ଗତବର୍ଷ ଯାଇଥିଲେ ୭,୫୦୦ ଏ ବର୍ଷ ଛାଡ଼ିବେ ୬,୫୦୦ ଧନୀ

ଗତବର୍ଷ ୭,୫୦୦ ଧନୀ ବ୍ୟକ୍ତି ଭାରତ ଛାଡ଼ିଥିଲେ। ଚଳିତ ବର୍ଷ ଆଉ ୬,୫୦୦ ଧନୀ ଭାରତ ଛାଡ଼ିବେ ବୋଲି ହେନ୍‌ଲି ‌ପ୍ରାଇଭେଟ୍ ୱେଲ୍‌ଥ ମାଇଗ୍ରେସନ ରିପୋର୍ଟରେ ଆକଳନ କରାଯାଇଛି। ଚୀନ୍‌ ପରେ ଭାରତ ହେଉଛି ଦ୍ବିତୀୟ ଦେଶ ଯେଉଁଠାରୁ ବହୁ ସଂଖ୍ୟକ ଧନୀ ବସବାସ ଲାଗି ଅନ୍ୟ ଦେଶକୁ ପଳାୟନ କରିବେ। ଚୀନ୍‌ରୁ ୧୩,୫୦୦ ଧନୀ ଅନତ୍ୟ ଚାଲିଯିବେ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ଯେଉଁମାନଙ୍କ ପାଖରେ ୧ ନିୟୁତ ଡଲାର ବା ତା’ଠାରୁ ଅଧିକ ସମ୍ପତ୍ତି ରହିଛି ସେଭଳି ମିଲିଓନେୟାରଙ୍କୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଜଟିଳ ନିୟମ ଓ କଠୋର ଟିକସ ବ୍ୟବସ୍ଥାକୁ ନେଇ ଚିନ୍ତିତ ଥିବା ଧନୀମାନେ ଭାରତ ଛାଡ଼ିବେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦୁବାଇ ଓ ୟୁଏଇରେ ରହିବେ। ସୁହାଇବା ଭଳି ଟିକସ ବ୍ୟବସ୍ଥା, ବ୍ୟବସାୟ ଲାଗି ଅନୁକୂଳ ପରିବେଶ, ସୁରକ୍ଷିତ ଓ ଶାନ୍ତ ବାତାବରଣ ପାଇଁ ସେମାନେ ଏହି ଦୁଇ ଦେଶକୁ ବସବାସ ଲାଗି ଚୟନ କରୁଛନ୍ତି। ଭାରତରେ ଏବେ ୩,୫୭,୦୦୦ରୁ ଅଧିକ ମିଲିଓନେୟାର ରହିଛନ୍ତି। ଯେହେତୁ ଏହାର ଅର୍ଥନୀତି ଦ୍ରୁତ ଗତି‌ରେ ବୃଦ୍ଧି ପାଉଛି ସେଥିପାଇଁ ପ୍ରତିବର୍ଷ ବିପୁଳ ସଂଖ୍ୟାରେ ମିଲିଓନେୟାର ସୃଷ୍ଟି ହେଉଛନ୍ତି। ସେହି ଦୃ‌ଷ୍ଟିରୁ ଯେତିକି ‌ଧନୀ ଚଳିତ ବର୍ଷ ଦେଶ ଛାଡ଼ିବେ ବୋଲି କୁହାଯାଉଛି ତାହା ବିଶେଷ ଚିନ୍ତାର କାରଣ ନୁହେଁ ବୋଲି ରିପୋର୍ଟରେ ଦର୍ଶାଯାଇଛି। । ୨୦୨୩ରେ ବିଶ୍ବର ବିଭିନ୍ନ ଦେଶରୁ ୫,୨୦୦ ଧନୀ ଅଷ୍ଟ୍ରେଲିଆ, ୪,୫୦୦ ୟୁଏଇ, ୩,୨୦୦ ସିଙ୍ଗାପୁର, ୨,୧୦୦ ଆମେରିକା, ୧୮୦୦ ସ୍ବିଜରଲ୍ୟାଣ୍ଡ୍‌, ୧୬୦୦ କାନାଡା, ୧୨୦୦ ଗ୍ରିସ୍, ୧୦୦୦ ଫ୍ରାନ୍ସ, ୮୦୦ ପର୍ତୁଗାଲ୍ ଓ ୭୦୦ ଧନୀ ନ୍ୟୁଜିଲ୍ୟାଣ୍ଡ୍‌ ଯିବେ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *