ ଦ୍ୱିତୀୟ ଦିନ ଖେଳ ଶେଷ ହେବାର ୪ ଓଭର ପୂର୍ବରୁ ଜାଦେଜା ଆଉଟ୍ ହୋଇ ପାବେଲିୟନକୁ ଫେରିଛନ୍ତି।